Sandhyarani dash

Inspirational Others

4  

Sandhyarani dash

Inspirational Others

ନ ଖାଇ ପାରିଲେ ଅଙ୍ଗୁର ଖଟା

ନ ଖାଇ ପାରିଲେ ଅଙ୍ଗୁର ଖଟା

3 mins
176


L

    ଦୋଳ ପୁନେଇଁ ଦିନ ସକାଳୁ ଆସି ଠାକୁର ଭୋଗ ଖାଉଥିଲେ । ମାେ ବୋଉ ଠାକୁର ପାଖରେ ଓଳୀକି ହୋଇ ବଡ଼ ପାଟିରେ କହିଲା ଠାକୁର ମୋ ପୁଅର ଗୋଟିଏ ପୁଅ ହେଉ । ଆସନ୍ତା ବର୍ଷକୁ ପାଟ ବସ୍ତ୍ର ପିନ୍ଧାଇବି 

। ବୋଉର ମୁଁହକୁ ମୁଁ ନିରେଖି ଚାହିଁ ଥାଏ । କେତେ କାକୁତି ମିନତି ହୋଇ ଠାକୁରଙ୍କୁ ପୁଅ ପାଇଁ ଗୁହାରି ହେଉଛି । ସତ ତ ପୁଅ ପାଇଁ କେତେ ବିକଳ । ଝିଅ ହେଲେ କଣ ଅସୁବିଧା ହେବ ମୁଁ ବୁଝି ପାରୁନି । ହେଲେ ବୋଉ ମୋର ବୁଝିବାକୁ ନାରାଜ । ତାଙ୍କର କୁଆଡେ ଭାଇ ନ ଥିଲା ବୋଲି ବହୁତ ହଇରାଣ ହରକତ ହୋଇ ଛନ୍ତି । ବୋଉ ପାଠ ପଢି ମାଷ୍ଟର ଚାକିରୀ କରିଥିଲେ ବି ପୁଅ ପାଇଁ କେତେ ବିକଳ ହେଉଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ବୋଉ ମାଉସୀ ମିଶି ପାଞ୍ଚ ଜଣ । ଅଜା ସବୁ ଝିଅଙ୍କୁ ପାଠ ପଢ଼ାଇ ଯୋଗ୍ୟ କରିଥିଲେ । ହେଲେ ଆଇର ଗୋଟିଏ ଅବଶୋଷ ପୁଅ ନାହିଁ । ଅଜା ଯେତେ ବୁଝାଇଲେ ବି ଆଇ ବୁଝେନି । ବେଳେ ବେଳେ ବାହୁନି ବହୁନି କାନ୍ଦେ । ବୋଉ ବଡ଼ ଝିଅ ହେଇଥିବାରୁ ସବୁ ଦୁଃଖ କଷ୍ଟ ଯନ୍ତ୍ରଣା ଦେଖିଛି ଆଈର । ସେଇଥି ପାଇଁ କେତେ କଷ୍ଟ ସହିଛି । ସେଇ ଦିନ ଠାରୁ ବୋଉର ଆଈ ଠାରୁ ଆହୁରି ଦୁର୍ବଳତା ପୁଅ ପାଇଁ ।ଅନେକ ଥର ବୋଉ କୁହେ ଆମେ ପାଞ୍ଚ ଭଉଣୀ ବୋଲି ବଡ଼ ବାପା ବଡ଼ ବୋଉ, ଉଘାଇ କହନ୍ତି ଏତେ ମୁଁହ ଦେଖାଉଛୁ କଣ ପାଇଁ, ଯଦି ପୁଅ ଜନ୍ମ କରିଥା ନ୍ତୁ କେତେ ଛୋପରି ହୋଇ ଥାଆନ୍ତୁ । ଅଜା ଦୌଡ଼ି ଆସି କୁହନ୍ତି, ମୋର ଝିଅ ହେଲେ କଣ ହେବ, ସମସ୍ତେ ଯୋଗ୍ୟ ଦେଖିବ ପୁଅ ପରି କାମ କରିବେ। ବଡ଼ ବୋଉ ସଙ୍ଗେ ସଙ୍ଗେ କହିଲେ , ହଁ ହଁ ଅଂଗୁରୁ ନ ଖାଇ ପାରିଲେ ଖଟା । ଆଈ ସେଦିନ ଭାରି ବାଧି ଥିଲା । ଶେଯରେ ମୁଁହ ଗୁଞ୍ଜି କେତେ କାନ୍ଦି ଥିଲା । ସତକୁ ସତ ପାଞ୍ଚ ଭଉଣୀ ସମସ୍ତେ ସରକାରୀ ଚାକିରୀ କରିଥିଲେ ।

   ବଡ଼ ବାପାଙ୍କର ଚାରି ପୁଅ, ହେଲେ ଗୋଟିଏ ମଣିଷ ହେଲେ ନାହିଁ । ମଦ ପିଇ ମାତାଲ୍ ହୋଇ ଗଲା ପରେ ହିତା ହତ ଜ୍ଞାନ ଭୁଲି ଯାଇ ବାପା ମାଙ୍କ ପ୍ରତି ବ୍ୟବହାର ଖୁବ୍ ଖରାପ ଥିଲା । ପୁଅ ଝିଅ ଭିତରେ ପ୍ରଭେଦ ଦେଖାଇ ବଡ଼ ବୋଉ ଅତି ଶ୍ରଦ୍ଧା କରି ସେମାନଙ୍କ ଜୀବନକୁ ନଷ୍ଟ କରିବାରେ ସାହାଯ୍ୟ କରିଥିଲେ । ଅଜା ଆଈକୁ ଦେଖାଇ କହିଥିଲେ ଦେଖିଲ ତାଙ୍କ ପୁଅ ଆଉ ଆମ ଝିଅ ଭିତରେ ଫରକ୍ । ଯେତେ ଯାହା ହେଲେ ବି ମୁହଁରେ କଣ ଝିଅ ନିଆଁ ଦେବ, ଆଈ କହି କାନ୍ଦି କାନ୍ଦି ଠାକୁର ଘରକୁ ଚାଲିଗଲା । ସେତେ ବେଳକୁ ବୋଉର ବିବାହ ସାରିଥିଲା । ମୋର ଜନ୍ମ ବି ଦୁଇ ଜଣ ଝିଅଙ୍କ ପରେ ହୋଇ ଥିଲା । ଆଈର ଇଛା ଆଉ ବୋଉର ପୁତ୍ର ସନ୍ତାନ ଲାଭ ରେ ସଭିଏଁ ଖୁସି ହୋଇ ଥିଲେ । ସେଇ ପୁଅ ପ୍ରତି ଲୋଭ ଦେଖାଇ କହିଥିଲେ ଆଈ, କଷ୍ଟ ଟିକେ ପଛେ ହେଉ, ମାେ ପରି ଜୀବନ ସାରା ଅପୁତ୍ରିକ କେହି ନ କହନ୍ତି । ବୋଉ ଏତେ ପାଠ ସାଠ ପଢି ମଧ୍ୟ ନିଜକୁ ପୁତ୍ର ସନ୍ତାନର ଜନନୀ ହୋଇ ଖୁବ୍ ଆତ୍ମ ହରା ହୋଇ ଉଠି ଥିଲା । ଜଣେ ଜଣାଶୁଣା ଓଡ଼ିଆ ଶିକ୍ଷକ ଥିଲେ ବୋଉ ମୋର । ଭଉଣୀ ଦୁଇ ଜଣଙ୍କୁ ପାଠ ପଢ଼ାଇ ଯୋଗ୍ୟ ଜୋଇଁ ହାତରେ ସମର୍ପି ଦେଇ ଥିଲେ ଲୋଭ ଥିଲା ମୋ ପାଖରେ । ମୋ ପୁଅ ବଡ଼ ଚାକିରି କରିବ । ପାଠ ପଢି ଜଣେ ଡ଼ାକ୍ତର ହେବ । ସମସ୍ତଙ୍କୁ ଦେଖାଇ ଦେବ ତା ପୁଅ ଏ ଦୁନିଆରେ ଜଣେ ମଣିଷ ପରି ମଣିଷ ହୋଇ ପାରିଛି ।

    ମୁଁ ମନେ ମନେ ଭାବୁଥାଏ ବୋଉଲୋ ତୋ ସପନ ସତ ହେଇଚି । କିନ୍ତୁ ମୁଁ ତୋର ଭଲ ମନ୍ଦ ବୁଝି ପାରୁନି । କାରଣ ମୁଁ ତୋ ଠାରୁ ବହୁତ ଦୂରରେ । ଦେଖିବା ସାତ ସପନ । ଭିଡିଓ କଲ୍ କରି ଦେଖିଲେ ତୋ ମନ ଶାନ୍ତି ମିଳିବ । ମାେ ମୁଣ୍ଡରେ ତୁ କଣ ସ୍ନେହ ବୋଳା ହାତ ଥୋଇ ପାରିବୁ ? ପାଠ ପଢ଼ାଇ ମଣିଷ କରିଚୁ ସିନା, ମମତାର ହାତ ଦୂରେଇ ଯାଇଛି । ପାଠ ପଢି ଆମେ ଦୁଇ ଜଣ ଆମେରିକାରେ ବାସ କରୁଛୁ । ତୁ ଯାହାକୁ ବୋହୁ କରି ଘରକୁ ଆଣିଥିଲୁ ସେ ତୁମ ଦୁଇ ଜଣଙ୍କର ଦାୟିତ୍ଵ ନେବାକୁ ଇଛା କରୁନି । ଚାକିରି ସିନା କରିଛି, ଟଙ୍କା ରୋଜଗାର କରୁଛି, ହେଲେ ଦାୟିତ୍ଵ ବହନ କରିବା ସମ୍ଭବ ନୁହେଁ । ଆଜି ପୁଣି ମୋର ପୁତ୍ର ସନ୍ତାନ ପାଇଁ ଠାକୁର ପାଖରେ ଅଳି କରୁଚୁ । ଦୁଇ ଭଉଣୀ ତୋର ଯଥେଷ୍ଟ ସେବା ଯତ୍ନ କରୁଛନ୍ତି । ତୋର ଭଲ ମନ୍ଦରେ ଠିଆ ହେଉ ଛନ୍ତି । ମୋ ପାଇଁ ସେଇ ଝଅଟିକୁ ମାଗେ । ଯାହା ତୋତେ ଖଟା ମୋତେ ମିଠା ଲାଗିବ । ମୋତେ ପୁଅର ଆବଶ୍ୟକ ନାହିଁ ।ଯେଉଁ ସନ୍ତାନ ବାପା ମାର ଦୁଃଖ ସୁଖରେ ଠିଆ ହୋଇ ଆହା କହୁଥିବ ସେପରି ସନ୍ତାନ ପାଇଲେ, ସେ ଝିଅ ହେଉକୀ ପୁଅ ମନ ଆନନ୍ଦରେ ନାଚି ଉଠିବ ।


Rate this content
Log in

Similar oriya story from Inspirational