--------ସଆନ୍ତାଣୀ------- ××××××
--------ସଆନ୍ତାଣୀ------- ××××××


ମା ମା
କିରେ କାଇଁ ଏତେ ଜୋରରେ ଚିଲଉଛୁ କଣ ହେଇଛି କି ସଆନ୍ତଙ୍କ ପ୍ରଶ୍ନ ଶୁଣି ଅଟକି ଯାଇଥିଲା ରତନା । ଆରେ ତତେ କଣ ପଚାରୁଛି ପରା ସେମିତି ଖୁଣ୍ଟଟା ଭଳି ଠିଆ ହେଇଗଲୁଯେ କିଛି କହିବୁ
ନାଇଁ ସେ ମା ଙ୍କୁ ମା ମନ୍ଦିର ଚାଲିଗଲେକି ସାଆନ୍ତେ
ଆରେ ଏମିତି ଥଙ୍ଗ ଥଙ୍ଗ କଣ ହଉଛୁ ? କହ କଣ କହିବାକୁ ଚାହୁଁଛୁ । ନୀଳମଣି ବାବୁ ଏଥର ଟିକେ ଚଢ଼ା ଗଳାରେ ରତନା କୁ ପଚାରିଲେ । ରତନା ସାମାନ୍ୟ ଇତସ୍ତତଃ ହେଇଗଲା ,, ଏଣେତେଣେ ଭୂଇଁକୁ ଦେଖିବାକୁ ଲାଗିଲା ।
ଆରେ ରତନା କଣ ହେଲା ? କାହିଁକି ଏମିତି ବଡ଼ ପାଟି କରୁଛୁ ? ଘର ଭିତରୁ ରତନା କୁ ପ୍ରଶ୍ନ କରିକରି ବାହାରି ଆସିଲେ ସାଆନ୍ତାଣୀ ନିର୍ମଳା ଦେବୀ ,,,। ବହୁତ କିଛି କହିବ ବୋଲି ଧାଇଁ ଆସିଥିବା ରତନା ଶବ୍ଦଶୂନ୍ୟ ହେଇଗଲା ,,। ନିର୍ବାକ ମାଟି ପିତୁଳାଟେ ପରି ତଳକୁ ମୁହଁ ପାତି ଠିଆ ହେଇ ରହିଲା । ନିଳମଣୀ ବାବୁ ରତନା ର ଅସହଜ ଭାବ ପଢ଼ିପାରିଲେ ଆଉ ନିର୍ମଳା ଦେବୀଙ୍କୁ କହିଲେ ତମେ ତମ ରତନା କଥା ଶୁଣ ମୁଁ ଚାଲିଲି ,, ତେଣେ ମୋର କେତେ କାମ ଅଛି । ସେ ଆଜି ପର୍ଯ୍ୟନ୍ତୁ ମୋତେ କିଛି କହିଛି ଯେ ଆଜି କହିବ ? ନିଳମଣୀ ବାବୁ ଚାଲିଗଲେଣି ତଥାପି ରତନା ନୀରବ ।
ଆରେ ରତନା ବାପା କଣ କହିବୁ ପରା
ହଁ ....ମା ...ଆମର ସେ କାକୁଡ଼ି କିଆରୀରେ ଏସନ ଭଲ ଫସଲ ହେଇଛି
ଏଇଆ କହିବାକୁ ଏମିତି ଗୁରାଳି କରୁଥିଲୁ
ନାଇଁ ଯେ ଚିନାବାଦାମ ଫସଲରେ ପତ୍ରମୋଡ଼ା ଲାଗିଗଲେ ଏସନ ,, ମୁଁ ଓଷଦ ପକେଇଦେଇଛି ।
ନିର୍ମଳା ଦେବୀ ରତନା ର କଥାରୁ ବିଚାର କରିନେଲେ ଏଥର ରତନା କିଛି ଗମ୍ଭୀର କଥା କହିବାକୁ ଆସିଛି ,,, ହେଲେ ସାହସ କରିପାରୁନି । ତାର ମନ ମସ୍ତିଷ୍କକୁ ସହଜ କରିବାକୁ କହିଲେ ,,,। କିରେ ସେ ବେପାରୀ ପଇସା ଦେଇଗଲା ନା ନାଇଁରେ ? ସବୁ ବରଷ ସେ ଏମିତି ବାକି ରଖୁଛି ,,। ଗଲା ବର୍ଷର ମୁଗ ନେଲା ଯେ ଏଯାଏ ତାର ପଇସା ଦେଲାନି ,, ଆଉ ଏ ବର୍ଷ ଚିକ୍କଣିଆ କଥା କହି ତିନି କିଆରୀ ଶାଗ ନେଲା ଯେ ଦେଖାନାହିଁ ତାର । ଏଥର ପଇସା ଦେଲେ ତୋ ଝିଅ ପାଖକୁ ପଠେଇବୁ ପରା ।
ରତନା ନୀରବ ହେଲେ ତା ଆଖିରୁ ଠକଠକ ଲୁହ ଝରି ଆସିଲା ।
କିରେ କଣ ହେଇଛି ? ତୋ ଦେହପା ଭଲ ଅଛିତ ?
ନାଇଁ ମା ,,, ମୁଁ ଭଲ ଅଛି ।
ସେ ବେପାରୀ କଣ କହିଲାକି ? ସେ ପଇସା ନଦେଲା ନାହିଁ ତା ସହିତ ଝଗଡ଼ା କରିବୁନି । କେତେ କୁଆଡ଼େ ଯାଉଛି ,,, ସେ ବି ଗରୀବ ଲୋକଟି ,,, ଚାରିଚାରିଟା ପିଲା ତାର । ମୁଁ ତତେ ପଇସା ଦେବି ତୁ ନେଇ ଝିଅକୁ ଦେଇ ଆସିବୁ । ଏତେସବୁ କଥା ନିର୍ମଳା ଦେବୀ କହିଲା ପରେବି ରତନା ନୀରବ । ଆଖିରୁ ତାର ଲୁହ ଝରିବା ବନ୍ଦ ହେଉନି । ଆରେ ଏ ରତନା ଆସିଲୁ ଆସ ଆ...ଏଇଠି ବସ୍ । କଣ ହେଇଛି ବାପା ? କହିଲେତ ଜାଣିବି ? ରତନା ନିର୍ମଳା ଦେବୀ ବସିଥିବା ଚୌକି ପାଖରୁ ଟିକେ ଛାଡ଼ି ମୁଣ୍ଡ ପାତି ବସିଗଲା ।
ମା ... ଆମ ଝିଅ ଲକ୍ଷ୍ମୀକୁ ଆର ଗାଁର ନନ୍ଦ ପଧାନ ପୁଅ ,,, ଯିଏ ଏଇ ନୂଆନୂଆ କଣ ଗୋଟେ ବଡ଼ ଚାକିରୀ କରିଛି ବା ।
ହଁ ତ କଣ ହେଲା ? ନିର୍ମଳା ଦେବୀ ଉତ୍ସୁକତା ବଶତଃ ପଚାରିଦେଲେ ।
ନାଇଁ ମା କିଛି ହେଇନି ,, ସେ ଆମ ଝିଅକୁ ବାହା ହବ ବୋଲି ଆମ ସରପଞ୍ଚ ହାତରେ ଖବର ପଠେଇଛି । ନିର୍ମଳା ଦେବୀ କଣ ଗୋଟେ ଭାବନାରେ ହଜିଗଲେ କେଇ ସମୟ । ନନ୍ଦ ପଧାନ ପୁଅ ଏଇଥର ହାକିମ ହେଇଛି । ଲକ୍ଷ୍ମୀର ବିବାହ ତା ସହିତ !! ବଡ଼ ଖୁସିର କଥା ।
ନୀରବତା ଭାଙ୍ଗି କହିଲେ ଆରେ ଏ ରତନା ଏଥିରେ ଚିନ୍ତା କରିବାରେ କଣ ଅଛି ? ଝିଅର ପରୀକ୍ଷା ତ ସରିଯିବା ଉପରେ ,, ତୁ ତାକୁ ପଇସା ଦେଇକି ଆସିଲେ ସେ ପରୀକ୍ଷା ସରିଲେ ଘରକୁ ଆସୁ ଛୁଟିରେ ତାପରେ ଦେଖିବା ।
ନାଇଁ ମା ,, ମୁଁ ତ ମୂର୍ଖଟେ । ତମେ ତ ତାର ଭଲମନ୍ଦ ବୁଝିଛ ଆଜିଯାଏ ,, । ମା ଛେଉଣ୍ଡ ଝିଅଟାଏ । ଏଇ ଘର ପରିବାର ଛାଡ଼ିଲେ ମୋର ବା କିଏ ଆଉ ଅଛି ?
......ହଉ ତୁ ଯା ଜଳଖିଆ କରିବୁ ,, ମୁଁ କଥାହେବି । ଆଉ ଏ କାନ୍ଦଣା ବନ୍ଦ କର । ରତନା ନିଜ କାନ୍ଧ ଗାମୁଛାରେ ଆଖିଲୁହ ପୋଛି ପୋଛି ଚାଲିଗଲା । ନିର୍ମଳା ଦେବୀ ମଧ୍ୟ ଘର ଭିତରକୁ ଚାଲିଗଲେ । ନୀଳମଣି ବାବୁଙ୍କ ଆଗରେ ରତନା କହିଯାଇଥିବା କଥା କହିଲେ । ନୀଳମଣି ବାବୁ ଖୁସି ହେବା ସଙ୍ଗେସଙ୍ଗେ , ଚିନ୍ତିତ ବି ହେଇଗଲେ । ଆଉ ନିର୍ମଳା ଦେବୀଙ୍କୁ କହିଲେ
ତମେ ତ ଜାଣିଛ ରତନା ଏ ଘରର ସଦସ୍ୟ । ବାପା ଥିଲାବେଳେ ମାତ୍ର ପନ୍ଦର ବର୍ଷ ବୟସରେ ତାକୁ ଏ ଘରକୁ ଆଣିଥିଲେ । ସେହିଦିନ ଠାରୁ ରହିଛି ଯେ ରହିଛି । ବାପା ତ ଶେଷ ପର୍ଯ୍ୟନ୍ତ ତାକୁ ପାଖେପାଖେ ରଖିଥିଲେ । ଏ ଦୁନିଆଁରେ ତାର ନିଜର ବୋଲିବି କେହି ନାହାଁନ୍ତି । ସାହି ଭିତରେ ଘରଟିଏ ତୋଳାଇ ଦେଲେ ତାପାଇଁ । ଦିନସାରା ଘରୁ ଆରମ୍ଭ କରି ଜମିବାଡ଼ିରେ ଲାଗିଥିବ । ବାପା ତାକୁ ବାହା ଦେଲେଯେ ,,, କି ମନ୍ଦ କପାଳିଆଟା କେଜାଣି ,, ଲକ୍ଷ୍ମୀକୁ ଜନ୍ମ ଦେଇ ତା ସ୍ତ୍ରୀ ଆରପାରିକୁ ଚାଲିଗଲା । ଦ୍ଵିତୀୟ ବିବାହ କରେଇବାକୁ ବାପା ମନ ଦେଇଥିଲେ ହେଲେ ସେ ନିଜେ ମନା କରିଦେଲା । ଏ କଥାତ ତମ ଆଗରେ ଘଟିଛି ,,, ସବୁ ।
ହଁ ମୋର ସବୁ ମନେଅଛି । କହିଲା ଆଜ୍ଞା ତିନିଟି ପିଲା ଅଛନ୍ତି ସେଇ ମାନଙ୍କୁ ଚାହିଁ ଚାହିଁ ଦିନ କାଟିଦେବି ଆଉ ବାହାସାହା ହେବିନି । ଆମର ଦୁଇଟି ପିଲାଙ୍କୁ ସେ ନିଜର ଭାବିନେଇଥିଲା ଏ ଘରପରି ।
ହଁ ଠିକ କହୁଛ । ବାପା ଶେଷ ବେଳକୁ ମୋତେ ରତନା ବିଷୟରେ ହିଁ କହିଥିଲେ । ତାର ଭଲମନ୍ଦ ବୁଝିବାକୁ ମୋ ପାଖରୁ ପ୍ରତିଜ୍ଞା ନେଇଥିଲେ । ସେଦିନ ବାପାଙ୍କ ଜୀବନରେ ଆଉ ଏ ଘରର ଉନ୍ନତିରେ ରତନା ଅବଦାନକୁ ବାପା କହିଥିଲେ ମୋ ଆଗରେ । ସେ ଏ ଘରର ବି ଗୋଟେ ପୁଅ । ତାପରେ ଝିଅ ଲକ୍ଷ୍ମୀ ପ୍ରତି ତମର ଆଦର ଆଉ ମାତୃତ୍ୱବୋଳା ଆବିଳତା ଦେଖି ମୁଁ ଚିନ୍ତାମୁକ୍ତ ହେଇଯାଇଥିଲି । ତମରି କୋଳରେ ବଢ଼ିଛି ସେ , ସେ ତ ରତନା ର ଝିଅ କମ ଆଉ ତମର ଅଧିକ ,, । ଏତେ ଚିନ୍ତା କାଇଁ କରୁଛ ,,,? ରତନା କାନ୍ଧରେ ଆମର ଦୁଇପିଲା ମଣିଷ ହେଇ ଆଜି ପ୍ରତିଷ୍ଠିତ ହେଇ ପାରିଛନ୍ତି । ଲକ୍ଷ୍ମୀ ପାଇଁ ତମ ମନରେ ଯାହାବି ଅଛି ବିନା ଦ୍ବିଧାରେ ତମେ କର । ମୋର ପୂର୍ଣ୍ଣ ସମର୍ଥନ ତମକୁ । ଭଗବାନ ତ ଆମକୁ ଝିଅଟିଏ ଦେଲେନି ,, ହେଲେ ଲକ୍ଷ୍ମୀ ଏ ଘରର ଲକ୍ଷ୍ମୀ । ଏ ଘରର ଝିଅ ସେ ,, ଏଇ ଅଗଣା , ଘରର ଆସବାଵ ବେସ ପରିଚିତ ଲକ୍ଷ୍ମୀ ସହିତ ।
ନୀଳମଣି ବାବୁଙ୍କ କଥାଶୁଣି ନିର୍ମଳା ଦେବୀ ଆଶ୍ୱସ୍ତିର ଦୀର୍ଘଶ୍ଵାସ ଟିଏ ପକାଇ ଲକ୍ଷ୍ମୀର ଆଗାମୀ ଭବିଷ୍ୟତ ଚିନ୍ତାରେ ଲାଗିପଡ଼ିଲେ । ଲକ୍ଷ୍ମୀର ବିବାହ ପ୍ରସ୍ତାବ ଦେଇଥିବା ସରପଞ୍ଚ ଙ୍କୁ ଡକାଇ ନନ୍ଦ ବାବୁଙ୍କର ଆଭିମୁଖ୍ୟ ଜାଣିଲେ । ସରପଞ୍ଚଙ୍କୁ ତାଙ୍କ କଥାବାର୍ତ୍ତା ବିଷୟରେ ନନ୍ଦ ବାବୁ କି ରତନା କୁ ଜଣାଇବାକୁ ମନାକଲେ । ଏଭିତରେ ଲକ୍ଷ୍ମୀର ପରୀକ୍ଷା ଶେଷହେଲା ,, ଗାଁକୁ ଫେରି ଦଉଡ଼ି ଗଲା ଲକ୍ଷ୍ମୀ ନିଜର ମା ଭାବୁଥିବା ନିର୍ମଳା ଦେବୀଙ୍କ ପାଖକୁ । ମା ର ପ୍ରତିଟି କର୍ତ୍ତବ୍ୟ ସମ୍ପାଦିତ କରିଛନ୍ତି ନିର୍ମଳାଦେବୀ ଲକ୍ଷ୍ମୀ ପ୍ରତି । ଲକ୍ଷ୍ମୀ ବି ତାଙ୍କୁ ମା ର କୌଣସି ଅଧିକାରରୁ ବଞ୍ଚିତ କରିନି । ଲକ୍ଷ୍ମୀ ତ ଦିନରାତି ସେଇଘରେ । ନିଜର କୁଡ଼ିଆକୁ ଆସିବାକୁ ମନେ କରେନି । ମଣିଷର ଏସବୁ ସ୍ୱଭାବଗତ ବ୍ୟବହାର । ସ୍ନେହ ମମତା ଯେଉଁଠି ପାଇଲା ସେଇ ହିଁ ତାର ଆପଣାର । ସେହିଁ ତାର ନିଜର । ଲକ୍ଷ୍ମୀକୁ ନିର୍ମଳାଦେବୀଙ୍କ ଘରର କୌଣସି କୋଣ ବାରଣ ନଥିଲା । ଏମିତି କି ରୋଷେଇ ଘର ମଧ୍ୟ ।
ଦିନେ ସମୟ ଦେଖି ନିର୍ମଳା ଦେବୀ ଲକ୍ଷ୍ମୀକୁ ପାଖକୁ ଡାକିଲେ । ଆଉ ତା ବିବାହ ପ୍ରସ୍ତାବ ବିଷୟରେ ସିଧାସିଧା କଥାହେଲେ । ଆଉ ଯଦି ସେ କାହାକୁ ପସନ୍ଦ କରୁଛି ତାହେଲେ ତା ସହିତ ତାର ବିବାହ କରିଦେବାର ପ୍ରତିଶୃତି ବି ଦେଲେ । କାହିଁକି କେଜାଣି ଲକ୍ଷ୍ମୀ କୁନି ପିଲାଟିଏ ପାଲଟି ଗଲା । ନିର୍ମଳା ଦେବୀଙ୍କ କୋଳରେ ଲୋଟିଗଲା । କଇଁ କଇଁ ସକେଇ କାନ୍ଦିବାକୁ ଲାଗିଲା ।
ଆରେ ଏ ମା ,, ଏମିତି କାନ୍ଦୁଛୁ କଣ ? ତୁ ରାଜି ନହେଲେ ଏ ବାହାଘର ବନ୍ଦ । ତୁ ବି ସେ ନନ୍ଦ ପ୍ରଧାନ ପୁଅକୁ ଜାଣିଥିବୁ । ରାଜକୁମାର ପରି । ତାପରେ ଉଚ୍ଚଶିକ୍ଷିତ ଆଉ ହାକିମ ବି ହେଇଛି ଏବେ । ଲକ୍ଷ୍ମୀର କାନ୍ଦଣା କିନ୍ତୁ ବନ୍ଦ ହେଉନଥିଲା । ମୋ ସୁନାଝିଅଟା କାନ୍ଦେନି ,, ତୁ ଯଦି କାହାକୁ ପସନ୍ଦ କରିଛୁ ମୋର କିଛିବି ଅଭିଯୋଗ ନାହିଁ । ସମସ୍ତଙ୍କ ବିରୋଧ ସତ୍ତ୍ୱେ ମୁଁ ତୋର ବାହାଘର ତୋ ପସନ୍ଦର ପୁଅ ସହିତ କରାଇବି । ଆଉ ଯଦି ତୁ କିଛି ନକହିବୁ ,,, ଦେଖେ ସତ କହୁଛି ମୁଁ ବି ଆଖିରେ ଆନ୍ଦୋଳିତ ଜଳକୁ ଆଉ ଅଟକେଇ ପାରିବିନି । ଲକ୍ଷ୍ମୀ ଆହୁରି ଅଧୈର୍ଯ୍ୟ ହେଇ ଉଠିଲା । ପିଲାଦିନରୁ ମା ର ମୁହଁ ଦେଖିନଥିବା ପିଲାଟି ପାଇଁ ଏ ମୁହୂର୍ତ୍ତ ଅମୃତ ସମାନ । ନିଜକୁ ସମ୍ଭାଳି ଲକ୍ଷ୍ମୀ କହିଲା ,,,
ମା .... ମୁଁ ପାଠପଢ଼ା ବ୍ୟତୀତ ଅନ୍ୟ କୌଣସି ବିଷୟରେ ଚିନ୍ତା କରିବାକୁ ଚାହିଁନି । ଆପଣଙ୍କର ବଦାନ୍ୟତାକୁ ମୁଁ କେବେବି ତଳେ ପଡ଼ିବାକୁ ଦେଇନି । ମୋ ବାପା ମୋ ପାଇଁ ଚିନ୍ତିତ ଜାଣି ବହୁତ ଖୁସି ଲାଗିଲା । ମା ଆପଣ ତ ଜାଣିଛନ୍ତି ଆପଣ ଖାଇବାକୁ ନକହିଲା ଯାଏ ସେ ଖାଇନଥିବେ ସୁଦ୍ଧା । ହେଲେ ମୋ ପାଇଁ ତାଙ୍କ ଚିନ୍ତା ମୁଁ ତ ସବୁବେଳେ ତାଙ୍କରି ବିଷୟରେ ଭାବିହୁଏ ।
ଆଜିକାଲିର ସମୟରେ ଯେଉଁଠି ମାନବିକ ମୂଲ୍ୟବୋଧ ନିରର୍ଥକ ସେଭଳି ସମୟରେ ମୋ ବାପାଙ୍କ ଭଳି ମଣିଷ ତିଷ୍ଠିରହିବା କେବଳ ଆପଣଙ୍କ ଛାତ୍ରଛାୟାରୁ ହିଁ ସମ୍ଭବ । ଆପଣ ଆଉ ବଡ଼ବାପା (ନୀଳମଣି ବାବୁ) ତ ମୋର ସର୍ବସ୍ୱ ,,, ମୋପରି ଅଭାଗିନୀ ଆଜି ଉଚ୍ଚଶିକ୍ଷିତା କେବଳ ଆପଣଙ୍କ ପାଇଁ ଆଉ ଜଗା ବଳିଆ ପରି ଭାଇ ଦୁଇଟି । ସବୁ ସମୟରେ ମୋର ଭଲମନ୍ଦ ବୁଝୁଛନ୍ତି । ତାଙ୍କ ସାଙ୍ଗରେ ଯେବେଯେବେ କୌଣସି କାମରେ ବାହାରକୁ ଯାଇଛି ,, ମନମୋର କୁଣ୍ଢେମୋଟ ହେଇଯାଏ । ସେମାନଙ୍କ ଆଖିର ତାରା ମୁଁ ,,, ହାତ ଚକିରେ ବସେଇଛନ୍ତି ମତେ । ଆଉ ମୋ ବାପାଙ୍କୁ ସେମାନଙ୍କର ସମ୍ମାନ ଦେବା ସେମାନଙ୍କ ବିଶାଳ ହୃଦୟର ପରିଚୟ ,,, ଆଉ କଣ ଦରକାର ମା ମୋର ?
ଲକ୍ଷ୍ମୀ କଥାଶୁଣି ନିର୍ମଳା ଦେବୀ ଆଉ ନିଜର କୋହକୁ ଅଟକାଇ ପାରିଲେନି । ଲକ୍ଷ୍ମୀକୁ କୋଳେଇ ନେଲେ ,,, ଲଗେଇ ଦେଲେ ନିଜର ଛାତିରେ । ମନେମନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଲକ୍ଷ୍ମୀପରି ଝିଅଟିକୁ ତାଙ୍କୁ ଉପହାର ଦେଇଥିବାରୁ ।
ମା ଆପଣଙ୍କର ସେ ବିବାହ ପ୍ରସ୍ତାବରେ ମୁଁ ରାଜି ,, ହେଲେ ....
ହେଲେ କଣ ଝିଅ କହ ନିର୍ଭୟରେ କହ ତ ମନକଥା ।
ମା ବିବାହ ପରେ ମୁଁ ମୋର ପାଠପଢ଼ା ଜାରି ରଖିବାକୁ ଚାହୁଁଛି ।
ଏଇ ଗୋଟେ କଥା । ଲକ୍ଷ୍ମୀକୁ କୋଳରେ ଧରି କେତେ କଣ ଭାବିବା ସଙ୍ଗେ ସଙ୍ଗେ ଲକ୍ଷ୍ମୀକୁ ଗେହ୍ଲା କରିବାରେ ଲାଗିଥାନ୍ତି । ଏଇ ସମୟକୁ ବୋଧେ ଲକ୍ଷ୍ମୀ ଆଉ ନିର୍ମଳା ଦେବୀ ଅପେକ୍ଷା କରି ରହିଥିଲେ । ତାପରଦିନ ନିର୍ମଳା ଦେବୀ ସରପଞ୍ଚଙ୍କ ହାତରେ ଖବର ପଠେଇ ନନ୍ଦ ବାବୁ ଓ ତାଙ୍କ ପୁଅକୁ ଡାକିଲେ ଲକ୍ଷ୍ମୀର ବିବାହ ବିଷୟରେ ଆଲୋଚନା କରିବାକୁ ।
ନନ୍ଦବାବୁ ସାମ୍ନାରେ ସପତ୍ନୀକନୀଳମଣି ବାବୁଙ୍କୁ ଦେଖି କାଳ ବିଳମ୍ବ ନକରି ,, ଲକ୍ଷ୍ମୀପରି ସର୍ବଗୁଣ ସମ୍ପନ୍ନ ସୁଗୁଣା କନ୍ୟାରତ୍ନକୁ ନିଜର ବୋହୁ କରିନେବାର ଅଭିଳାଷ ପ୍ରକଟ କରିଦେଲେ । ନୀଳମଣି ବାବୁ ପୂର୍ବରୁ ନିର୍ମଳା ଦେବୀଙ୍କ ପାଖରୁ ଶୁଣିଥିବା ଲକ୍ଷ୍ମୀର ମନ କଥା ରଖିଲେ ନନ୍ଦବାବୁଙ୍କ ନିକଟରେ । ଅଧୁନା ସମାଜ ଆଧୁନିକ ଶିକ୍ଷିତ ଯୁବକମାନଙ୍କ ମତକୁ ପ୍ରାଧାନ୍ୟ ଦେଇ କଥା ଅଟକିଲା ତାଙ୍କ ପୁଅ ବିରଞ୍ଚିର ମତାମତ ପାଖରେ ।
ଶିକ୍ଷିତ ଯୁବକ ବିରଞ୍ଚି ଲକ୍ଷ୍ମୀର ଇଚ୍ଛାକୁ ବିନା ଦ୍ବିଧାରେ ସମର୍ଥନ ଜଣାଇଲା । ବିବାହ ଯୋଗ୍ୟ ବରକନ୍ୟା ଉଭୟେ ଉଭୟଙ୍କୁ ପସନ୍ଦ ମଧ୍ୟ ଆସିଥିଲେ । ବିରଞ୍ଚିର କୌଣସି ଯୌତୁକ ଦରକାର ନାହିଁ ବୋଲି ସେ ଖୋଲାଖୋଲି ଭାବେ ଜଣାଇ ଦେଲା । ନୀଳମଣି ବାବୁ ନିଜର ଖାତିର ପାଇଁ ଦୁଇଶହ ବରଯାତ୍ରୀ ସହ ଆସିବାକୁ ନନ୍ଦ ବାବୁଙ୍କୁ କହିଲେ । ବାହାଘରର ଦିନ ନିର୍ଘଣ୍ଟ ହେଇଗଲା ।
ନୀଳମଣି ବାବୁ ଲକ୍ଷ୍ମୀ ବିବାହର ସମସ୍ତ ଦାୟିତ୍ୱ ନିର୍ମଳା ଦେବୀଙ୍କ ଉପରେ ଛାଡ଼ିଦେଇ ତାଙ୍କରି ନିର୍ଦେଶରେ ସବୁ ଯୋଗାଡ଼ କରି ଚାଲିଲେ । ନିର୍ମଳା ଦେବୀ ଦୁଇ ପୁଅଙ୍କୁ ଲକ୍ଷ୍ମୀର ବାହାଘର ଖବର ଦେଇ ତୁରନ୍ତ ଆସିବାକୁ ଆଦେଶ ଦେଲେ । ଲକ୍ଷ୍ମୀର ସୁରକ୍ଷା କବଚ ସାଜିଥିବା ତାର ଜଗା ବଳିଆ ସଦୃଶ ଦୁଇଭାଇ ସପ୍ତାହେ ପୂର୍ବରୁ ପହଞ୍ଚି ସାରିଥିଲେ । ଲକ୍ଷ୍ମୀର ବାହାଘର ଲାଗି ପାଞ୍ଚ ଖଣ୍ଡ ଗାଁକୁ ଭୋଜିରେ ଆପ୍ୟାୟିତ କରିବାକୁ ନିର୍ମଳାଦେବୀ ସ୍ଥିର କରିଥିଲେ । ବାହାଘର ସକାଳୁ ସକାଳୁ ରୋଷେୟା ମାନେ ପହଞ୍ଚି ନିଜ ନିଜର କାମରେ ଲାଗିଗଲେ ।
ହେଲେ ରତନା ସେ ସବୁ ଆୟୋଜନ ବିଷୟରେ କିଛି ବୁଝେନା ,,। ବାହୁଙ୍ଗିରେ ଗଗରା ଦେଇ ପାଣି ବୋହିବାକୁ ସଜ ହେଉଥାଏ । ନୀଳମଣି ବାବୁ ରତନା ହାତ ଧରି ଭିଡ଼ି ଆଣିଲେ ତା କୁଡ଼ିଆ ଭିତରକୁ । ନୂଆ ସମ୍ବଲପୁରୀ ଯୋଡ଼ ବଢ଼େଇଦେଲେ ରତନା ଉଦ୍ଦେଶ୍ୟରେ ,, ଆଉ ତା ସାଙ୍ଗକୁ କପା ପଞ୍ଝାବି । ରତନା ଝିଅ ପାଖକୁ ଗଲାବେଳେ ଦେହରେ ଜାମା ଖଣ୍ଡେ ଦେଇକି ଯାଏ । ସେପୁଣି ନିର୍ମଳା ଦେବୀଙ୍କ ଗାଳିକରିବା ପରେ । ରତନା ବହୁ ନା ନୁକର କରି ସେ ପୋଷାକ ପିନ୍ଧିଲା । ତା କୁଡ଼ିଆ ବାହାରେ ଗୋଟେ ଚୌକି ପକେଇ ନୀଳମଣି ବାବୁ ବସେଇ ଦେଲେ ରତନା କୁ । ତାଙ୍କର ଦୁଇପୁଅ ସମସ୍ତ କଥା ବୁଝୁଥାନ୍ତି ବିବାହ ଉତ୍ସବର ।
ନାନା ବ୍ୟଞ୍ଜନର ବାସ୍ନାରେ ମହକି ଗଲା ଚାରିଦିଗ । ପୁରା ଗାଁକୁ କନିଆଁ ପରି ସଜେଇଛନ୍ତି ଲକ୍ଷ୍ମୀର ଦୁଇଭାଇ ନିଜ ଦାୟିତ୍ୱରେ । ଭୋଜି ଆରମ୍ଭ ହେଇଗଲା । ଏତେବଡ଼ ଭୋଜି ଏ ଆଖପାଖ ପଚାଶ ଖଣ୍ଡ ଗାଁରେ କେହି ଦେଇ ନଥାନ୍ତି । ଏମିତିକି ନିଳମଣୀ ବାବୁ ନିଜର କୌଣସି କାମକାର୍ଯ୍ୟରେ ବି ଏମିତି ଭୋଜିର ବ୍ୟବସ୍ଥା କରି ପାରିନାହାଁନ୍ତି । ଭୋଜି କୁ ଆସୁଥିବା ସମସ୍ତେ ଭୁରିଭୁରି ପ୍ରଶଂସା କରୁଥାନ୍ତି । ସବୁରି ମୁହଁରେ ଗୋଟିଏ କଥା ,,, ରତନା ଟା କପାଳିଆ ଟା ।
ରତନା ଆଖିରୁ କିନ୍ତୁ ଲୁହ ଶୁଖୁନି । କାନ୍ଧର ପାଟ ଗାମୁଛା ଭିଜି ସାରିଲାଣି ସମ୍ପୂର୍ଣ୍ଣ । ନିର୍ମଳା ଦେବୀ ନିଜେ ସବୁ କାମରେ ଲକ୍ଷ୍ୟ ରଖିଥାନ୍ତି । ଉଜ୍ଜଳ ଘରକୁ ଭୋଜି ପଠେଇବା , ଭଣ୍ଡାରି ପୁଅକୁ ବାଢ଼ିଦେବା ସବୁ ନିଜେ କରୁଥାନ୍ତି । ଭଣ୍ଡାରୀ ପୁଅ ଚଗଲା ନାନା ବ୍ୟଞ୍ଜନ ନେଇ ଘରକୁ ଫେରିଲା ବେଳେ କହୁଥାଏ । ମୁଣ୍ଡରେ ବାଳ ପାଚିଲାଣି ଭୋଜି ଦେଖିଦେଖି ହେଲେ ଏ ଭୋଜିର ସମକକ୍ଷ କେହି ହେବେନି । ରତନା ଖାଲି ଦାଣ୍ଡ ବାଡ଼ି ବୁଲିବୁଲି ଭିଜା ଆଖିକୁ ନିଜର ପାଟ ଗାମୁଛାରେ ଶୁଖାଉ ଥାଏ ।
ଭୋଜି ଶେଷରେ ସମସ୍ତଙ୍କୁ ବିଦାବିଦି କରି ବେଦୀ ସଜାରେ ଲାଗି ପଡ଼ିଛନ୍ତି ଦୁଇଭାଇ । ଭୋଜିର ଧାଁ ଦଉଡ଼ ରେ ସାମାନ୍ୟ କ୍ଳାନ୍ତ ହେଇ ନିର୍ମଳା ଦେବୀ ସେଇଠି ଚୌକି ପକେଇ ବସିଛନ୍ତି । ନିଜର ସମସ୍ତ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରିତ କରିଛନ୍ତି ଲକ୍ଷ୍ମୀର ବିବାହକୁ । ସଞ୍ଜ ଗଡ଼ିଲା ଦିଅଁ ମଙ୍ଗୁଳା ପାଣିରେ ଲକ୍ଷ୍ମୀର ମଙ୍ଗୁଳା କାମଟା ସରିଗଲା । ଲକ୍ଷ୍ମୀ କିନ୍ତୁ ସବୁ ଦେଖୁଥାଏ ,, ଆଶ୍ଚର୍ଯ୍ୟ ନହେଲେ ବି ଅବାକ । ସେ ତା ମା ଅର୍ଥାତ ନିର୍ମଳା ଦେବୀଙ୍କ ସାମର୍ଥ୍ୟ ଓ ବଦାନ୍ୟତା ବିଷୟରେ ଭଲଭାବେ ଅବଗତ ।
ସନ୍ଧ୍ୟାରେ ଦାଣ୍ଡ ଦୁଲୁକେଇ ରୋଷଣୀ କରି ଦୁଇଶହ ରୁ ଉର୍ଦ୍ଧ୍ବ ବରଯାତ୍ରୀଙ୍କ ସହ ଯେତେବେଳେ ବିରଞ୍ଚି ବର ସାଜି ଗାଁରେ ପ୍ରବେଶ କଲା ,, ଗାଁ ଲୋକଙ୍କ ଆଖିଟେରା !! ଏମିତିଆ ରୋଷଣୀ ଆଗରୁ କେବେ ଦେଖିନଥିଲେ ଏ ଗାଁରେ । ନନ୍ଦ ବାବୁ ବି ଥିଲାବାଲା ଲୋକ । ନିଜର ହାକିମ ପୁଅଲାଗି ଯୋଗ୍ୟା ବୋହୂଟିଏ ପାଇଛନ୍ତି ଯେତେବେଳେ ତାଙ୍କ ଖୁସିକୁ ବି କୁଣ୍ଢ ପାଉନଥିଲା । ଏପଟେ ବର ସହିତ ବରଯାତ୍ରୀ ମାନଙ୍କୁ ପାଛୋଟି ଆଣିବାକୁ ଲକ୍ଷ୍ମୀର ଦୁଇଭାଇଙ୍କ ସହ ଗାଁର ଯୁବକ ମାନେ ପ୍ରସ୍ତୁତ । ବର ପହଞ୍ଚି ଗଲା ରତନା ର କୁଡ଼ିଆ ନିକଟରେ । ବର ବସିବାକୁ ପଡ଼ିଶା ଘରେ ବ୍ୟବସ୍ଥା କରାଯାଇଥିଲା ।
ହେଲେ ବରକୁ ବରଣୀ କରିବାକୁ କେହି ନାହାଁନ୍ତି । ରତନା ସେ ଜାଗାରେ ନାହିଁ । ସମୟ ଗଡ଼ି ଯାଉଛି । ଖୋଜାଖୋଜି କରି ଘର ପଛପଟୁ ରତନା କୁ ଧରି ଆଣିଲେ ନୀଳମଣି ବାବୁଙ୍କର ଦୁଇ ପୁଅ । ଯେତେ ଯିଏ କହିଲେବି ରତନା କୌଣସି ପ୍ରତିକ୍ରିୟା ଦେଉନଥାଏ । ତା ଆଖି ଯେମିତି କାହାକୁ ଖୋଜୁଥାଏ । ନନ୍ଦ ବାବୁବି ମନରେ ଅନେକ ଆଶଙ୍କା ପୋଷି ସାରିଲେଣି । ଘର ଭିତରୁ ନିର୍ମଳା ଦେବୀ ମୁଣ୍ଡରେ ଓଢଣା ଦେଇ ବାହାରି ଆସିଲେ ।
କିରେ କଣ ହେଲା ? କାହିଁକି ଠିଆ ହେଇଛୁ ? ଯା ବରକୁ ପାଛୋଟି ନେ ।
ରତନା ଆଉ ନିଜକୁ ସମ୍ଭାଳି ପାରିଲାନି ,,, ଲମ୍ବ ହେଇ ପଡ଼ିଗଲା ନିର୍ମଳା ଦେବୀଙ୍କ ପାଦତଳେ । ଭୋ ଭୋ ହେଇ କାନ୍ଦି ଉଠିଲା । ପରିବେଶ ଶୋକାକୁଳ ହେଇଗଲା । ମା ସଆନ୍ତାଣୀ ଆଉ କେତେ ଦେବ ଏ ରତନା କୁ ? ତମେ କଣ ଜାଣିନ ମୁଁ କନ୍ୟାଦାନ କରିପାରିବିନି । ଲକ୍ଷ୍ମୀର ମା ନାହିଁ ପରା । ଏତେସବୁ ତ ଦେଇସାରିଲେଣି ଆଉ ଗୋଟିଏ ଦୟା କର ଏ ରତନା ଉପରେ । ବେଦୀରେ ବସି ଆପଣ ଅଗ୍ନିକୁ ସାକ୍ଷୀରଖି ତାର ବାପା ମା ହେଇଯାନ୍ତୁ । ଛୋଟ ମୁହଁରେ ବଡ଼ କଥାକୁ କ୍ଷମା କର ସାଆନ୍ତାଣୀ ।
ବୃଦ୍ଧା ନିର୍ମଳା ଦେବୀଙ୍କ ହଳଦୀ ରଙ୍ଗର ମୁହଁରେ ଦେଖାଦେଲା ମୁକ୍ତା ସଦୃଶ ଦୁଇଧାର ଲୁହ ,,, ଯାହା ଅଟକି ଯାଉଥିଲା ତାଙ୍କ କଳାପାନ ହେମ ନାକଫୁଲରେ । ନିସ୍ତବ୍ଧ ସମସ୍ତେ । ଭିଡ଼ ଭିତରୁ ନିଳମଣୀ ବାବୁ ଆଗକୁ ବାହାରି ଆସି ରତନା କୁ ଉଠେଇ କୋଳାଗ୍ରତ କଲେ । ତାଙ୍କରି କାନ୍ଧରେ ମୁଣ୍ଡ ରଖି କାନ୍ଦିକାନ୍ଦି ରତନା କହିଲା ,,
ସାଆନ୍ତେ ତମର କଣ ମନେନାହିଁ ,, ବଡ଼ ସାଆନ୍ତ ପରା କହିଥିଲେ ତମେ ମୋର ବଡ଼ଭାଇ ,,, ଏ ମୂର୍ଖ ରତନା ର ଦାୟିତ୍ୱ ପରା ତମରି ହାତରେ ଟେକି ଦେଇଥିଲେ । ଲକ୍ଷ୍ମୀକୁ କେବେବି ମୁଁ ମୋର ବୋଲି ଭାବିନି । ସେ ତମର ସାଆନ୍ତେ ସେ ତମର । ଏ ରତନାର ସେବାରେ କଣ କିଛି ଅଭାବ ରହିଗଲାକି ଆଜି ବର ବରଣୀ ପାଇଁ ରତନା କୁ ଖୋଜପଡ଼ିଲା ? ମା ସଆନ୍ତାଣୀ ଆଉ ତମେ ଆଜି ସକାଳୁ ପରା ପାଣି ବୁନ୍ଦାଟେ ବି ପିଇନ ।
ନୀଳମଣି ବାବୁଙ୍କ ପାଖରେ କିଛିବି ଶବ୍ଦ ନଥିଲା କହିବାକୁ ,,। ତାଙ୍କ ଆଖିର ଲୁହରେ ରତନା କୁ ସେ ଭିଜେଇ ଭିଜେଇ ଚାଲିଥିଲେ । ନିଳମଣୀ ବାବୁ ନିର୍ମଳା ଦେବୀଙ୍କୁ ଆଖି ଟେକି ଚାହିଁଲେ । ଇଙ୍ଗିତରେ ନିର୍ଦେଶ ଦେଇଦେଲେ ନିର୍ମଳା ଦେବୀ ,,, ଆରମ୍ଭ ହେଇଗଲା ମନ୍ତ୍ରଚାରଣ ,,,। ବର ସାଜିଥିବା ବିରଞ୍ଚିକୁ ନୀଳମଣି ବାବୁଙ୍କ ଦୁଇପୁଅ କାନ୍ଧରେ ବୋହିନେଲେ ବ୍ୟବସ୍ଥା କରାଯାଇଥିବା କୋଠରୀକୁ ,,।
ବେଦୀରେ ବସି ନୀଳମଣି ବାବୁ ଲକ୍ଷ୍ମୀକୁ ଟେକି ଦେଲେ ବିରଞ୍ଚି ହାତରେ ଝିଅର ଦଶଦୋଷ କ୍ଷମା କରିବାର ପ୍ରତିଶୃତି ନେଇ । ରାତ୍ରୀ ନୀରବତାରେ ଚାରିଦିଗ ଫାଟି ପଡ଼ୁଥିଲା ମନ୍ତ୍ର ଉଚ୍ଚାରଣରେ । ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହଥିଲା । ହେଲେ ସେ ଦୁଃଖର ଲୁହ ନଥିଲା ,,,। ସେ ଲୁହଥିଲା ଖୁସିର । ବିବାହ ସମ୍ପନ୍ନ ହେଇଗଲା । ବର କନିଆଁ ବିଦାୟ ବେଳେ ଚାରିଚାରିଟା ଗାଡ଼ି ଭର୍ତ୍ତି କରି ନିର୍ମଳା ଦେବୀ ଭାର ପଠେଇଲେ ।
.....ବିଦାୟ ସମୟରେ ଲକ୍ଷ୍ମୀ ଆଖିରେ ଲୁହ ନଥିଲା । ଜଳଜଳ ହେଇ ଖାଲି ସେ ମମତାମୟୀଙ୍କୁ ଚାହୁଁଥିଲା ,,। ମନେମନେ ସଙ୍କଳ୍ପ କରୁଥିଲା ମୁଁ ବି ଦିନେ ସଆନ୍ତାଣୀ ଙ୍କ ପରି ହେବି ,,। ଆଉ ଯୁଗେ ଯୁଗେ ଏଇ ହିଁ ମୋର ମା ହୁଅନ୍ତୁ । ଝିଅ ଜ୍ୱାଇଁ ବିଦାୟ ସମୟରେ ଗାଁ ଟା ଯାକର ଲୋକେ ,,, ନବ ବରବଧୂଙ୍କୁ ଆଶିଷ ଦେଇ ସେମାନଙ୍କର ମଙ୍ଗଳ ମନାସୁଥିଲେ । ଆଉ ସାନ୍ତାଣୀଙ୍କର ଭୁୟସୀ ପ୍ରଶଂସା କରି ତାଙ୍କ ସମ୍ମାନାର୍ଥେ ମଥାନତ କରୁଥିଲେ ।
ନିଳମଣୀ ବାବୁ ନିର୍ମଳା ଦେବୀଙ୍କର ବିଶାଳ ହୃଦୟ ନିକଟରେ କୃତଜ୍ଞ ହେଇଯାଇଥିଲେ । କଥାରେ କଥାରେ ପଚାରିଦେଲେ ତମେ ଏତେ କଥା କେତେବେଳେ ଭାବିଥିଲ ?
ମୁଁ ତ ଲକ୍ଷ୍ମୀର ଜନ୍ମ ସମୟରୁ ସେ ଆମର ବୋଲି ଭାବି ନେଇଥିଲି । ହେଲେ ଯେଉଁଦିନ ଆମର ଝିଅଟିଏ ନାହିଁ ବୋଲି ତମେ ମନ ଊଣା କଲ ,,, ସେଦିନ ଲକ୍ଷ୍ମୀକୁ ତମେ ନିଜର ଭାବିନ ବୋଲି ମୋ ମନରେ ସାମାନ୍ୟ କଷ୍ଟ ହେଇଥିଲା । ହେଲେ ଲକ୍ଷ୍ମୀ ବିବାହର ଆୟୋଜନରେ ତମେ ମୋତେ ଯେଉଁ ପୂର୍ଣ୍ଣ ସ୍ୱାଧୀନତା ଦେଲ ,,, ଆଉ ମୁକ୍ତ ହସ୍ତରେ ଧନ ଖର୍ଚ୍ଚ କରିବାର ସ୍ୱାଚ୍ଛନ୍ଦତା ଦେଲ ,,, ତା ବଦଳରେ ମୁଁ ତୁମକୁ କନ୍ୟାପିତା ହେବାର ସୌଭାଗ୍ୟ ସହ ପରିଚିତ କରେଇବା ଲକ୍ଷ୍ୟରେ ଲାଗି ପଡ଼ିଲି । କିନ୍ତୁ ମୁଁ ଜାଣିନଥିଲି କନ୍ୟାଦାନର ସୌଭାଗ୍ୟ ମିଳିଯିବ ବୋଲି । ରତନା ତ ଆମ ଅପେକ୍ଷା ବହୁ ଉର୍ଦ୍ଧ୍ବରେ ।
ନୀଳମଣି ବାବୁ ସାମାନ୍ୟ ହାଲକା ମନରେ କହିଲେ,,, ମା ସଆନ୍ତାଣୀ ବିନା ସ୍ୱାର୍ଥରେ ତମେ ଯେଉଁ ବଦାନ୍ୟତା ର ଉଦାହରଣ ସୃଷ୍ଟି କରିଛ ,,,, ଏ ଆଖପାଖ ଅଞ୍ଚଳରେ ତୁମ ବିଷୟରେ ଯେଉଁ ଚର୍ଚ୍ଚା ଚାଲିଛି ,,, ସେ ସବୁ ପାଇଁ ମୁଁ ଗର୍ବିତ । ଏତିକି କହି ନିଳମଣୀ ବାବୁ ସରାଗରେ ନିର୍ମଳା ଦେବୀଙ୍କୁ ନିଜ ଆଡ଼କୁ ଭିଡ଼ି ଆଣିଲେ ।
ଥାଉ ଥାଉ ତୁମ ସରାଗ । ଏସବୁ ତମର ଉଦାରତାରୁ ହିଁ ସମ୍ଭବ ହେଇ ପାରିଛି ।
ନିଜର ଉଚ୍ଚଶିକ୍ଷା ସମାପ୍ତ କରି ବିରଞ୍ଚି ସମକ୍ଷକ ପଦବୀରେ ସରକାରୀ ନିଯୁକ୍ତି ପ୍ରାପ୍ତ । ରତନା ର ସାଆନ୍ତ ସଆନ୍ତାଣୀ ଭଲତ ତାର ସବୁ ଭଲ । ଲକ୍ଷ୍ମୀ ଏବେ ସାଆନ୍ତ ଘରର ଝିଅ ହିସାବରେ ବି ସ୍ୱୀକୃତି ପ୍ରାପ୍ତ । ନିର୍ମଳା ଦେବୀଙ୍କ ପରି ସୁମତିର ମହିଳା ଆଉ ନୀଳମଣି ବାବୁଙ୍କ ପରି ଉଦାରମନା ବ୍ୟକ୍ତିତ୍ୱ ମାନଙ୍କର ଆବଶ୍ୟକତା ଆମର ଏ ବର୍ତ୍ତମାନ ସମାଜ ପାଇଁ । ପ୍ରତିଟି ଲକ୍ଷ୍ମୀ ମାନଙ୍କର ଭବିଷ୍ୟତ ଆଲୋକିତ ହେଇଯିବ । ପ୍ରତିଟି ଲକ୍ଷ୍ମୀମାନଙ୍କୁ ବି ନିଜର ଭବିଷ୍ୟତ ଆଉ ସୁରକ୍ଷା ପ୍ରତି ନିଜକୁ ସଚେତନ ହେବାର ଆବଶ୍ୟକ ଅଛି ।