ଶାମ୍ବ ଦଶମୀ
ଶାମ୍ବ ଦଶମୀ
ବଡଦିନ ଛୁଟିରେ ନେହା କିଛିଦିନ ପାଇଁ ଆସିଥିଲା ଗାଁକୁ।ପଶ୍ଚିମ ଓଡିଶାର ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଧନୀ ସୁନ୍ଦରଗଡ ଜିଲ୍ଲାର ଏକ ଛୋଟିଆ ଗାଁକୁ।ଗାଁକୁ ଲାଗି ଉଚ୍ଚ ଉଚ୍ଚ ପାହାଡ।ମହୁଲ ବିଜା ଶାଳ ଚାର କେନ୍ଦୁ ଶିମୂଳି ତେନ୍ତୁଳି ପ୍ରଭୃତି ଅନେକ ବୃକ୍ଷରେ ପରିପୂର୍ଣ।କଳକଳ ନାଦରେ ବହି ଯାଉଛି ନିର୍ଝରିଣୀ ଟିଏ।ତାରି ମଧୁର ଜଳ ପାଇ ତା କୂଳରେ ହସି ଉଠୁଛି ଅନେକ ସବୁଜିମାଭରା ଶାଗସବ୍ଜିର କିଆରି।
ଗହମ ଶୋରିଷ କ୍ଷେତବି ସଜାଇଦେଇଛି ତାର ସମ୍ଭାର।ବମ୍ବେଇର ବ୍ୟସ୍ତବହୁଳ କେଞ୍ଚାକେଞ୍ଚି ପରିବେଷ ରୁ କିଛିଦିନ ପାଇଁ ଏଠି ଆସି ସେ ଖୋଲା ପବନ ଓ ଖୋଲା ଜୀବନ ଜୀଇଁବାର ଆନନ୍ଦ ସାଉଁଟୁଛି।ଜାନୁୟାରି ଛଅ ତାରିଖରେ ତାକୁ ପୁଣି ଫେରିବାକୁ ହେବ ପିଲାଙ୍କର ଛୁଟି ସରିଯିବ ।
ସେଥିପାଇଁ ମାଆ ଘରୁ ଶଶୁର ଘରକୁ ସେ ଚାଲିଆସିଛି ପାଞ୍ଚ ତାରିଖ ସକାଳେ।ଶଶୁର ଘରେ ଆଜି ଶାମ୍ବଦଶମୀର ପୂଜାଚାଲିଛି।ଦୁଆରରେ ଏକ ବଡ ବାଉଁସରେ ନାଲିକପଡାରେ ତିଆରି ଝଣ୍ଡାଟିଏ ଲଗାହେଇ ଟଙ୍ଗା ହେଇଛି।ବିଭିନ୍ନ ପ୍ରକାର ଫଳ ମିଷ୍ଟାନ୍ନ ଖଇ ଉଖୁଡା ବଢା ହେଇଛି।ବ୍ରାହ୍ମଣ ଆସି ପୂଜା ଆରମ୍ଭକଲେ।ଶାଶୁ ଶଶୁର ପାଖରେବସି ପୂଜାକଲେ।ତାପରେ ଖଇ ଉଖୁଡା ଫଳ ମିଠାଇ ସବୁ ଗାଁରପିଲାରୁ ବୃଦ୍ଧ ସମସ୍ତଙ୍କୁ ବଣ୍ଟାହେଲା।
ଦୁଇ ପହରେ ପୁଣି ଖେଚୁଡି ଶାଗ ତରକାରି ବାଇଗଣ ପତ୍ରରେ ଭୋଗକରି ବଢାହେଲା।ସନ୍ଧ୍ୟା ଆଗମନ ହୁଅନ୍ତେ ପୁଣି ସୂର୍ଯ୍ୟାସ୍ତ ଧୂପର ଭୋଗ ଲଗାହେଲା।ସେଥିପାଇଁ ଏଣ୍ଡୁରି ମଣ୍ଡା ମାଲପୁଆ ଗଜାତିଆରିକରି ଭୋଗ ଚଢାହେଲା।ଏସବୁ ଭୋଗ ପିଠା ବି ପାଖ ପଡୋଶୀଙ୍କୁ ବଣ୍ଟା ହେଲା।ନେହା ପାଇଁ ଏପୂଜା ପ୍ରଥମ ଥିଲା।ତା ମାଆ ଘରେ ଏ ପୂଜା ହେଉ ନ ଥିଲା।
ସେ ଆଈ ଶାଶୁଙ୍କ ପାଖକୁ ଯାଇ ପଚାରିଲା।ଆଈମା ଏଇ ଶାମ୍ବଦଶମୀ କାହିଁକ ପୂଜା ହୁଏ ଓ ଏହା ପ୍ରଥମେ କିଏ ଆରମ୍ଭ କରିଥିଲେ।
ଆଈମା କହିଲେ ତାହେଲେ ଶୁଣ।ଏପୂଜା କରିବା ଦ୍ବାରା ଘରର ପିଲାଛୁଆ ସମସ୍ତଙ୍କ ମଙ୍ଗଳ ହୁଏ।ଏ ପୂଜା ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ କରାହୁଏ।ସୂର୍ଯ୍ୟ ହିଁ ତ ସକଳ ଶକ୍ତିର ଆଧାର ସେ ହିଁ ଭଗବାନ।ଏହାର ଏକ କାହାଣୀ ଅଛି।ଶ୍ରୀକୃଷ୍ଣଙ୍କ ଅନେକ ପୁତ୍ରଥିଲେ।ହେଲେ ଜାମ୍ବବତୀଙ୍କ ପୁତ୍ର ଶାମ୍ବ ଥିଲେ ବହୁତ ସୁନ୍ଦର।ସେ ଦୁର୍ଯ୍ୟଧନର ଝିଅ ଲକ୍ଷଣାକୁ ହରଣକରି ବିବାହ କରିଥିଲେ।ଥରେ ଶ୍ରୀକୃଷ୍ଣ ଓ ସତ୍ୟଭାମା ଶାମ୍ବକୁ ଜଗୁଆ କରି ଏକ କୋଠରୀରେ ଏକାନ୍ତରେ ଥିବା ବେଳେ ଋଷି ଦୁର୍ବାସା ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଆସି ପହଞ୍ଚିଲେ।ଶାମ୍ବକୁ ଶ୍ରୀକୃଷ୍ଣଙ୍କୁ ଡାକି ଦେବାକୁ କହିଲେ।ଶାମ୍ବ ଜାଣିଛନ୍ତି ତାଙ୍କୁ ମନାକରିବା ଅର୍ଥ ଅଭିଶାପକୁ ଆମନ୍ତ୍ରଣ କରିବା।କାରଣ ଋଷି ବହୁତ କ୍ରୋଧି ଥିଲେ।କଥା କଥାକେ ଅଭିଶାପ ବାହାରିଯାଏ ତାଙ୍କ ମୁହଁରୁ।ସେଇ ଭୟରେ ସେ ଦରଜାରେ କରାଘାତ କରି ଶ୍ରୀକୃଷ୍ଣଙ୍କ ଏକାନ୍ତ ଭଙ୍ଗ କରିଦେଲେ।ଏହାଦେଖି ରାଗରେ କୃଷ୍ଣ ତାଙ୍କୁ କୁଷ୍ଠରୋଗ ହେଉବୋଲି ଅଭିଶାପ ଦେଇଦେଲେ।
ପରେ ନିଜର ଭୂଲ୍ ବୁଝିପାରି ବହୁତ ଦୁଃଖିତ ହେଲେ ଅତି ଆଦରର ଦୁଳାଳକୁ ଶାପିତ କରିଥିବାରୁ।ସେ ଶାପ ର ନିବାରଣର ଉପାୟ କଣ ବୋଲି ଦୁର୍ବାସାଙ୍କୁ ପଚାରିଲେ।ଋଷି କହିଲେ ଯଦି ଅର୍କ କ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା ରେ ଯାଇ ସୂର୍ଯଙ୍କୁ ପୂଜା ତପସ୍ୟା କରାଯାଏ ତାହେଲେ ସେ ରୋଗ ଭଲ ହେବ।ଶାମ୍ବ ଯାଇ ସେଠାରେ ବାରବର୍ଷ ତପସ୍ୟା କଲାପରେ ସୂର୍ଯ୍ୟ ପ୍ରଶନ୍ନ ହୋଇ ତାଙ୍କୁ ରୋଗମୁକ୍ତ କଲେ ପୌଷ ଶୁକ୍ଲ ସପ୍ତମୀ ତିଥିରେ।ସୂର୍ଯ୍ୟ ପୂଜାପାଇଁ ଶାକଦ୍ବୀପରୁ ବ୍ରାହ୍ମଣ ଆଣିବାକୁ ଦୁଇଦିନ ଲାଗିଲା।ଦଶମୀ ଦିନ କୃତଜ୍ଞତା ଜଣାଇବା ପାଇଁ ସୂର୍ଯ୍ୟପୂଜା କରାହେଲା।ଯାହା ଅରୁଣୋଦୟ ଧୂପ ମଧ୍ୟାନ୍ନ ଧୂପଓ ସୂର୍ଯାସ୍ତଧୂପ ରୂପରେ ପୂଜା କରାଯାଏ।ଏହା ପରେ ଏ ପୂଜା ଜଗତରେ ଆରମ୍ଭ ହେଲା।
ନେହାକୁ ଏ କାହାଣୀ ବହୁତ ଭଲ ଲାଗିଲା।ସେ ଦେଖିଛି ତା ଶଶୁର ଘରେ ଏମିତି ପୂଜାର୍ଚ୍ଚନା ବାରମାସ ଚାଲିଥାଏ।କେବେ କାର୍ତ୍ତିକ ପଞ୍ଚୁକ କେବେ ଜନ୍ମାଷ୍ଟମୀ ଭାଇଜଉନ୍ତିଆ ପୁଅଜଉନ୍ତିଆ ଅନନ୍ତ ବ୍ରତ ସାବିତ୍ରୀବ୍ରତ ଏମିତି କେତେନି କେତେ।ତା ଅଜାଶଶୁର ଗାଁର ଗଉନ୍ତିଆ ଥିବାରୁ ତାଙ୍କ ଘରେ ହିଁ ଏସବୁ ପୂଜା ହୁଏ।
ଗାଁସାରା ଝିଅବୋହୁ ଆସି ଶଙ୍ଖ ହୁଳହୁଳି ପକାଇ
ପୂଜାକରନ୍ତି।ଅନେକ ପ୍ରକାର ପୂଜାଭୋଗ ସମସ୍ତଙ୍କୁ ବଣ୍ଟାହୁଏ।ହେଲେ ସେମାନେ ରହିଲେ କେତେଦୂରେ।ତଥାପି ସେ ଏ ଦିନକୁ ମନେ ରଖିବ ଓ ସାଧ୍ୟମତେ ସୂର୍ଯ୍ୟଙ୍କୁ ପୂଜାକରିବ ବୋଲି ନିଷ୍ପତ୍ତି ନେଲା।
