ତୁଷାର କାନ୍ତି ମହାନ୍ତି

Tragedy

4  

ତୁଷାର କାନ୍ତି ମହାନ୍ତି

Tragedy

ଲୁସି ନାନି କଥା

ଲୁସି ନାନି କଥା

8 mins
15


ବାପାଙ୍କର ବଲାଙ୍ଗୀର ବଦଳି ହୋଇ ଯାଇଥାଏ l ଆମେ କ୍ଵାଟର ଛାଡି ସେଦିନ ଭଵାନିପାଟଣାରୁ ବଲାଙ୍ଗୀର ଯାଉଥିଲୁ l ଲୁସି ନାନି ସବୁଦିନ ଆମ ଘରକୁ ଆସେ, ସେଦିନ କିନ୍ତୁ ଆସି ନ ଥିଲା l ବୋଉ କହିଲା, ନରମା ପିଲାଟା, ମନ ଦୁଃଖରେ ଆସି ନଥିବ, ଛୋଟିଆଟିଏ ବେଳୁ ତତେ ଗ୍ଲେହା କରେ, ଯାଉନୁ ତା ପାଖରୁ ଘେରାଏ ବୁଲି ଆସିବୁ l ମୁଁ ସାଇକଲ ମାରି ତା ପାଖରେ ପହଞ୍ଚିଗଲି l ମୋତେ ଦେଖି ଖୁସି ହେଇଗଲା ଲୁସି ନାନି l ଆଖି ଛଳ ଛଳ କରି ଦେଲା l ମୋ ଗାଲ ଦିଟାକୁ ଚିପିଦେଇ କହିଲା "ଫକୀର, ତୁ ଯାଉଛୁ ? ଯା, ମଝିରେ ଆସିବୁନି l ବାହାହେବୁ, ପିଲା ପିଲି ହେବେ, ତୋ ପୁରା ପଲଟନ ନେଇ ଆସିବୁ, ତମକୁ ମୁଁ ଦେଖିବି, ଖୁସି ହେବି, ମରିଯିବି l" 

"ଏମିତି କଣ କହୁଚୁ ଲୁସି ନାନି l ଆସିବିନି କାହିଁକି? ମୁଁ ଆସିବି l" 

ଭବାନୀପାଟଣାରୁ ପାଟଣାଗଡ଼ ରାସ୍ତାରେ ଟାଉନ ଶେଷରେ ସେଲସ ଟାକ୍ସ କଲୋନୀ, ପରେ ପରେ ଝରଟିଏ ଉପରେ କଲଭର୍ଟ, ତାରି ଆଗରୁ କାଠ କେବିନଟିଏରେ ଲୁସି ନାନି ଏକୁଟିଆ ରହେ l ସେଇଟି ତାର ସିଲେଇ ଦୋକାନ, ସେଇଟି ତାର ଘର l କଲଭର୍ଟ ସେପଟେ ଆଦର୍ଶ ପଡା l 

ଲୁସି ନାନି ସାୟା ବ୍ଲାଉଜ ସିଲେଇ କରେ, ପିକ କରେ, ଫଲ ଲଗାଏ, ମରାମତି ସିଲେଇ କାମ ବି କରେ l ସାହିରୁ ଝିଅ ପିଲା, ସ୍ତ୍ରୀଲୋକ ତା ପାଖରେ କାମ କରାନ୍ତି l ପଇସା, ପାଞ୍ଚ ଥରରେ ଦିଅନ୍ତି l ଲୁସି ନାନି କହେ, ନିଅଣ୍ଟିଆ ଲୋକ ଗୁଡାକ, ତାଙ୍କ ସୁବିଧାରେ ଦିଅନ୍ତୁ, ମୋ ପଇସା ତ ଉଠି ଯାଇଛି l କିଛି ଲେଖିକି ରଖେନା, କିଏ ଦେଲା କିଏ ନଦେଲା କେମିତି ଜାଣେ କେଜାଣି l

ଲୁସି ନାନି ପଟେଲ ମଉସାଙ୍କ ଘରେ ଥିଲା l ସମସ୍ତେ ଜାଣନ୍ତି ସିଏ ପଟେଲ ମଉସାଙ୍କ ଝିଅ l ବୋଉ କହେ ଲୁସି ସୁନ୍ଦରୀଟେ, ଗୋଟିଏ ଚାଉଳରେ ଗଢା l ପଟେଲ ମଉସାଙ୍କ କ୍ଵାଟର ଓ ଆମ କ୍ୱାଟର ଲାଗି ଲାଗି ଥାଏ l ମୁଁ ସ୍କୁଲରେ ପଢିଲା ଦିନୁ ଆମ ଘରକୁ ଲୁସି ନାନି ଆସୁଛି, ବୋଉ ସାଙ୍ଗେ କାମ କରେ, ସବୁଦିନ ଯିବା ଆଗରୁ ମୋ ଗାଲ ଚିପି ଦିଇ ଯାଏ l ବଡ଼ ହେଲିଣି, ମୁଁ ଆସି କଲେଜରେ ପଢ଼ିଲିଣି, ଆଜିବି ମୋ ଦି ଗାଲ ସେ ନିଶ୍ଚୟ ଚିପିବ l ବାପାବୋଉ ତାକୁ କିଛି କହନ୍ତିନି l ମୋତେ ବି ତା ଭଲ ପାଇବା, ସ୍ନେହ ଆଗରେ ହାରିଯିବାକୁ ଭଲ ଲାଗେ l

ସେଦିନ ମୁଁ ଛିଡା ହୋଇଥାଏ, ମାଉସୀ ଲୁସି ନାନିକୁ କହୁଥାନ୍ତି , ଝିଅ ପିଲା, ବାହା ହେବ, ପିଲାଛୁଆ ସଂସାର କରିବ l ସ୍ୱାମୀ, ଯା, ଦେଢଶୁର ଆଉ ଶାଶୁ, ଚାରୋଟି ଲୋକଙ୍କ ସାଙ୍ଗେ ଚଳି ପରିଲନି, କଣ ଏମିତି ହେଲା ଯେ ଲୁଚିକି ପଳେଇ ଆସିଲ l କଣ ଭାବିକି ପଳେଇ ଆସିଚ, ମାମୁଁ ପଇସା ବାଲା, ତମକୁ ପୋଷିବେ l ଲୁସି ନାନି କଇଁ କଇଁ ହୋଇ କାନ୍ଦୁଥାଏ l

ସେଦିନ ମୁଁ ଜାଣିଲି ଲୁସିନାନି,ପଟେଲ ମଉସାଙ୍କ ଝିଅ ନୁହଁ, ଭାଣିଜୀ l 

ମୁଁ ଦୌଡ଼ି ଯାଇ ବୋଉକୁ ସବୁ କଥା କହିଲି l ତାଙ୍କ ଘର ମାମଲାରେ ଆମେ କିଛି କହିବା ଠିକ ହେବନି l ତୁ ଆମର ସେଠିକୁ ଯାଆନା, ଆଉ ବୋଉ ମୋତେ ତାଗିଦ କରିଦେଲା, "ଖବରଦାର ଯଦି ଯାଇଥିବୁ, ବାପା ଆସିଲେ ପିଠିରୁ ଚୋପା ଛଡେଇ ଦେବି l"

ମୁଁ କାନ ଡେରି ଶୁଣୁଥାଏ, ଲୁସି ନାନି ସକେଇ ସକେଇ କାନ୍ଦୁଛି l ଆଠ ଦିନ ତଳେ ଲୁସି ନାନିର ବାହାଘର ହୋଇଥିଲା l ଆଜି ସକାଳୁ ଲୁସି ନାନି ଶାଶୁଘରୁ ଲୁଚିକି ପଳେଇ ଆସିଛି l 

ରାତିରେ ପଟେଲ ମଉସା ବାପାଙ୍କ ପାଖକୁ ଆସି ଥିଲେ l ଲୁସିନାନି ବିଷୟରେ କହୁଥିଲେ l ଲୁସି ନାନି ବରଟା କୁଆଡେ ଘୋଡା ମଦୁଆ l ଦିନ ରାତି ପିଉଚି, ଘରକୁ ଆସୁନି l ଲୁସି ନାନି କହୁଥିଲା ଏଠୁ ଗଲାପରେ ତା ବର କୁଆଡେ ଗଲା ଯେ ଆଉ ଫେରିନି l କାଲି ରାତିରେ ଶାଶୁଙ୍କ ଆଗରେ ଦେଢଶୁର, ଲୁସି ନାନି ହାତ ଧରି ଟାଣୁଥିଲା l ତା ଶାଶୁଟା ବି ଭାରି ବଦମାସ l ଯୋଉ ଭାଷା କହୁଛି ଶୁଣି ହେବନି l ଲୁସି ନାନି ବଡ଼ଯା ସବୁ ଜାଣିଛନ୍ତି l ସେଇ ହିଁ ଲୁସି ନାନିକୁ ସାଙ୍ଗରେ ଆଣି ଛାଡି ଦେଇଗଲେ l

ଲୁସି ନାନି ଯା କୁହୁଥିଲେ ସିଏ ଶୋଇଥିଲେ, କିଛି ଦେଖି ନାହାଁନ୍ତି ହେଲେ ଶାଶୁଙ୍କ କଥା ଶୁଣିଛନ୍ତି l ବୁଢ଼ୀ ପକ୍କା ଖଣ୍ଡେ l ତାଙ୍କୁ ବି କୁଆଡେ ହଇରାଣ କରେ l ଶାଶୁ ଲୁସି ନାନିକୁ କହୁଥିଲେ "କଣ ବୁଝିପାରିନୁ ନା କଣ ବା l ବଡ଼ ତ ବାଂଝ, ଶୋଇବାକୁ ଗଲାଣି l ତୋ ଘଇତା କୋଉ ଗାଡ଼କୁ ଯଇଛି ଯେ ଫେରୁନି l ମୋ ବଉଁଶ କଣ ବୁଡି ଯିବ ନା କଣ ? ଭେଣ୍ଡା ଟୋକାଟା ଡାକୁଛି ଯାଉନୁ, ମୁଁ ଏଇଠି ଯଗିକି ବସିଛି, ଯା l" 

ବୁଢ଼ୀ ହିଁ ହେଲା ବଉଁଶ ବୁଡେଇ l ତା ପୁଅ ମାଇଚିଆ, କହୁଛି କଣ ମୁଁ ବାଂଝ l ଦି ଦିଟା ଡାକ୍ତର କହିଲେ, ସ୍ତ୍ରୀ ପାଖରେ ଅସୁବିଧା ନାହିଁ l ପୁଅର ବଳ ନାହିଁ, ରହିବ କେମିତି l ହାରେ, ମେତେ କହୁଛି ବାଂଝ l ବୁଢ଼ୀ ମେତେ ବି ଦିନେ କହିଥିଲା ସାନ ସାଙ୍ଗେ ଶୋ l ମୁଁ କହିଲି ହଉ, ସାନ ଆସୁ, ପାନେ ଦେବି l ସାନ ଆସିଲାନି l ଦେଖ ସାନ କଥା କଣ l ମଦ କଣ ପିଏ l ସତ କଥା ହେଲା ସାଙ୍ଗ ଘରେ ରହୁଛି l ମଦୁଆ ହଉ କି ଭଡୁଆ ହଉ, କହୁନ ବାହା ହଉ ହଉ କିଏ ନୁଚେ l ଦେଖ, ସେଇଟା ବି ମାଇଚିଆ ନା କଣ l

ଶୋଇ ପାରିଲାନି ତା ଯା, ଭାବିଲା ବୁଢ଼ୀ ପାଗେଳି ହେଇ ଗଲାଣି ନା କଣ, ପୁଅ ଦିଟା ତ ମାଇଚିଆ, ବଉଁଶ ବଞ୍ଚେଇବାକୁ ଯାଇ କୋଉ ଦିନ ଟୋକା ଭର୍ତ୍ତି କରିଦେବ l ଉଠି ଆସି ଲୁସିନାନିକୁ ଡାକିନେଲା l ଦୁହେଁ ରାତିଟା ଏକାଠି ଥିଲେ l ସକାଳୁ ସକାଳୁ ଆସି ଛାଡ଼ି ଦେଇ ଗଲା l କହୁଥିଲା ସିଏ ବି ଆଜି ପଳେଇବ l ତା ପୁଅ ଆଉ ଗାଟିଏ ଆଣୁ, ଦେଖିବା କେମିତି ରହିଯିବ l

ସେଦିନ ବୋଉ ଆଉ ପଟେଲ ମାଉସୀଙ୍କୁ ବି ଡକା ହେଲା l ସମସ୍ତେ ବସିଲେ, ବିଚାର କଲେ ଲୁସି ନାନି ଆଉ ଯିବନି l ଏଇଠି ରହିବ l ତାର କିଛି ବ୍ୟବସ୍ତା କରାଯିବ l 

ଲୁସି ନାନି କଥା ଭାବିଲେ ମୁଣ୍ଡ କଣ ହେଇଯାଏ l କଣ କରିବ ସିଏ l ସାଧାରଣ ଝିଅଟିଏ l ପାଠ ବି ପଢିନି l ବାହା କରିଦେଇ ମାମୁଁ ପାର ହେଉଥିଲା, ସେତକ ବି ହେଲାନି l 

ଦୁନିଆରେ କିଭଳି ଲୋକ ସବୁ ଅଛନ୍ତି l ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର ଚାରିଆଡେ ! ଆଗ ପଛ, ଭୁଲ ଠିକ କେହି କିଛି ବିଚାର କରୁନାହାନ୍ତି l ସମସ୍ତେ ନିଜ ନିଜ ସ୍ୱାର୍ଥକୁ ଦେଖୁଛନ୍ତି l ଶାଶୁ ହୋଇ ବୋହୂ କୁ କଣ ଏମିତି କୁହନ୍ତି ? ଏମିତି କଣ ବଂଶ ରକ୍ଷା କରାଯାଏ ନା କଣ ? 

ଲୁସି ନାନି କଣ ସବୁଦିନ ପଟେଲ ମଉସାଙ୍କ ଘରେ ଥିବ l ମାଉସୀ ରଖିଲେ ତ ଫୁଣି l ପଟେଲ ମଉସା କାହିଁକି ଲୁସି ନାନିକୁ ପାଠ ପଢ଼େଇଲେ ନି ! ଝିଅ କିଏ ଭାଣିଜୀ କିଏ l କୋଉ ଓଡ଼ିଆ ସ୍କୁଲରେ ପଢିଥିଲେ ବି ଆଜି ଲୁସିନାନିର କଲେଜ ସରନ୍ତାଣି l ଚାକିରି କରୁଥାନ୍ତା l ଜୀବନଟା ତାର ଅନ୍ୟ ପ୍ରକାରର ହୋଇଥାନ୍ତା l 

ଗଙ୍ଗୋତ୍ରୀରୂ ଭାସିଆସୁଥିବା ପଥରଟିଏ ସେ l ନଈ ସୁଅରେ ଭାସି ଆସୁ ଆସୁ ଘୋରି ହୋଇ ଚିକଣ ହୋଇ ଗଲାଣି l କହି ସହୃଦୟ ବ୍ୟକ୍ତି ପାଇଲେ ଶାଳଗ୍ରାମ ହୋଇ ପୂଜା ପାଇବ, ନହେଲେ ସେମିତି ନଈରେ ଭିତରେ ଗଡି ଗଡି ଘୋରି ହୋଇ ଯିବ l 

ଲୁସି ନାନିକୁ ସ୍ବପ୍ନ ଦେଖିବା ମନା l ଭବିଷ୍ୟତ କଣ ସେ ଜାଣେନା l ସିଏ ବର୍ତମାନରେ ହିଁ ବଞ୍ଚେ l ସୂର୍ଯ୍ୟ ଉଇଁବା ସହ ତା କାମ ଆରମ୍ଭ ହୁଏ, ସମସ୍ତେ ଶୋଇଲା ପରେ ତା କାମ ସରେ l ସେଇଠି ବାସନ ମାଜେ, ସେଇଠି ରୋଷେଇ କରେ, ସମସ୍ତେ ଶୋଇଲା ପାରେ ସେଇଠି ଟିକିଏ ଆଡେଇ ଦେଇ ଶୋଇ ପଡ଼େ l ଶୀତଦିନେ ତାକୁ ଶୀତ ହୁଏନା କି ଖରାଦିନେ ଗରମ ହୁଏନା l 

ଲୁସି ନାନି ପଟେଲ ମଉସାଙ୍କ ସବୁ ଘର କାମ କରେ, ଘର ଓଳା ପୋଛା, ବାସନ ମଜା, ଲୁଗାସଫା, ରୋଷେଇ l ଲୁସି ନାନି ସବୁବେଳେ କାମ କରୁ ଥାଏ ସେଥିପାଇଁ ତା ଫ୍ରକର ତଳ ଅଂଶ ସବୁବେଳେ ଓଦା ଥାଏ l ହାତ ପୋଛି ପୋଛି ମଇଳା ହୋଇ କୋତରା ହୋଇ ଯାଇଥାଏ l ମୁଁ ତାକୁ ଫ୍ରକ ବଦଳେଇବାକୁ କହେ; ସିଏ ହସିବ, କହିବ ଫୁଣି ତ ଓଦା ହେବ l ହଉ, ତୋ କଥାକୁ, ରାତିରେ ଶୋଇଲା ବେଳେ ବଦଳେଇ ଦେବି l ମୁଁ ଖୁସି ହୋଇଯାଏ l

କିଛି ଦିନରେ କେବିନଟିଏ ତିଆରି ହେଲା l ଲୁସି ନାନି ସିଲେଇ ଦୋକାନଟିଏ ଆରମ୍ଭ କଲା l ସମସ୍ତେ ଆଶ୍ୱସ୍ତ ହେଲେ, ଲୁସି କିଛି କଲାଣି !ଏ ଭିତରେ ପଟେଲ ମଉସାଙ୍କ ବି ବଦଳି ହୋଇଗଲା, କ୍ଵାଟର ଛାଡି ସେମାନେ ଚାଲିଗଲେ, ଲୁସି ନାନି କିନ୍ତୁ ଗଲାନି l ସେଇ କେବିନରେ ରହିଗଲା l

ମୁଁ ସବୁଦିନ କଲେଜରୁ ଫେରିଲା ବେଳେ ତା ବାଟ ଦେଇ ଆସେ, ପଚାରେ ଖାଇଲୁଣି ? ଭାତ କରିଥିଲୁ, ଡାଲି ? ତରକାରୀ କଣ କରିଥିଲୁ ? ଲୁସି ଅପା ହସେ କହେ ଗୋଟିଏ ଗୋଟିଏ ପଚାର l ମୁଁ ଅଛି ତୁ ଅଛୁ କିଏ କଣ କୁଆଡେ ପଳାଉଛେ l ମୁଁ ଆଜି ପଖାଳ ଆଚାର ଖାଇଲି l ଅଧିକାଂଶ ଦିନ ସେ ପଖାଳ ଆଚାର ହିଁ ଖାଇଥାଏ l ଦିନେ ଦିନେ ମୋତେ ଚାରିଣୀ ଟିଏ ଦେଇ କହିବ "ଗଲୁ ନିମିକି ବିସ୍କୁଟ ଆଣିବୁ, ମୁଁ ଚା କରୁଛି ଖାଇବା l" ଚାରେଣାରେ ପାଞ୍ଚଟି ବିସ୍କୁଟ ଦିଏ, ଲୁସି ନାନି ମୋତେ ତିନିଟା ବିସ୍କୁଟ ନାଲି ଚା ସାଙ୍ଗେ ସେ ଖୁଏଇ ଦିଏ, ନିଜେ ଦିଟା ଖାଏ l ଶାଡୀ କାନିରେ ମୋ ମୁଁହ ପୋଛି ଦିଏ l ବୋଉ କାନି ଭଳିଆ ତା କାନି ବି ଭାରି ନରମ l 

ଫକୀର ବାବୁ ନିରାଙ୍କୁ ଦେଖେଇ ଦେଲେ "ଏଇଠି ଲୁସି ନାନି ରହେ l"

ଗାଡ଼ିରୁ ଓହ୍ଲେଇ ଆଗକୁ ଗଲେ l କବିନରୁ ପଟା ଖଣ୍ଡ ଖଣ୍ଡ ହୋଇ ବାହାରି ଗଲାଣି l ଛାତରୁ ଫାଳେ ନାହିଁ l କେତେବେଳେ ଗୋଟା କେବିନ ଗଳି ପଡିବ l କେମିତି ରହୁଛି ଏଠି ଲୁସି ନାନି l 

କେବିନ ପଛ ପଟେ ଛୋଟିଆ ଆଜବେଷ୍ଟ ଘରଟିଏ l ଲୁସି ନାନିକୁ ସରକାର ଜାଗା ଖଣ୍ଡକ ଦେଇଛନ୍ତି ବୋଲି ବାପା କହୁଥିଲେ l ଲୁସି ନାନି ବୋଧେ ଘର କରି ରହୁଛି l ଫକୀର ବାବୁ କବାଟ ଠକ ଠକ କଲେ l କବାଟ ଖୋଲିଲା, ପଚାରିଲେ "ଲୁସି ନାନି ? ତମେ ମନେ କିଏ ? "

"ନାନିଙ୍କ ଦେହ ଭଲ ନାହିଁ l ଶେଷ ସମୟ ଆସିଲାଣି l ହସ୍ପିଟାଲରେ l ମୋ ସ୍ବାମୀ ତାଙ୍କ ପାଖରେ ଅଛନ୍ତି l ଆମେ ମାନେ ଘରକରି ଏଠି ଅଛୁ l ଆପଣ ଫକୀର ବାବୁ ?"

ହଁ, କହି ହସ୍ପିଟାଲ ବାହାରି ଗଲେ ଫକୀର ବାବୁ l ଲୁସି ନାନିକୁ ଚିହ୍ନି ହଉ ନାହିଁ l ବାଡ଼ି ଦିଖଣ୍ଡ ହୋଇ ପଡିଛି l ଲୁସି ନାନି କିନ୍ତୁ ଚିହ୍ନିଲା l ଠାରିକି ବସିବାକୁ କହିଲା l ସିଏ କଣ କହୁଛି କିଛି ଶୁଭୁ ନଥାଏ କି ବୁଝି ହେଉ ନ ଥାଏ l ପାଟିଟା କେବଳ ପାକୁ ପାକୁ ହଉଥାଏ, ବାହାରୁଥିବା ଶବ୍ଦ ସବୁ ପବନରେ ମିଳେଇ ଯାଉଥାନ୍ତି l ପିଲାଟି ଅଛି, ଯିଏ ତା କଥା ବୁଝି ପାରୁଛି l ଫକୀର ବାବୁ ନିରାଙ୍କୁ ଓ ପୁଅଝିଅଙ୍କୁ ଚିହ୍ନେଇ ଦେଲେ l ଲୁସି ନାନି ପିଲାଟିକୁ ଡାକି କାନରେ କଣ କହିଲା l ପିଲାଟି ଫକୀର ବାବୁଙ୍କୁ ଅପେକ୍ଷା କରିବାକୁ କହି ଘରକୁ ଦଉଡିଯାଇ କେରି ବେଗଟିଏ ଆଣି ଧରେଇ ଦେଲା l 

ଫକୀର ବାବୁ ଦେଖିଲେ ବେଗ ଭିତରେ ବାହା ଘର କାର୍ଡଟିଏ, କାଗଜ ଖଣ୍ଡେ, ଗହଣା ଡିବାଟିଏ ଓ କିଛି ଟଙ୍କା ଥିଲା l ପଚାରିଲେ ଇଏ କଣ ? 

ବାହାଘର କାର୍ଡଟିକୁ କାଢ଼ିଲେ, ତାଙ୍କରି ବାହାଘର କାର୍ଡ, ନିରାଙ୍କୁ ବଢ଼େଇ ଦେଇ କହିଲେ ମୁଁ ନାନିକୁ ଡାକିବାକୁ ଆସିଥିଲି l ସିଏ ନ ଥିଲା l ଅପେକ୍ଷା କାଲି l ବସ ଟାଇମ ହେଲାରୁ କଣା ବାଟେ କାର୍ଡ ଗଳେଇ ଦେଇଯାଇଥିଲି l ଲୁସି ନାନି ଆଜି ଯାଏଁ କାର୍ଡଟିକୁ ସାଇତି ରଖିଚି l 

ଲୁସି ନାନି ନିରାଙ୍କୁ ଅନେଇ ପାକୁଆ ପାଟିରେ ହସୁଥାଏ l ନିରା ମୋତେ କହିଲେ ତମେ ନାନୀଙ୍କୁ ସାଙ୍ଗରେ ନେଇ ଯିବାର ଥିଲା l କାର୍ଡ କାହିଁକି ଦେଉଥିଲ, ସିଏ କେମିତି ଯାଇଥାନ୍ତେ l କାର୍ଡ ଭିତରେ ଆମ ଦି ଜଣଙ୍କ ଫୋଟୋଟିଏ ଥିଲା l ନିରାଙ୍କୁ ଦେଖିବାକୁ କହିଲା l ପୁଅଝିଅ, ନିରା ସମସ୍ତେ ଖୁସି ହୋଇ ଦେଖୁଥିଲେ l ଲୁସି ନାନି ଫୋଟୋଟି ମାଗିଲା, ପାଖରେ ରଖିଲା l 

ମୋତେ ଠାରିକି କହିଲା, ଆଉ ଦେଖ, ମୁଁ ପଟ୍ଟା ଟିଏ କାଢ଼ିଲି l ପିଲାଟିକୁ ଡାକି କାନରେ କଣ କହିଲା l ପିଲାଟି ଆମକୁ କହିଲା, ନାନି କହୁଚନ୍ତି, ଆପଣଙ୍କ ବାପା ଜାଗାଟି କରେଇ ଦେଇଥିଲେ l ତାରି ପଟ୍ଟା l ନିଅନ୍ତୁ, ଯାହା କରିବେ l 

ଫକୀର ବାବୁ କଣ କରିବେ ବୁଝି ପାରୁ ନ ଥିଲେ l ପିଲାଟି ତ ଲୁସି ନାନି କଥା ବୁଝୁଛି, ଜାଗା ଉପରେ ଘରଟିଏ ବି କରି ରହୁଛି l ଲୁସି ନାନି ତାଙ୍କୁ କାହିଁକି ଦେଉଛି l କିଛି ବିଚାର ନ କରି ପାରି ନିରାଙ୍କୁ ଅନେଇଲେ l ନିରା ମତ ଦେଲେ ପିଲାଟି ସବୁ କରୁଛି, ଭଲରେ ବି ରଖିଛି, ତା ଛଡା ନାନି ତାକୁ ଘର କରିବାକୁ କହିଥିବେ, ଜାଗାଟି ଉପରେ ତାର ହକ ଆସୁଛି, ପଟ୍ଟା ସିଏ ହିଁ ରଖିବା ଉଚିତ l ଲୁସି ନାନିକୁ ବୁଝେଇ ପିଲାଟିକୁ ପଟ୍ଟା ଖଣ୍ଡିକ ଦେଇ କହିଲେ ନାନି ପରେ ତମ ନାଁ କୁ ପଟ୍ଟା କରିନେବ ବାବୁ l ଦରକାର ପଡିଲେ ମୋତେ ଖବର ଦେବ l

କେରି ବେଗ ଭିତରୁ ନୋଟ ଗୁଡିକୁ କାଢ଼ିଲେ ଫକୀର ବାବୁ l ଲୁସି ନାନି ପିଲାଙ୍କ ପାଇଁ ବୋଲି କହିଲା ଓ ଗହଣା ଡବାଟିକୁ ନିରାଙ୍କୁ ଦେବାକୁ କହିଲା l ପିଲାଟିକୁ ଡାକି କାନରେ ଫୁସ ଫୁସ ହେଲା l ପିଲାଟି କହିଲା ନାନି କହୁଛନ୍ତି ବୋହୂ ପାଇଁ ତିଆରି କରିଥିଲେ, ପିନ୍ଧିବାକୁ ଅନୁରୋଧ କରୁଛନ୍ତି l ନିରା ଡେରି ନକରି କାନ ଫୁଲ ପିନ୍ଧିଲେ l 

ଲୁସି ନାନି ମୁହଁରେ ତୃପ୍ତିର ହସ ଧରେ ଦେଖିଲେ ଫକୀର ବାବୁ l ସେମିତି ହସ ଲୁସି ନାନି କେବେ ହସି ନଥିଲା l ଯେମିତି ୟା ପରେ ଆଉ ଲୁସି ନାନିର ହସିବାର ନାହିଁ, ବାକି ସବୁ ତୁଛ l 

ଫୋଟଟି କାଢିଲା, ମୋତେ ପାଖକୁ ଡାକି ଫ୍ରକର ତଳ ଅଂଶରେ ଓଦା, ମଇଳା କୋତରା ଚିହ୍ନ ଦେଖେଇ ମୋ ଗାଲ ଦିଟାକୁ ଚିପି ଥପ କି ହାତ ଦିଟା ତଳେ ପକେଇ ଦେଲା l 

ମୁଁ ଡାକିଲି, ଲୁସି ନାନି, ଲୁସି ନାନି ଶୁଣ... ଲୁସି ନାନି ଆଉ ଶୁଣିବାକୁ ନ ଥିଲା l ମୋର ମନେ ପଡିଗଲା ତାର କଥା ପଦକ "...ଯାଉଛୁ, ଯା, ମଝିରେ ଆସିବୁନି, ବାହାହେବୁ, ପିଲା ପିଲି ହେବେ, ତୋ ପୁରା ପଲଟନ ନେଇ ଆସିବୁ, ତମକୁ ମୁଁ ଦେଖିବି, ଖୁସି ହେବି, ମରିଯିବି l" 

ନିରା କହିଲେ ତମେ ନାନୀଙ୍କ ବଞ୍ଚିବାର ବାହାନା ଥିଲ l ପୁଅ ଭଳି ଭଲ ପାଉଥିଲେ ସେ ତମକୁ l ଅପାର ଶକ୍ତି ଥିଲା ତାଙ୍କ ହୃଦୟର ଆବେଗରେ l ଅନେକ ଥରେ ଟାଣି ହୋଇ ଆସିଛ ତମେ ତାଙ୍କ ପାଖକୁ କିନ୍ତୁ ଖାମଖିଆଲି ମନୋଭାବ ଯୋଗୁ ବିଶ୍ଳେଷଣ କରିନ କି ତାଙ୍କୁ ମାଆର ଦର୍ଜା ଦେଇପାରିନ l

ଫକୀର ବାବୁ ଆଖି ବୁଜି କିଛି ସମୟ ଛିଡା ହେଲେ l ଆଖି ଆଗରେ ଭାସି ଯାଉଥିଲା ଲୁସି ନାନିର ହସ ହସ ମୁହଁଟା l ମନେ ମନେ ଭାବିଲେ ନିରା ବୋଧ ହୁଏ ଠିକ କହୁଛନ୍ତି ନ ହେଲେ ତାଙ୍କର ଆଜି ଆସିବାର ପ୍ରୟୋଜନ କ'ଣ ଥିଲା l 

ହାତ ଯୋଡି କ୍ଷମା ମାଗିଲେ "ତୋ ନିଷ୍କାମ ଭଲପାଇବାକୁ ମୁଁ ବୁଝିପାରିଲିନି ଲୁସି ନାନି l"



Rate this content
Log in

Similar oriya story from Tragedy