STORYMIRROR

Dharitri Das

Children Stories

3  

Dharitri Das

Children Stories

ପଖାଳ ଦିବସ

ପଖାଳ ଦିବସ

2 mins
162


ଦିନେ ରାମୁ ମଧୁ ଅଜାଙ୍କ ଘରକୁ ଯାଇଥିଲା। ସେଠାରେ ଯାଇ ଦେଖିଲା ସତୁରୀ ବର୍ଷୀୟା ମଧୁ ଅଜା ସକାଳୁ ସକାଳୁ ବସି ପଖାଳ ଭାତ ସାଙ୍ଗକୁ ବାଇଗଣ ପୋଡ଼ା ଚକଟି ମହା ଆନନ୍ଦରେ ଖାଉଥିଲେ। ରାମୁ କହିଲା ଅଜା ତମେ ଏ ବୟସରେ ଏତେ ସକାଳୁ ପଖାଳ ଖାଉଛ। ଅଜା କହିଲେ ଆରେ ରାମୁ ପଖାଳ ତ ଆମ ଓଡ଼ିଆ ପରିବାରର ମୁଖ୍ୟ ଖାଦ୍ୟ ଏହାକୁ ଆମେ ଛାଡ଼ିବା କିପରି କହିଲୁ। ଏହା ବ୍ୟତୀତ ଏଥିରେ ଯେଉଁ ଔଷଧୀୟ ଗୁଣ ରହିଛି ତୁ ଜାଣିଛୁ।

         ରାମୁ କହିଲା ସତରେ ଅଜା ମୋତେ ତ ଏ କଥା ଆଦୌ ଜଣା ନାହିଁ। ଆଜି ମୁଁ ତୁମଠୁ ସବୁ ଶୁଣିବି। ଦୟାକରି ମୋତେ କୁହନ୍ତୁନା।

          ଅଜା କହିଲେ ତେବେ ଶୁଣୁ।ଆମ ଓଡ଼ିଶାର ପ୍ରଧାନ ଖାଦ୍ୟ ଶସ୍ୟ ହେଲା ଧାନ। ତେଣୁକରି ଆମର ପ୍ରିୟ ଖାଦ୍ୟ ଭାତ ହେବା ସ୍ଵାଭାବିକ।ଅତି ଗରିବ ଲୋକଟେ ଭାତକୁ ପଖାଳି ବାଇଗଣ ପୋଡ଼ା କି ବଡ଼ିଚୁରା ଲଗାଇ ସହଜରେ ଖାଇଦେଇ ଥାଏ। ଏହାର ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ରହିଛି। ସେଗୁଡିକ ହେଲା ପଖାଳ ପିତ ନାଶକ। ଚାଇଁ ପଖାଳ ଖାଇ ତା ତୋରାଣି ପିଇ ଦେଲେ କୋଷ୍ଟ କାଠିନ୍ୟ, ଅଗ୍ନିମାନ୍ଦ୍ୟତା, ଅଜୀର୍ଣ୍ଣ ଓ ପେଟ ବ୍ୟଥା ଆଦି ରୋଗରୁ ଉପଶମ ମିଳଥାଏ।ହାଣ୍ଡି କାଞ୍ଜି ଦ୍ଵାରା ପେଟ ଥଣ୍ଡା ରହେ। ପିତ ରୋଗ, ବିସୁଚିକା,ଅତିସାର ଆଦି ରୋଗ ପାଇଁ ପ୍ରଶମନକାରୀ ଓ ଉପକାରୀ ଅଟେ।

          ମାତ୍ର କଫ ପ୍ରଧାନ ରୋଗୀକୁ ବାସି ପଖାଳ ଦେବା ଆଦୌ ଉଚିତ ନୁହେଁ।

        ଏହାଛଡା ପଖାଳ ଖାଇଲେ ବେଶୀ ତେଲ ମସଲା ଯୁକ୍ତ ଖାଦ୍ୟର ଆବଶ୍ୟକ ପଡେ ନାହିଁ। ତେଣୁ ଅଧିକାଂଶ ରୋଗରୁ ମୁକ୍ତି ମିଳେ।

          ରାମୁ କହିଲା ଆରେ ବା ଆମ ଦେଶର ପଖାଳରେ ଏତେ ମହତ୍ତ୍ଵ ରହିଛି। ମୁଁ ଏକଥା ଆଗରୁ ଜାଣିନଥିଲି। ଯାହେଉ ଅଜା ମୁଁ ଆଜି ତମ ଠାରୁ ଅନେକ କଥା ଜାଣିଲି।

          ଆରେ ଆଉ ଗୋଟେ କଥା ଜାଣିଛୁ ଆମ ଓଡ଼ିଶାର ମାଉଡ ମଣି ଜଗତର ନାଥ ଜଗନ୍ନାଥଙ୍କୁ ବି ପ୍ରତିଦିନ ସନ୍ଧ୍ୟା ଭୋଗରେ ପଖାଳ ଦିଆଯାଇଥାଏ। ସେହି ପଖାଳର ନାମଗୁଡିକ ମନେରଖ। ଅଦା ପଖାଳ, ଟଭା ପଖାଳ ଜିରା, ଅଦା ଓ ମସଲା ଦ୍ୱାରା ପ୍ରସ୍ତୁତ ସୁବାସିତ ପଖାଳ ଏବଂ ଦହିପଖାଳ ଇତ୍ୟାଦି।

          ସତରେ ଅଜା ସେଥିପାଇଁ ବୋଧେ ଏହା ଆମ ଓଡ଼ିଶାର ପ୍ରିୟ ଖାଦ୍ୟ।

        ଅଜା କହିଲେ ଆରେ ଏହା କେବଳ ଓଡ଼ିଶା ନୁହେଁ ଓଡ଼ିଶାର ବାହାରେ ବି ଏହାର ଆଦର ବୃଦ୍ଧି ପାଇଛି। ସେଥିପାଇଁ ପରା ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଉଅଛି।

      ରାମୁ କହିଲା ଅଜା ପଖାଳ ଦିବସରେ କଣ ସବୁ ହୁଏ।

       ଅଜା କହିଲେ ଏହିଦିନରେ ସାରା ବିଶ୍ବରେ ଅନେକ ଲୋକଙ୍କ ଘରେ ପଖାଳ ସହିତ ନାନା ବ୍ୟଞ୍ଜନ ରଖି ଉତ୍ସବ ମନାଇବା ପରି ସଭିଏଁ ଏକତ୍ର ଭୋଜନ କରି ପଖାଳର ମଜା ନିଅନ୍ତି।

         ହଁ ଅଜା ଏତ ବହୁତ୍ ସୁନ୍ଦର କଥା। ଏବର୍ଷ ତେବେ ଆମେ ବି ପଖାଳ ଦିବସ ପାଳିବା।

     ଅଜା କହିଲେ ହେଉରେ ନାତି ଏବେ ମୁଁ ଆସୁଛି। ମୋର କେତେ କାମ ଅଛି । ଆଉ କେତେବେଳେ କଥାହେବା। ଦୁହେଁ ନିଜନିଜ ବାଟରେ ଚାଲିଗଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍