Sachidananda Kar

Classics

3  

Sachidananda Kar

Classics

ସେଇ ପ୍ରିୟ ପରିଚିତ ଘର

ସେଇ ପ୍ରିୟ ପରିଚିତ ଘର

3 mins
132



    ସେଇ ଘରେ ଥିଲା ତା' ଦେହର ବାସ୍ନା।ତା' ପାଉଁଜିର ଶଦ୍ଦ, ଚୁଡ଼ିର ରୁଣୁଝୁଣୁ ବି ଥିଲା ସେଇ ଘରେ।ତା' ନିଜର ଓ ତା' ସ୍ୱାମୀଙ୍କ ସହିତ ସେ ଥିବା କେତୋଟି ସୁନ୍ଦର ଫଟୋ ମଧ୍ୟ ଥିଲା ସେଇ ଘରେ। 


    ସୁନ୍ଦର, ସୁସଜ୍ଜିତ ଘର।ତାକୁ ସଜେଇ ରଖିବା ପାଇଁ କେତେ ସମୟ ଦେଉ ନ ଥିଲା ସେ!କେତେ ଆନ୍ତରିକତା ରଖୁ ନ ଥିଲା!ଘରକାମରୁ ଟିକେ ଫୁରସତ ମିଳିଗଲେ ସେ ଚାଲି ଆସୁଥିଲା ସେଇ ଘରକୁ।ଘର ସଜାଉଥିଲା,ନିଜେ ବି ସଜେଇ ହେଉଥିଲା। 


    ତା'ର ଦୀର୍ଘକେଶକୁ ସେ ସବୁଦିନେ ଖୋଲି ମୁକୁଳା କରୁଥିଲା ସେଇ ଘରେ।ସେସବୁକୁ ଗୁଡେ଼ଇ ଗାଡେଇ କେତେବେଳେ ଖୋସା ଗଢ଼ି ଦେଉଥିଲା ତ କେତେବେଳେ ବେଣୀ ସଜାଉଥିଲା ସେ ସେଇଠି। 


    ସେଇ ଘରେ ବି ମଥାରେ ସିନ୍ଦୂର ଟୋପା ଦେଉଥିଲା ସେ।ସୁସଜ୍ଜିତ ପଲଙ୍କରେ ଘଣ୍ଟା ଘଣ୍ଟା ଧରି ବସି ରହୁଥିଲା।ଶାଢ଼ୀ ବଦଳାଇବାକୁ ଚାହିଁଲେ ସେ ବଦଳାଉଥିଲା ସେଇ ଘରେ।ଅର୍ନ୍ତବାସ ପିନ୍ଧିବା ପାଇଁ ସେଇ ଘର ଥିଲା ତା' ପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ। 


    ସେଇ ଘରକାନ୍ଥରେ ସେ ଲଗେଇ ରଖିଥିଲା ତା'ର କେତୋଟି ଲାଲ୍ ବିନ୍ଦି।ତା'ର ଗୋଡ଼ମୁଦି,ମଥାକଣ୍ଟା ହଜିଥିଲା ସେଇ ଘରେ।ରାତିରେ ସ୍ୱାମୀଙ୍କ ସହିତ ଶେଯରେ ଥିବା ବେଳେ ସେ' ତ ଅନ୍ଧାର ଭିତରେ ଅନେକ କିଛି ଲୁଚେଇ ରଖିଥିଲା ସେଇ ଘରେ।ତା'ର କିଛି ପରିଚିତ ବାସ୍ନାର ମହକ ସବୁବେଳ ପାଇଁ ଥିଲା ସେଇଠି। 


    ବାସର ରାତିରେ ତା' ଓଠରୁ ଝରି ପଡ଼ିଥିବା ଲାଜ ଲାଜ ହସର ପାଖୁଡ଼ା ସେଇ ଘରେ ହିଁ ଥିଲା।ତା' ଅଳତାବୋଳା ପାଦର ଚିହ୍ନ, ତାକୁ ସବୁଠୁ ବେଶୀ ଭଲ ଲାଗୁଥିବା ସ୍ନୋ,ପାଉଡ଼ର୍,ଅତର,ବେଡ଼ସିଟ୍,ବାସ୍ନାତେଲ - ସବୁ ସେଇ ଘରେ ଥିଲେ।ତା'ର ବାରମ୍ବାର ଆବଶ୍ୟକ ପଡୁଥିବା ପେନବାମ୍ ସେ ସେଇ ଘରେ ରଖିଥିଲା।ସ୍ୱାମୀଙ୍କ ସହିତ କେତେ କେତେ ସୁନ୍ଦର, ଅପାସୋରା ମୁହୂର୍ତ୍ତମାନଙ୍କୁ ସେଇ ଘରେ ସାଇତି ରଖିଥିଲା ସେ। 


    ତା'ର ଜୀବନରେ ତାକୁ ସବୁଠୁ ସୁମଧୁର ସମୟ ଆଣି ଦେଇଥିଲା ସେଇ ଘର।ତା' କୁଆଁରୀ ଦିନସବୁକୁ ସେ ହଜେଇ ଦେଇଥିଲା ସେଇ ଘରେ।ସେଇ ଘରେ ହିଁ ସେ ଜହ୍ନକୁ ମାଗିଥିଲା ନିଦଭରା ରାତି, ରାତିକୁ ମାଗିଥିଲା ମିଠା ସ୍ୱପ୍ନର ରାଣ,ସ୍ବପ୍ନକୁ ମାଗିଥିଲା ନୀଳ ନିର୍ମଳ ଅନୁଭବ।ସେଇ ଘରେ ହିଁ ସେ ସମସ୍ତଙ୍କର ପ୍ରିୟ ଥିଲା।ସମସ୍ତେ ତାକୁ ଖୁବ୍ ଭଲ ପାଉଥିଲେ।


    ହେଲେ ହଠାତ୍ ଦିନେ ତା' ଜୀବନରେ ଏମିତି ଗୋଟେ ସମୟ ଆସି ପହଞ୍ଚିଗଲା ଯେ ତା'ର ଏସବୁରେ ପୂର୍ଣ୍ଣଛେଦ ଟଣା ହୋଇଗଲା।ଛଅ ଖଣ୍ଡ ବାଉଁଶରେ ବନ୍ଧା ହୋଇଥିବା ଗୋଟେ କୋକେଇର ଶେଯ ତାକୁ ଆଦରି ନେବାକୁ ପଡ଼ିଲା।ସ୍ୱାମୀଙ୍କ କାନ୍ଧରେ ତାକୁ ଅଗତ୍ୟା ମଶାଣି ଯିବାକୁ ହେଲା। 


    ମର୍ତ୍ତେ ମାନବ ଦେହ ବହି . . . .।ମର୍ତ୍ତ୍ୟରେ ମଣିଷର ଭାଗ୍ୟ ସବୁବେଳେ ଏହିପରି। 


    କିଛିଦିନ ବିତିଗଲା।ଲୋଭ ଥିଲା,ତେଣୁ ଦିନେ ସେ ତା'ର ପ୍ରିୟ, ପରିଚିତ ସେଇ ଘରକୁ ଫେରିବାକୁ ଇଚ୍ଛା କଲା।ଆସି ପହଞ୍ଚିଲା ଏରୁଣ୍ଡି ପାଖରେ।ଦୁଆର ଟପି ଯାଇ ପହଞ୍ଚିଲା ସେଇ ଘରେ। 


    କିଛି ସମୟ ଠିଆ ହେଲା ସେ।ଘରେ କେହି ମୋତେ ଖୋଜୁଛନ୍ତି କି?ମୋତେ ମନେ ପକାଉଛନ୍ତି କି କେହି?ନା,ସେମିତି ଅନୁଭବ ଆଦୌ କରି ପାରିଲାନି ସେ।କେମିତି ଶ୍ୱେତାକୁ ଭୁଲିଗଲେ ସମସ୍ତେ?କେମିତି ଭୁଲିଗଲେ ଶ୍ୱେତା ହାତରନ୍ଧାର ବାସ୍ନା,ଆଦର ଯତ୍ନ?ସେ ପଚାରିଲା ନିଜକୁ।ମନେମନେ ଆଶ୍ଚର୍ଯ୍ୟ ହେଲା। 


    ସେଇ ଘରଟିର ଲୋଭ ଛାଡ଼ି ପାରୁ ନ ଥିଲା ସେ।ତେଣୁ ବାରମ୍ବାର ଆସୁଥିଲା ସେ ତା'ର ସେଇ ପରିଚିତ ଘରକୁ।ହେଲେ ସବୁବେଳେ ତିକ୍ତ ଅନୁଭବ ନେଇ ଫେରୁଥିଲା। 


    ଘରେ କାହାର ଚୁଡ଼ିର ରୁଣୁଝୁଣୁ, ପାଉଁଜି ଶଦ୍ଦ ଶୁଭୁଛି?କିଏ?କିଏ ସେ ନିୟମିତ ଆସୁଛି ଘରକୁ?ଶ୍ବେତା ନୁହେଁ ତ? 


    ଧୀରେ ଧୀରେ ଘରସାରା ସମସ୍ତଙ୍କ ମନରେ ଏଇ ସବୁ ପ୍ରଶ୍ନକୁ ନେଇ ଭୟ ସୃଷ୍ଟି ହୋଇଗଲା।ଗ୍ରହ ଶାନ୍ତି ପାଇଁ ଘରେ ସମସ୍ତଙ୍କ ମନରେ ତତ୍ପରତା ପ୍ରକାଶ ପାଇଲା।ଗୁଣିଆ ଆସିଲେ।ପୁରୋହିତ ଆସିଲେ।ପୂଜା ପାଠ ହେଲା।ଘରେ ସବୁଠି ମନ୍ତୁରା ପାଣି ସିଞ୍ଚାଗଲା।ଝୁଣା ଧୂଆଁ ଦିଆଗଲା।ସମସ୍ତେ ମନ୍ତୁରା ଡେଉଁରିଆ, କବଚ ପିନ୍ଧିଲେ।ରାସ୍ତାରେ ନିସ୍ତବ୍ଧ ରାତିରେ ନେଇ ପଣା ମାଟିହାଣ୍ଡି ଛାଡ଼ିଲେ। 


    ମଣିଷ ଭଲପାଏ ଯେମିତି ଭୁଲିଯାଏ ସେମିତି।ଘରଲୋକଙ୍କ ଏସବୁ କାମ ଦେଖି ଏବେ ଏକଥା ବୁଝିଲା ସେ।ସେଇଦିନଠୁ ସେ ଦୂରେଇ ଗଲା।ଆଉ କେବେ ବି ଆସିଲାନି ସେ ତା'ର ସେଇ ପ୍ରିୟ, ପରିଚିତ ଘରକୁ।ତା'ର ମାଟି ମାଡ଼ିଲାନି। 


    ତା'ର ଅବର୍ତ୍ତମାନରେ ଏବେ ଘରଲୋକେ ଭାବୁଥିଲେ ଗ୍ରହଶାନ୍ତି, ପୂଜା ପାଠ, ଡେଉଁରିଆ,କବଚ,ମନ୍ତୁରା ପାଣି, ଝୁଣା ଧୂଆଁ,ରାତିର ନିସ୍ତବ୍ଧ ପ୍ରହରରେ ରାସ୍ତାରେ ମାଟିହାଣ୍ଡି ଛାଡ଼ିବା ଭଲ କାମ ଦେଇଛି।ସବୁଦିନ ପାଇଁ ଭୟ ଯାଇଛି।କେତେ ଶାନ୍ତି ଲାଗୁଛି! 


    ହଁ,ନୁହେଁ ତ ଆଉ କ'ଣ!



Rate this content
Log in

Similar oriya story from Classics