ତୁଷାର କାନ୍ତି ମହାନ୍ତି

Others

3  

ତୁଷାର କାନ୍ତି ମହାନ୍ତି

Others

"ଉସ୍ମାନ ତାରା"

"ଉସ୍ମାନ ତାରା"

5 mins
86


ଦୁଆର ମୁହଁରୁ ମହନ୍ତ ପାଞ୍ଚ ଥର ଫେରିଲେଣି l ଏପଟକୁ ସେପଟକୁ ଅନଉଛନ୍ତି ଗୁଣୁ ଗୁଣୁ ହଉଛନ୍ତି; କୁଆଡେ ଗଲା ଉସ୍ମାନ l ପହଡ଼ ପଡିବା ବେଳା ଗଡି ଯାଉଛି l ଥରେ କୋଉଠି ନୀତି ଅଟକିଲା ମାନେ ତାପରକୁ ତାପର ଡେରି ଡେରି ହଉଥିବ l ଶେଷଥର ପାଇଁ ଦେଖି ଆସିବା କହି ମହନ୍ତ ଉଠି ଗଲେ l କେହି କୁଆଡେ ନାହାନ୍ତି l ଫେରିଆସି ପହଡ଼ ପକେଇଲେ, ଭୋଗ ପତରକୁ ପୁଡିଆଟିଏ କରି, ବସ୍ତିକୁ ବାହାରି ପଡିଲେ l ଉସ୍ମାନ କୋଉଠି ରୁହେ? 

ମୁସଲମାନ ବସ୍ତିଟିଏ, ଆରମ୍ଭରେ ହାତ ଗଣତି କେଇଟି ହିନ୍ଦୁ ପରିବାର ରୁହନ୍ତି l ତା'ରି ଭିତରେ ମଠଟିଏରେ କେଶବ ସେବା ପାଆନ୍ତି l ଅନ୍ୟ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଠାରୁ ଏଠା ମୂର୍ତ୍ତି ଭିନ୍ନ l କେଶବ ନିଜକୁ ଏଠାରେ ଯୋଦ୍ଧା ବେଶରେ ସଜାଇ ହୋଇ ଅର୍ଜୁନଙ୍କୁ ଗୀତା ଶୁଣାଉଥାନ୍ତି l ଯୋଦ୍ଧା ବେଶରେ ସଜ୍ଜିତ କେଶବଙ୍କୁ ମୁସଲମାନ ବସ୍ତି ଲୋକେ ଯୋଦ୍ଧା ଜାହାଙ୍ଗୀର କୁହନ୍ତି l ମଠ ବାଟଦେଇ ଗଲାବେଳେ ଜାହାଙ୍ଗିରଙ୍କୁ ପ୍ରଣାମ ଜଣାଇବାକୁ ସେମାନଙ୍କ ହାତ ସ୍ୱତଃ ଉଠିଯାଏ l କେହି କେହି ମୁସଲମାନ ମୁଣ୍ଡିଆ ମାରିବା ମଧ୍ୟ୍ୟ ଦେଖା ଯାଇଛି l ପ୍ରବାଦ ଅଛି, ଯୋଦ୍ଧା ଜାହାଙ୍ଗିର ରୋଗଶୋକ, ଦୈବିଦୁର୍ବିପାକ ସମୟରେ ସାହା ହୁଅନ୍ତି l ଅନେକ କହନ୍ତି, ଅସୁବିଧା ସମୟରେ ମଠ ଦୁଆରମୁହଁରେ ଉତ୍ତରମୁହାଁ ହାତଯୋଡ଼ି କିଛି ସମୟ ବସି ରହିଲେ କେଶବ ମନ କଥା ବୁଝିପାରନ୍ତି , ଅସୁବିଧା ଦୂର ହୋଇଯାଏ l 

ଉସ୍ମାନ, ପନ୍ଦର ସତର ବର୍ଷର ମୁସଲମାନ ଝଅଟିଏ l ଗାଁ ମସଜିଦରୁ ଖଣ୍ଡେ ଦୂରରେ କେନ୍ଦେରା ବଜେଇ ଗୀତ ବୋଲେ, ଭିକ ମାଗେ l କି ସୁନ୍ଦର ସ୍ୱର ତାର ! ଚାଲି ଯାଉଥିବା ଲୋକ ଘଡ଼ିଏ ଛିଡା ହଇଯାଆନ୍ତି l ସବୁଦିନ ମାଧ୍ୟାନ୍ନ ଆଳତିକୁ ଆସିବ, ଦୁଆର ସେପଟୁ ଚାଉଳ ଗଣ୍ଡାଏ ଥୋଇଦେଇ ଏକଲୟରେ କେଶବଙ୍କୁ ଅନେଇ ରହିବ l ଭୋଗ ଲାଗି ହେଲେ, କେନ୍ଦେରା ବଜେଇ ଗୀତଟିଏ ବୋଲିବ l କହେ, କେଶବ ତା ଗୀତ ଶୁଣୁ ଶୁଣୁ ଶୁଅନ୍ତି l

ଦିନେ ମହନ୍ତ ଉସ୍ମାନକୁ ପଚାରିଲେ "ଝିଅ ତମକୁ କିଏ ଗୀତ ଶିଖାଏ, ଗୀତ ସବୁ କୋଉଠୁ ଆଣୁଚ l" 

ଉସ୍ମାନ କହିଲା "ମୁଁ କେଶବଙ୍କ ସାଙ୍ଗେ ଗୀତ ବୋଲେ, ସିଏ ଯାହା ମୋ ମନକୁ ଦିଅନ୍ତି ମୁଁ ବୋଲି ଦିଏ l ମୋତେ କେହି ଗୀତ ଶିଖାନ୍ତିନି କି ମୁଁ ଗୀତ ଆଉ କୋଉଠୁ ଆଣେନି l" 

"ମାନେ ?" ମହନ୍ତ ଆଶ୍ଚଯ୍ୟ ହେଲାରୁ ଉସ୍ମାନ ସେଇ କଥା ଦୋହରେଇଲା l ଛୋଟ ପିଲା, ଇଆଡୁ ସିଆଡ଼ୁ କଣ ଗପୁଛି ଭାବି ଚୁପ ରହିଲେ ମହନ୍ତ l 

ଉସ୍ମାନ ନୁରୁଲ ମିଆଁ ଦୋକାନରୁ ଦଶ ଟଙ୍କାର ଚାଉଳ କିଣି ମଧ୍ୟାହ୍ନ ଆଳତିକୁ ମଠରେ ପହଞ୍ଚିବା ଏବେ ନିତି ଦିନିଆ କଥା ହେଇଗଲାଣି l ମହନ୍ତ ମଧ୍ୟ ଉସ୍ମାନ ପାଇଁ ଦି'ତିନି ଜଣଙ୍କୁ ପୁରିଲା ଭଳିଆ ଅନ୍ନ ଭୋଗ ଅଲଗା ସାଇତି ରଖିଥାନ୍ତି l ଗୀତ ଗାଇ ସରିଲାପରେ ପହଡ଼ ପକେଇ ଉସ୍ମାନକୁ ତା ଭାଗ ଭୋଗ ଦିଅନ୍ତି ଓ ତା ଚାଉଳ ଗଣ୍ଡାକ ନିଅନ୍ତି l ଏଇଟା ଯେମିତି ଗୋଟେ ନୀତି l ଆଜି କିନ୍ତୁ ଉସ୍ମାନ ଗୀତ ନ ବୋଲି ଫେରି ଯାଇଛି l 

ତର ତର ହୋଇ ଚାଲୁଛନ୍ତି ମହନ୍ତ, ପିଲାଟା ଏତେବେଳ ଯାଏଁ ଭୋକରେ ଥିବ l କାଳିଆ କୁକୁରଟିଏ କୁଁ କୁଁ ହୋଇ ତାଙ୍କ ସାଙ୍ଗେ ସାଙ୍ଗେ ଯାଉଥଏ l ଲାଞ୍ଜ ହଲେଇ ହଲେଇ କେତେ ବେଳେ ଆଗକୁ ଦୌଡ଼ି ଯାଉଥାଏ ତ କେତେ ବେଳେ ଅଟକି ଯାଉଥାଏ l ତାଙ୍କୁ ଘୁରି ବୁଲୁଥାଏ ଯେମିତି ପୂରୁଣା ଚିହ୍ନା ପରିଚ l ଉସ୍ମାନର କୁକୁର ହୋଇଥିବ, କିନ୍ତୁ କେବେ ତ କାହିଁ ଉସ୍ମାନ ସାଙ୍ଗେ କୁକୁର ସେ ଦେଖି ନାହାନ୍ତି l ମହନ୍ତ ଖଣ୍ଡେ ବାଟ ଆଗେଇ ଆସି ଥିଲେ ପଛରୁ କୁକୁରଟା ଭୁକିଲା l ମହନ୍ତ ଫେରି ଚାହିଁଲେ l କୁଡ଼ିଆଟିଏ ଆଗରେ କୁକୁରଟି ଜିଭ ହଲ ହଲ କରି ଛିଡା ହୋଇଛି l ସେଇଟି ହୁଏତ ଉସ୍ମାନର ଘର ! ଫେରିଯାଇ ମହନ୍ତ ଦୁଆରମୁହଁରୁ ଡାକିଲେ "ଉସ୍ମାନ, ଉସ୍ମାନ ତୁମେ ଏଇଠି ରୁହ ?" 

କୁଡ଼ିଆ ଭିତରୁ କେହି କହିଲା "ବେଟା ଦେଖ ତ କିଏ ଡାକୁଛନ୍ତି ?"

ଉସ୍ମାନ ଉଠି ଆସିଲା l ତଳକୁ ମୁଣ୍ଡ କରି ଛିଡା ହେଲା l ମହନ୍ତ କହିଲେ "ମା, ଭୋଗ ନ ଆଣି ପଳେଇ ଆସିଲ, ଅନେକ ସମୟ ଅପେକ୍ଷା କଲା ପରେ ଆସିବାକୁ ପଡିଲା l ନିଅ l ଗୀତ ବୋଳିଲନି, କେଶଵ କଣ ଶୋଇଥିବ ? "

ଉସ୍ମାନ ମହନ୍ତଙ୍କ ହାତରୁ ପୁଡ଼ିଆଟି ନେଇ ମା କୁ ଦେଲା ଓ କେନ୍ଦେରା ନେଇ ମଠକୁ ଯିବାକୁ ବାହାରିଲା l ମହନ୍ତଙ୍କୁ କହିଲା "ଚାଉଳ ନେଇ ପାରିଲିନି ସେଥିପାଇଁ ପଳେଇ ଆସିଲି l ଚାଲନ୍ତୁ, କେଶବ ଶୋଇନି, ମୁଁ ଗୀତ ବୋଲି ଆସିଲେ ଖାଇବି l"

କିନ୍ତୁ ତମେ ତ ମା ଚାଉଳ ଥୋଇ ଦେଇ ଆସିଥିଲ, ମୁ ନେଇ ରଖିଚି l ଫୁଣି ଚାଉଳ ନେଇ ପାରିଲିନି କଣ କହୁଛ? ବଲ ବଲ କି ଅନେଇଲା ଉସ୍ମାନ l ମହନ୍ତ ଯେତେ କହିଲେ ମୁଁ ପହଡ଼ ପକେଇକି ସାରିଛି ଆଉ ଯାଆ ନା, ଜମ୍ମା ରାଜି ହଉନଥାଏ କି ବୁଝିବାକୁ ପ୍ରସ୍ତୁତ ନୁହେଁ , ଏକା ଜିଦ କେଶବ ଶୋଇନି l

ଦୁହେଁ ମଠରେ ପହଁଚିଲେ l ପହଡ଼ ପଡିନି, କବାଟ ଠିଆ ମେଲା l କେଶବ ସଫା ଦେଖା ଯାଉଛନ୍ତି l ଉସ୍ମାନ ଗୀତ ବୋଳିଲା l ମହନ୍ତ କାବା ହୋଇ ଉସ୍ମାନକୁ ଅନାଉଥାନ୍ତି ଫୁଣି କେଶବ କୁ ଅନଉଥାନ୍ତି l ଆଶ୍ଚର୍ଯ୍ୟ କଥା ସିଏ ନିଜେ କବାଟ କିଳି ଥିଲେ l କେହି କଣ ସମୟ ପୂର୍ବରୁ କବାଟ ମେଲେଇ ଦେଇଚି ନା କଣ l ଚାଲି ଯାଇ ବୁଝିବାକୁ ଶକ୍ତ ବଳୁନି, ସେ ସ୍ଥାଣୁ l ଗୋଡ଼ ଦିଟା ଯେମିତି ପଥର ପାଲଟି ଯାଇଛି l

ଗୀତ ବୋଲି ସାଇଲା ଉସ୍ମାନ l ମହନ୍ତ ଉସ୍ମାନ କୁ ଅନେଇଲେ l ସେଇ ସାଧାରଣ ରକ୍ତ ମାଂସର ଶରୀର l କେଶବଙ୍କୁ ଅନେଇଲେ, ଇଏ କଣ, ପହଡ଼ ତ ପଡିଚି l ମହନ୍ତଙ୍କ ରୁମ ଟାଙ୍କୁରି ଉଠିଲା l ଉସ୍ମାନ କୁ ପଚାରିଲେ "ମା ! ତୁ କିଏ କହିଲୁ ?"

"ମୁଁ ଉସ୍ମାନ ବାବା l ଆଉ କିଏ ?"

"ତୁ ଦିବ୍ୟଜନ୍ମା l କହିଲୁ ସତରେ ତୁ ଆଜି କେଶବ ପାଇଁ ଚାଉଳ ଦେଇ ନାହୁଁ ?"

"ନା, ମୋତେ ଆଜି କିଛି ମିଳି ନ ଥିଲା, ମୁଁ ଚାଉଳ କିଣି ପାରିନି l ମଠକୁ ନଯାଇ ଘରକୁ ଫେରି ଗଲି l"

ମହନ୍ତ ଉସ୍ମାନ କୁ ନେଇ ନୁରୁଲ ମିଆଁ ଦୋକାନ କୁ ଗଲେ l ପଚାରିଲେ ସିଏ ଯାଇ ମଠରେ ଚାଉଳ ରଖିଥିଲା କି ? 

ନୁରୁଲ ରାଜି ହେଲା l କହିଲା କେହି ଜଣେ ଆସିଥିଲେ, କହିଲେ ଉସ୍ମାନକୁ ସେ ଖୋଜୁଛନ୍ତି, ପାଉ ନାହାନ୍ତି, ମଠରେ ଚାଉଳ ଦେବାପାଇଁ ସେ ପଇସା ଦେଇଥାନ୍ତେ l ମୋତେ ଦଶଟଙ୍କା ଦେଇ ଚାଉଳ ପହଞ୍ଚେଇ ଦେବା ପାଇଁ ଅନୁରୋଧ କଲେ l ବିକ୍ରି ଲୋଭରେ ମୁଁ ରାଜି ହୋଇଗଲି l ମୁଁ ତ ଯେତିକି ଚାଉଳ ଦେବା କଥା ଠିକ ସେତିକି ପହଁଚେଇଛି l ମୋର ଭୁଲ ରହିଲା କୋଉଠି ? 

ନାଇଁ ନୁରୁଲ ଭାଈ ସେ କଥା ଆମେ କହୁନୁ l କଥା ପଡିଛି, କିଏ ଆସିଥିଲା, ପଇସା କିଏ ଦେଲା l

ସୁନ୍ଦର ମଣିଷ ଜଣେ l ଧୋତି ଚାଦରରେ ଥିଲେ l ହାତରେ ବଂଶୀଟିଏ l ଭାରି ସଉକିନିଆ ମନେ ହେଉ ଥିଲେ l ମୁଁ ତ ତାଙ୍କୁ ଆଗରୁ କେବେ ଦେଖିନାହିଁ କି ସେ ତାଙ୍କ ପରିଚୟ ମୋତେ ଦେଇ ନାହାନ୍ତି l ସିଏ କୁଆଡୁ ଆସିଲେ, ଗଲେ କୁଆଡେ ବି ମୁ ଜାଣିନି l 

ଉସ୍ମାନ ବାହାରି ପଡି କହିଲା "ଆରେ ଚାଚା, ସେଇ ପରା କେଶବ l ମୋ ପାଖକୁ ବି ଆସିଥିଲେ l ମତେ ଡାକିଲେ l ମୁଁ ଜମ୍ମା ଯିବିନି କହିଲି l କହିଲେ ହଉ, ଥା, ଆଳତି ବେଳ ହେଲାଣି, ମୁଁ ଯାଉଛି, ମତେ ନ ଦେଖିଲେ ମହନ୍ତ ବ୍ୟସ୍ତ ହେବେ l ଆଳତି ସାରିଲେ ମୁଁ ମହନ୍ତଙ୍କୁ ପଠେଇବି, ଆସିବୁ, ତୁ ଗୀତ ବୋଲିବୁ ମୁଁ ଟିକିଏ ଗଡ଼ ପାଦ ହେବି l ମୁଁ ଆପଣଙ୍କୁ ଅପେକ୍ଷା କରିଥିଲି ବାବା l" ଗୋଟିଏ ନିଶ୍ୱାସରେ କହିଗଲା ଉସ୍ମାନ l

ମହନ୍ତଙ୍କ ଆଖି ଜକେଇ ଆସିଲା l କହିଲେ ହଁ ସେଇୟା ହୋଇଥିବ ମା, କେଶବ ତତେ କହିଦେଲା ମହନ୍ତଙ୍କ ସାଙ୍ଗେ ଯିବୁ, ଆଉ ମତେ ପଠେଇ ବି ଦେଲା, କାହିଁ ମୋତେ ଆଣିବାକୁ ତ କହିଲାନ ନାହିଁ, ମୁଁ କେମିତି ଜାଣିବି ତୁ ଆସିବୁ l କେଶବ ଭାରି ନଟିଆ l

ଉସ୍ମାନ ଶୁଣ l କେଶବର ଯଦି ଗୀତ ଶୁଣିବାଟା ଏତେ ସଉକ ତାକୁ କହ.... ନାଇଁ ରହ, ଆଗେ ମୁଁ ତାକୁ କହୁଛି l ପାଲା ଚଲେଇଛି l

ନଇଁ ବାବା, ତାଙ୍କୁ କିଛି କହିବେନି l ମତେ ତାରାଟିଏ କରି ଆକାଶରେ ରଖି ଦେବେ ବୋଲି କେଶବ ଜବାବ ଦେଇଛନ୍ତି l ଏଇ ସେଇଠି ମଠ ସିଧାରେ ମୁ ରହିବି, କହି ହାତ ଟେକି ମହନ୍ତଙ୍କୁ ଆକାଶରେ ଜାଗାଟିଏ ଦେଖେଇ ଦେଲା ଉସ୍ମାନ l ସେଉଠୁ ମୁଁ ତାଙ୍କୁ ସବୁବେଳେ ଦେଖି ପାରୁଥିବି l ଆପଣ ଆଉ କଣ କହିଲେ କାଳେ ସେ ମୋତେ ଆଉ ତାରା କରି ରାଖିବେନି l 

ହଉ ହଉ କହି ଉସ୍ମାନର ମୁଣ୍ଡ ଆଉଁସି ପକେଇଲେ ମହନ୍ତ l ମନେ ମନେ ଭାବୁଥିଲେ ; ସରଳ ମନଟିଏ; ଅଗାଧ ବିଶ୍ୱାସ, ସ୍ଵଛ ହୃଦୟ ଓ ଶାଶ୍ୱତ ପ୍ରେମ l ଉସ୍ମାନ, ତୁ ନିଶ୍ଚୟ ସେଇ ଷୋହଳ ସହସ୍ର ଗୋପୀଙ୍କ ମଧ୍ୟରୁ ଜଣେ, ଆଜି ଆମ ସାଙ୍ଗରେ ଘାଣ୍ଟି ଚକଟି ହେଉଛୁ l ସରଳ ମନରେ ନିଜ ଜ୍ଞାତରେ ହେଉ ବା ଅଜ୍ଞାତରେ ହେଉ ତାରାଟିଏ ହେବାକୁ କହି ତୋ ମୋକ୍ଷର ମାର୍ଗ ଖୋଲିଦେଇଛୁ ତଥା କେଶବ ସହ ଆଗକୁ ସାନ୍ନିଧ୍ୟ ବଜାୟ ରଖିବା ବ୍ୟବସ୍ଥା ବି କରିଚୁ l ତୁ ଦିବ୍ୟଜନ୍ମା ମା l


**********



Rate this content
Log in