ସେ ଅତୀତ।
ସେ ଅତୀତ।


ସ୍ମାରକ ଆଜିକାଲି ବହୁତ ଶୀଘ୍ର ବିଛଣାକୁ ଯାଉଛି। କେଜାଣି କାହିଁକି ତାକୁ ଆଜିକାଲି ଏତେ ନିଦ ବୁଝା ପଡୁନାହିଁ। ଯେମିତି ତାର ଆଉ କିଛି ପାଇବାର ଆଗ୍ରହ ନାହିଁ। ତାକୁ କିଛି ଖୋଜିବାର ନାହିଁ। ତାର ସବୁ ଆଶା ଆକାଂକ୍ଷା ସୁଉଚ୍ଚ ଶୃଙ୍ଗକୁ ସ୍ପର୍ଶ କରି ସାରିଛି। ପରମ ତୃପ୍ତି ମଧ୍ୟରେ ବଞ୍ଚିଛି ସ୍ମାରକ।
ବାପାଙ୍କର ଜମିଦାରୀ ,ଫଳ ଓ ପନିପରିବା ଚାଷ। ପଚାଶ ମୂଲିଆ ପୋଷି ହୁଅନ୍ତି। ବି:ଟେକ୍ ସାରି ଦେଇଛି। ଚାକିରୀ କରିବାକୁ ଇଚ୍ଛା ନାହିଁ। କାହିଁକି ବା ଚାକିରୀ କରିବ ?? ବାପା-ମାଙ୍କର ଗୋଟିଏ ବୋଲି ପୁଅ।ବାଟି ବାଟି ସମ୍ପତି ବସି ଖାଇଲେ ମଧ୍ୟ ସରିବ ନାହିଁ।
ଜୟଦେବ ବିହାରରେ ବଢ଼ିଆ ଘର ଗୋଟେ ଭଡା ନେଇଛି । ତାର ସଉକ ହେଉଛି ଅଭିନୟ ।ଅଭିନୟ କରିବା ପିଲାଦିନରୁ ତାର ଅଭ୍ୟାସ।ସଭିଙ୍କ ନକଲ ବହୁତ ସୁନ୍ଦର ଭାବେ କରିପାରେ।ଜେଜେ ବାପା ,ବାପା,ପ୍ରାଇମେରୀ ସ୍କୁଲ ହେଡ୍ ମାଷ୍ଟର ଜଟିଆ ସାର୍ ,କାପାଳିକ ଏମାନଙ୍କର ଅଭିନୟ ଖୁବ୍ ନିଖୁଣ ଭାବରେ କରିପାରେ।
ମା ଥରେ ରାଗିଗଲା। କହିଲା ଯଦି ତୋତେ ନାଟ ତାମସା କରିବାର ଥିଲା ତାହାଲେ କାହିଁକି ଇଞ୍ଜିନିୟରିଙ୍ଗ କରୁଥିଲୁ !!
ଯଦି ଇଞ୍ଜିନିୟରିଙ୍ଗ କଲୁ ତାହାଲେ ଚାକିରୀ ଗୋଟେ କର।କାହିଁକି ଏତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରାଇଲୁ।
-ଶୁଣ ମାମା ସେମିତି କହନି। ବି:ଟେକ୍ କରିବାକୁ ମୋର ଇଚ୍ଛା ନଥିଲା ।ତୁ ଜବରଦସ୍ତି ମୋତେ ଭୁବନେଶ୍ୱର ପଠାଇଲୁ।
-ହଉ ମୋର ଭୁଲ୍ ହେଇଗଲା।ତୁ ଆଉ ବୋପାର ନାଁ ପାଣି ବୁଡାନା।
ସିଗାରେଟ ଗୁଡା ଭକ ଭକ କରି ଦିନ ସାରା ଟାଣୁଛୁ।ମୋ ଆଗରେ ଧୁଆଁ ଉଡାଉଛୁ ତୋତେ ଟିକେ ଲାଜ ଲାଗୁନି।
-ସିଗାରେଟ୍ ମୋର କଂସେଣ୍ଟଟ୍ରେସନ ବଢାଏ ମାମା। ମୁଁ ମୋର ଫିଉଚ୍ଚର ଦେଖି ପାରୁଛି।ଅନୁଭବ ଆଉ ବାବୁସାନ୍ ପରେ ମୁଁ ହିଁ ଓଲିଉଡ୍ ରେ ରାଜ୍ କରିବି।
-ଛାଡ୍ ରେ ତୋ ଡ୍ରାମା। ଆଜି ସିଗାରେଟ୍ ପିଉଛୁ। କାଲି ମଦ ପିଇବୁ।
ଏ ସବୁ କଣ ଭଲ କରୁଛୁ ?
-ଆକ୍ଟିଂଗ ଲାଇନ୍ ରେ ରହିଲେ ଏମିତି ସବୁ ଆଗକୁ କରିବାକୁ ପଡିବ ମାମା। ଦିସ୍ ଇଜ୍ ଏ ଜେଶ୍ଚର୍।
-ତୁ ମୋତେ ଆଉ ପାଠ ପଢାନା। ଖୁବ୍ ଶୀଘ୍ର ଏ ସବୁ ବନ୍ଦ କର।
ନହେଲେ ଭଲ ହେବନି କହୁଛି। ନିଜ ଗୋଡ଼ରେ ନିଜେ ଠିଆ ହୋ। ବାପ ସମ୍ପତିରେ କେତେଦିନ ଅଏସ୍ କରିବୁ? ତୁ ସିନେମାରେ ଅଭିନୟ କର କିମ୍ବା କୋଉ କମ୍ପାନୀରେ ଚାକିରୀ କର। କିନ୍ତୁ ଏମିତି ଖାଲିଟାରେ ସମୟ ନଷ୍ଟ କରନି।
କେତେଟା ବାତେରା ପିଲାଙ୍କ ଖଟି ଆଉ ଆଡା କରିବା ପାଇଁ ତୁଚ୍ଛାଟାରେ ଘର ଭଡା ଦେଉଛୁ ଭୁବନେଶ୍ୱରରେ। ନା ସେଠି କିଛି କରୁଛୁ ନା ଘରକୁ ଆସିଲେ ବାପାଙ୍କୁ କାମରେ ସାହାଯ୍ୟ କରୁଛୁ। ଖାଲି ଅଳସୁଆ ପରି ବସୁଛୁ।
କିଛି କର୍ ପୁଅ ...!!! କିଛି କର୍
ମାମା ଠାରୁ ଏତେ ଡୋଜ୍ ଶୁଣିଲା ପରେ କାନ ମୂଳ ତାତିଗଲା। ତାର ବର୍ତ୍ତମାନ ସ୍ଥିତିକୁ ନେଇ ଟିକେ ମନ୍ଥନ କରିବାକୁ ଲାଗିଲା। ଡାଇନିଙ୍ଗ ଟେବୁଲ ଉପରେ ରାତି ଖାଇବା ସେମିତି ଘୋଡା ହୋଇ ରହିଛି।ମାମା ଡାକି ଡାକି ଥକିଗଲା। ଶେଷରେ କହିଲା ହଉ ଠିକ୍ ଅଛି ମୁଁ ତୋତେ ଏମିତି ଆଉ କହିବିନି। ମୋ ସୁନା ପୁଅଟା ଖାଇଦେ।
କାନ ଦୁଇଟା ବନ୍ଦ ଥିଲା,ସାପ ପରି ଆଖିରେ ଶୁଣୁଥିଲା।ଠିକ୍ ଚେଇଁ ଶୋଇବା ଭଳି।
-ହଉ ତୋ ମନ ବୁଝିଲେ ଖାଇନେବୁ।
ନିରବ ଗମ୍ଭୀର ସ୍ୱରରେ
-ତୁ ଶୋଇବୁ ଯା...
ମୋ ଇଚ୍ଛା ହେଲେ ମୁଁ ଖାଇବି ।
ଅନ୍ଧାର ଧୀରେ ଧୀରେ ଘନ କଳା ରଙ୍ଗର ପରଦା ଘୋଡେଇଲା ପରି ଗାଁଟାକୁ ଘୋଡେଇ ପକାଇଲା।
ଝିଙ୍କାରୀର ଝାଇଁ ଝାଇଁ ଶବଦ କାନ ଓ ମନ ମଧ୍ୟରେ ଯୋଗସୁତ୍ର ରଖିବାକୁ ଯାଇ ବାରମ୍ବାର ବିଫଳ ହେଉଥାଏ।
ପଞ୍ଚାୟତ ଅଫିସ୍ ସାମ୍ନାରେ ଥିବା ଗୋପବନ୍ଧୁଙ୍କ ଷ୍ଟାଚୁକୁ ଡେରି ହୋଇ ସ୍ମାରକ ଠିଆ ହୋଇଛି। ହାତରେ ଗୋଟେ ବିୟର ବୋତଲ। ଢୋକେ ଢୋକେ ପିଉଛି ତା ସାଙ୍ଗରେ ସିଗାରେଟ୍ ଗୋଟେ ଫୁଂକୁଛି। ପଛରୁ ଜଣେ ବୃଦ୍ଧ ସ୍ମାରକ କାନ୍ଧକୁ ଥିରିକିନା ଥାପୁଡ଼େଇ ଡାକୁଥିଲା।
-ଦେଖୁଛି.... ତୁ ତୋ ନିଜକୁ ଚିନ୍ହି ପାରୁନାହୁଁ। ତୁ ସତରେ କଣ ସେହି ବୀର ପ୍ରସବିନି କଳା ସ୍ଥାପତ୍ୟରେ ଭରା ମହାନ ରାଇଜର ଦାୟାଦ !!!
ମୋର କାହିଁକି ସନ୍ଦେହ ହେଉଛି।
ତୁ ଏ କଣ କରୁଛୁ !!!
ଗୋପବନ୍ଧୁଙ୍କ ମୂର୍ତ୍ତି ପାଖରେ ମଦ ପିଉଛୁ ? ତୁ ସତରେ ଦିଗହୀନ ଓ ବୁଦ୍ଧିଶୂନ୍ୟ ହୋଇଯାଇଛୁ।
ତୁମ ପାଖରେ ବୁଦ୍ଧି ବିବେକ ବୋଲି କିଛି ଆଉ ନାହିଁ। ପୂର୍ବ ପୁରୁ
ଷଙ୍କ ଇଜତ ମହତ ସବୁ ମାଟିରେ ମିଶେଇ ଦେଲଣି। ପର ହାତ ଟେକାକୁ ଅନେଇ ରହିଛ। ମୁଣ୍ଡା ଅଳସୁଆ ପାଲଟି ଯାଇଛ। ତୁ କଣ ଭୁଲିଗଲୁ ଉତ୍କଳର ସେ ମହିମା ମଣ୍ଡିତ ଚାରୁ କଳାକୁ। ଏ ମାଟିର ଶିଳ୍ପୀ କେତେ ସୂକ୍ଷ୍ମ କାରୁକାର୍ଯ୍ୟ କରୁଥିଲା। ପଥର ଓ କାଠରେ ଇତିହାସ ରଚିଥିଲା।
ଏ ମାଟିର ଵୀର ସାଧବ ପୁଅ ଯାଭା, ସୁମାତ୍ରା, ବାଲି ,ଇଣ୍ଡୋନେସିଆ ଆଦି ଦେଶକୁ ବାଣିଜ୍ୟ କରିବାକୁ ଯାଇ ଅଜସ୍ର ଧନ ରତ୍ନ ବୋହି ଆଣୁଥିଲା।
ଧେତ୍ ତୋତେ ଏ ସବୁ ମୁଁ କାହିଁକି ଶୁଣାଉଛି !!
ତୁମେ ତ ଆଜିର ଓଡ଼ିଆ
କେବଳ କୋଢି଼ଆ।
କେବଳ ମାଗଣା ଖାଇବ ଆଉ ବସି ବସି ଖାଇବ।
-ତୁମେ କିଏ ହୋ !!! ବେଶ ପୋଷାକରୁ ପୌରାଣିକ ନାଟକରେ ଥିବା ସମ୍ଭ୍ରାନ୍ତ ଲୋକ ପରି ଲାଗୁଛ। କିନ୍ତୁ ମୋ ଆଗରେ ଏମିତି ଲେକ୍ଚର ଝାଡୁଛ ?
ଚୁପ୍ ଚାପ୍ ନିଜ ବାଟରେ ଯାଉନାହଁ ।
ଆସିଗଲ କୁଆଡୁ ମୋତେ ଜ୍ଞାନ ଦେବାକୁ।
-ହଁ ତୁ ଠିକ୍ କହୁଛୁ ଓଡିଶା । ମୁଁ ଅବା କାହିଁକି ତୋତେ ଜ୍ଞାନ ଦେବି ?
ଆରେ ଓଡିଶା ତୋର ଏ ଅବସ୍ଥା ଦେଖି ମୋତେ କିନ୍ତୁ ଆଜି ବହୁତ ଦୁଃଖ ଲାଗୁଛିରେ।
-ଚୁପକର। ମୋ ନାଁ ଓଡିଶା ନୁହେଁ। ମୋ ନା ସ୍ମାରକ। ସେତେବେଳୁ ମୋତେ ଓଡିଶା- ଓଡିଶା କାହିଁକି ସମ୍ବୋଧନ କରୁଛ ?
-ହଁ ତୁ ଠିକ୍ କହିଲୁ ତୁ କେବେଳ ସ୍ମାରକ। କିନ୍ତୁ ତୋର କିଛି ସ୍ମରଣ ନାହିଁ। ମୁଁ ଉତ୍କଳ।
-ତୁମେ ଉତ୍କଳ
-ହଁ ମୁଁ ତୋର ଅତୀତ । ମୁଁ ତ ତୋ ପରି ଦରିଦ୍ର ନଥିଲି । ମୋ ସମୟରେ କେହି ଭୋକ ଉପାସ ଶୋଉ ନଥିଲେ। ମୋ ସମୟରେ କଳକାରଖାନା ବି ନଥିଲା କିନ୍ତୁ ଗୁଡ଼ ଓ ଚୁନକୁ ବ୍ୟବହାର କରି ବଡ଼ ବଡ଼ ପଥର ଯୋଡି ଦେଉଥିଲୁ। ଷ୍ଟେନ୍ ଲେସ୍ ଷ୍ଟିଲ କଣ ମୋତେ ଜଣା ନଥିଲା କିନ୍ତୁ ମୋ ସମୟରେ କୁଶଳୀ ଲୌହ ଶିଳ୍ପୀ ଲୁହା ପଥରକୁ ତରଳାଇ ଏମିତି ଲୌହ ଖମ୍ବ ନିର୍ମାଣ କରିଛି ଯେଉଁଥିରେ ହଜାର ବର୍ଷ ହେଲା କଳଙ୍କି ଲାଗୁ ନାହିଁ। ଚାଷ ଜମିରେ ଜୈବିକ ଖତ ବ୍ୟବହାର ହେଉଥିଲା ଜମିପଡିଆ ପଡୁ ନଥିଲା।
ଦଣ୍ଡର ଭୟରେ ହତ୍ୟା ,ଲୁଣ୍ଠନ, ଧର୍ଷଣ ପରି କୁକର୍ମ ହେଉନଥିଲା।
ତୁମେ ଆଜିକାଲି ଚାକିରୀ ପଛରେ ଧାଇଁ ଧାଇଁ ନିରାଶ ହେଲାପରେ ନିଜ ପାଇଁ ଏକ ସୁନ୍ଦର ପ୍ରତିଶବ୍ଦ ଖୋଜି ଦେଉଛ "ବେକାରୀ "।
କିନ୍ତୁ ମୋ ସମୟରେ ଏହି ବେକାରୀ ଶବ୍ଦ ନଥିଲା । ସମସ୍ତେ ନିଜ ବୃତ୍ତି କୁ ଅବଲମ୍ବନ କରୁଥିଲେ। ଆଜି ତୁମେ ଆଧୁନିକ ହୋଇଛ କିନ୍ତୁ ମନ୍ଦିର ବାହାରେ ମେଞ୍ଚା ମେଞ୍ଚା ଭିକାରୀ।
ଧିକ୍ ତୁମକୁ ...
(ପଛରୁ ରାଜକୀୟ ବସ୍ତ୍ର ପିନ୍ଧି ଯୋଦ୍ଧା ବେଶରେ ଜଣେ ଉପସ୍ଥିତ ହେଲେ।)
-ଆରେ ଉତ୍କଳ ତୁମେ କାହାକୁ ବୁଝାଉଛ ଏମାନେ କଣ ଆଉ ଶୁଣିବା ସ୍ତରରେ ଅଛନ୍ତି
ଏମାନଙ୍କ ଶରୀର ଗଠନ ଦେଖ । ଦେହରେ ଦଶ ସେର ମାଂଶ ନାହିଁ। ଫେସନ୍ ନାଁରେ ଚିରା ଫଟା କପଡା ପିନ୍ଧୁଛନ୍ତି ଏମାନେ। ପଛ ପଟୁ ପାହାର ଗୋଟେ ପଡ଼ିଲେ ବାପ'ଲୋ ମା'ଲୋ ହେଇ ଧାଇଁବେ।
ଏମାନେ କଣ ଶତ୍ରୁର ମୁକାବିଲା କରିବେ ??
ହା ହା ହା ...
-ତୁମେ କିଏ ?
-ଆରେ ମୂର୍ଖ, ମୁଁ କଳିଙ୍ଗ । ତୁ ଦେଖି ପାରୁନୁ ମୋ ହିଆକୁ ,ମୋ ଛାତିକୁ ,ମୋ ବଳିଷ୍ଠ ବାହୁକୁ। ମୋ ମେଛାକୁ। ଗଙ୍ଗା ଠାରୁ ଗୌଦାବରୀ ମୁଁ ବିସ୍ତାର କରିଥିଲି ରାଜ୍ୟ।
ମୋ ଢାଲ ତରବାରୀକୁ ଦେଖି ଶତ୍ରୁ ତ୍ରାହି ତ୍ରାହି ଡାକୁଥିଲେ।
ହା ହା ହା ....
-ହେଲେ ତୁମେ ଦୁଇଜଣ ମୋ ପାଖକୁ କାହିଁକି ଆସିଛ ?
-ତୋତେ ନିଦରୁ ଉଠାଇବାକୁ।
ତୋତେ ସଶକ୍ତ କରିବାକୁ।
ତୋତେ ଆତ୍ମନିର୍ଭରଶୀଳ କରିବାକୁ।
ତୋତେ କୁଶଳୀ ଆଉ ଶକ୍ତିଶାଳୀ କରିବାକୁ ।
ଆମର ବିଶ୍ୱାସ ତୁ ନିଶ୍ଚୟ ପାରିବୁ। ତୋ ଦେହରେ ସେ ଶକ୍ତି ଅଛି।
ତୋ ଠାରେ ସମାର୍ଥ୍ୟ ଅଛି।
ତୁ ପାରିବୁ ଓଡିଶା... ତୁ ପାରିବୁ।
ତୁ ଉଠ୍,ଠିଆ ହୋ। ତୁ ପ୍ରମାଣ କରିଦେ। ତୁ ଆଉ ଦରିଦ୍ର ହୋଇ ରହିବୁ ନାହିଁ।
ତୁ ବିଶ୍ୱ ବିଜେତା ହେବୁ।
-ହଁ ...ମୋର ଅତୀତ। ତୁମେ ମାନେ ମୋ ଆଖି ଖୋଲି ଦେଇଛ। ମୁଁ ଆଉ ବିଷାଦଗ୍ରସ୍ତ ନାହିଁ। ହେଇ ଦେଖ ମୁଁ ହସୁଛି।
ହା ହା ହା ହା ....
ମୁଁ ପାରିବି ...ମୁଁ ପାରିବି
ହା ହା ହା ...ହଁ ହଁ ।
ମୁଁ ପାରିବି।
-ସ୍ମାରକ ...ଆରେ ସ୍ମାରକ
କଣ ଏମିତି ସକାଳୁ ସକାଳୁ ବାଉଳି ଚାଉଳି ହେଉଛୁ ବାପା
ଉଠ୍