ଛାତି ଭିତର କୋହ
ଛାତି ଭିତର କୋହ
ବସନ୍ତର ପିକ ସ୍ୱର ମନକୁ ହୃଦୟକୁ ଆହ୍ଲାଦିତ କରେ। ହଳଦୀ ବସନ୍ତ ଏ ଡାଳରୁ ସେ ଡାଳକୁ ଉଡ଼ି ଉଡ଼ି ତାର ସୁନ୍ଦର ରୂପକୁ ଦେଖାଇ ଫୁଲେଇ ହେଉଛି। ପୂର୍ଣ୍ଣିମା ର ଚାନ୍ଦ ଟା ରୂପା ପରି ଚିକ୍ ଚିକ ହୋଇ ସାରା ସହରକୁ ଆଲୋକିତ କରିଛି। ହେଲେ ବି ଅରୁଣା କୁ କିଛି ମାତ୍ରାରେ ଖୁସି ଦେଇ ପାରୁନି।
ସଂଧ୍ୟା ହେଲେ ଛାତ ଉପରକୁ ଯାଇ ଚୁପ୍ ଚାପ୍ ବସି ପଡେ ଅରୁଣା। ଆକାଶକୁ ଚାହିଁ ତାରା ଗଣେ ଅରୁଣା। ଦିନ ଯାକର କର୍ମ ର ହିସାବ କିତାବ କରି କରି ହାଲିଆ ହୋଇ ଯାଏ। ଭାବନା ରାଜ୍ୟରେ ବୁଡ଼ିଯାଏ।
ଶିଶିର ବିନ୍ଦୁ ତାର ସୁନ୍ଦର ରୂପକୁ ଭିଯାଇ ଦେଲେ ବି ତାକୁ ଜଣା ପଡୁ ନ ଥିଲା। ସରତର ଅଧା ଚନ୍ଦ୍ର ପୂରଣ ହେବାକୁ ଆଉ ମାତ୍ର ପାଞ୍ଚ ଦିନ ବାକି। ଭାଇ ଦୁଇ ଜଣ ଚାକିରୀ ରୁ ଫେରିବେ। ଯଦି କୌଣସି କଥା ଜାଣନ୍ତି, କି ଉତ୍ତର ଦେବ ସେ, ପରିବାର ଆଉ ଭାଇ ଦୁହିଁଙ୍କୁ।
ଅରୁଣା ଙ୍କୁ ଅନେକ ଲୋକ ଚିଂହନ୍ତି। କଲେଜ ରେ ପାଠ ପଢ଼ିବା ସଙ୍ଗେ ସଙ୍ଗେ କବିତା ଗଳ୍ପ ଲେଖା ସହ କମ୍ପ୍ୟୁଟର ବିଜ୍ଞାନ ରେ ସିଦ୍ଧ ହସ୍ତ ଥିଲା। ତେଣୁ ଅନେକ ସାନ ବଡ ପିଲା ମାନଙ୍କୁ ପାଠ ପଢ଼ିବା ରେ ସାହାଯ୍ୟ କରୁଥିଲା। ଖୁବ୍ ସୁନ୍ଦର ଚେହେରା ଥିଲା ତାର। ବାପା ଭାଇଙ୍କ ଇଚ୍ଛା, ଝିଅ ଆମର ସୁନ୍ଦର ଭଲ ପାଠ ବି ପଢ଼ିଛି। ଭଲ ଘର ଦେଖି ବିବାହ ଦେବୁ।
ହଠାତ୍ ଗାଁର ଲୋକମାନେ ଟୁପୁରୁ ଟାପର ହେବାର ଅରୁଣା ର ମାଙ୍କ କାନରେ ପଡ଼ିଲା। କଥା କଣ ବୁଝୁ ବୁଝୁ ଜଣା ପଡିଲା ଅରୁଣା ଏତେ ଭଲ ବୋଲି ସମସ୍ତେ ଜାଣିଥିଲେ। କିନ୍ତୁ ଆଜି ସେହି ଲୋକମାନେ ଅରୁଣା କୁ ଚରିତ୍ରହିନ କହିବାକୁ ପଛାଇ ନାହାନ୍ତି। ସେଇ କମ୍ପ୍ୟୁଟର ସାର୍ ଙ୍କ କୁଆଡେ ଖରାପ ସମ୍ପର୍କ ରଖି ଫୋଟ ଛାଡ଼ିଛି। ବିଶ୍ୱାସ ନ ହେଲେ ବି ସତ। ଅନେକ ଲୋକ ସେହି ଫୋଟ ଦେଖିଛନ୍ତି।
ବାବା ମାଙ୍କ ଆଦରର ଝିଅ, ଭାଇ ଭାଉଜଙ୍କ ଅଲିଅଳି ଭଉଣୀ ଆଜି ବଦନାମ। ଏଥିରୁ ମୁକ୍ତି ପାଇବାକୁ ହେଲେ ସେଇ ପୁଅ ସାଙ୍ଗରେ ବିବାହ କରାଇ ଦେବଟା ଠିକ୍ ହେବ ଭାବି, ବାପା ମା ଦୁଇ ପୁଅ ଙ୍କୁ ଡକାଇଲେ।
ପୂର୍ଣ୍ଣିମାରେ ଆସିବେ କହିଥିବା ଭାଇ, ହଠାତ୍ ଆସିବାର ଦେଖି ଅରୁଣା ଆଶ୍ଚର୍ୟ୍ଯ ହୋଇ ଗଲା। ଭାଇ ଭଉଣୀ ବାପା ମା ସମସ୍ତେ ଏକାଠି ବସିଲେ। ଅରୁଣା କୁ ପଚାରିଲେ। ଅରୁଣା କିଛି ଜାଣିନି। କେବଳ ସବୁ କମ୍ପ୍ୟୁଟର ବନ୍ଧୁ ମାନଙ୍କ ସହ ଗୋଟେ ଗ୍ରୁପ୍ ଫୋଟ ଉଠାଇ ଥିଲା। ବାସ ସେତିକି। କେବେ ସେହି ଶିକ୍ଷକଙ୍କ ସହିତ ନିରୋଲାରେ କଥା ହେଇନି। କେବଳ ତାଙ୍କ ନାମ ଜାଣିଛି ସେ ଅଜୟ ସାର୍। ଯେ ସମସ୍ତେ କମ୍ପ୍ୟୁଟର ଶିକ୍ଷକ ଥିଲେ, ଏମିତି ଭଲ ମନ୍ଦ ପଚରପଚରି ହୋଇ ଯେଝା କାର୍ଯ୍ୟରେ ଯାଆନ୍ତି।
ବାହ୍ୟ ଜନ ବାକ୍ୟ ଶୁଣି ଭାଇ ବାପାଙ୍କର ବିଶ୍ୱାସ ହେଲାନି। ନିଜେ ଫୋନ୍ ଯାହା ଦେଖିଲେ ଆପେ ଆପେ ଚକ୍ଷୁ ବନ୍ଦ ହୋଇ ଗଲା। ଧରିତ୍ରୀ ପାଦ ତଳୁ ଖସି ଗଲା ପରି ଲାଗିଲା। ଆକାଶ ଛିଣ୍ଡି ପଡ଼ିଲାମୁଣ୍ଡ ଉପରେ। ସମସ୍ତେ ଏକ ପଥର ମୂର୍ତ୍ତି ହୋଇ ଗଲେ।
ବାପା ଭାଇ ସ୍ଥିର କଲେ, ଯାହା ବି ହେଇଛି ଆମ ଝିଅ ବଦନାମ ହୋଇ ଯାଇଛି। ତେଣୁ ଠିକ୍ ବାଟରେ ନେବାକୁ ହେଲେ ସେହି ଅଜୟ ସାର୍ ଙ୍କ ସହିତ ବିବାହ କରାଇ ଦେବା। ଫୋନ୍ ନମ୍ୱର୍ ସଂଗ୍ରହ କରି ଅଜୟ ସାରଙ୍କ ଘରକୁ ଫୋନ୍ କଲେ।
ସେପଟୁ ଜଣେ ନାରୀର ସ୍ୱର ଶୁଭିଲା। ତାଙ୍କର ବାକ୍ୟ ବାଣ ଥିଲା ଖୁବ୍ କଠୋର। ସେ ବୋଧେ ଅଜୟ ସାର୍ ଙ୍କ ପତ୍ନୀ ଥିଲା। ଆଗରୁ ଅଜୟ ସାର୍ ତାକୁ ଟ୍ରେନିଂ ଦେଇ ନିଜକୁ ପୁରା ଭଲ ଲୋକ ଭାବରେ ପ୍ରମାଣିତ କରି ସାରିଥିଲେ।
ବଡ ଆଶ୍ଚର୍ଯ୍ୟ ର କଥା, ନିଜେ ବିବାହ କରି ବି ଗୋଟେ ଝିଅକୁ ଏମିତି ବଦନାମ କରିବାର ଅର୍ଥ କଣ ହୋଇ ପାରେ। କଳଙ୍କ ନ ଥାଇ ଚନ୍ଦ୍ରମାରେ କାହିଁକି ଏମିତି କଳଙ୍କ ଲଗାଇଲା। ସୁନରେ କାହିଁକି ଖାଦ ମିଶାଇ ଦେଲା। କାହିଁକି ଏମିତି ଅସଂଜତ ଫୋଟ ଉଠାଇ ଉଠାଇ କଳଙ୍କ ବୋଳି ଦେଲା? କଳଙ୍କ ଥରେ ଲାଗିଗଲେ ତାହା ସଂକ୍ରାମକ ରୋଗ ପରି ବଢ଼ି ଚାଲେ। ସେମିତି ଯିଏ ଦେଖିଲା ସିଏ କଣେଇ କଣେଇ ଚାହିଁ ଚାହୁଁ ଥିଲେ। ଅରୁଣା ବହୁତ୍ ଅସହ୍ୟ ଲାଗିଲା।
ସାହସ ବାନ୍ଧି ଅଜୟ ପାଖକୁ ଗଲା। ଯେଉଁ ପାଦ ବିନା ଅନୁମତିରେ ଘରୁ ବାହାରକୁ ବାହାରି ନାହିଁ, ଆଜି ସେ ପାଦ ଆପେ ଆପେ ଧିରେ ଧିରେ ଅଜୟ ର ଗୃହ ଅଭିମୁଖେ ଯାତ୍ରା କଲା।
ଘରେ ପହଂଚିବା ପୂର୍ବରୁ ବାଟରେ ଅଜୟ ସାର୍ ଦେଖା ହୋଇ ଗଲେ। ଅରୁଣା କିଛି ପ୍ରଶ୍ନ ପଚାରିବା ପୂର୍ବରୁ ସେ ନିଜେ ନିଜର ପ୍ରତିଶୋଧ ପାଇଁ ଏମିତି କରିଛନ୍ତି ବୋଲି ସ୍ବୀକାର କଲେ। ପ୍ରେମ ନିବେଦନ କରିଥିଲେ ଅରୁଣାକୁ। ଅନେକ ଥର ବୁଲେଇ ବଙ୍କେଇ କହିଛନ୍ତି। ଯେବେ ଅରୁଣା ଜାଣି ପାରିଲା, ସାର୍ ଙ୍କ ନଜର ତା ଉପରେ, ସେବେ ଠାରୁ କାହାକୁ କିଛି ନ କହି ସେ ଅନୁଷ୍ଠାନ ଛାଡି ଚାଲି ଆସିଥିଲା। ନିଜେ ବିବାହ କରିଥିଲେ, ତଥାପି ଅରୁଣା କୁ କେଉଁଠି ବି କରାଇ ନ ଦେବାକୁ ଏମିତି ଗୋଟେ ଷଡ଼ଯନ୍ତ୍ର କରିଥିଲେ ଅଜୟ ସାର୍। ଗ୍ରୁପ୍ ଫୋଟରୁ ଫୋଟ ସଲଂଗ୍ନ କରି ବଦନାମ କରିଥିଲେ। ଲୁହ କୁ ଓଠରେ ପିଇ ପିଇ ଘରକୁ ଫେରିଲା।
ତିନି ତୁଣ୍ଡରେ ଛେଳି କୁକୁର ପରି, ବାଟରେ ଯିଏ ଦେଖୁ ଥାଆନ୍ତି। ସିଏ କିଛି ନା କିଛି କହୁଥାନ୍ତି। ସାଙ୍ଗ ସାଥି ପିଲାଙ୍କ ଫୋନ୍ ଉପରେ ଫୋନ୍। ନିଜକୁ ଆଉ ସମ୍ଭାଳି ପାରିଲା ନାହିଁ। ତାକୁ ଯେମିତି ସେ ସମସ୍ତ ଙ୍କ ବିଶ୍ୱାସ ହରାଇ ବସିଛି। ଏତେ ଭଦ୍ର ଦେଖା ଯାଉଥିବା ଲୋକଟି ମୁଣ୍ଡରେ ଏତେ ଖରାପ ଚିନ୍ତା ଧାରା। କୋଠରୀ ଭିତରେ ନିଜକୁ ଲୁଚାଇ ରଖିବାକୁ ଚାହିଁଲା।
ଶିଶୁ ଭଳି କାନ୍ଦି ପକେଇଲା। ବାପା ମା, ଭାଇ ଭାଉଜ ଙ୍କୁ ମୁଁହ ଦେଖାଇବା ତା ପାଖରେ ଆଉ ସମ୍ଭବ ହେଲାନି। ଦୁଇ ଆଖିରୁ ଶ୍ରାବଣ ର ବାରି ବୋହି ଯାଉଥାଏ। ନିଜର ଭାରସାମ୍ୟ ହରାଇ ପାଗଳାମି ଭଳି ଗପି ଗଲା। ନିଜକୁ କଳଙ୍କିନି ଆଖ୍ୟା ତାକୁ ବହୁତ୍ ହୃଦୟକୁ ବାଧିଲା।
ବନ୍ଦ ଦରଜାରେ ଅଜୟ ସାରଙ୍କ ଷଡ଼ଯନ୍ତ୍ର ଆଉ ପିତା ମାତା ଭାଇ ଭାଉଜ ଙ୍କ ସମାଜରେ ଲଜ୍ୟା ରେ ବଞ୍ଚିବା କଷ୍ଟକର। ତେଣୁ ନିଜକୁ ଶେଷ କରି ଦେବା ହିଁ ଠିକ୍ ହେବ ଭାବି ଫ୍ୟାନ ରେ ନିଜକୁ ଝୁଲାଇ ଦେଲା।
ସ୍ନେହ ର ଭଉଣୀ, ଅଲିଅଳି ଝିଅକୁ ବୁଝାଇବାକୁ ଆସି କବାଟ ଖୋଲି ଯାହା ଦେଖିଲେ ସମସ୍ତେ ଚମକି ପଡୁଥିଲେ। ଲଜ୍ୟା କୁ ସହି ନ ପାରି ନିଜକୁ ଶେଷ କରି ଦେଇ ଥିଲା ଅରୁଣା। ଅଜୟ ସିନା ଜେଲ୍ ଗଲା, ହେଲେ ଅରୁଣା ଚିର ନିଦ୍ରାରେ ଶୋଇ ଯାଇଥିଲା। ସମାଜରେ ଏମିତି କେତେ ଝିଅ କଳଙ୍କିତ କାର୍ଯ୍ୟ କରୁଛନ୍ତି, ଏମିତି ବି କଳଙ୍କିତ ନ ହୋଇ ସମାଜ କଳଙ୍କିତ କରି ଦେଉଛି।
