Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ତୁଷାର କାନ୍ତି ମହାନ୍ତି

Tragedy

4  

ତୁଷାର କାନ୍ତି ମହାନ୍ତି

Tragedy

ସମଲିଆରୁ ଅନତି ଦୂରରେ

ସମଲିଆରୁ ଅନତି ଦୂରରେ

5 mins
14



(ପିଲାଟିର ନୁଖୁରା ମୁଣ୍ଡ, ନେନ୍ଦେରା ଲଗା ଆଖି ସହ ପିଠି ଖୋଲା କାନ୍ଧରୁ ଖସିଯାଉଥିବା କୋତରା ଜାମା ଆଖି ଆଗରେ ନାଚି ଯାଉଥିଲା l ମନେ ମନେ ଭାବୁଥିଲେ ସୋମାଲିଆ ଶିଶୁ କଙ୍କାଳ ଚିତ୍ର ଏବଂ ଝିଅଟିର ଆପଲ ଚୋପା ଖାଇବା ଦୃଶ୍ୟ ମଧ୍ୟରେ ଫରକ ବା ଆଉ କେତେ !)


"ଝୁଡିରୁ ସେଓ ତକ ନେଇ ଚୋପା ଛଡେଇଲୁ......"

କାମବାଲିକୁ ଆପଲରୁ ଶିଘ୍ର ଶିଘ୍ର ଚୋପା ଛଡେଇବା ପଇଁ ବରାଦ କରୁ କରୁ ଗ୍ରାଇଣ୍ଡରଟା ସଜ କରି ଦେଲେ ନିରା; ଜୁସ କଢ଼ା ହେଲେ ନାତୁଣୀ ପିଇକି ସ୍କୁଲ ଯିବ l

"ଉଠରେ ଉଠରେ", ଡାକି ଡାକି ସେ ନୟାନ୍ତ ହେଲେଣି, ସକାଳ ଆସି ଆଠୁଟା ବାଜିଲାଣି; ମା ଝିଅ ଫାଂ ଗାଳି ଶୋଇଛନ୍ତି l ଏପଟେ ବିରକ୍ତ ହେଉଥାନ୍ତି, ଫୁଣି ଛୁଆଟା ଦିଟା ପେଟରେ ପକେଇ ସ୍କୁଲକୁ କେମିତି ଯିବ ସେଥିପାଇଁ ନିତି ଦିନିଆ କାମ ବି ଆଗେଇ ନେଉଥାନ୍ତି l

ଡ୍ରଇଂ ରୁମରେ ବସି ଖବର କାଗଜ ପଢୁଥିଲେ ଫକୀର ବାବୁ l ସିଏ ବା କେମିତି ବାଦ ପଡିବେ, ତାଙ୍କରି ପାଖରୁ ତ ସବୁ କିଛିର ଆରମ୍ଭ ଓ ଶେଷ l ନିରା ବିରକ୍ତ ହୋଇ କହିଲେ "ତମେ ହିଁ ଛୁଆଙ୍କୁ ମୁହଁ ଦେଇଛ, ଯାବତିୟ ବଦଭ୍ୟାସ କରେଇଛ, କଣ ନା ଶୋଉ, ଶୋଉ, ଆଉ ଟିକିଏ ଶୋଉ, ଶୋଇଲେ ବ୍ରେନ ପାୱାର ବଢିବ l ଆହା ! ବୁଦ୍ଧିମତୀ କନ୍ୟା ରତ୍ନକୁ ଦେଖ ! ବହକାଲିଆ ଝିଅ, ତା ଦେଖା ଦେଖି ମେଞ୍ଚଡ଼ ଟୋକି ଖଣ୍ଡକ ବି ନଷ୍ଟ ହଉଛି l

ସେଠି କଣ ଚୋରଙ୍କ ଭଳିଆ ଲୁଚିକି ବସିଚ କହିଲ; ଡାକି ଡାକି ମୋ ତଣ୍ଟି ପଡ଼ିଗଲାଣି, ତମେ ଟିକିଏ ଡାକୁନ, ଛୁଆ ଟିକିଏ ସକାଳୁ ଉଠନ୍ତୁ l ଆଜି ସିନା ଏଠି ଆମେ ଅଛେ, କାଲିକି ତା ନିଜ ଘରକୁ ଗଲେ କଣ କରିବ !" ନିରା ଫକୀର ବାବୁଙ୍କ ଉଦ୍ଦେଶ୍ୟରେ କହୁଥାନ୍ତି l

"ଆମେ ବାବା ଏମିତି ବଢିନୁ, ସକାଳ ସାତଟା ବେଳକୁ ପଢା ଟେବୁଲରେ ନ ଥିଲେ, ମା ଛାଟରେ ନାଛି ଦଉଥିଲେ l ଏ ଗୁଡା, କଣ କହିବ, ଆଠୁଟା ବାଜିଲାଣି ଶେଯ ଛାଡି ନାହାନ୍ତି l ବସ ହ୍ରନ ମାରିଲେ ବିଛଣା ଛାଡ଼ିବେ, ଗାଧୁଆ ପାଧୁଆ ତ ଦୁରକଥା, ଅଧୁଆ ମୁହଁ ଅଗସା ପାଟିରେ ସ୍କୁଲ ଦୌଡ଼ିବେ l କଷ୍ଟ କରି ଜଳଖିଆ ତିଆରି କରି ଥିବ, ସବୁ ନଷ୍ଟ ହେବ; ସବୁ ଗୋଟେ ଗୋଟେ ନବାବଙ୍କ ନାତୁଣୀ l"

କାମବାଲୀ ଆପଲରୁ ଚୋପା ଛଡ଼ଉ ଥାଏ, ତାର ଚାରି ପାଞ୍ଚ ବର୍ଷର ଝିଅଟି ସାମ୍ନାରେ ବସି ଲୋଭାତୁର ଆଖିରେ ଆପଲ ଗୁଡିକୁ ଅନେଇ ଥାଏ l ଛୋଟ ପିଲା, ବସି ରହିବାକୁ ଭଲ ଲାଗୁନି, ମନ ଅସ୍ଥିର ହେଲାଣି, ଯିବା ପଇଁ ବି ବ୍ୟସ୍ତ କରୁଥାଏ l ପିଲାଟିର ମନ ଭୁଲେଇବାକୁ କାମବାଲୀ ତାକୁ ବୁଝାଉ ଥାଏ, "ଏଇଟା ଆପେଲ l ଏ ଫର ଆପେଲ l ଆପେଲରୁ ଚୋପା ଛଡା ହେଲେ ମା ଗ୍ରାଇଣ୍ଡରରେ ଘୋରିବେ, କ୍ଷୀର ପକେଇବେ ଚିନି ପକେଇବେ ଫୁଣି ରସ କାଢ଼ିକି ରଖିବେ; ଦିଦି ପିଇକି ସ୍କୁଲ ଯିବେ l ରହ, ଆଉ ଅଳ୍ପ ବାକି ଅଛି, ସରି ଯିବ, ଆମେ ଯିବା l"

ଫକୀର ବାବୁ ଦେଖିଲେ ଆଠୁଟା ପନ୍ଦର ହେଲାଣି l ସ୍କୁଲ ଟାଇମ ହୋଇ ଯାଉଛି l ଠିକ ସାଢେ ଆଠରେ ସ୍କୁଲ ବସ ହର୍ଣ୍ଣ୍ ବଜେଇବ, ମା ଝିଅ ଉଠି ନାହାନ୍ତି l ପିଲାଙ୍କୁ ଉଠେଇଦେବା ଉଚିତ ମନେକରି ଟିକିଏ ଜୋର ଦେଇ ଡାକିଲେ l ମାଆ ଝୁଅ ଉଠିବାରୁ କହିଲେ "ଶିଘ୍ର ଶିଘ୍ର ଦାନ୍ତ ଘଷି ଟିଫିନ ଖାଇଦିଅ, ଆଠୁଟା ପନ୍ଦର ହେଲାଣି l"

"ହାତ ଫୁର୍ତ୍ତି କରୁନୁ ଟିକିଏ, ଛୁଆଟା ଅଖିଆ ପଳେଇବ ବା l" ନାତୁଣୀ ଉଠିବାର ଦେଖି ନିରା ଶୀଘ୍ର ଶିଘ୍ର କାମ ସାରିବାକୁ କାମବାଲୀକୁ ତାଗିଦ କଲେ l

"ହଁ ମା ! ହେଇ ସଇଲା l ଆଉ ଦିଟା ଅଛି l"

କିଛିଟା ସେଓ ଗ୍ରାଇଣ୍ଡ କରିଦେଲେ ଯାଏ କହି ନିରା ଝୁଡିରୁ କେଇଟା ସେଓ ନେଇ ଦେଖନ୍ତି, ଚୋପା ଛଡାଉ ଛଡାଉ ଭଲ ରକମ କାଟି ଉଡେଇ ଦେଇଚି କାମବାଲି l ବିରକ୍ତ ହେଲେ l ତତେ ସବୁବେଳେ କହେ ସାଙ୍ଗରେ ଝିଅକୁ ଆଣିବୁନି l ପିଲା ଲୋକ, ସିଏ କଣ ଜାଣେ, ଚୁପ ହୋଇ କଣ ବସି ପାରିବ ଯେ ଜଣେ କାମ କରିବ, ନିଶ୍ଚୟ ବ୍ୟସ୍ତ ହେବ l ହଇଲୋ ! ତତେ ହାତ ଫୁର୍ତ୍ତି କର କହିଲି ମାନେ କଣ ଏମିତି ଫାଳେ ଫାଳେ କାଟି ଉଡେଇ ଦେବୁ ନା କଣ, ଦେଖିଲୁ କେତେ ନଷ୍ଟ କରିଛୁ l

ନିରାଙ୍କ କଥା ଶୁଣି କାମବାଲୀ ମୁଣ୍ଡ ତଳକୁ କରି ଛିଡା ହୋଇଥାଏ l ମା କୁ ଅପଦସ୍ତ ଅବସ୍ଥାରେ ଦେଖି ପିଲାଟି ବି କାକୁସ୍ଥ ହୋଇ ଛିଡା ହୋଇଥାଏ l ବେଶି କଥାବାର୍ତ୍ତା ନ କରି ନିରା କାମବାଲିକୁ ବିଦା କରିବାକୁ ଯାଇ କହିଲେ, "ହଉ ଯା, ଆଜି କାହିଁକି ଝିଅ ସ୍କୁଲ ଯାଇନି, ତା ବାପା କୁଆଡେ ଗଲା କି, ଝିଅ ପିଲା, ଏକୁଟିଆ ଛାଡିକି ଆସିବୁନି, ସାଙ୍ଗରେ ଝିଅକୁ ନେଇ ଆସିବୁ, ଝିଅ ଛୁଆଟେ କୋଉଠି ଛାଡ଼ିବୁ ଯେ; ହେଲେ ସମସ୍ତଙ୍କ ଘରେ ଝିଅକୁ ବାହାରେ ବସାଉ ଆମ ଘରେ କାହିଁକି ଭିତରକୁ ନେଇଆସୁ ? "

କାମବାଲିର ଉତ୍ତରକୁ ଅପେକ୍ଷା ନ କରି ନିରା ଝିଅ ଶୁଣିପାରିଲା ଭଳି କହିଲେ "ମାମା, ଡ଼ାଇନିଙ୍ଗ ଟବୁଲ ଉପରେ ଟିଫିନ ବକ୍ସ ରେଡି କରିଛି ମନେ କରି ଝିଅ ବେଗରେ ଦେବୁ, ଜୁସ କରି ଦେଇଛି ପିଏକି ଛାଡ଼ିବୁ, ମୋର ଯୋଗ ସମୟ ଗଡିଯାଉଛି, ମୁଁ ବସିଲିl" ପ୍ରାଣାୟାମ ଆସନରେ ବସିପଡ଼ିଲେ ନିରା l ମଉକା ଦେଖି କାମବାଲି ଖଣ୍ଡେ ଖବର କାଗଜରେ ଚୋପା ତକ ଗୋଟେଇ ହସି ହସି ଚାଲି ଗଲା l

ଫକୀର ବାବୁ ବେଗ ଖଣ୍ଡେ ଧରି ଗେଟ ପାଖରେ ଅପେକ୍ଷା କରୁଥାନ୍ତି ସ୍କୁଲ ବସ ହ୍ରନ ଦେଲା l ନାତୁଣୀ ଜୁସ ଗ୍ଲାସଟା ଠକ କରି ଥୋଇ ଦେଇ କହିଲା "ମମି ମୁଁ ଯାଉଛି" ଓ ଦେଖୁ ଦେଖୁ ଗେଟ ପାଖରେ ହାଜର l ଫକୀର ବାବୁ ନାତୁଣୀକୁ ବସରେ ଚଢ଼େଇଲେ ଓ ସବୁଦିନ ଭଳି ପରିବା ପଇଁ ବାହାରି ଗଲେ l

ଫେରୁଥାନ୍ତି, ଟାଇଁ ଟାଇଁ ଖରା ସାଙ୍ଗକୁ ପରିବା ବେଗ ଓଜନ, ଗମ ଗମ ଝାଳ ବୋହି ଯାଉଥାଏ; ଫକୀର ବାବୁ ରାସ୍ତା କଡ଼ ନିମ ଗଛ ଛାଇରେ ଅଟକିଲେ l ପରିବା ବେଗଟା ଥୋଇ ଦେଇ ଦୀର୍ଘଶ୍ବାସଟିଏ ନେଇ ଆଖି ବୁଲେଇ ଦେଖନ୍ତି କାମବାଲିର ଝିଅ ଗୋଟିଏ ଇଟା ଉପରେ ବସିଛି ଓ କାମବାଲୀ ତାଙ୍କ ଘରୁ ଖବର କାଗଜରେ ଆଣିଥିବା ଆପଲ ଚୋପା ଆନନ୍ଦରେ ଖାଉଛି l

ଫକୀର ବାବୁ ଝିଅଟିକୁ ଅନେଇ ଥାନ୍ତି, ଗୋଟିଏ ପରେ ଗୋଟିଏ ଚୋପା ସେ ପାଟିରେ ପକେଇ ଚାଲିଛି l ଯୋଉ ଚପାଟି ଟିକିଏ ମୋଟା, ଉପରକୁ ଟେକି ଦେଖୁଛି, ଗୁଣୁ ଗୁଣୁ ହୋଇ କଣ କହୁଛି ଫୁଣି ଖାଉଛି l ମନଟା ତାର ଖୁସିରେ ଉତ୍ଫୁଲ l

ପିଲାଟିର ଉତ୍ଫୁଲ ମନ ଦେଖି ଫକୀର ବାବୁଙ୍କୁ ଯେତିକି ଖୁସି ନ ଲାଗିଲା, ତାଠୁ ଢେର ଅଧିକ ମନଟା ଓଜନିଆ ଲାଗିଲା l ଘରକୁ ଫେରି ଆସିଲେ l ପରିବା ବେଗ ଥୋଉ ଥୋଉ ଦେଖନ୍ତି ଅଧ ଗ୍ଲାସ ଜୁସ ନାତୁଣୀ ନ ପିଇ ଛାଡି ଯାଇଛି l ମନେ ମନେ ହସିଲେ, ଗ୍ଲାସଟିକୁ ନେଇ ଫ୍ରିଜରେ ରଖି ଡ୍ରଇଂ ରୁମକୁ ଫେରି ଆସିଲେ ଓ ଖବର କାଗଜ ନେଇ ବସି ପଡିଲେ l

କଥାଟି ଫକୀର ବାବୁଙ୍କ ମନରେ ବାରମ୍ବାର ଉଙ୍କି ମାରୁ ଥିଲା l ପିଲାଟିର ନୁଖୁରା ମୁଣ୍ଡ, ନେନ୍ଦେରା ଲଗା ଆଖି ସାହ ପିଠି ଖୋଲା କାନ୍ଧରୁ ଖସିଯାଉଥିବା କୋତରା ଜାମା ଆଖି ଆଗରେ ନାଚି ଯାଉଥିଲା l ମନେ ମନେ ଭାବୁଥିଲେ ସୋମାଲିଆ ଶିଶୁ କଙ୍କାଳ ଚିତ୍ର ଏବଂ ଝିଅଟିର ଆପଲ ଚୋପା ଖାଇବା ଦୃଶ୍ୟ ମଧ୍ୟରେ ଫରକ ବା ଆଉ କେତେ !

ସେପଟୁ ନିରା କହିଲେ "ପରିବା ଗଦେଇ ଦେଇ କୋଉଠି ବସିଲ, ଆସୁନ ଦିଟା କାଟି ଦେଇ ଯିବ l"

ଫକୀର ବାବୁ ଉଠିଗଲେ l ନିରା ଓ ଝିଅକୁ ଡାକି ଦେଖିଥିବା କଥା କହିଲେ l ସମସ୍ତେ ଚୁପ .........

କିଛି ସମୟ ପରେ ନୀରବତା ଭାଙ୍ଗି ନିରା କହିଲେ "ମା ତା ଛୁଆ ପେଟରେ ଦାନା ଦେବାପାଇଁ କଛି ବି କରି ପାରେ l ଭିକ ମାଗି ପରେ, ବୁଦ୍ଧି ଖଟେଇ ରୋଜଗାର କରି ପାରେ, ଚୋରି କରି ପାରେ ବା ଅନ୍ୟକୁ ଠକି ପାରେ ଏମିତିକି ଦରକାର ପଡିଲେ ହିଂସ୍ର ବାଘୁଣୀ ବି ହୋଇ ପାରେ l ତାକୁ ଦୋଷ ଦେବା ପୂର୍ବରୁ ତା ପରିସ୍ଥିତିରେ ନିଜକୁ ରଖି ଦେଖିବା ଉଚିତ l ଆଜି ସେ ଆସୁ ତା କଥା ମୁଁ ବୁଝୁଛି l

          ******



Rate this content
Log in

More oriya story from ତୁଷାର କାନ୍ତି ମହାନ୍ତି

Similar oriya story from Tragedy