ମାନବଜାତି
ମାନବଜାତି
ନିକଟରେ ଲଣ୍ଡନରେ ଗୋଟିଏ ପ୍ରଦର୍ଶନୀର ଆୟୋଜନ ହୋଇଥିଲା, ଯାହା ପାଶ୍ଚାତ୍ୟ ଚିତ୍ର-ଜଗତର ‘ରକ୍ ଷ୍ଟାର୍’ ଭିନ୍ସେ ଭ୍ୟାନ୍ ଗଗ୍ଙ୍କ ନାମାନୁସାରେ ନାମିତ ହୋଇଥିଲା ‘ଭ୍ୟାନ୍ ଗଗ୍ : ଦି ଇମର୍ସିଭ୍ ଏକ୍ସପେରିଏନ୍ସ’। ଭ୍ୟାନ୍ ଗଗ୍ ଜନ୍ମ ହୋଇଥିଲେ ହଲାଣ୍ଡ୍ରେ ୧୮୫୩ ବର୍ଷରେ। ମାତ୍ର ୩୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ସ୍ୱଳ୍ପ ଜୀବନକାଳ ମଧ୍ୟରେ ସେ ୨୦୦୦ରୁ ଊର୍ଦ୍ଧ୍ବ ଚିତ୍ର ଅଙ୍କନ କରିଥିଲେ, ଯେଉଁଥିରେ ଥିଲା ୯୦୦ ତୈଳଚିତ୍ର ଓ ୧୧୦୦ ସ୍କେଚ୍ ଓ ଇଲଷ୍ଟ୍ରେସନ୍ (ଦୃଷ୍ଟାନ୍ତ, ଉଦାହରଣର ଚିତ୍ରଣ) ଇତ୍ୟାଦି। ଅସୁସ୍ଥତା ସତ୍ତ୍ବେ ୩୬ ଘଣ୍ଟାରୁ କମ୍ ସମୟରେ ସେ ଗୋଟିଏ ଗୋଟିଏ ନୂଆ ଚିତ୍ର ଅଙ୍କନ କରିପାରୁଥିଲେ। ପ୍ରଦର୍ଶନୀ ସ୍ଥଳରେ ଚିତ୍ରଗୁଡ଼ିକୁ ଦେଖୁଥିବା ଦର୍ଶକମାନେ ଚିତ୍ରକରଙ୍କ ଭାବ-ଜଗତରେ ବୁଡ଼ିଯାଉଥିବା ଭଳି ଅନୁଭବ କରୁଥିଲେ। ବାସ୍ତବ ଜୀବନର ଦୃଶ୍ୟ, ରାତିର ତାରା, ଅନ୍ଧାରମଗ୍ନ ନଈରେ ସହର ଆଲୋକର ପ୍ରତିଫଳନ, ଗହମ କ୍ଷେତ ଉପରେ ଉଡ଼ିଯାଉଥିବା ଦଳେ ଚଢ଼େଇ, ଗୋଟିଏ ଶେଯ ଓ ଗୋଟିଏ ଚୌକି ଥିବା କୋଠରି ଇତ୍ୟାଦି ଦୈନନ୍ଦିନ ଦୃଶ୍ୟକୁ ଭ୍ୟାନ୍ ଗଗ୍ କେଉଁ ଦୃଷ୍ଟିରେ ଦେଖୁଥିଲେ ଓ କିପରି ସେଗୁଡ଼ିକର ଚିତ୍ର ଅଙ୍କନ କରୁଥିଲେ, ତାହା ଥିଲା ଦର୍ଶକମାନଙ୍କ ମଧ୍ୟରେ ଆଲୋଚନାର ବିଷୟ।
ଦର୍ଶକମାନଙ୍କର ମତ ଥିଲା, ଭ୍ୟାନ୍ ଗଗ୍ ହେଉଛନ୍ତି ଜଣେ ‘ସିଅର୍’। ଇଂରାଜୀ ଭାଷାରେ ‘ସିଅର୍’ ଶବ୍ଦର ଅର୍ଥ ହେଉଛି ସନ୍ଥ, ପ୍ରାଜ୍ଞ ବ୍ୟକ୍ତି, ରହସ୍ୟବାଦୀ, ପୈଗମ୍ବର, ଦ୍ରଷ୍ଟା, ଭବିଷ୍ୟଦ୍ରଷ୍ଟା। ଦର୍ଶକମାନେ କହୁଥିଲେ, ଭ୍ୟାନ୍ ଗଗ୍ ଜଣେ ଅଧ୍ୟାତ୍ମବାଦୀ, ଦ୍ରଷ୍ଟା, ଯାହାଙ୍କ ଚିତ୍ରଗୁଡ଼ିକରେ ଉଭୟ ବହିର୍ଜଗତ ଓ ମନ ଭିତର ଅର୍ଥାତ୍ ଅନ୍ତର୍ଜଗତର ବିଶାଳତା ଥିଲା, ଚିତ୍ରକର-ଚୈତନ୍ୟର ଅନ୍ତଃବ୍ରହ୍ମାଣ୍ଡ ରହିଥିଲା। କେହି କେହି କହନ୍ତି, ଭ୍ୟାନ୍ ଗଗ୍ ଥିଲେ ଜଣେ ପ୍ରଫେଟ୍, ତାଙ୍କ ସମୟର ବହୁ ଆଗରେ ଥିଲେ ସେ। ଅଧ୍ୟାତ୍ମବାଦ, ରହସ୍ୟବାଦ କ’ଣ, ଭ୍ୟାନ୍ ତାଙ୍କ ଚିତ୍ରଗୁଡ଼ିକରେ ଆମକୁ ବୁଝାଇଦେଇଛନ୍ତି। ସକାରାତ୍ମକ, ସାତ୍ତ୍ୱିକ ଦୃଷ୍ଟିର ସହିତ ସମସ୍ତଙ୍କୁ, ସମଗ୍ର ଜୀବଜଗତକୁ ଭଲପାଇବା ହିଁ ଅଧ୍ୟାତ୍ମବାଦ।
ଆଧ୍ୟାତ୍ମିକତା କହିଲେ, ଏବେ ବହୁସଂଖ୍ୟକ ଲୋକ ବୁଝୁଛନ୍ତି, ସେମାନଙ୍କର ଗୋଟେ ଗୋଟେ ଧର୍ମ ଅଛି ଓ ସେହି ଧର୍ମର ଆଧାରରେ ଜଣେ ଜଣେ ଈଶ୍ୱର ଅଛନ୍ତି, ତାହାହିଁ ଆଧ୍ୟାତ୍ମିକତା। କିଛି ଲୋକ ଗୋଟିଏ ଗୋଟିଏ ଧର୍ମ ଓ ଧର୍ମର ପ୍ରତିଷ୍ଠାତା, ଗୁରୁ, ଗ୍ରନ୍ଥ, ଅବଲମ୍ବୀ, ଦେବଦେବୀ, ପ୍ରଚାରକମାନଙ୍କୁ ବ୍ୟଙ୍ଗ ବିଦ୍ରୂପ କଟାକ୍ଷ କରି ଚିତ୍ର ଆଙ୍କୁଛନ୍ତି, ବହି ଲେଖୁଛନ୍ତି, ସଙ୍ଗୀତ ଗାଉଛନ୍ତି, ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି, ବକ୍ତବ୍ୟ ପ୍ରଦାନ କରୁଛନ୍ତି ଓ ଆଉ କିଛି ଲୋକ ଏଥିପାଇଁ ଖୁବ୍ ଉତ୍ତେଜିତ ହୋଇ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏ ସମସ୍ତ ହେଉଛି ମାନବୀୟ ସଂକୀର୍ଣ୍ଣତା ଓ ଦୁର୍ବଳତାର ପରିଚୟ। ଧର୍ମର ମର୍ମ ନବୁଝି ସେମାନେ ଧର୍ମକଥା କହୁଛନ୍ତି, ଐଶ୍ୱରିକତା କ’ଣ ନବୁଝି ଈଶ୍ୱରଙ୍କ କଥା ବି କହୁଛନ୍ତି।
କିଛି ମଣିଷ ଯେଉଁ ଈଶ୍ୱରଙ୍କୁ କେବେ ଦେଖିନାହାନ୍ତି ଓ ଦେଖିବେ ନାହିଁ, ସେହି ଈଶ୍ୱରଙ୍କ ଉପରେ କ୍ରୋଧ ପ୍ରକାଶ କରି ପରସ୍ପରକୁ ହତ୍ୟା କରୁଛନ୍ତି। ତାହା କ’ଣ ସଂସାରର ସବୁଠାରୁ ବଡ଼ ମିରାକଲ୍ ନୁହେଁ ?’ ଏକବିଂଶ ଶତାବ୍ଦୀରେ ଦାରିଦ୍ର୍ୟ, ପାରିସ୍ଥିତିକ ଅସନ୍ତୁଳନ, ବୈଷମ୍ୟ, ମହାମାରୀ, ବୈଶ୍ୱିକ ଅର୍ଦ୍ଧାହାର ଭଳି ସମସ୍ୟା ଥିଲାବେଳେ କିଛି ମଣିଷ ଈଶ୍ୱର ଓ ଧର୍ମ ଆଧାରରେ କନ୍ଦଳ, କଳହରେ ମାତି ସମୟର ଅପଚୟ କାହିଁକି କରୁଛନ୍ତି ? ସାମ୍ପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ମଣିଷ ନିଜ ନିଜର ଧର୍ମ ଓ ସେହି ଧର୍ମ ଆଧାରରେ ନିଜ ନିଜର ଈଶ୍ୱର ସମ୍ବନ୍ଧରେ ଗମ୍ଭୀର ବିଚାର ନକରି ଜୀବନର ସମସ୍ୟା ଓ ସେଗୁଡ଼ିକର ସମାଧାନ ସମ୍ବନ୍ଧରେ ଚିନ୍ତା କରିବାର କଥା। ବୁଦ୍ଧଦେବ କହିଲେ, ‘ତୁମ ଚାରିପାଖରେ ଥିବା ମଣିଷମାନଙ୍କର ଯତ୍ନ ନିଅ, ସେମାନଙ୍କୁ ସୁରକ୍ଷା ଦିଅ। ତୁମର ଆତ୍ମନିର୍ଭର ଈଶ୍ୱର ନିଜର ଯତ୍ନ ନେବେ, ନିଜକୁ ସୁରକ୍ଷା ଦେବେ।’ ଯଦି ସମଗ୍ର ମାନବଜାତି ଏହି କଥାର ଗୁରୁତ୍ୱ ବୁଝେ ଯେ ଈଶ୍ୱର ନିଜକୁ ସୁରକ୍ଷା ଦେଇପାରିବେ, ତେବେ ମଣିଷ ମଣିଷ ମଧ୍ୟରେ ଭେଦବାଦ, ରକ୍ତପାତର ଅନ୍ତ ହେବ।
ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ପୂର୍ବେ ବାହାଉଲ୍ଲା ଲେଖିଥିଲେ, ‘ମରଣଶୀଳ ମଣିଷମାନେ ଚରମ ଶୂନ୍ୟତାରୁ ଅସ୍ତିତ୍ୱର ସାମ୍ରାଜ୍ୟ ଭିତରକୁ ପ୍ରବେଶ କରିବାର ଉଦ୍ଦେଶ୍ୟ ହେଉଛି, ସେମାନେ ଜଗତର ମଙ୍ଗଳ ପାଇଁ କାର୍ଯ୍ୟ କରିବେ ଏବଂ ଐକ୍ୟ ଭାବରେ ଉଦ୍ବୁଦ୍ଧ ହୋଇ ଏକତ୍ର ବାସ କରିବେ।’ ଆବ୍ରାହାମ୍, ରାମ, କୃଷ୍ଣ, ଜୋରୋଷ୍ଟର୍, ମହାବୀର, ବୁଦ୍ଧ, ଯୀଶୁଖ୍ରୀଷ୍ଟ, ପ୍ରଫେଟ୍ ମହମ୍ମଦ, ଗୁରୁ ନାନକ ଓ ଅନ୍ୟ ସମସ୍ତେ ଗୋଟିଏ କଥା କହନ୍ତି ଯେ ମାନବତ୍ୱ ହିଁ ମାନବର ଧର୍ମ ଓ ଈଶ୍ୱରତ୍ୱ। ମାନବତ୍ୱ (ମ+ଆ+ନ+ବ+ତ+ବ) ମମତା, ଆଦର୍ଶ, ନମ୍ରତା, ବରାଭୟ ଓ ତ୍ୟାଗର ସମନ୍ୱୟ। ଏତିକି ବୁଝିଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବ। ଚିତ୍ରକର ଭିନ୍ସେ ଭ୍ୟାନ୍ ଗଗ୍ ଆଙ୍କିଥିବା ‘ରାତିର ତାରା’, ‘ଅନ୍ଧାରମଗ୍ନ ନଈରେ ସହର ଆଲୋକର ପ୍ରତିଫଳନ’ ଚିତ୍ରଗୁଡ଼ିକ ସେହି ଅମୃତ ଆଲୋକର ସଂକେତ ଦେଉଛି, ଗହମ କ୍ଷେତ ଉପରେ ଉଡ଼ିଯାଉଥିବା ଦଳେ ଚଢ଼େଇ ମୁକ୍ତିର ସଙ୍ଗୀତ ଶୁଣାଉଛନ୍ତି। ଗୋଟିଏ ଶେଯ ଓ ଗୋଟିଏ ଚୌକି ଥିବା କୋଠରି ସଂଯତ ଜୀବନ ସାଧନା ପାଇଁ ପ୍ରେରଣାର ଭୂମିଟିଏ ପ୍ରସ୍ତୁତ କରୁଛି। ଜୀବନ୍ତ ଭଳି ବୋଧ ହେଉଥିବା ତାଙ୍କର ଚିତ୍ରଗୁଡ଼ିକ ବହିର୍ଜଗତ ସହିତ ଅନ୍ତର୍ଜଗତର ମିଳନ, ବିଶ୍ୱ ସହିତ ବ୍ୟକ୍ତି ଏକାତ୍ମ, ଏକୀଭୂତ ହେବାର ଓ ପାରସ୍ପରିକ ପ୍ରୀତି, ପ୍ରତ୍ୟୟ, ସର୍ବୋପରି ପରମାର୍ଥର ଆହ୍ୱାନ ଦେଉଛି। ତାହାହିଁ ତ ମାନବଜାତି ଉଦ୍ଦେଶ୍ୟରେ ଅସଲ ଧର୍ମ, ଈଶ୍ୱର, ଆଧ୍ୟାତ୍ମିକତାର ସର୍ବଶ୍ରେଷ୍ଠ ବାର୍ତ୍ତା।
