"ସାଲଗିରା"
"ସାଲଗିରା"
ସୁଲୁ ସୁଲିଆ ପବନ ବୋହୁଥାଏ । ପଲ ପଲ ପକ୍ଷୀ ଉଡିଯାଉଥିଲେ ପୂରବୀ ଆକାଶରେ ।
ବାଲକୋନୀରେ ଛିଡା ହୋଇଥାନ୍ତି ଫକୀର ବାବୁ । ଭାବୁଥିଲେ, ଦିନଥିଲା କେମିତି ନିତିଦିନିଆ କାମ ସାରୁ ସାରୁ ଅଫିସ ଟାଇମ ହୋଇଯାଏ ଆଉ ସେ ତର ତର ହୋଇ ଅଖିଆ ଅଫିସ ବାହାରି ଯାଆନ୍ତି । ଅବସର ନେଲା ପରେ ଆଉ ସେ ବ୍ୟସ୍ତତା ନାହିଁ । ଝିଅଜ୍ୱାଇଁ କଟକରେ, ପୁଅ ବାଙ୍ଗାଲୋରରେ; ଘର କହିଲେ ସ୍ୱାମୀସ୍ତ୍ରୀ ଦି ପ୍ରାଣୀ । ନିରା ବି କୁହନ୍ତି, ଆଜି କାଲି ତାଙ୍କର କାମ ନାହିଁ ଖରାବେଳଟା ଖାଁ ଖାଁ ଲାଗୁଚି । ନାତୁଣୀ ଖଣ୍ଡିକ ଯଦି ଥାଆନ୍ତା, ଭଲ ଲାଗନ୍ତା ।
ମର୍ଣ୍ଣିଙ୍ଗୱାକ ପରେ ସସ୍ତ୍ରୀକ ଚା ପିଆ ପର୍ବଟା ତାଙ୍କର ବାଲକୋନୀରେ ହୁଏ । ଚା କପ ଧରି ପଶି ଆସୁ ଆସୁ ନିରା କହିଲେ, "ଆଜି ଆମର ବିବାହ ବାର୍ଷିକୀ । ମାନେ ଅଛି ନା । ମୋ ଡ଼ାଇରୀ ହେଇଟି ନିଅ, ଆଉ ତମ ଡ଼ାଇରୀ ଦିଅ । "
ଫକିରବାବୁ : "ଓ ହୋ ! ଆଲମିରାରେ ଅଛି, ଯାଅ, ଟିକିଏ ନେଇ ଆସ ନା । "
"ଓ ହୋ ମାନେ... ସାଲାଗିରା ନା ଡ଼ାଇରୀ, କୋଉ କଥାକୁ ଓ ହୋ ?" ଫକିରବାବୁଙ୍କ ଉତ୍ତରକୁ ଅପେକ୍ଷା ନ କରି ତରତର ହୋଇ ଫେରିଗଲେ ନିରା ।
ଠିକ ବର୍ଷେ ତଳେ, ଆଜି ଦିନ, ଏମିତି ଗପସପ ଭିତରେ ନିରା କହିଲେ, "ଦେଖ, ମୋର ଅନେକ କଥା ତମକୁ କହିବାକୁ ଅଛି, କହିପାରୁନି । କେମିତିଆ ଲୋକଟେ ହୋ ତମେ, ସମୟ ଟିକିଏ ନାହିଁ ସ୍ତ୍ରୀର ଦିପଦ କଥା ଶୁଣିବା ପାଇଁ । ପରିବା ଗଣ୍ଡାଏ ଫୋପାଡ଼ି ଦେଇ, ସକାଳୁ ବାହାରି ଯାଉଛ ଯେ ଅଧରାତିକୁ ଫେରୁଚ । କଣ ନା ଅଫିସରେ କାମ ଥିଲା । ତମର ତ ଏକୁଟିଆ ଅଫିସ ଆଉ କଣ କାହାର ଅଫିସ ଅଛି । ଜାଣିଲ ନା, ତମର ବାହା ହେବା ଉଚିତ ନ ଥିଲା । କାହିଁକି ବାହା ହଉଥିଲ । ଆଉ କେହି ମିଳିଲେନି, ମୁଇଁ ଥିଲି । ବାହାଘରର ତେତିଶ ବର୍ଷ ଭିତରେ ମୋତେ କଣ ଦେଇ ପକେଇଚ କହିଲ । ମୋର କଣ ମନଟେ ନାହିଁ ନା ମୋତେ ମନ ଖୁସି କରିବା ମନା । ମୋ ଦୁନିଆଟା କଣ ଘରର ଚାରିକାନ୍ଥ ଭିତରେ । କହିଲ କେଇଥର ମୋ କଥା ଭାବିଚ ....."
ଫକୀର ବାବୁ ଚୁପଚାପ ଶୁଣି ଯାଉଥିଲେ ନିରାଙ୍କ ଭାଷଣ । ମୁହଁ ଖଲିଲ ମାନେ ଯୁଦ୍ଧ । ନିରା ବି ଅଭିମାନ କରିବା ସ୍ୱାଭାବିକ । ସତରେ କଣ ବା ସେ ଦେଇଛନ୍ତି ନିରାଙ୍କୁ ତେତିଶ ବର୍ଷର ଦାମ୍ପତ୍ୟ ଜୀବନରେ । ନିଅଣ୍ଟିଆ ଦରମା । ଦିନେ କେବେ ନିରା ହାତ ଖୋଲି ଖର୍ଚ୍ଚ କରିନାହାନ୍ତି, ସୁନା ଗହଣା ତ ଦୂର କଥା, ମନ ମୁତାବକ ଶାଢ଼ୀଟିଏ ବି ସେ କିଣି ପାରି ନାହାନ୍ତି......
ସେଦିନ ନିରା କହିଲେ ମୁଁ ଦିଟା ଡ଼ାଇରୀ ରଖିଛି । ଆମ ଦି ଜଣଙ୍କ ପାଇଁ । ଆମ ଭିତରେ ପରସ୍ପର ଯାହାର ଯାହା ଅଭିଯୋଗ ନିଜ ନିଜ ଡ଼ାଇରୀରେ ଲେଖି ରଖିବା । ଆସନ୍ତା ବର୍ଷ ଠିକ ଆଜିର ଦିନରେ ମୁଁ ତମ ଡ଼ାଇରୀ ପଢ଼ିବି ଆଉ ତମେ ମୋ ଡ଼ାଇରୀ ପଢିବ, ତାହେଲେ ଆମେ ନିଜ ଦୋଷ ଦୁର୍ବଳତା ଗୁଡିକୁ ଜାଣି ପାରିବା ଆଉ ସେଗୁଡିକୁ ସୁଧାରି ନବା । "
ଫକୀର ବାବୁ ବେଶ ଭଲଭାବେ ଜାଣନ୍ତି ସ୍ତ୍ରୀଙ୍କ କଥାର ଦ୍ଵିମତ ହୋଇ ଲଭ ନାହିଁ, ରାଜି ହୋଇଗଲେ, ଡ଼ାଇରୀ ବଣ୍ଟା ହୋଇଗଲା ଆଉ ଲେଖା ବି ଚାଲିଲା । ଚାହୁଁ ଚାଁହୁ ବର୍ଷଟିଏ ବିତି ଗଲାଣି ଏ ଭିତରେ । ଆଜି ବିବାହ ବାର୍ଷିକୀ ।
ଫକୀର ବାବୁଙ୍କ ଡ଼ାଇରୀଟି ଧରି ନିରା ଫେରି ଆସିଲେ । ଜଣେ ଆର ଜଣଙ୍କ ଡ଼ାଇରୀ ଧରି ବସିପଡ଼ିଲେ । କାହା ଡ଼ାଇରୀ ଆଗ ପଢା ହବ । ଆଗ ତୁମର, ଆଗ ତୁମର... ଟିକେ ଟଣା ଓଟରା ପରେ ମହିଳା ପଥମେ ଆଧାରରେ ନିରାଙ୍କ ଡ଼ାଇରୀ ପଢିଲେ ଫକୀର ବାବୁ ।
ପ୍ରଥମ ପୃଷ୍ଠା, ଦ୍ୱିତୀୟ ପୃଷ୍ଠା, ତୃତୀୟ ପୃଷ୍ଠା ....
.........ଆଜି ବାହାଘର ସାଲଗିରାରେ ମୋତେ ମନପସନ୍ଦ ଉପହାର ଦେଇନ ।
........ଆଜି ହୋଟେଲରେ ଖୁଏଇବାର ପ୍ରତିଶୃତି ଦେଇ ଅଫିସରୁ ଲେଟରେ ଫେରିଲ, ନେଲେନି ।
.........ଆଜି ବହୁତ ବର୍ଷ ପରେ ମୋ ପାଇଁ ଶାଢ଼ୀଟିଏ ଆଣିଲ, ସେଇଟା ପୁଣି ପୁରୁଣା ଡିଜାଇନ ର । ମୋତେ ସାଙ୍ଗରେ ନେବାକୁ ତମକୁ କଣ ଲାଜ ମାଡ଼େ ।
ଏମିତି ପ୍ରତିଦିନର ଛୋଟ ଛୋଟ ଅଭିଯୋଗରେ ଡ଼ାଇରୀ ପୁର୍ଣ ।
ଛଳ ଛଳ ଆଖିରେ ଫକିରବାବୁ କହିଲେ "ମୁ ଆଗକୁ ଧ୍ୟାନ ରଖିବି......... । "
ଏଥର ସ୍ତ୍ରୀ ସ୍ୱାମୀଙ୍କ ଡ଼ାଇରୀ ଓଲୋଟେଇବା ଆରମ୍ଭ କଲେ ।
ପ୍ରଥମ ପୃଷ୍ଠା ................ଖାଲି
ଦ୍ୱିତୀୟ ପୃଷ୍ଠା ...............ଖାଲି
ତୃତୀୟ ପୃଷ୍ଠା ...............ଖାଲି
ଦୁଇ ଚାରି ପୃଷ୍ଠା ଓଲଟେଇ ଦେଖିଲେ ଖାଲି 50 ...100 ବି ଖାଲି ପୃଷ୍ଠା । ନିରା କହିଲେ ମୁଁ ଜାଣିଥିଲି ତୁମେ ମୋର ଏଇ ଛୋଟିଆ ଇଛା ବି ପୁରଣ କରିବନି । ମୁ ପୁରା ଗୋଟେ ବର୍ଷ ପରିଶ୍ରମ କରି ତୁମ ଛୋଟ ମୋଟ ସବୁ ଭୁଲ ଲେଖିଲି ଯାହା ଦ୍ୱାରା ତମେ ନିଜକୁ ସୁଧାରି ନେବ ଆଉ ତମେ...ମୁଁ ଜାଣେ ତମେ ଜାଣି ଶୁଣି ଲେଖିନ ।
ଫକୀର ବାବୁ ହସି ହସି କହିଲେ ମୁଁ ସବୁକିଛି ଶେଷ ପୃଷ୍ଠା ରେ ଲେଖିଦେଇଛି । ନିରା ଉତ୍ସାହର ସହିତ ଶେଷ ପୃଷ୍ଠା ଖୋଲିଲେ ।
ଫକୀର ବାବୁ ଲେଖିଥିଲେ - ମୁଁ ତୁମ ମୁହଁ ଉପରେ ଯେତେ ଅଭିଯୋଗ କଲେ ବି, ତୁମେ ମୋ ପାଇଁ ଓ ମୋ ପରିବାର ପାଇଁ ଯେଉଁ ତ୍ୟାଗ କରିଛ, ଆଉ ଏତେ ବର୍ଷ ଧରି ଯେଉଁ ଅସୀମିତ ସ୍ନେହ ଓ ପ୍ରେମ ଦେଇଛ ତା ଆଗରେ ଏ ଡ଼ାଇରୀରେ ଲେଖିବା ଭଳି କିଛି ନାହିଁ । ଏମିତି ନୁହଁ ତୁମ ଠାରେ କିଛି ଅଵଗୁଣ ନାହିଁ କିନ୍ତୁ ତୁମେ ଦେଇଥିବା ସ୍ନେହ, ପ୍ରେମ, ସମର୍ପଣ ଓ ତ୍ୟାଗ ତା ତୁଳନାରେ ବହୁତ ଉପରେ । ମୋର ଅଗଣିତ ଭୁଲ ପରେ ବି ଜୀବନର ପ୍ରତ୍ୟେକ ଘଡ଼ି ସନ୍ଧି ମୁହର୍ତରେ ତୁମ ସହଯୋଗ ମୋ ଛାଇ ହୋଇ ରହିଛି ଆଉ ଜଣେ ନିଜ ଛାଇରେ କେମିତି କଣ ଦୋଷ ତୃଟି ଦେଖିବ ।
ମୁଣ୍ଡ ତଳକୁ କରି ଏକ ଧ୍ୟାନ ରେ ପଢୁ ଥିଲେ ନିରା । ହଠାତ ସ୍ୱାମୀଙ୍କ ହାତରୁ ନିଜ ଡ଼ାଇରୀ ଟାଣିନେଲେ, ଉଠିଯାଇ ଡ଼ାଇରୀ ଦୁଇଟାକୁ ନିଆଁରେ ସ୍ୱାହା କରିଦେଲେ, ତା ସହିତ ଜଳିଗଲା ତାଙ୍କ ମନର ମାନ ଅଭିମାନ ।
ଫେରିବା ଡେରିହେବା ଦେଖି ବଡ ପାଟିରେ ଫକିରବାବୁ ନିରାଙ୍କ ଉଦେଶ୍ୟରେ କହିଲେ "ଶୀଘ୍ର ଶୀଘ୍ର ବାହାରିପଡ଼, ଚାଲ ଆଜି ଘେରାଏ କାଳିଆ ପାଖରୁ ବୁଲିଆସିବା । "