ସେବା
ସେବା
ଆମ ଭିତରେ ଅନେକ ସୁଗୁଣ ରହିଛି । ପୁଣି କୁ-ଗୁଣ ବି ଭରି ରହିଛି । ହେଲେ ସତ୍ୟ ଶାନ୍ତି ଦୟା କ୍ଷମା ପରୋପକାର ସେବା ତ୍ୟାଗ ପ୍ରତ୍ୟେକ ଭଲ ମଣିଷ ଦେହରେ ଓ ମନରେ ଭରି ରହିଛି । ମାନବୀୟ ଗୁଣ ମଧ୍ୟରେ ସେବା ଯେ ଏକ ମହାନ କାର୍ଯ୍ୟ ତାହା ସମସ୍ତଙ୍କୁ ଜଣା ।
ଗଛଟିଏ ଲଗାଇଲେ ତାର ସେବା ଯତ୍ନ କଲେ ସେ ଆମକୁ ଫଳ ପୁଷ୍ପ ପ୍ରଦାନ କରିଥାଏ । ପଶୁ ପକ୍ଷୀଙ୍କ ସେବା କଲେ ସେ ଆମ ପାଖରେ କୃତଜ୍ଞ ହୋଇ ଆମ ବୋ ମାନି ଥାଆନ୍ତି । କିନ୍ତୁ ସୃଷ୍ଟିର ଶ୍ରେଷ୍ଠ ଜୀବ ମନୁଷ୍ୟ ମନୁଷ୍ୟର ସେବା କରିବା ଏକ ମହତ୍ତ୍ୱପୂର୍ଣ୍ଣ ଓ ତପର୍ଯ୍ୟପୂର୍ଣ୍ଣ । ମହାପୁରୁଷ ଗୋପବନ୍ଧୁ ସେଇଥିପାଇଁ ମାନବ ସେବାରେ ନିଜକୁ ସମର୍ପଣ କରିଥେଇଥିଲେ ।
ନିଃସ୍ୱାର୍ଥପର ବ୍ୟକ୍ତି ନିଜକୁ ଭୁଲି ପରକୁ ଆପଣାର କରିଥାଏ । ଅନ୍ୟର ସେବା କରି ନିଜର ସମାଜ ସେବା ନିମିତ୍ତ ଆଗେଇ ଆସେ ପ୍ରକୃତରେ ଦଳିତ ଅବହେଳିତ ଦରିଦ୍ର ଓ ନିସହାୟଙ୍କ ସେବା କରିଲେ ଆତ୍ମାକୁ ଏକ ପ୍ରକାର ଶାନ୍ତିମିଳେ । ଯାହା କେବେ କୌଣସି ଧନ ସମ୍ପତି ସହିତ ତୁଳନା କରି ହେବ ନାହିଁ ।
ସେହିପରି ଜଣେ ଅସହାୟ ମାନବର କଥା ଆଜି ମନେ ପଡ଼ିଗଲା । ବାଉରୀବନ୍ଧୁ ଗୋଟିଏ ନିତ୍ୟାନ୍ତ ଗରୀବ ନିରାଶ୍ରୟ ବ୍ୟକ୍ତିଟିଏ । ନା ତାର ଆଗକୁ କିଏ ଅଛି ନା ପଛରେ । ଦିନ ରାତି ସେହି କରଣ ସାହିର ବାରଣ୍ଡା ରେ ବସିଥାଏ । ପିଲାଠାରୁ ବୁଢ଼ା ଯାଏ ତାକୁ ବାଉରିଆ ବୋଲି ସମ୍ବୋଧନ କରିଥାନ୍ତି । ଯାହାର ଭଲ ମନ୍ଦ, ପିଠା ପଣା ପର୍ବ ପାଳିତ ହେଲେ ବାଉରଇଆକୁ ଖୋଜା ହୁଏ । ନା ତାର ରୋଜଗାର ଅଛି ନା ପଇସା ।
ତେଣୁ ଗ୍ରାମବାସୀଙ୍କର ତା ପ୍ରତି ଦରଦୀ ଢାଳି ହୋଇଯାଏ । ସେଇ ମାଟିରେ ବାଉରିଆ ଛୋଟରୁ ବଡ ହେଇଛି । ବୃଦ୍ଧ ଅବସ୍ଥାରେ ସେଇଠି ପଡିରହିଛି । ପାଖ ଘର ମାଉସୀ କିନ୍ତୁ ନିଜେ ଖାଇବା ପୂର୍ବରୁ ଆଗ ପଚାରିବେ, ଆରେ ବାଉରୀଆ ଖାଇଲୁଣି । ଯଦି ନ ଖାଇଛୁ ଆ ଖାଇବୁ । ବାଉରିଆର ଇଚ୍ଛା ହେଲେ ଖାଏ, ନାଇ ତ ବିନା କାରଣରେ ରୁଷି ବସେ । ମାଉସୀ ସେମିତି ଜଗି ବସି ଥିବେ । ବାଉରିଆ ଖାଇବା ପିଇବା, ଶୋଇବା ବ୍ୟବସ୍ଥା ଯେମିତି ମାଉସୀଙ୍କର କର୍ତ୍ତବ୍ୟ । ତାର ଭଲ ମନ୍ଦ ନ ବୁଝିବା ପର୍ଯ୍ୟନ୍ତ ଶୋଇବାକୁ ଯାଇ ପରାନ୍ତି ନାହିଁ । ମାଉସୀ ଅନୁଭବ କରୁଥିଲେ ଯେ ଭଜନ କୀର୍ତ୍ତନ ଧ୍ୟାନ ଯଜ୍ଞ ଆସନ ଏଥିରେ ସିଦ୍ଧି ମିଳି ପାରେ, କିନ୍ତୁ ଶାନ୍ତି ମିଳେନି । ଆତ୍ମା ଶାନ୍ତି ପାଇଁ ଓ ସନ୍ତୋଷ ପାଇଁ ମାନବର ସେବା ଯତ୍ନ ଦରକାର । ବାଉରିଆ ରୋଗାକ୍ରାନ୍ତ ସମୟରେ ତାର ସେବା କରିବାକୁ କେହି ନ ଥିଲେ । ବାଉରିଆର ବେଦନାସିକ୍ତ ଚିକ୍ତାରରେ ମାଉସୀ ଅହରହ ତାର ସେବାରେ ଲାଗି ପଡ଼ନ୍ତି । ଔଷଧ ଦେଇ ଗୋଡ଼ ହାତ ଚିପି ଦିଅନ୍ତି । ବିଛଣା ବଦଳେଇ ମଳ ମୂତ୍ର ସଫା କରନ୍ତି । ତାର ସେବା କରି ସେ ଏକ ଭିନ୍ନ ଧରଣର ତୃପ୍ତି ପାଇଥାନ୍ତି । ଏପରି ଅନେକ ସେବା ଓ ଧର୍ମ କାର୍ଯ୍ୟ କରନ୍ତି । ପ୍ରକୃତରେ ତପସ୍ୟା ଠାରୁ ମହାନ୍ ହେଉଛି ସେବା । ସେବାକୁ ନିଜ ସାଧନାର ମୁଖ୍ୟ ସୋପାନ କଲେ ପରମ ତୃପ୍ତି ମିଳେ । ଏଥିରେ ପରମାତ୍ମା ମଧ୍ୟ ଆଶୀର୍ବାଦ ଢାଳି ଦିଅନ୍ତି । ସମୟ ମିଳିଲେ ମାନବ ଜାତିର ସେବା କରିବା ଉଚିତ୍ । ସମୟକୁ ବୃଥାରେ କଟାଇବା ଅପେକ୍ଷା ଦିନ ଦରିଦ୍ରଙ୍କ ସେବା କଲେ ଜୀବନ ସାର୍ଥକ ହେବ ।
