Dharitri Das

Children Stories Inspirational

4.0  

Dharitri Das

Children Stories Inspirational

ସଫଳତା ପାଇଁ ଅହଂକାର ଅସ୍ପୃଶ୍ୟ

ସଫଳତା ପାଇଁ ଅହଂକାର ଅସ୍ପୃଶ୍ୟ

2 mins
153



      ଗୋଟିଏ ନିପଟ ମଫସଲ ଗାଆଁରେ ଜନ୍ମିଥିଲେ ମାଧବୀ ଲତା ଦେବୀ। ପିଲାଟି ଦିନରୁ ସେ ଶାନ୍ତ, ଧୀର, ନମ୍ର ଓ ଭଦ୍ର। ସେଥିପାଇଁ ସେ ଗାଆଁଟି ଯାକର ଗେଲ୍ଲୀ ଝିଅ ହୋଇ ପାରିଥିଲେ। ସବୁ କଥାରେ ସବୁ କାମରେ ସେ ଆଗ ଡାକରା ଥିଲେ। ଏହାଥିଲା ତାଙ୍କର ଏକ ବିରାଟ ସଫଳତା। ହେଲେ ସେଥିପାଇଁ ତାଙ୍କ ମନରେ କେବେବି ଗର୍ବ କିମ୍ବା ଅହଂକାର ଦେଖିବାକୁ ମିଳୁ ନ ଥିଲା। ପିଲାଟି ଦିନରୁ ଦୁଃଖକୁ ଖାତିର ନ କରି କର୍ମ କରି ଚାଲିଥିଲେ।

      ତାପରେ ସେ ପାଠ ପଢ଼ିବା ପାଇଁ ବିଦ୍ୟାଳୟ ଗଲେ। ସେଠାରେ ସେ ସବୁ ପିଲା ଓ ଶିକ୍ଷକଙ୍କ ସହ ଏତେ ସୁନ୍ଦର ସଦ୍ଭାବ ରଖିଥିଲେ ଯେ ସେଥିରେ ଖୁସି ହୋଇ ପିଲାମାନଙ୍କ ପାଖରୁ ଆରମ୍ଭ କରି ଶିକ୍ଷକଙ୍କ ମୁଖରେ ସଦା ସର୍ବଦା ତାଙ୍କରି ନାମ ଶୁଣିବାକୁ ମିଳୁଥିଲା। ଅଦ୍ୟାବଧି ସେହି ବିଦ୍ୟାଳୟ ଇତିହାସରେ ତାଙ୍କର ଉଦାହରଣ ଦେଖିବାକୁ ମିଳିଥାଏ। ଖାଲି ସେତିକି ନୁହେଁ ପାଠ ପଢ଼ାରେ ତାଙ୍କର ଦକ୍ଷତା ମଧ୍ୟ କେଉଁ ଗୁଣରେ କମ ନ ଥିଲା। ସେ ପ୍ରତିବର୍ଷ ଶ୍ରେଣୀରେ ପ୍ରଥମ ହେଉଥିଲେ। ରାଜ୍ୟପାଳ ପୁରସ୍କାର ମଧ୍ୟ ପାଇଥିଲେ।

      ମାତ୍ର ପ୍ରତିବର୍ଷ ପରୀକ୍ଷା ଫଳ ଘୋଷିତ ହେବା ମାତ୍ରେ ତାର ନାମ ସର୍ବ ପ୍ରଥମ ସ୍ଥାନରେ ଥିବା ଦେଖି ମଧ୍ୟ ସେ ଆନନ୍ଦରେ ଫାଟି ପଡୁ ନ ଥିଲେ। ବଂର ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳୁଥିଲା। ତାହା ପୁଣି ଆନନ୍ଦାଶ୍ରୁ ନ ଥିଲା। ଦୁଃଖରେ ତାଙ୍କ ଆଖିରୁ ଅଶ୍ରୁ ନିର୍ଗତ ହେଉଥିଲା କାରଣ ଯେଉଁ ପିଲା ଫେଲ ହୋଇ ଯାଉଥିଲେ ସେମାନଙ୍କ ମନ କଥା ଭାବି। ସେ ସଙ୍ଗେସଙ୍ଗେ ସେମାନଙ୍କ ପାଖକୁ ଧାଇଁ ଯାଇ ସେମାନଙ୍କୁ ସାନ୍ତ୍ୱନା ପ୍ରଦାନ କରୁଥିଲେ। ପୁନର୍ବାର ଚେଷ୍ଟା କରିବାକୁ ପ୍ରେରଣା ଦେବା ସଙ୍ଗେ ସହଯୋଗର ହାତ ବଢ଼ାଇ ଦେଉଥିଲେ। ଏଥିରେ ବି ସଫଳତା ପାଉଥିଲେ ମଧ୍ୟ ଗର୍ବ, ଅହଂକାର ତାଙ୍କୁ ସ୍ପର୍ଶ କରିପାରି ନ ଥିଲା।

     ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଶିକ୍ଷା ଶେଷ କରି ଶେଷରେ ସେ ଜଣେ ସୁଦକ୍ଷ ଡ଼ାକ୍ତରାଣୀ ହୋଇ ପାରିଥିଲେ। ରୋଗୀ ସେବାରେ ସେ ଦିନରାତି ଏକ କରି ଦେଉଥିଲେ। ଖାଇବାପିଇବା ଭୁଲି ଯାଉଥିଲେ। ତାଙ୍କ ରୋଗୀ ସେବାରେ ଧନୀଗରିବ ଭେଦଭାବ ଦେଖିବାକୁ ମିଳୁ ନ ଥିଲା। ଆଉ ଜୀବନସାରା ଡାକ୍ତରଖାନାରେ ହେଉ ବା ନର୍ସିଂହୋମ ହେଉ ସେ ନିଜ ସରକାରୀ ଦରମା ଛଡ଼ା ଗୋଟିଏ ବି ଟଙ୍କା କାହାରିଠୁ ନେଉ ନ ଥିଲେ। 

      ସେଥିପାଇଁ ରୋଗୀଙ୍କର ଭିଡ଼ ସଦା ସର୍ବଦା ଲାଗି ରହିଥିଲା। ଆଉ ତାଙ୍କର ଏହି ବଦାନ୍ୟତା ଯୋଗୁଁ ପ୍ରତ୍ୟେକ ରୋଗୀ ତାଙ୍କୁ ଏତେ ନିଜର ଭାବୁଥିଲେ ଯେ ନିଜ ବାଡ଼ି ବଗିଚାର ପ୍ରଥମେ ଫଳୁଥିବା ଫଳ, ଶାଗ ,ପନିପରିବା ଏମିତିକି କ୍ଷୀର ଦହି, ଛେନା, ଘିଅ ଇତ୍ୟାଦି ଧରି ରାତି ପାହିଲେ ତାଙ୍କ ଦ୍ୱାରରେ ପହଞ୍ଚି ଯାଉଥିଲେ।ମାଧବୀ ଦେବୀ ବାରଣ କଲେ ସେମାନେ ମନ ଦୁଃଖ କରୁଥିଲେ।ତେଣୁ ସେମାନଙ୍କୁ ଦୁଃଖ ନ ଦେବାକୁ ଯାଇ ସେ ବାଧ୍ୟ ହୋଇ ସେଗୁଡ଼ିକୁ ରଖୁ ଥିଲେ।

      ଦେବାଳୟରେ ସମୟ ଅନୁଯାୟୀ ପଡ଼ ପଡିବାର ବ୍ୟବସ୍ଥା ଥାଏ। ମାତ୍ର ମାଧବୀ ଦେବୀଙ୍କ ଘରେ ସକାଳ ଛଅଟା ଠାରୁ ରାତି ଦଶଟା ପର୍ଯ୍ୟନ୍ତ ସବୁଦିନ ଖୋଲା ରହୁଥିଲା।

       ଏତେସବୁ ସଫଳତା ପାଇ ମଧ୍ୟ ତାଙ୍କ ମନକୁ ଗର୍ବ ଅହଂକାର ତିଳେମାତ୍ର ସ୍ପର୍ଶ କରିପାରୁ ନ ଥିଲା। ଏସବୁକୁ ଲକ୍ଷ୍ୟକଲେ ଜଣାଯାଏ ଯେ ବାସ୍ତବରେ ସଫଳତା ପାଇଁ ଗର୍ବ ଓ ଅହଂକାର ସମ୍ପୂର୍ଣ୍ଣ ଅସ୍ପୃଶ୍ୟ।



Rate this content
Log in