Pradeep Kumar Panda

Abstract Classics Inspirational

3  

Pradeep Kumar Panda

Abstract Classics Inspirational

ସାଲବେଗ

ସାଲବେଗ

3 mins
124


ଗତ ରବିବାର ଦିନ ମୋର ଅତି ଅନ୍ତରଙ୍ଗବନ୍ଧୁଙ୍କର ବିବାହରେ ଯୋଗ ଦେବାକୁ ଟ୍ରେନରେ ପୁରୀ ଯାଉଥିଲି। ଟ୍ରେନ ଡେଲାଙ୍ଗ ଷ୍ଟେସନ୍ ହେଲା ବେଳକୁ ମୋ ସାମ୍ନାରେ ଜଣେ ବୟସ୍କ ବ୍ୟକ୍ତି ଆସି ବସିଲେ,ମୁଁ ଝରକା ପାଖ ସିଟରେ ବସିଥିବାରୁ ସେ ବସିଲା ବେଳକୁ ତାଙ୍କ ଗୋଡ ମୋ ଗୋଡ଼ରେ ସାମାନ୍ୟ ବାଜିଗଲା ,ଆଉ ସେ ତାଙ୍କ ଡାହାଣ ହାତର ତର୍ଜନୀକୁ ମଥାରେ ଛୁଇଁ ବିଷ୍ଣୁ ବୋଲି କହି ଛାତିରେ ଲଗାଇଲେ,ହଠାତ ମୁଁ ଆଶ୍ଚର୍ଯ୍ୟ ହୋଇ ସେ ବ୍ୟକ୍ତିଙ୍କୁ ଚାହିଁରହିଥାଏ । ଆପଣ ଭାବୁଥିବେ ଏ ତ ଏକ ସାଧାରଣ କଥା ,ଏଥିରେ ଆଶ୍ଚର୍ଯ୍ୟ କଣ ପାଇଁ ?

  ପ୍ରକୃତରେ ସେ ବ୍ୟକ୍ତି ଜଣକ ଗୋଟେ ନୀଳଲୁଙ୍ଗିକୁ ଅଣ୍ଟାରେ ପିନ୍ଧିବା ସହ ତାଙ୍କର ଛାତି ପର୍ଯ୍ୟନ୍ତ ଛୁଉଁଥିବା ନିଶ ନଥିବା ଧଳା ଦାଢ଼ି ଆଉ ବେକରେ କଳାଫିତା ଦୁଇ ସରିକି ଧାରଣ କରିଥିଲେ, ଜଣେ ମୁସଲମାନ ବ୍ୟକ୍ତିଙ୍କର ବାହ୍ୟ ବେଶ ପରିପାଟି ଯେପରି ସେ ଲୋକ ଠିକ ସେପରି ସଚ୍ଚା ମୁସଲମାନ ପରି ଦିଶୁଥିଲେ , ହେଲେ ଏ ମୁସଲମାନ ହୋଇ ଗୋଡ଼ ବାଜିଲାରୁ ବିଷ୍ଣୁ କହିବା ବଡ଼ ବିସ୍ମୟ ଲାଗିଥିଲା ମୋ ମନକୁ।

ଆଉ ତାଙ୍କ ବିଷୟରେ ଅଧିକ ନ ଭାବି ମୁଁ କାନରେ ଇଅର ଫୋନଟାକୁ ଲଗେଇ ଶୁଣୁଥିଲି ସାଲବେଗ ଭଜନ ,ଜଗବନ୍ଧୁ ହେ ଗୋସାଇଁ ମୋ ଆଖିକୁ ଆହୁରି ଅବିଶ୍ୱାସରେ ଭରିଦେଲା ଯେତେବେଳେ ଟ୍ରେନଲାଇନ ପାଖରେ ଯେତେଟି ମନ୍ଦିର ପଡୁଥାଏ , ସେ ସବୁଠି ମୁଣ୍ଡ ନୁଆଇଁ ପ୍ରଣାମ କରୁଥାନ୍ତି ,ଆଉ ଟ୍ରେନ ଟା ସାକ୍ଷୀଗୋପାଳ ଲେବଲକ୍ରସିଂ ଡେଇଁଲା ବେଳକୁ ଗୋପୀନାଥଙ୍କ ମନ୍ଦିର ଯେଉଁ ଦିଗରେ ଅଛି ସେ ପଟକୁ ମୁଣ୍ଡିଆ ମାରିଲା ଭଳି ୨ମିନିଟ ଆଖି ବନ୍ଦ କରି ରହିଲେ।ଏ ସବୁ ଦେଖିଲା ପରେ ମୁଁ ଆଉ ନିଜକୁ ରୋକି ପାରିଲିନି ଆଉ ମୋ ତରଫରୁ ତାଙ୍କ ସହିତ କଥା ହେବାକୁ ବଡ଼ ବ୍ୟାକୁଳ ହୋଇ ପଚାରିଲି - ଏ ଗାଡି ପୁରୀରେ କେତେବେଳେ ପହଞ୍ଚିବ ? ଯଦିଓ ମୁଁ ସକାଳ କେ. ପି ଗାଡିର ଟାଇମ ଟେବୁଲ ଜାଣିଥାଏ ,କେବଳ କଥା ଆରମ୍ଭ କରିବାକୁ ଏ ବାହାନା

ସେ ହସିକି କହିଲେ - ୯ଟା ଭିତରେ ଗାଡ଼ି ପୁରସ୍ତମରେ ପହଂଚିଯିବ ।

ପୁରସ୍ତମ ଶୁଣି ମୋର ଉତ୍କଣ୍ଠା ଆହୁରି ବଢ଼ିଗଲା।ପଚାରିଲି- ଆପଣଙ୍କ ଘର ?

ଡେଲାଙ୍ଗ କୋଟଗଡ ,ସେ କହିଲେ ମୁଁ ନିଇତି କ୍ଷେତ୍ର ଯାଏ ବାବୁ !ସେଠି ମଟନ ବେପାର ,ପୁରୀର ସବୁ ବଡ଼ ବଡ଼ ହୋଟେଲକୁ ଖାସି ମାଂସ ଯୋଗାଏ, ମୋର ଜେଜେ ଅମଳର ବେଉସା।

ସେତେବେଳକୁ ମୁଁ ମଧ୍ୟ ବିସ୍ମୟର ପ୍ରହେଳିକା ଭିତରେ ପଡ଼ିଗଲି ,ଏଣେ ମୁସଲମାନ ;ଆମ ମନ୍ଦିର ଦେଖି ଦଣ୍ଡବତ ମୁଣ୍ଡିଆ ,ତେଣେ ମଟନ ବେପାର ,ଏ ବ୍ୟକ୍ତିର ଜୀବନ ତ୍ରିଭୁଜର ଏ ତିନିବିନ୍ଦୁକୁ ଯୋଡି ପାରୁ ନଥାଏ ,ମୋ ମୁହଁରେ ଏ ଅସହଜତାକୁ ବୋଧେ ସେ ବୁଝି ତାଙ୍କ ଆଡୁ କହିଲେ -

ବାବୁ! ମୁଁ ସାଲବେଗ ଜାତିର ,ପଠାଣ କି ହିନ୍ଦୁ ନୁହଁ ।ମୁଁ ହେତୁ ପାଇଲା ଦିନୁ ଆଇଁଷ ଛୁଇଁନି, ହଁ ଯେଣୁ କୁଳ ବେଉସା; ତେଣୁ ବାପାଙ୍କ କଥା ଆଦରି କରିଚାଲିଛି ।କାଇଁ ଆମ ମହାପୁରୁଙ୍କ ପରମ ଭକ୍ତ ସଦନ କଂସେଇ କଣ କରୁଥିଲା କି? ବାବୁ ! ଏ ମାଂସ ବେପାରର ବାହାନାରେ ନିଇତି ପୁରସ୍ତମ କ୍ଷେତ୍ରରେ ମୋ ପାଦ ପଡିଯାଉଛି ।

ଟିକିଏ ଆଗରୁ ଯାହା ଭାବୁଥିଲି ଏ ଲୋକ ତ ତା ଠୁ ବଳି ଅଦ୍ଭୂତ, ପଚାରିଲି ଆପଣ କଣ ଜଗନ୍ନାଥଙ୍କୁ ମାନନ୍ତି?

ସେ ମତେ ଢ଼ିମା ଢ଼ିମା ଆଖିରେ ତରାଟିକି ଚାହିଁଲେ ।ସତେ ଅବା କେଡେ ବଡ଼ ଦୋଷ ମୋର ଏ ପ୍ରଶ୍ନରେ ରହିଯାଇଛି ?

 ସେ କହିଲେ-ଜଗତର ନାଥ ପରା ,ମୁଁ କଣ ଜଗତରୁ ବାହାରେ ? ସେ ତମ ନାଥ ,ମୋ ନାଥ ଆଉ ଏ ସାରା ଜଗତର ନାଥ-କାଷ୍ଠ ପାଷାଣ ତରୁ ତୃଣ ,ସବୁଠି ବିଜେ ନାରାୟଣ ।ବାବୁ !ମୁଁ ନିଇତି ଯାଇ ବଡଦାଣ୍ଡରେ ନୀଳଚକ୍ର ଦର୍ଶନ କରି ସିଂହଦୁଆରରେ ହାଜିରା ଦିଏ-ଆସିଗଲି ସାଆନ୍ତେ ! ଗୁମୁଟରୁ ପତିତପାବନଙ୍କୁ ନିରିଖେଇ ଦେଖେ ,ମୋ ଚିହ୍ନା ପଣ୍ଡା ତୁଳସୀ ଦେଲେ ତାକୁ ପାଟିରେ ପାଇ ,ସମୁଦ୍ରକୂଳ ହୋଟେଲ ଆଡେ ଯାଏ। ତମକୁ ଯେ ଦେଉଳ ମନା ,ହେଲେ ତମର ଇଛା ହୁଏନି ଭିତରକୁ ଯିବାକୁ ,ମୁଁ ପଚାରିବାରୁ ତାଙ୍କ ଆଖିରେ ଲୁହ ଜକେଇ ଆସିଲା -କାନ୍ଦକାନ୍ଦ ହୋଇ କହିଲେ -ନା ସେ ତ ମତେ ଦେଖିବାକୁ କେତେ ଛେଚାକଚା ଖାଇ ବାହାରକୁ ଆସୁଛି,ପୁଣି ବର୍ଷକେ ଦି ଥର ,ମୋର ଯିବା କି ଲୋଡ଼ା ?ଚାତକ ଭଳି ଚାହିଁରହିଥାଏ ମୁଁ ତା ଆଖି ଦିଟାକୁ ଦେଖିବି ବୋଲି ;ଆଉ ସେ ବି ତାର ଚକାଆଖିର ମୋହରେ ମୋର ଏ ଚରମ ଆଖିକୁ ଏମିତି ବାନ୍ଧିଦେଇଛି ଯେ ଏତିକି କହୁ କହୁ ଭୀଷଣ ଜୋରରେ କାନ୍ଦି ଉଠିଲେ ସେ।

କିଛି ସମୟ ପରେ ହଳଦିଆ ଗାମୁଛାରେ ମୁହଁ ପୋଛି କହିଲେ -ସାଲବେଗ କଥା ମନେ ନାଇଁ? ତା ପାଇଁ ପରା ୭ ଦିନ ଅଟକିଥିଲା ଇଏ ବଡ଼ଦାଣ୍ଡରେ ।ମୁଁ ମକା ,ମଦିନା ଯାଇଛି, ହଜ କରିଛି, ଭାରତର ସବୁ ଧାମ ବୁଲିଛି ହେଲେ ପୁରସ୍ତମ ହିମାଳୟ ହେଲେ ଆଉ ସବୁ ସମୁଦ୍ରଗର୍ଭରେ ,ଏଠି ସ୍ୱୟଂ ଭଗବାନ ମୁକ୍ତି ବାଣ୍ଟୁଛନ୍ତି ,ବାବୁ ! ମୋ ବାପା ଏଇଠି ମାଟି ପାଇଥିଲା ,ମୋର ବି ଗୋଟେ ଇଚ୍ଛା -ମଲା ପର୍ଯ୍ୟନ୍ତ ତା ଦୁଆରକୁ ଆସୁଥିବି, ତା ନାଁ ଜପୁଥିବି ଆଉ ମତେ ବି ଏଇଠି ଟିକିଏ ମାଟି ମିଳିବ ଆଉ ମୁଁ ବି ମାଟି ହେଇଯିବି ତା ପୁରସ୍ତମର ମାଟିରେ, ଏତିକି କହିଲା ବେଳକୁ କଣ୍ଠରୁଦ୍ଧ ହେଇଗଲା ତାଙ୍କର ଆଉ ଦି ଆଖିରୁ ଗଙ୍ଗା ଯମୁନା ବହିଚାଲିଲା ।

ମୁଁ ନିର୍ବାକ ହେଇ ଚାହିଁଥାଏ ଆଉ ମୋର ବି ସମାନ ଅବସ୍ଥା ,ଗଲାବେଳକୁ ଏତିକି ପଚାରିଲି ଆପଣଙ୍କ ନାଁ - ସେ ଲୁହ ଛଳଛଳ ହୋଇ କହିଲେ - ସାଧୁ ସା ।


Rate this content
Log in

Similar oriya story from Abstract