ସ୍ବପ୍ନ ସତ
ସ୍ବପ୍ନ ସତ


ସେଦିନ ମୁଁ ଯାଇଥିଲି ଖଣ୍ଡଗିରି ଆଉ ତୁମେ ବି ।ତୁମେ ଉପଭୋଗ କରୁଥିଲ ଖଣ୍ଡଗିରି ର ପ୍ରାକୃତିକ ପରିବେଶ ପ୍ରାଚିନ ବୌଦ୍ଧ ସ୍ତୁପ ସମୁହ କୁ , ଆଉ ମୁଁ ଉପଭୋଗ କରୁଥିଲି ତୁମକୁ ତୁମର ରୂପ ଲାବଣ୍ୟ ଆଉ ତୁମ ଚେହେରା ପରିପାଟୀ କୁ , ତୁମ ଚାଲି ଢ଼ଙ୍ଗ ରଙ୍ଗ ଆଉ ତୁମ କଥା କହିବାର ଶୈଳୀ କୁ । କେମିତି ଗୋଟେ ଆକର୍ଷଣ ଥିଲା ତୁମ ଠାରେ ।
ପ୍ରକୃତିର କେଉଁ ଏକ ଆକର୍ଷଣ ରେ ମୁଁ ତୁମ ଆଡ଼କୁ ଆକର୍ଷିତ ହୋଇଗଲି ଜାଣେନା । ତୁମେ ବୁଲାବୁଲି କରି ସାରି ଖଣ୍ଡଗିରି ର ବାହାର କୁ ଯେତେବେଳେ ଯାଉ ଥାଅ । କାହିଁକି କେଜାଣି କିଛି ମୂଲ୍ୟବାନ ଜିନିଷ ହଜେଇ ଦେଲାଭଳି ମୋ ଛାତି ଭିତରେ ସେତେ ସେତେ ମୁଁ ଯନ୍ତ୍ରଣା ଅନୁଭବ କରୁଥାଏ ।
ଯେତେବେଳେ ତୁମେ ଖଣ୍ଡଗିରି ରୁ ବାହାରି ତୁମ ଗାଡ଼ି ଡ୍ରାଇଭର କୁ ଅପେକ୍ଷା କରୁଥିଲ ସେତେବେଳେ ମୁଁ ତୁମ ପଛପଟେ । ବହୁତ ଭାବିଲି ନିଜକୁ ନିୟନ୍ତ୍ରଣ କରିନେବି ମୁଁ , ଏତେ ବି ଦୂର୍ବଳ ନୁହେଁ ସାଧାରଣ ଗୋଟେ ସୁନ୍ଦରୀ ଝିଅ ଆଗରେ ମୁଁ ଛୋଟ ହୋଇଯିବି
କିନ୍ତୁ ନା , ପାରିଲିନି । ଭୟ ବି ଲାଗୁଥାଏ ଏମିତି କରିବା ଠିକ୍ ହେବ କି ନା ତା ଛଡା ତୁମର ପ୍ରତିକ୍ରିୟା କ'ଣ ହେବ ସେଥିପାଇଁ ବି ଡରଥାଏ ।
ତଥାପି ସାହସ ସଂଚୟ କରି ତୁମ ଆଗକୁ ଗଲି ଆଉ କହିଦେଲି । ପ୍ଲିଜ କିଛି ମାଇଣ୍ଡ କରିବେନି । ଏମିତି ତୁମକୁ କହିବା ଠିକ୍ ନୁହେଁ ମୁଁ ଜାଣେ ତଥାପି ମାନେ ମୋ କଥା ଶୁଣିବା ପରେ ତୁମେ ଯାହା କହିବ ଯାହା ଶାସ୍ତି ଦେବ ମୁଁ ସବୁ ସହିବି । କିନ୍ତୁ ମୁଁ ତୁମକୁ ଭଲପାଏ । ପ୍ଲିଜ ଯଦି କିଛି ଅସୁବିଧା ନଥାଏ ମୁଁ ବିବାହ କରିବାକୁ ଚାହେଁ ମୁଁ ମୋ ବାବା ମାମା ଙ୍କୁ ତୁମ ଘରକୁ ପଠେଇବି କଥା ହେବା ପାଇଁ । ତୁମେ କିଛି କହୁନ ଯେ ମୋତେ ବହୁତ ଡର ଲାଗୁଛି ପ୍ଲିଜ କିଛି ତ କୁହ । "
ତୁମେ ମୋତେ କିଛି ସମୟ ଚାହିଁଲ ଏକ ଅଚିହ୍ନା ଚାହାଣୀ ରେ । ତୁମ ଓଠ କିଛି କହିବା ଆଗରୁ ତୁମ ମୁହଁ ର ରଙ୍ଗ ପ୍ରଥମେ ବଦଳି ଗଲା । ତାପରେ କଡ଼ା ସ୍ବର ରେ ତୁମେ କହିଲ ମୋତେ
- " ତୁମ କୁ ଖରାପ ଲାଗୁନି ଗୋଟେ ଅଚିହ୍ନା ଝିଅ ସହିତ ଏମିତି ଏକୁଟିଆ କଥା ହେବାକୁ । ତମ ପରିବାର ତମକୁ ସଂସ୍କାର ଶିଖେଇ ନାହାନ୍ତି । ଅଭଦ୍ର କୋଉଠି କାର । ସତ କହୁଛି ଯଦି ଆମ ଦୁଇ ଜଣ ଙ୍କ କଥା ଆଉ କେହି ଶୁଣିଥାନ୍ତେ ଏବେ ତାହେଲେ ମୁଁ ତୁମକୁ ଯୋତା ରେ ପିଟି ଥାନ୍ତି ।
ଯଦି ବାପା ମା'ଙ୍କୁ ମୁଣ୍ଡ ତଳକୁ ନ କରିବା ପାଇଁ ଚାହୁଁଥାଅ ତାହେଲେ ଶିଘ୍ର ଏଠୁ ଚାଲିଯାଅ ।
ହଁ , ତାପରେ ମୁଁ ନୁହେଁ ତୁମେ ସେଠୁ ଚାଲି ଯାଇଥିଲ। ଆଉ ମୁଁ ତୁମକୁ ଚାହିଁ ରହିଥିଲି ମୋ ଆଖି ସାମ୍ନାରୁ ତୁମେ ଅଦୃଶ୍ୟ ହେବା ଯାଏ ।
ବହୁତ ଦିନ ବିତିଗଲା ତାପରେ ବହୁତ ଥର ଖଣ୍ଡଗିରି ଯାଇଛି ତମକୁ ଖୋଜିଛି ହେଲେ ପାଇନି । ରା
ସ୍ତା ଘାଟ, ଫିଲ୍ମୀ ହଲ୍ , ହାଟ ବଜାର , ଏଟିଏମ୍ କାଉଣ୍ଟର , ଭିଡ଼ରେ ମୋଡରେ ସବୁଠି ତମକୁ ମୁଁ ଖୋଜିଛି ହେଲେ ପାଇନି । ତମ ବିହୁନେ ପାଗଳ ପ୍ରେମୀ ସାଜିଛି ଆଇନା ରେ ହାତ କ୍ଷତ କରିଛି , ରାତି ରାତି ନିଶା ପିଇ ପାଗଳ ହେଇଛି ରାସ୍ତା ରେ ଗଡିଛି । ହେଲେ ତମ ସହ ଆଉ କେବେ ମୋର ଦ୍ବିତୀୟ ଥର ଦେଖା ହୋଇନି ।
ତମ ପାଇଁ ବୋଲ୍ ବମ୍ ଯାଇଛି , ହନୁମାନ ଯଜ୍ଞ ରେ ବସିଛି । ତାରିଣୀ ପାଖକୁ ନଡ଼ିଆ ପଠାଇଛି ।
" ମଣିଷ ଚାହୁଁଥିବା ସବୁ ଇଛା ପୂରଣ ହୁଏନି "
ନିଜକୁ ନିଜେ ସାନ୍ତ୍ଵନା ଦେଇଛି ନିଜକୁ ସଜାଡିଛି ପୁଣି ବିଗିଡି ଯାଇଛି ପୁଣି ସଜାଡିଛି । ହେଲେ ତୁମେ ଆଉ ମୋର ଭେଟ ହେଇନ ବାସ୍ତବ ରେ ।
କିନ୍ତୁ ପ୍ରତି ରାତିରେ ସ୍ବପ୍ନରେ ତୁମେ ଆସିଛ । ମୋତେ ଆନମନା କରି ଭିଜେଇ ଦେଇଛ । କେବେ ହାତ ଧରି ଝିପ୍ ଝିପ୍ ବର୍ଷା ରେ ଗୋଟେ ଛତା ତଳେ ଚାଲିଛ । କେବେ ସଜ୍ୟାସଙ୍ଗିନି ହୋଇ ମୋ ଭୋକ ମେଣ୍ଟାଇଛ । କେବେ ଧର୍ମ ପତ୍ନୀ ସାଜି ନିଜକୁ ସୌଭାଗ୍ୟବତୀ ଭାବିଛ ମୋତେ ଗର୍ବିତ କରାଇଛ । ପ୍ରତି ଟି ମୋଡ଼ ରେ ମୋ ସାଥ୍ ଦେଉ ଦେଉ ଥକ୍କି ଯାଇଛ ମୋ ଛାତି ଉପରେ ନିଜକୁ ଓଜାଡି ଦେଇ ଶାନ୍ତି ପାଇଛ । ମୋତେ ପ୍ରେମ ଫାସ ରେ ଫସେଇ ଦେଇ ନିଜେ ବସି ଯାଇଛ । ମୋ ପ୍ରତ୍ୟେକ ସମୟ କୁ ତୁମମୟ କରି ଦେଇଛ ପୁଣି ନିଜକୁ ହୃଦୟ ଠୁ ଦେହ ମୋ ଠାରେ ସମର୍ପି ଦେଇଛ ।
କିନ୍ତୁ ସବୁ ସ୍ବପ୍ନ କ'ଣ ସତ ହୁଏକି ?
କାସ୍ ସତ ହେଉ ଥାଆନ୍ତା କି ।
ଛାଡ .. ରାତି ପରେ ଦିନ ଦିନ ପରେ ରାତି ବିତିବା ସହ ଧିରେ ଧିରେ ତୁମକୁ ମୁଁ ଭୁଲିବାକୁ ଚେଷ୍ଟା କଲି । ବାତେରା ଛତରା ନହୋଇ ଦାୟିତ୍ଵ ବାନ ପୁଅ ଟିଏ ହେବା ପାଇଁ ନିଜକୁ ନୂଆ କି ଗଢିଲି । ଆଉ ଝିଅ ଙ୍କ ପଛେ ଅଯଥା ସମୟ ନଷ୍ଟ ନକରି ବାପା ବୋଉ ଙ୍କ ମୁହଁ କୁ ଚାହିଁ ରହିଲି ମୋତେ ତାଙ୍କ ବୋହୂ ଟିଏ ଉପହାର ଦେବେ ବୋଲି । ପସନ୍ଦ ନାପସନ୍ଦ କିଛି ଚୟନ ନକରି ତାଙ୍କ ଉପରେ ଝିଅ ଦେଖା ବୋହୂ ଖୋଜା ଛାଡି ଦେଲି ।
ଏଇ ଘଟଣା ର ଆଠ ମାସ ପରେ ।
ମୋ ବାସର ରାତିରେ ଯେତେବେଳେ ଓଢ଼ଣା ଖୋଲିଲି। ମୁଁ ଦେଖିଲି ମୋ ସୁନ୍ଦରୀ ସ୍ତ୍ରୀ କୁ ।
ଆଉ ଇଶ୍ବର ଙ୍କୁ ମନେ ମନେ ବହୁତ ଧନ୍ୟବାଦ ଦେଲି ମୁଁ ।
ତୁମେ ମୋ ହାତ ଧରି କହିଲ
- " ସେଦିନ ର ଘଟଣା ପାଇଁ ମୋତେ କ୍ଷମା କରିଦିଅ ।"
ମୁଁ ତୁମକୁ ମୋ ଛାତି ପାଖକୁ ଭିଡିଆଣି କହିଲି ।
- " ନା ତମର କିଛି ଭୁଲ ନାହିଁ । "
ସେଦିନର ଘଟଣା ପାଇଁ ତ ମୁଁ ମୋ ପ୍ରେମିକା କୁ ସ୍ତ୍ରୀ ରୂପରେ ପାଇ ପାରିଛି ।