STORYMIRROR

Sachidananda Kar

Classics

3  

Sachidananda Kar

Classics

ସେ : ଏକ ଶୂନ୍ୟସ୍ଥାନ

ସେ : ଏକ ଶୂନ୍ୟସ୍ଥାନ

2 mins
226


      ତାକୁ ଯେତେ ନିରେଖିଲେ ବି ସେ ନୂଆ ପରି ଲାଗେ।ଯେତେ ପରଖିଲେ ବି ସେ ଶୁଦ୍ଧ ସୁବର୍ଣ୍ଣ।ତା'ର ଠିକଣା ନ ଥାଏ,ଅଥଚ ତାକୁ ଖୋଜିବାରେ ବିତୁଥାଏ ସାରାଟା ଜୀବନ। 


      କେବେ କେମିତି ତାକୁ ଦେଖେ।ସେ ଫୁଲ ତୋଳୁଥାଏ।ପଚାରିଲେ କହେ,ପିଲାଙ୍କ ପାଇଁ ଆୟୁଷ ମାଗିବି।କିଛି ତ ତାଙ୍କୁ ଦେବି। 


      ଦେଖେ ତାକୁ ସେ ମନ୍ଦିରକୁ ଯାଏ।ତେଣୁ ଓଲଟି ତାକୁ କିଛି ପଚାରେ ନାହିଁ।ପୂଜା ଓ ପ୍ରାର୍ଥନାର ରୂପାନ୍ତର ଭଳି ମୋତେ ସେ ଲାଗେ ସେତେବେଳେ। 


       ପୁଣି କେବେ ତାକୁ ଆକାଶରୁ ଜହ୍ନ ତାରା ତୋଳୁଥିବାର ଦେଖେ।ଖୁବ୍ ଖୁସି ହସହସ ଦିଶୁଥାଏ ସେ।ତା'ର କୁନି ଝିଅଟି ଥାଏ ତା' କାଖରେ। 


      ତା'ର ଆବେଗ ମୋତେ ଆଶ୍ଚର୍ଯ୍ୟ କରେ।ଏତେ ଆବେଗ ଇଏ ଆଣେ କୋଉଠୁ?ନିଜକୁ ପଚାରେ ମୁଁ।କେବେ କେବେ ତ ସେ ନିଜେ ଇ ଜହ୍ନ ତାରା ହୋଇଯାଏ। 


      ଗଛଟେ ପରି ନୀରବ ନିଶ୍ଚଳ ଥିବା ତାକୁ ଦେଖେ।କେବେ କେବେ ଗୋଟେ ସବୁଜିମା ଭରା କ୍ଷେତ ପରି ଦିଶେ ସେ।ଶୁଭ୍ର କାଶତଣ୍ଡୀ ହୋଇ ଫୁଟୁଥାଏ ନଈପଠାରେ।କେବେ ପୁଣି ଜହ୍ନିଫୁଲ ହୋଇ ଫୁଟେ ବାରି ବଗିଚାରେ।କେବେ ସେ ଉହ୍ମେଇର ନିଆଁ ତ କେବେ ମନ୍ଦ ମଳୟ।ହେଲେ ଏତେ ସବୁ ଭୂମିକା ତା'ର ଦେଖିଲେ ମୁଁ ଆଶ୍ଚର୍ଯ୍ୟ ହୁଏ।କେମିତି ସଜାଏ ସେ ତା' ନିଜକୁ ଏମିତି ଏତେ ରକମରେ?କେଉଁଠୁ ଯୋଗାଡ଼ କରେ ଏତେ ପ୍ରେମ,ଏତେ ଭଲପାଇବା?ନିଜକୁ ପଚାରେ ମୁଁ,ହେଲେ ଉତ୍ତର ପାଏନା। 


      ଦେଖେ ବାୟାବସାର ମାନଚିତ୍ର ତିଆରି କରୁଥାଏ ସେ ତା'ର ଆଖିରେ।ତା' ଭିତରେ ସାଇତି ରଖୁଥାଏ ତା'ର ସକଳ ସ୍ନେହ ,ଶ୍ରଦ୍ଧା ,ଆଦର ଓ ଅନୁରାଗ।ଆକାଶର ଝିଲିମିଲି ତାରା ଭଳି ଗାଳିକୁ ବି ସେ ତା' ଭିତରେ ସଜେଇ ରଖେ। 


       ବିଶାଳ ବଟବୃକ୍ଷ ପରି ତା' ପଣତ।ବସନ୍ତରେ କୋଇଲିର କୁହୁ ପରି ତା'ର ଡାକ।ଭାରି କଅଁଳ ,ନରମ ତା'ର ଚାହାଣି।ତା' ପାଖରେ ଘଡିଏ ବସି ପଡିବାକୁ ମନହୁଏ।ତାକୁ ଛାଡି ଉଠି ଆସିବାକୁ ଇଚ୍ଛା ହୁଏନା। 


       ସେ କେବେ ବସିବାର ମୁଁ ଦେଖିନି କି ହସିବାର ବି ଦେଖିନି।ସତେ ଯେପରି ଶରଶଯ୍ୟାରେ ଥାଏ ସେ।ତଥାପି ମହକୁଥାଏ,ମହକାଉଥାଏ।ଆଦ୍ୟ ଆଷାଢ଼ର ବାରିଧାରା ପରି ଝରୁଥାଏ।ଅନ୍ୟକୁ ଜୀବନୀଶକ୍ତି ଦେଉଥାଏ।ତା' ଛୁଆଁରେ ଘରେ ବାହାରେ ସବୁକିଛି ପାଲଟୁଥାଏ ତାରକସିର କାରୁକାର୍ଯ୍ୟ।ସକାଳ ରଙ୍ଗର ଫୁଲଟିଏ ହୋଇ ସେ ସମସ୍ତଙ୍କ ସହିତ ଏକାକାର ହେଉଥାଏ।ଭାରି ସୁନ୍ଦର ଲାଗୁଥାଏ ସେ। 


       ସଞ୍ଜବେଳେ ତାକୁ ଚଉରାମୂଳେ ଦେଖେ।ବିଶ୍ୱାସର,ଭରସାର ମାଟି ଦୀପଟିଏ ହାତରେ ଧରିଥାଏ ସେ।ଶ୍ରଦ୍ଧାରେ ନିଜ ଲୁଗାକାନିକୁ ଚିରି କରିଥାଏ ସଞ୍ଜବତି।ଅନ୍ଧାରକୁ ଅତିକ୍ରମ କରିବାକୁ ତା'ର ଦୁଃସାହସ ମୋତେ ଆଶ୍ଚର୍ଯ୍ୟ କରେ ସେତେବେଳେ।ନିଜ ପାଇଁ ନୁହେଁ, ବରଂ ନିଜ ପିଲାଙ୍କ ପାଇଁ ଶହେଟି ଶରତ ମାଗୁଥାଏ ସେ।ଭାବୁ ନ ଥାଏ ପଛକଥା କି ପୋଛୁ ନ ଥାଏ ଲୁହ।ତା'ର ସାରାଟା ସମୟ ଯେମିତି ବର୍ତ୍ତମାନର ଖୁଣ୍ଟିରେ ବନ୍ଧା। 


       ତାକୁ ଦେଖିଲେ ମୋର ମନେହୁଏ ସେ ଦୁଃଖରୁ ଆସିଛି,କିନ୍ତୁ ଆନନ୍ଦରେ ଅଛି।ଏଠି ଆନନ୍ଦରେ ରହିବା କ'ଣ କମ୍ ବଡ କଥା କି!ସମସ୍ତେ ପାରନ୍ତିନି ପରା। 


       ଦେଇ ଜାଣେ ସେ,ହେଲେ ନେଇ ଜାଣେ ନାହିଁ।ସେଇ ଆବେଗ ଭିତରେ ତା'ର ବିତୁଥାଏ ରାତିଦିନ, ମୂହୁର୍ତ୍ତମାନେ ପାଲଟି ଯାଉଥାନ୍ତି ସତ ଚିତ୍ରପଟ।ଖାସ୍ ତା' ପାଇଁ ତ ଏଠି କାହ୍ନୁମାନଙ୍କର ଗୋପଲୀଳା - ଅବିର ଖେଳ - ରାଈ ପ୍ରେମ।ଯେବେ ଶୂନ୍ୟ ହୁଏ ଗୋପପୁର ସେ ପାଲଟିଯାଏ ଗୋଟେ ରଙ୍ଗହୀନ,ରୂପହୀନ,ଦୁଃଖିନୀ ଯଶୋଦା। 


       କାହିଁକି ତାକୁ ମାଆ ବୋଲି କହିବା!ଏମିତି କ'ଣ କରିଛି କି ସେ!କାହିଁ ତା'ର ଏତେ ବଡ଼ ସୌଭାଗ୍ୟ!ସେ'ତ ବଞ୍ଚିତା କାଳେକାଳେ ତା' ଜୀବନରେ।କାଳେକାଳେ ସେ'ତ ଏକ ସମ୍ମୋହିତ ପ୍ରୀତିପୂର୍ଣ୍ଣ ଶୂନ୍ୟସ୍ଥାନ।


Rate this content
Log in

Similar oriya story from Classics