Dharitri Das

Tragedy

4  

Dharitri Das

Tragedy

ଜଗନ୍ନାଥ କେଡ଼େ ମହାନ୍

ଜଗନ୍ନାଥ କେଡ଼େ ମହାନ୍

3 mins
422



     ସେଦିନ ଥିଲା ୨୦୧୨ ମସିହା ଅଗଷ୍ଟ ୧୪ ତାରିଖ ରାତିରେ ଝିଅକୁ ପାଠ ପଢାଇବା ସମୟରେ ତା ଉପରେ ବିଗିଡିବାରୁ ମୋର ସ୍ୱାମୀ ହଠାତ ରାଗି ଯାଇଥିଲେ ମନେମନେ। ତାଙ୍କର ମନକୁ ଯେତେବେଳେ ମୁଁ ବୁଝିଲି ମୋତେ ଖରାପ ଲାଗିଲା। ଭାବିଲି ସ୍ତ୍ରୀ ହୋଇ ସ୍ୱାମୀ ମନରେ ଦୁଃଖ ଦେଲି। ଧିକ ମୋ ସ୍ତ୍ରୀ ପାଣିଆକୁ।

    ଏହିପରି ଭାବିଭାବି ରାତିରେ ନିଦ ହେଲାନି।ଭୋର ହେଲା ମୁଁ ଘରୁ ବାହାରି ସିଧା ଷ୍ଟେସନରେ ପହଞ୍ଚିଲି। କିଛି ସମୟ ପରେ ଗୋଟିଏ ଏକ୍ସପ୍ରେସଟ୍ରେନ ଆସିଲା ସେଥିରେ ଚଢ଼ିଗଲି। ସିଟ ନଥାଏ ଛିଡ଼ା ହୋଇ ହୋଇ ଗଲି। କଟକରେ ଓହ୍ଲାଇ ପଡିଲି।ସିଧା ଷ୍ଟେସନ ବାହାରକୁ ଯାଇ ବଡ଼ ମେଡ଼ିକାଲ ଯିବି ଭାବି ଅଟୋରେ ବସିଲି। ମୋ ପାଖରେ ମାତ୍ରସତେଇଶି ଟଙ୍କା ଥାଏ। ୧୦ ଟଙ୍କା ଦେଇ ଯାଇ ମେଡ଼ିକାଲରେ ପହଂଚିଲି।

          ମେଡ଼ିକାଲ ଆଉଟ ଡୋରରେ ଲମ୍ବା ଲାଇନ ଲାଗିଥାଏ। କିଛିସମୟ ଛିଡା ହେବାପରେ କ'ଣ ମନକୁ ଆସିଲା କେଜାଣି ଲାଇନ ଛାଡି ପଳାଇ ଆସିଲି ଅଟୋ ଧରି ସିଧା ଷ୍ଟେସନ।ଅଟୋବାଲା ୧୦ଟଙ୍କା ନେଲା। ପାଖରେ ମାତ୍ର ୭ ଟଙ୍କା ଥାଏ।କିଛି ସମୟ ବସିବା ପରେ ପୁଣି ଗୋଟିଏ ଟ୍ରେନରେ ଚଢିଲି।

        ସେହି ଟ୍ରେନ ଭୁବନେଶ୍ୱରରେ ଷ୍ଟେସନରେ ଅଟକିଲା ପରେ କ'ଣ ହେଲା କେଜାଣି ଓହ୍ଲାଇ ପଡି ଭାବିଲି ଇସ୍କନ ମନ୍ଦିର ଯିବି। ଜଣେ ଦୁଇ ଜଣଙ୍କୁ ପଚାରି ପଚାରି ଚାଲି ଚାଲି ଗଲି । ଅନେକ ବାଟ ଯିବା ପରେ ପୁଣି ଫେରି ଆସିଲି କିଛି ବାଟ ଚାଲିବା ପରେ ଗୋଟିଏ ଅଟୋକୁ ପଚାରିଲି ଷ୍ଟେସନକୁ ଭଡା କେତେ । ସେ କହିଲା ୫ଟଙ୍କା। ସେହି ଅଟୋରେ ବସି ଷ୍ଟେସନରେ ପହଞ୍ଚିଲି। ସଙ୍ଗେ ସଙ୍ଗେ ଆସି ପୁରୀ ଏକ୍ସପ୍ରେସ ପହଁଚିଲା। ଚଢ଼ିଗଲି।

             ସେ ଟ୍ରେନର ସେହି ବଗିରେ ମାତ୍ର ଚାରିଜଣ ଲୋକ ପୁଣି ପୁରୁଷ ବସିଥାନ୍ତି। କ'ଣ କରିବି ଭାବୁଥାଏ। ଏହି ସମୟରେ ହଠାତ ଜଣେ ପୁରୀ ପଣ୍ଡା ଆସି ମୋ ସାମନା ସିଟରେ ବସିଲେ।ତାଙ୍କୁ ଦେଖିଲା ପରେ ମୋର ଦମ୍ଭ ଆସିଲା। ନୀରବତା ଭଙ୍ଗ କରି ପଚାରିଲି ଆଜ୍ଞା ଆପଣ କୁଆଡ଼େ ଯିବେ। ସେ କହିଲେ ମୁଁ ପୁରୀ ଯିବି। ଏକଥା ଶୁଣି ମୋତେ ଆଶ୍ୱାସନା ମିଳିଲା ପରି ଲାଗିଲା।ଆରାମରେ ବସିଲି। ଦିନ ୨ଟା ବେଳେ ଟ୍ରେନ ପୁରୀ ଷ୍ଟେସନରେ ପହଁଚିଲା।ପଣ୍ଡା ମହାଶୟ ଓହ୍ଲାଇବା ଦେଖି ମୁଁ ବି ଓହ୍ଲାଇ ପଡିଲି। ସିଏ ଆଗେଆଗେ ଚାଲିଥାନ୍ତି ମୁଁ ତାଙ୍କ ପଛେପଛେ ଚାଲିଥାଏ।

        ସେ ନରେନ୍ଦ୍ର ପୋଖରୀରେ ଯାଇ ଗାଧୋଇଲେ। ମୁଁ ବି ଗାଧୋଇଲି। ସେହି ଓଦା ଲୁଗାରେ ତାଙ୍କ ପଛେ ପଛେ ମନ୍ଦିର ଚାଲିଲି।ବାଇଶି ପାବଛରେ ଚଢିବା ପରେ ସେହି ପଣ୍ଡା ମହାଶୟ କୁଆଡ଼େ ଗଲେ ଯେ ଆଉ ଦେଖିବାକୁ ପାଇଲି ନାହିଁ। ମୁଁ ମନ୍ଦିର ଭିତରକୁ ଗଲି। ଏହା ପୂର୍ବରୁ ଯେତେଥର ଯାଇଛି ମହାପ୍ରଭୁଙ୍କ ଦର୍ଶନ ମନ ଭରି କରି ପାରି ନଥିଲି ଭିଡ଼ ଭିତରେ। ସେଦିନ କିନ୍ତୁ ପୁରା ଫାଙ୍କାରେ ମନ ଭରି ଦର୍ଶନ କଲି। ପାଖରେ ଥିବା ଦୁଇ ଟଙ୍କାକୁ ଥାଳିରେ ପକାଇ ଯାଇ ଦକ୍ଷିଣ ଦ୍ୱାରରେ ବସିଲି।              ସେତେବେଳକୁ ସଞ୍ଜ ନଇଁ ଆସୁଥାଏ। ଭାବିଲି ରାତିରେ କୋଉଠି ରହିବାର ବ୍ୟବସ୍ଥା କରିବାକୁ ହେବ। ତେଣୁ ସେହି ଦକ୍ଷିଣ ଦ୍ୱାରବାଟେ ବାହାରି ଗୋଟିଏ ଗଳିରେ ପଶି ଏକ ପାନ ଦୋକାନରେ ପଚାରିଲି ଏଠି ଘର ଭଡା ମିଳିବ କି?

ଠିକ ଏହି ସମୟରେ ଜଣେ ବୟସ୍କ ଲୋକ ଆସି ପହଞ୍ଚିଲେ। ପଚାରିଲେ ମାଆ କଣ ହେଇଛି? ମୁଁ କହିଲି ମଉସା ଏଠି ଘର ମିଳିବକି ରହିବାକୁ। ସେ ମୋତେ ଚାହିଁଲେ ତାପରେ କହିଲେ ତମେ ଏକା ନା ଆଉ କିଏ ଅଛନ୍ତି ତୁମ ସହିତ। ମୁଁ କହିଲି ନାହିଁ ମୁଁ ଏକା। ତାପରେ ପଚାରିଲେ ତମର ସମାନ କ'ଣ କିଛି ଦେଖା ଯାଉନି ତ। ମୁଁ କହିଲି ନାହିଁ କିଛି ନାହିଁ। ମୁଁ ରହିବା ପରେ କିଣିନେବି। ସେ କହିଲେ ହଉ ଆସ। ତାପରେ ଚାଲି ଚାଲି ଗଲୁ ଅନେକ ବାଟ। ଗଳିରାସ୍ତା ହେଲେବି ମୋତେ ଲାଗୁଥାଏ ମୋ ଆଗରେ ଜଗନ୍ନାଥ ଚାଲୁଛନ୍ତି। ତେଣୁ ମୁଁ ନିର୍ଭୟରେ ଚାଲିଲି। ସେ ନେଇ ମୋତେ ତାଙ୍କ ଧରମ ଝିଅ ଘରେ ଛାଡ଼ି ବଜାର ଯାଇ ଗୋଟିଏ ନାଇଟ ସାବୁନ ପାନିଆ ଏବଂ ରୁଟି ଓ ତରକାରି ଆଣିଦେଲେ। ମୁଁ କିନ୍ତୁ ସେତେବେଳକୁ ପାଣି ଟିକେ ବି ପିଇ ନ ଥାଏ। ମୁଁ ମନାକଲି ଖାଇବାକୁ। ସେ ରାଣ ନିୟମ ପକାଇ ଜିଦି କରି ଖୁଆଇଲେ। ସେଦିନ ସେଠି ରହିଲି। ତାପରଦିନ ଉପର ଓଳି ମୋପାଇଁ କିଛି କାମ ଯୋଗାଡ଼ କରିବାକୁ କହିଲି। ତାପରେ ଏମିତି କଥା ହେଉହେଉ ହଠାତ ମୋ ପାଟିରୁ ବାହାରିଗଲା ମୁଁ ଗୋଟିଏ କମ୍ପାନୀର ଏଜେଣ୍ଟ ଥିଲି ଭୁବନେଶ୍ୱରରେ। ତାପରେ ସେ ମୋତେ କମ୍ପାନୀ ବାବଦରେ ପଚାରୁପଚାରୁ ସେଠି ଜଣେ ଭଡାଟିଆ ଥିଲେ କହିଲେ ଭଲ କମ୍ପାନୀ ତ ଆମକୁ ଏଜେଣ୍ଟ କରାଇ ଦିଅନ୍ତେନି ମୁଁ କହିଲି ହଁ ଭଲହେବ ମୁଁ ବି ଏଠି ରହି କାମ କରି ପାରିବି। ସେ କହିଲେ ତାଙ୍କର କିଛି କଣ୍ଟାକ୍ଟ ନମ୍ବର ଅଛି କି? ମୋ ପାଟିରୁ ହଠାତ ହଁ ବୋଲି ବାହାରି ପଡିଲା। ତାପରେ ମଉସା କହିଲେ ତେବେ ଦେଉନ ଆମେ କଥା ହୋଇ ଯିବା। ମୁଁ ଦେଇଦେଲି। ତାପରେ ସିଏ ଫୋନ ଲଗାଇ ମୋତେ ଦେଇଛନ୍ତି କି ନାହିଁ ଆମ ସିନିୟର ମାନସ ବାବୁ କହିଲେ ଦିଦି ଆଗ କୁହନ୍ତୁ ଆପଣ କେଉଁଠି ଅଛନ୍ତି। ମୁଁ କିଛି ନକହି ଫୋନ କାଟି ଦେଲି। ତାପରେ ସିଏ ସେହି ଫୋନ ନମ୍ବରଟିକୁ ମୋ ସ୍ୱାମୀ ଓ ପୁଅକୁ ଦେଲେ। ତାପରେ ସେମାନେ କଣ୍ଟାକ୍ଟ କରିମୋ ପାଖରେ ପହଞ୍ଚି ମୋତେ ଆଣିଥିଲେ।

      ସେହିଦିନ ହିଁ ମୁଁ ଅନୁଭବ କଲି ସତରେ ଜଗନ୍ନାଥ କେଡେ ମହାନ। ମୋର ପୁରୀରେ ରହିବାର ଇଚ୍ଛାକୁ ପୂରଣ କଲେ ଏବଂ ମୋ ପାଖେ ପାଖେ ସବୁବେଳେ ରହି ସବୁ ପ୍ରକାର ବିପଦରୁ ମୋତେ ଉଦ୍ଧାର କଲେ।


        


Rate this content
Log in

Similar oriya story from Tragedy