ସ୍ବପ୍ନ କେବେ ମିଛ କେବେ ସତ
ସ୍ବପ୍ନ କେବେ ମିଛ କେବେ ସତ
ସେଦିନ ଆଲୁଅର ଇଲାକାରେ ପହଞ୍ଚିଯାଇ କାନ୍ତା ଦେଖିଲେ, ଏଟା ତ ବାହାଘର କି କୌଣସି ବ୍ୟକ୍ତିଗତ ପର୍ବ ପର୍ବାଣୀ ନୁହେଁ କି ବାଲିଯାତ୍ରା ବି ନୁହେଁ କିନ୍ତୁ ଏତେ ମନୋରମ କେମିତି. ଆଲୋକର ଇଲାକା ଏତେ ସୁନ୍ଦର ଥିଲେ ବି କାନ୍ତାଙ୍କ ଆଖି ସହ୍ୟ କରି ପାରୁନଥିଲା ତ ବୋଉଲୋ ବୋଲି ଡାକ ବାହାରିପଡିଲା ପାଟିରୁ. ସତକୁ ସତ ବୋଉ ଆସି ଧରି ନେଲା କାନ୍ତାଙ୍କୁ ତ ପଚାରିଲେ କାନ୍ତା ତୁ ଏଠି?? ହଁ ମାଆ ମୁଁ ଏ ଇଲାକାରେ ଆଜକୁ ଚାରିମାସ ହେଲାଣି ରହୁଛି. ତୁ ତ ଅଶୋକାଷ୍ଟମୀ ଦିନ ଆମ ସମସ୍ତଙ୍କୁ ଅନାଥ କରି ଚାଲିଗଲୁ ଅଫେରା ରାଇଜକୁ, ଆଉ ଏବେ ଏଠି. ହଁ ମାଆ ସେଇ ଅଫେରା ରାଇଜର ଗୋଟେ ଅଂଶ ଏଇଟା. ପୃଥିବୀରେ ଥିଲା ବେଳେ ଶୁଣିଥିଲି ଯମ ଦଣ୍ଡ କାଳେ ଖୁବ କଷ୍ଟ.ଗରମ ଟକ ଟକ ଫୁଟୁଥିବା ତେଲ କଡେଇରେ ପକେଇ ଦିଅନ୍ତି ପୁଣି କଣ୍ଟାରେ ଚାଲିବାକୁ କୁହନ୍ତି କାଚ ଗିଳିବାକୁ ତଥା କଣ୍ଟା ଛାଟରେ ପିଟା ଖାଇବାକୁ ହୁଏ କିନ୍ତୁ ସେମିତି କିଛି ନାହିଁ ବରଂ ଏଇ ଆଲୋକ ଇଲାକାରେ ରହୁଛି ପୃଥିବୀ ଛାଡ଼ି ଆସିବା ପରଠୁ.
କାନ୍ତା କହୁଥିଲେ ବୋଉଲୋ ତୁ ପରା ଚଢେଇ ପେଟ ଚିହ୍ନୁ, ଅତିଥି ଅଭ୍ୟାଗତଙ୍କୁ ଯଥାମାନ୍ୟ ସତ୍କାର, ବିପ୍ର ଜନଙ୍କୁ ଯଥା ସାଧ୍ୟ୍ୟ ସାହାଯ୍ୟ କରି ଦାନର ପୁଣ୍ୟ ଅର୍ଜ୍ଜନ କରିବା ସହ କାହାରି କେବେ ଅମଙ୍ଗଳ ଚିନ୍ତା କରିନୁ କି କାହାର ଅପକାର କରିନୁ ବରଂ କାହାର ସାଧ୍ୟ୍ୟମତେ ସାହାଯ୍ୟ କରିଛୁ.ଆମକୁ ବି ଶିଖାଉ ଯଦି କେହି କେବେ ମାଗୁଛି ହାତପତେଇ, ସାହାଯ୍ୟ କର ମଙ୍ଗଳ ହେବ. ଖାଲି କଣ ସେତିକି ସେଵା,ତ୍ୟାଗ ଓ ପରୋପକାରକୁ ପରା ଜୀବନର ବ୍ରତ କରିଥିଲୁ ଆଉ ତତେ କାହିଁକି ସେସବୁ ଘୃଣ୍ୟ ଯମଦଣ୍ଡ ମିଳିବ. ତେଣୁ ତତେ ଏହି ଆଲୋକ ଇଲାକାରେ ରକ୍ଷାଯାଇଛି. ହେଲେ ମୁଁ ବୁଝିପାରୁନି ବୋଉ ମୁଁ କେମିତି ଏଠିକୁ ଆସିଲି!ବୋଉ କହୁଥିଲା ଆଲୋ ମାଆ କାନ୍ତା ତୁ ପରା ଶିକ୍ଷୟତ୍ରୀ. ଯିଏ କେବେ କର୍ତ୍ତବ୍ୟରେ ଅବହେଳା କରିନି. ସତ୍ୟ ପଥରେ ଚାଲି ଛାତ୍ର ଛାତ୍ରୀଙ୍କୁ ସଦା ଜ୍ଞାନ ବାଣ୍ଟି ଚାଲିବା ସଙ୍ଗେ ସଙ୍ଗେ ସମାଜ ପାଇଁ ଆଲୋକ ବର୍ତ୍ତିକା ସାଜିଛୁ. ତେଣୁ ତୋର ସ୍ବଦେହରେ ଜୀବନ କାଳ ଭିତରେ ଯମାଳୟର ଏହି ଆଲୋକ ଇଲାକା ପରିଦର୍ଶନ କରିବା ଭାଗ୍ୟରେ ଥିଲା. ତା ଛଡା ଗୁରୁ ଗୁରୁଜନଙ୍କ ପ୍ରତି ଭକ୍ତି ଓ ଲଘୁଜନଙ୍କୁ ସ୍ନେହ ପ୍ରେମ ପ୍ରୀତିରେ ତୋର ଶାନ୍ତି. ଠାକୁର ଠାକୁରାଣୀମାନଙ୍କ ପ୍ରତି ତୋର ବିଶ୍ୱାସ ଓ ପିତୃପୁରୁଷଙ୍କ ପ୍ରତି ଥିବା ଶ୍ରଦ୍ଧାରୁ ସେମାନଙ୍କ ନିଶ୍ୱାସ ପଡି ତୁ ଏଠିକି ଆସିଛୁ ମାଆ କାନ୍ତା.ମୁଁ ଏଠିକୁ ଆସି ଯେତେ ଖୁସି ନୁହେଁ ଏଠି ତତେ ଦେଖି ସେତିକି ଖୁସି ବୋଉ. ତୁ ଫେରିଚାଲ ମୋ ସହ. ନାହିଁ ମାଆ ଆଉ ତାହା ସମ୍ଭବ ନୁହେଁ ବରଂ ତୁ ଫେରିଯା. ମହାଳୟାର ସନ୍ତୋଷ ତତେ ଏଠିକି ଆଣିଛି. ବଡବଡିଆ ଡକାର ସନ୍ତୋଷ ଦୀପାବଳୀ ପରେ ତତେ ପୁଣି କୋଉଠି ପହଞ୍ଚାଉଛି ଦେଖିବୁ ମାଆ. ତୁ ଫେରିଯା କାନ୍ତା. ତୁ ମୋ ସହ ଚାଲ ବୋଉ ମୋ ହାତ ଧର. ଚମକି ପଡି ଉଠିଲେ କାନ୍ତା ପୁଅ ହାତ ଧରି ଡାକୁଥିଲା ଉଠ ମାଆ ଦେଖ ମୁଁ କେତେ ପ୍ରକାର ମହମ ବତୀ, ଦୀପ, ଦୀପାଳି, ତେଲ ଆଣିଛି. ଆଲୋକର ପର୍ବ ଦୀପାବଳୀ ପାଳିବା ପରା. ହେଲେ ମୁଁ ତ ଏବେ ଆଲୋକ ଇଲାକାରୁ ଫେରୁଛି. କଣ ଯେ ତୁ କହୁ ସ୍ବପ୍ନ ଦେଖୁଥିବୁ. ଉଠ ଉଠ କହି ପୁଅ ଆଲୋକର ପର୍ବ ପାଇଁ ଆଣିଥିବା ଆଲୋକ ସରଞ୍ଜମ ସଜେଇ ରଖୁଥିଲା. କାନ୍ତା ତଥାପି ଆଲୋକ ଇଲାକାରେ ଥିଲେ.ବୋହୁ ଡାକୁଥିଲା ଆସନ୍ତୁ ମାଆ ରଙ୍ଗୋଲି କରିବା. କାନ୍ତା ମନଦୁଃଖ କରୁଥିଲେ ଆଲୋକ ଇଲାକାରେ ଗାନ୍ଧିଙ୍କୁ ଭେଟିବା ଭୁଲିଯାଇଥିବାରୁ. ବୋଉ ନିଶ୍ଚୟ ଗାନ୍ଧୀଙ୍କୁ ଆଲୋକ ଇଲାକାରେ ଭେଟୁଥିବ. ତାଙ୍କର ଭାରି ଇଛା ଥିଲା ଗାନ୍ଧିଙ୍କୁ ଥରେ ଦେଖିବାକୁ. ହାତ ଛଡା ହେବା କଥା ଭାବି ମନଦୁଃଖ କରୁଥିଲେ କାନ୍ତା. ପୁଅ ହାତ ଧରି ଭିଡୁଥିଲା ଚାଲେ ଚାଲେ ରଙ୍ଗୋଲି କରିବୁ.
ଦୀପାବଳୀ ଦିନ ଖୁବ ଘର ସଜେଇ ଥିଲା କାନ୍ତାଙ୍କ ପୁଅ. ବୋହୁ ରଙ୍ଗୋଲିରେ ଘର ଦ୍ୱାର ସଜେଇବା ସହ ପ୍ରତିଟି ଦୀପରେ ପଟ୍ଟଚିତ୍ର କରି ଖୁବ ସୁନ୍ଦର କରିଦେଇଥିଲା. କାନ୍ତା ପ୍ରତିଟି ଦୀପକୁ ଜଣେ ଜଣେ ପିତୃପୁରୁଷଙ୍କ ନାମରେ ସଜାଡି ରଖିବା ସହ ଗାନ୍ଧି, ଗୋପବନ୍ଧୁ, ଶାସ୍ତ୍ରୀ, ଜବାହାର ତଥା ଅନେକ ସ୍ବାଧୀନତା ସଂଗ୍ରାମୀମାନଙ୍କ ନାମରେ ଦୀପ ସଜାଡୁଥିଲେ. ଚଉରା ମଧ୍ୟ ଖୁବ ଯାକଜମକ ଭାବେ ସଜାଇ ମହମ ବତୀ ସହ ଘିଅ ଦୀପ ସବୁ ପ୍ରତି ପିତୃପୁରୁଷଙ୍କ ନାମରେ ସଜାଡି ବସେଇ ଭୋଗ ପଞ୍ଚୁପତ୍ର ସହ ଦୁଇପଟର ପିତୃପୁରୁଷଙ୍କ ଲାଗି ଭୋଗ ପତ୍ର ବାଢ଼ୁଥିଲେ. ପୁଅ ଯେଉଁସବୁ ବାଣ ଆଣିଥିଲା ତା ଭିତରେ ମୁଖ୍ୟ ଆକର୍ଷଣ ଥିଲା ଏଲି କିନ୍ତୁ ଏଲି ଉଡିଲା ବେଳେ କାଳେ କାହା ଘର ଆଡକୁ ଚଳିଯିବ ଭୟ ରହିଥିଲା କାନ୍ତାଙ୍କ ମନରେ. କିନ୍ତୁ ଦୀପ, ଭୋଗ, ବାଣ, ମହମବତୀ ସଜାଡ଼ିବା ପୂର୍ବରୁ କାନ୍ତା ପ୍ରତିବର୍ଷ ଘରର ପଶ୍ଚିମ ପଟେ ଥିବା ମହାଦେବ ଅନନ୍ତେଶ୍ଵର ଓ ଉତ୍ତର ଦିଗରେ ଥିବା ଘର ସାମ୍ନା ବରଗଛଙ୍କୁ ଦୀପ ଦାନ କରି ଆଶିଷ ମାଗିଥିବାରୁ ଏଲି ଗୁଡିକ ସୁନ୍ଦର ଉଡୁଥିଲା. କାନ୍ତାଙ୍କର ମନେପଡୁଥିଲା ତାଙ୍କ ବୋଉଙ୍କ କଥା ଓ ସ୍ବପ୍ନରେ ବୁଲି ଆସିଥିବା ଆଲୋକର ଇଲାକା କଥା. ପୁଣି ମନେ ପଡୁଥିଲା ଶାଶୁଙ୍କ ସହ ବିତେଇ ଥିବା ଅନୁରାଗର କାହାଣୀ ତ ବାପା ଓ ତିନିମାମୁଁ ଓ ଆଈ ଅଜା ଜେଜେ ଜେଜେମାଆଙ୍କ ସହ ବିତେଇ ଥିବା, ଅଙ୍ଗେଲିଭା ସେଇ ଅପାଶୋରା କାହାଣୀ ସବୁକୁ. ପୁଣି ବାପାଙ୍କୁ ଆଉ ବୋଉକୁ.
ଏତେ କଥା ଭିତରେ ସ୍ୱାମୀ ଫେରିନଥିଲେ. ଦୀପ ଦାନ କରି କାଉଁରିଆ ଜାଳିବେ କୁଆଡେ ଗଲେ ଏଯାଏଁ କହିବା ବେଳକୁ ସ୍ୱାମୀ ଆସି ପହଞ୍ଚିଗଲେ ବ୍ୟାଗରେ କଣ ସବୁ ଭରି ତ ପୁଅ ଭାବୁଥିଲା ବାପା ବାଣ ନେଇଆସିଛନ୍ତି ନିଶ୍ଚୟ, ବୋହୁ ଭାବୁଥିଲା ସଉଦା ଓ ପରିବା. ଖୋଦ କାନ୍ତା ଭାବୁଥିଲେ, ବଡବଡିଆଙ୍କ ପାଇଁ ଫଳ ମୂଳ କିନ୍ତୁ ସ୍ବାମୀ ଭରି ଆଣିଥିଲେ ବ୍ୟାଗରେ ଫୁଲ ଦୀପ. ଏତେସବୁ ଦୀପ ଆଉ କି କାମରେ ଲାଗିବ? ସବୁତ ସଜଡା ସରିଲାଣି କହିବା ବେଳେ ସ୍ୱାମୀ କହୁଥିଲେ ଆରେ ଗୋଟେ ଗରୀବ ବୁଢା ଲୋକ ଏସବୁ ଧରି ଚାରିଦିନ ହେଲାଣି ବସୁଛି ହେଲେ ଏ ସାଧା ସିଧା ମାଟି ଦୀପ ନେବାକୁ ଆଉ କେହି ଆଗ୍ରହ କରୁନାହାଁନ୍ତି. ସମସ୍ତେ ସମୟ ସହ ପରିବର୍ତ୍ତନଶୀଳ. ଟିକେ ପରିବର୍ତ୍ତନ ଖୋଜୁ ଖୋଜୁ ମଣିଷ ବେଳେ ବେଳେ ପରମ୍ପରା ସଂସ୍କୃତି ମଧ୍ୟ ଭୁଲି ଯିବାକୁ ପଛଉନାହିଁ. ବୁଢାଟି ବିଚରା ନଖାଇ ନପିଇ, ହାତ ତିଆରି ଦୀପ ଗୁଡିକ ଧରି ବସିଥିବା ଦେଖି ଦୟା ହେଲା ତ ସବୁ କିଣି ଆଣିଲି. ଚାହିଁଥିଲେ ତାକୁ ସେମିତି କିଛି ସାହାଯ୍ୟ ଦେଇ ପାରିଥାନ୍ତ କହୁଥିଲା ପୁଅ ତ ସ୍ୱାମୀ କହୁଥିଲେ ନା ପ୍ରତ୍ୟେକ ମଣିଷର ସ୍ୱାଭିମାନ ଅଛି. ହଠାତ କାନ୍ତା ଗଣେଷ ଠାକୁରଙ୍କ ଭଳି ସ୍ୱାମୀଙ୍କ ଚାରିପଟେ ବୁଲି ଯାଇ କହୁଥିଲେ ଏଇଠି ମୋ ଗାନ୍ଧି, ଏଇଠି ମୋ ଗୋପବନ୍ଧୁ. ମୁଁ ଆଉ କାହିଁକି ଆଲୋକ ଇଲାକା ଯିବି. ଆଶ୍ଚର୍ଯ୍ୟ ହୋଇ, ସମସ୍ତେ ଚାହିଁଥିଲେ କାନ୍ତାଙ୍କୁ ତ କାନ୍ତା ବୋହୁ ସହ ମିଶି ଦୀପ ଗୁଡିକରେ ତେଲ ବଳିତା ଦେଇ ପିତୃପୁରୁଷଙ୍କ ପାଇଁ ସଜାଡି ରଖୁଥିଲେ. ବଡବଡିଆଙ୍କୁ ଡାକିଲା ବେଳେ କାନ୍ତା ମୁଣ୍ଡିଆ ମାରୁଥିଲେ ସେହି ଜନନାୟକ ଗାନ୍ଧି ଗୋପବନ୍ଧୁଙ୍କୁ ତା ସହିତ ଓଡ଼ିଆ ଜାତିର ସ୍ୱାଭିମାନୀ ମଧୁ ବାରିଷ୍ଟରଙ୍କୁ. ଯାହା ପାଇଁ କଥାଟିଏ ଅଛି, ଏମିତି କାଳିଆ ଘୋଡାରେ ଚଢ଼ିବି... ମଧୁବାବୁ ସଙ୍ଗେ ଲଢ଼ିବି. ତାଙ୍କ ବୁଦ୍ଧି ଓ ମାତୃଭୂମି ଓ ମାତୃଭାଷା ପାଇଁ ଆତମବଳୀର ପଟ୍ଟାନ୍ତର ନାହିଁ. କାନ୍ତାଙ୍କ ଶେଷ କେଇପଦ ଶୁଣି ପୁଅ କହୁଥିଲା ଆଉ କିଏ ରହିଲେ ମନେ ପକା ମାଆ. କାନ୍ତା କହୁଥିଲେ ନାହିଁରେ ଧନ, ତୁ ଆଉ ତୋ ବାପା ପରା ମୋ ଗାନ୍ଧି ଗୋପବନ୍ଧୁ ଓ ମଧୁବାବୁଙ୍କ ନୂତନ ସଂସ୍କରଣ. ପୁଅ ତଥାପି କହୁଥିଲା ଆଉ ତୋ ଦୁଇ ଭାଇ ଓ ଜୋଇଁ. ହଁ ରେ ଧନ ସେମାନେ ମଧ୍ୟ. କାହା ଗୁଣ କହିବି ଆଉ. ସବୁ ଅଙ୍ଗେ ଲିଭେଇ ପିତୃପୁରୁଷଙ୍କୁ ପ୍ରଣାମ କରୁଛି.
ଦୀପାବଳୀ ପରେ ପରେ ପୁଅର ପ୍ରମୋଶନ ହୋଇ ପୁଅ ଦିଲ୍ଲୀ ଗଲା. ବୋହୁ ଆସନ୍ନ ପ୍ରସବା ଜଣା ପଡିଲା. ସ୍ୱାମୀଙ୍କ ସ୍କୁଲକୁ କାନ୍ତାଙ୍କର ବଦଳୀ ହେଲା. ଝିଅ ଘରୋଇ ଏମେସି ପରୀକ୍ଷାରେ ଜୁଲୋଜିରେ ଟପ୍ପର ହେଲା. ଜୋଇଁଙ୍କର ପ୍ରମୋଶନ ହେଲା. ଦୁଇଭାଇ କାନ୍ତାଙ୍କ ପାଇଁ କେତେ ଦରବ ଧରି ଆସିଲେ ଶଙ୍ଖୁଳା ନେଇ, ତାଙ୍କର ସବୁ ମଧ୍ୟ ପ୍ରମୋଶନ ଖବର ଶୁଣି କାନ୍ତାଙ୍କର ତାଙ୍କ ବୋଉଙ୍କ କଥା ମନେ ପଡୁଥିଲା.ସ୍ୱପ୍ନରେ ହେଉ ପଛେ ଆଲୋକ ଇଲାକାରେ ବୋଉକୁ ଭେଟିବା ପରେ ବୋଉ କହିଥିଲା ମନ ଗୁଣେ ଫଳ ଝିଅ, ଯାହାର ପ୍ରଭୁ ଯେଡ଼େ ତାହାର ଭାଗ୍ୟ କେଡେ!ପୁଣି କହିଥିଲା ଦେଖିବୁ ରହ ଦୀପାବଳୀ ପରେ ଆଉ କେତେ କେତେ ଖୁସି ଖବର ପାଇବୁ. ସ୍ବପ୍ନ ସବୁ ସତ ହୁଏ ବୋଲି କାହାକୁ କାହିବେ କିଏ ବା ବିଶ୍ୱାସ କରିବ, ଏମିତି ଭାବୁଥାଆନ୍ତି କାନ୍ତା, ସ୍ୱାମୀ କହିଲେ ଜାଣିଛ କାନ୍ତା କାଲି ରାତିରେ ଗୋଟେ ସ୍ବପ୍ନ ଦେଖିଲି.ଗାନ୍ଧି ଗୋପବନ୍ଧୁ ମଧୁବାବୁ ତିନିହେଁ ଆମ ଘରକୁ ଆସିଥିଲେ ବୋଉଙ୍କ ସହ. ସେମାନଙ୍କୁ ମୁଣ୍ଡିଆ ମାରୁ ମାରୁ କୁଆଡେ ଚାଲିଗଲେ ଆଉ ପାଇଲିନି.ସେମାନେ ସମସ୍ତେ ଆଲୋକ ଇଲାକାରେ ମିଶିକି ରୁହନ୍ତି. ତୁମେ କେମିତି ଜାଣିଲ, ସେମାନେ ସମସ୍ତେ ଆଲୋକ ଇଲାକାରେ ରୁହନ୍ତି ବୋଲି. ମୁଁ ପରା ସ୍ୱପ୍ନରେ ଦେଖିଥିଲି ବୋଉ ମୋର ସେଇଠି ସେମାନଙ୍କ ପାଖେ ରହୁଛି.ସ୍ୱାମୀ ହସୁଥିଲେ ଠୋ ଠୋ. କାନ୍ତା କହୁଥିଲେ ମୁଁ ମିଛ କୁହେନି.
