STORYMIRROR

Pradeep Kumar Panda

Children Stories Action Thriller

4  

Pradeep Kumar Panda

Children Stories Action Thriller

ରେଳଯାତ୍ରା

ରେଳଯାତ୍ରା

8 mins
8

ରେଳଯାତ୍ରାରେ ପ୍ରମୁଖ ଆଲୋଡ଼ନ କହିଲେ ସାତ ମାସର କୁନି ଝିଅ ମୋର। ତାକୁ ଦେଖିବାକୁ ଏଇ ନଅ ଘଣ୍ଟାର ବିରକ୍ତିକର ଯାତ୍ରା ବି ଉତ୍କଣ୍ଠାରେ ଭରିଯାଏ। ସମୟ ଜଣା ପଡ଼େନା। ପାସେଞ୍ଜର୍ ଟ୍ରେନ୍‌ରେ ସାପ୍ତାହିକ ହାଟ ପରି ବିଭିନ୍ନ ବର୍ଗର ଲୋକଙ୍କର ସମାଗମ। ଅଚ୍ଛବ ଜାତିର ଅଳ୍ପ ବୟସ୍କା ସ୍ତ୍ରୀଲୋକଟିଏ ମଇଳା ଲୁଗା ଖଣ୍ଡିଏ ପିନ୍ଧି ହାତରେ ଜାକିଜୁକି ବ୍ୟାଗ୍‌ଟିଏ ଧରିଥାଏ। କାଖରେ ଅପପୁଷ୍ଟିର ଶିକାର ହୋଇଥିବା ଛୁଆଟିଏ ମାଆ ଛାତିରେ ମୁହଁ ଲଗେଇଥାଏ। ଓଃ ! ଏମିତି ଅବସ୍ଥାରେ ଛୁଆଟି କ୍ଷୀର ଖାଉଛି। ମୋ ଝିଅ ମନେ ପଡ଼ିଗଲା। ତା'ଠାରୁ ମୁହଁ ଫେରେଇ ଆଣି ମୁଁ ମିଛରେ ଇଣ୍ଡିଆ ଟୁଡେ ପତ୍ରିକାଟି ଧରି ଖେଳାଇଲି। ସେଦିନ ଆଦୌ ଭିଡ଼ ନଥିଲା। ଅଳ୍ପ କିଛି ଲୋକ ନିଜ ନିଜ ଦୁନିଆରେ ମଗ୍ନ। କ୍ୱଚିତ୍ କେହି କାହା ସହିତ ପଦେ କଥା ହେଉଥାନ୍ତି। କାହାରି ଆଖିରେ ଚମକ ନାହିଁ। ପୂରା କମ୍ପାର୍ଟମେଣ୍ଟ ଗୋଟିଏ ନିଷ୍ପ୍ରଭ ଆଲୋକର ବସ୍ତି ପରି ଲାଗୁଥାଏ। ସେ ବସ୍ତିର ସମସ୍ତ ବାସିନ୍ଦା ଦୁଃଖୀ, ଅନ୍ତର୍ଲୀନ ନିଜ ନିଜ ଭିତରେ। ବୋଧହୁଏ ଦୀର୍ଘ ଏକ ବିରକ୍ତିକର ରେଳଯାତ୍ରାରେ ସେମାନେ କ୍ଳାନ୍ତ ହୋଇପଡ଼ିଥିଲେ। ଏପରି ବିପରୀତ ପରିସ୍ଥିତିରେ ମଧ୍ୟ ମୁଁ ଆରାମରେ ବସି ପଢ଼ି ପାରିଥାନ୍ତି କିଛି। କିନ୍ତୁ, ମନ ଭାରି ଅସ୍ଥିର ଥିଲା। ପାଖରେ ବସିଥିବା ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କ ଅଶ୍ୱସ୍ତିକୁ ବେଖାତିର୍ କରି ମୁଁ ଗୋଟିଏ ପରେ ଗୋଟିଏ ସିଗାରେଟ୍ ଫୁଙ୍କି ଚାଲିଥିଲି। ବ୍ୟକ୍ତିଜଣକ ମଝିରେ ମଝିରେ ମୋ ଆଡ଼କୁ ବିରକ୍ତିର ଚାହାଣି ଫିଙ୍ଗିଦେଇ ନିଜର କ୍ଷୋଭ ପ୍ରକାଶ କରୁଥାନ୍ତି। ମୋ ସାମ୍ନାରେ ଟିକିଏ ବାଁ'ପଟକୁ ବସିଥିବା ଯୁବକଜଣକ ଆଶାୟୀ ଭାବେ ମୋ ହାତରେ ଥିବା ଇଣ୍ଡିଆ ଟୁଡେକୁ ଚାହିଁଥାଏ। କେତେଦିନ ହେବ କଟାଯାଇନଥିବା ଦାଢ଼ି, ପ୍ରେସ୍ ହୋଇନଥିବା, ଡାହାଣପଟ କାନ୍ଧ ପାଖରୁ ଅଣ୍ଟା ପର୍ଯ୍ୟନ୍ତ ଲୋଚାକୋଚା ଭାଙ୍ଗ ପଡ଼ିଥିବା ସାର୍ଟ ପିନ୍ଧି ଅନାସକ୍ତ ଚେହେରାର ଯୁବକଟି କେବଳ ନକରାତ୍ମକତା ତିଆରି କରୁଥାଏ। ଯୁବକ ଅଥଚ ନିଥର, ଅବ୍ୟବସ୍ଥିତ। ମୋ ମନ ଚାହିଲାନି ତା ହାତକୁ ପତ୍ରିକାଟି ବଢ଼େଇ ଦେବାକୁ। ମୋ ଗମ୍ଭୀର ଚେହେରା ଦେଖି ସେ ମଧ୍ୟ ସାହସ କରିନଥିବ ପତ୍ରିକାଟି ମାଗିବାକୁ। ମଧ୍ୟାହ୍ନର ହାଲୁକା ଖରାର କୌଣସି ପ୍ରଭାବ ନଥିଲା ଟ୍ରେନ୍ ଭିତରେ। ସମସ୍ତ ଯାତ୍ରୀ ବ୍ୟକ୍ତିଗତ ଭାବେ ସ୍ଥିର ଅଥଚ ସାମୂହିକ ଭାବେ ଗତିଶୀଳ ଥିଲେ। ସେ ପରିବେଶ ମାଡ଼ି ପଡୁଥିଲା ଯେମିତି। ନଇଁ ଆସୁଥିଲା ଆଖିପତା। ଧିମା ହେଇଗଲା ଟ୍ରେନ୍‌ର ଗତି। ବାଲୁଗାଁ ଷ୍ଟେସନ୍‌ରେ ଖୁବ୍ ଅଳ୍ପ ସମୟ ପାଇଁ ଅଟକିଲା ଟ୍ରେନ୍। ତିନିଜଣ ବୟସ୍କ ପେଟୁଆ ଲୋକ ପଶି ଆସିଲେ ଆମ କମ୍ପାର୍ଟମେଣ୍ଟକୁ। ନିଜ ନିଜ ଭିତରେ କଥାବାର୍ତ୍ତା କରୁ କରୁ ଆମ ବର୍ଥ ପାର୍ କରିଗଲେ ସେମାନେ। ମୁଁ ବାହାରକୁ ଚାହିଁ ଦେଖିଲି, ବାଲୁଗାଁ ଷ୍ଟେସନ୍ ଗୋଟିଏ ମୁମୂର୍ଷୁ ମାଛ ପରି ସାମାନ୍ୟ ହଲଚଲ୍ ହେଉଥିଲା। ଏତେ ଫାଙ୍କା ଓ କୋଳାହଳଶୂନ୍ୟ ହୋଇପାରେ ଗୋଟେ ଷ୍ଟେସନ୍ ! ଲୌହଦାନବଟି ବାଲୁଗାଁ ଷ୍ଟେସନ୍‌ର ନୀରବତାକୁ ଦଳିମକଚି ଦେଇ ବାହାରି ଯିବାକୁ ଉଦ୍ୟତ ହେଲା ବେଳକୁ ହଠାତ୍ କମ୍ପାର୍ଟମେଣ୍ଟ ଭିତରେ ଆଲୁଅର ଫୁଆରା !! ଗୋଟିଏ ଝଲକରେ ମୋର ତୁଟିଗଲା ତନ୍ଦ୍ରା। ମୁଁ ସତେଜ ହୋଇଗଲି ମୁହୂର୍ତ୍ତକରେ। ଅତି ସାଧାରଣ ଚେହେରା, କିନ୍ତୁ ଅସାଧାରଣ ଭାବେ ଆକର୍ଷଣୀୟା। ଭାସି ଆସିଥିବା ମେଘଖଣ୍ଡ ପରି ଧୀରେ ଆସି ମୋ ସାମ୍ନାରେ ବସିଗଲା ସେ। ସେଇ ମଳିଛିଆ ଯୁବକଟି ଓ ମଧ୍ୟବୟସ୍କ ବ୍ୟକ୍ତି ଜଣକ ମଧ୍ୟ ତାକୁ ଚାହିଁ ରହିଲେ। ସେଠି ଥିବା ଅନ୍ୟ ପୁରୁଷମାନେ ମଧ୍ୟ ସମାନ ଭାବେ ଉତ୍ସୁକ ହୋଇ ଚାହିଁଲେ ତାକୁ। ପୁରୁଷ ସହଜାତ ଭାବେ ସୁନ୍ଦରୀ ମହିଳାଙ୍କୁ ଦେଖିଲେ ନଜରରେ ବାନ୍ଧିବାକୁ ଚେଷ୍ଟା କରନ୍ତି। ଜଣେ ସୁନ୍ଦରୀ ମହିଳାଙ୍କୁ ଦେଖି ପୂରା ବର୍ଥ ଚଳଚଞ୍ଚଳ ହୋଇଉଠିଲା। ସ୍ତ୍ରୀଲୋକଟି ପିନ୍ଧିଥିବା ଫିକା ହଳଦିଆ ରଙ୍ଗର ମଣ୍ଡଦିଆ ଶାଢ଼ୀରେ ସବୁଜ ରଙ୍ଗର ଧଡ଼ି ଉପରେ ଧାରେ ଜରିପଟି ଥିଲା। ତା ସାଙ୍ଗକୁ ମ୍ୟାଚିଂ ସବୁଜ ରଙ୍ଗର ବ୍ଲାଉଜ୍ ପିନ୍ଧିଥିବା ସେ, ମୋ ଆଗରେ ସଦ୍ୟ ତୋଳା ହୋଇଥିବା ଚମ୍ପା ଫୁଲଟିଏ ପରି। ମୋତେ ଲାଗିଲା ମୋ ବଗିଚାର ପୂଜାଫୁଲ ସେ। ମୁଁ ବୋକାଙ୍କ ପରି ତାକୁ ଚାହିଁରହିଲି। ଆପାଦମସ୍ତକ ଧୀରେ ଧୀରେ ଘୂରୁଥାଏ ମୋ ନଜର। ଶିକାରୀର ନଜର ପରି ନୁହେଁ ଜଣେ ସୌନ୍ଦର୍ଯ୍ୟଗ୍ରାହୀର ନଜର ଦେଖୁଥିଲା ତା'ର ଢିଲାରେ ବନ୍ଧା ଯାଇଥିବା ଗହଳ କେଶକୁ। ଜୁଡ଼ା ବାନ୍ଧିବା ବି ଗୋଟେ କଳା, ଏଇ ପ୍ରଥମଥର ଜାଣିଲି। କାନ ପାଖରେ ଦୁଇ କେରା ଅବିନ୍ୟସ୍ତ କେଶ ପବନରେ ଉଡ଼ି ଆସି ଗାଲ ଛୁଇଁ ଯାଉଥାଏ ଥରକୁ ଥର। ମଥାରେ ଟିପେ ସିନ୍ଦୂର ସୂଚେଇ ଦେଉଥାଏ, ବିବାହିତା ସେ। କିନ୍ତୁ, ଆକର୍ଷଣର କଣ କୌଣସି ନିୟମ ଅଛି ! କେହି ରୋକି ପାରିବ କାହାକୁ ମୁଗ୍ଧ ଦୃଷ୍ଟିରେ ଚାହିଁବାକୁ ! ମୁଁ ନିୟନ୍ତ୍ରଣ ହରେଇ ବସିଥିଲି ନିଜ ଉପରୁ। ଅପଲକ ଭାବେ ତିନି ମିନିଟ୍ ଧରି ଚାହିଁବା ପରେ ଚା'ବାଲାର ଡାକରେ ସଚେତ ହେଲି। ଚା' କପେ ପିଇବା ଭିତରେ ମସ୍ତିସ୍କର ସମସ୍ତ ତନ୍ତ୍ରୀ ଚେଇଁ ଉଠିଲେ। ଏଥର ମୁଁ ଆକର୍ଷଣରୁ ଉଦ୍‌ଗତ ସମସ୍ତ ଶକ୍ତିକୁ ନିଜ ଭିତରେ ସଞ୍ଚିତ କଲି, ଧୀରେ ଧୀରେ ଖର୍ଚ୍ଚ କରିବାକୁ। ମୋ ସାମ୍ନା ସିଟ୍‌ରେ ଚମ୍ପାଫୁଲ ସେମିତି ନୀରବରେ ବସିଥିଲା। ସାମଗ୍ରିକ ଭାବେ ଏକ କମନୀୟ ସୁଠାମ ଶରୀରର ଅଧିକାରିଣୀ ଥିଲା ସେ। ଅଧିକ ଗୋରା ନୁହେଁ, ମଧୁର ମିଠା ରଙ୍ଗର ଦେହ ତାର। ଗହମଗୋରୀ କୁହାଯିବ ତାକୁ। ଗୋଲାପି ମାର୍ବଲର ଛୋଟ ଏକ ଫଳକ ପରି ତା କପାଳ। ମୋତେ ଲାଗୁଥିଲା ସେଠି କେହି ସ୍ୱର୍ଣ୍ଣାକ୍ଷରରେ ଲେଖିଦେଇଛି ମୋ ନାଁ। ନାକରେ ପିନ୍ଧିଥିବା ମୋତିର ନୋଜ୍ ପିନ୍ ମୋତେ ଧାଡ଼ିଟିଏ ମନେ ପକେଇଦେଲା,......ନାସାଗ୍ରେ ନବମୌକ୍ତିକମ୍ ! ମୁଁ ଧୀରେ ଧୀରେ ତା ସୌନ୍ଦର୍ଯ୍ୟର ଉପାସକ ପାଲଟୁଥିଲି। ବାଁ'ପଟ କାନ ତଳକୁ ଆକର୍ଷଣୀୟ କଳାଜାଈଟିଏ। ନ ଚାହିଲେ ବି ଛାଏଁ ନଜର ଚାଲିଯିବ ସେଇଠିକୁ। ତା ପୂରିଲା ଓଠ ପାଖରେ ଯେମିତି ଧକ୍କା ଖାଉଥିଲେ ଅନେକ ଢେଉ। ସେ କିଛି କହିବ କି ମୋତେ, ଯାହା ସେ କାହାକୁ କେବେ କହିନାହିଁ !! ମୁଁ ମନେ ମନେ ଆକଳନ କରୁଥାଏ, କଣ କହିବାକୁ ଚାହେ ସେ ! ଦୁଇ ଆୟତ ଚକ୍ଷୁରେ ଅୟୁତେ ପ୍ରଶ୍ନର କୁହେଳି, ପଲକପାତରେ ଲିଭିଯାଇ ପୁଣି ଉଦ୍ଭାସିତ ହେଉଥାଏ। ମୁଁ ଜଣେ ପ୍ରାଜ୍ଞ ମୁନି ପରି ଧୈର୍ଯ୍ୟ ସହକାରେ ଅପେକ୍ଷା କରୁଥିଲି, କେତେବେଳେ ସେ ତା ପ୍ରଶ୍ନଗୁଡ଼ିକୁ ମୋ ଆଗରେ ଉପସ୍ଥାପନ କରିବ। କିନ୍ତୁ, ସେମିତି କିଛି ବି ହେଲା ନାହିଁ। ସେ ସେମିତି ନୀରବ ଥିଲା। କେବଳ ତା ମହକରେ ବିଭୋର, ଆତ୍ମବିସ୍ମୃତ ହେଉଥିଲି ମୁଁ। ଏମିତି ନୁହେଁ କି ସେ ଆଖିବୁଜି ବସିଥିଲା। କେତେଥର ତା ନଜର ସହିତ ଅପ୍ରତ୍ୟାଶିତ ଭାବେ ମୋ ନଜର ମିଶିଯିବା ବେଳେ ଆମେ ଦୁହେଁ ନଜର ଫେରେଇ ନେଇଛୁ ଚୋରଙ୍କ ପରି। ପରସ୍ପରଠାରୁ ଲୁଚେଇବାକୁ ଚେଷ୍ଟା କରି ଧରାପଡ଼ିଛୁ ପରସ୍ପର ଆଗରେ। ସଙ୍ଗେ ସଙ୍ଗେ ସେ ଝରକାପଟକୁ ନଜର ବୁଲେଇ ନେଇଛି। ମୁଁ ତା ଆଖି ଡୋଳାରେ ଦେଖୁଛି, ଝରକା ଆରପଟେ ଅବିଶ୍ରାନ୍ତ ଦୌଡୁଥିବା ବଣପାହାଡ଼, ଗଛଲତା, ନଈନାଳ ଓ କୋଠାବାଡ଼ିର ଚଳମାନ ଚିତ୍ର। ବେଳେ ବେଳେ ମୋ ଏକତରଫା ଭାବନାର ଲମ୍ବି ଯାଉଥିବା ଖିଅରେ ମୁଁ ବାଟବଣା ହୋଇ ଯାଉଥାଏ। ଭିତରେ ଭିତରେ ମୁଁ ହସି ପକାଉଥାଏ ନିଜ ମୂର୍ଖତା ପାଇଁ। ପର ମୁହୂର୍ତ୍ତରେ ମୋ ଭିତରେ ଗଭୀର ଆତ୍ମବିଶ୍ୱାସ ତିଆରି ହେଉଥାଏ, ମୋ ପରି ମୂର୍ଖ ହିଁ ପ୍ରେମରେ ପଡ଼େ। ହିସାବ ରଖେନା କୂଳକିନାରାର। ଲମ୍ଫ ଦିଏ ଅକାତ ପାଣିରେ ଗଭୀର ବିଶ୍ୱାସର ସହିତ। ମୋ ଅହଙ୍କାରର ପ୍ରାଚୀର ଧୀରେ ଧୀରେ ଭାଙ୍ଗି ଚୁନା ଚୁନା ହୋଇଯାଉଥାଏ। ମୁଁ ଜଣେ ଅସାମାନ୍ୟା ସୁନ୍ଦରୀର ସ୍ତାବକ ପାଲଟୁଥାଏ। ଏ ରୂପାନ୍ତରଣ କେବଳ ଗୋଟିଏ ପ୍ରେମିଳ ଆତ୍ମାର ହୋଇପାରେ। ମୁଁ ତା ହାତକୁ ଚାହିଁ ଚକିତ ହେଲି, କୋମଳତା ଫୁଟି ଉଠୁଥାଏ ତା ଦୁଇ ହାତରେ। କିଏ ସେ ଭାଗ୍ୟବାନ୍ ବ୍ୟକ୍ତି, ଯିଏ ତା'ର ହାତ ଧରିଥିବ ! ଆଦରରେ ଆଉଁସିଥିବ। ଆବେଗରେ ଜାବୁଡ଼ି ଧରିଥିବ। ଈର୍ଷାରେ ମୋ ଦେହରେ ତଡ଼ିତ୍ ଖେଳିଗଲା। ଏତେ ସାଧାରଣ ପରିପାଟୀରେ ଆସିଥିବା ଚମ୍ପାଫୁଲ କିନ୍ତୁ ବେଶ୍ ରୁଚିସମ୍ପନ୍ନା। ତା ହାତରେ ଗୋଟିଏ ଟ୍ରେଣ୍ଡୀ ବ୍ୟାଗ୍ ଥିଲା। ବ୍ୟାଗ୍‌ର ଗୋଟିଏ ମୁଣ୍ଡରୁ ଖୋଲା ଜିପ୍‌ରୁ ଉପରକୁ ବାହାରିଥିଲା ଦୁଇଟି ଦରଫୁଟା ଲାଲ୍ ଗୋଲାପ ସହିତ କିଛି ସତେଜ ପତ୍ର। ମୋ ନଜର ବାରମ୍ବାର ଚାଲି ଯାଉଥାଏ ସେଇ ଫୁଲ ଦୁଇଟି ପାଖକୁ। କାହା ପାଇଁ ଏତେ ଯତ୍ନରେ ସେ ଫୁଲ ଦୁଇଟି ନେଇଯାଉଛି ? ପ୍ରେମିକ ପାଇଁ ? ସ୍ୱାମୀ ପାଇଁ ? କିମ୍ବା ତାକୁ କିଏ ଦେଇଛି ? ସେ କାହାର ପ୍ରେମିକା ??? ଓଃ ! କାହା ପାଇଁ ଦୁଇଟି ଲାଲ୍ ଗୋଲାପ....! ଗୁଡ଼ିଏ ପ୍ରଶ୍ନର ଜାଲରେ ଛନ୍ଦି ହୋଇଗଲି ମୁଁ ନିଜେ। କଣ ହୋଇପାରେ ଏଇ ଚମ୍ପାଫୁଲଟିର ନାଁ....ମୃଗାକ୍ଷୀ ! କିମ୍ବା କୌଣସି ସ୍ୱରବର୍ଣ୍ଣରେ ଆରମ୍ଭ ହୋଇଥାଇପାରେ ତା ନାଁ। ଅନିନ୍ଦ୍ୟା, ଆଦ୍ୟା, ଇରା, ଈଶ୍ୱରୀ, ଉପାସନା, ଊର୍ମି, ଋତୁପର୍ଣ୍ଣା, ଏକାଙ୍ଗୀ, ଐଶ୍ୱର୍ଯ୍ୟା, ଓଜସ୍ୱୀନୀ, ଔଦୀଚ୍ଯା ଉଷା...... ପ୍ରେମିକ-ସାହିତ୍ୟିକ କିମ୍ବା ସାହିତ୍ୟିକ-ପ୍ରେମିକର ଲୁଚକାଳି ଖେଳ ଆରମ୍ଭ ହୋଇସାରିଥିଲା ମୋ ଭିତରେ। ମୁଁ ତା ପାଇଁ ସୁନ୍ଦର ନାଁଟିଏ ତିଆରି କରୁଥିଲି ମନେ ମନେ। ତା'ର ଦେହର ଗଢ଼ଣରୁ ଅନୁମାନ ଲଗାଇବାକୁ ଚେଷ୍ଟା କଲି, କେତେ ହୋଇପାରେ ବୟସ ? ପିଲାଛୁଆ ଥିବେ ? ନାଃ.....ଲାଗୁନି ତ। ବୟସ ଅତି ବେଶିରେ ସତେଇଶି କି ଅଠେଇଶି ହେବ ବୋଧେ। ଇଚ୍ଛା ହେଲା ତାକୁ ଏକାନ୍ତରେ ଭେଟି ମୋ ମନରେ ତିଆରି ହେଉଥିବା ସବୁ ପ୍ରଶ୍ନର ଉତ୍ତର ମାଗନ୍ତି। ମନଘୋଡ଼ାର ଗତି ଯେତିକି ତୀବ୍ର ହେଉଥାଏ, ମୁଁ ସେତିକି ଜୋର୍‌ରେ ଲଗାମ୍ ଟାଣି ଧରୁଥାଏ। ଅଣନିଃଶ୍ବାସୀ ଲାଗୁଥାଏ ନିଜ ସହିତ ଛକାପଞ୍ଝା କରୁ କରୁ। ପକେଟ୍‌ରୁ ସିଗାରେଟ୍ ପ୍ୟାକେଟ୍ ବାହାର କରି ଶେଷ ସିଗାରେଟ୍‌ଟି ହାତରେ ଧରି ଖାଲି ପ୍ୟାକେଟ୍‌ଟି ଝରକା ଦେଇ ଫିଙ୍ଗି ଦେବାକୁ ଉଦ୍ୟତ ହେଲା ବେଳେ ହଠାତ୍ ମୋ ନଜର ତା ଉପରେ ପଡ଼ିଗଲା। ତା ଆଖିରେ ଘୃଣା ନୁହେଁ ଏକ ପ୍ରକାର ଅନୁନୟ ଭାବ ଥିଲା। ମୁଁ ଚୁପ୍‌ଚାପ୍ ସିଗାରେଟ୍‌ଟି ପ୍ୟାକେଟ୍ ଭିତରେ ରଖିଦେଲି। ଉଦ୍ଦେଶ୍ୟ କେବଳ ଏତିକି, ସେ ମୋତେ ଘୃଣା ନ କରୁ। ପରସ୍ପରର ନଜର ଆଢୁଆଳରେ ଆମେ ଦୁହେଁ ଦୁହିଁଙ୍କୁ ଦେଖିବାର ଏକ ବିଚିତ୍ର ଖେଳ ଜାରି ରହିଥିଲା ଆମ ଭିତରେ। ମୁଁ ଭୁଲିସାରିଥିଲି, ମୁଁ ଜଣେ ବିବାହିତ ଦାୟିତ୍ୱବାନ୍ ପତି, ପିତା ଓ ପୁତ୍ର। ସେଇ ମୁହୂର୍ତ୍ତରେ ମୋ ଭିତରେ କେବଳ ଏକ ପ୍ରେମିକ ପୁରୁଷର ସତ୍ତା ରୋମାଞ୍ଚିତ ହେଉଥିଲା। ଭୁଲିଯାଇଥିଲି ମୋର ପାରିପାର୍ଶ୍ୱିକ ସ୍ଥିତି। ତାକୁ ପଚାରିବାକୁ ମୋ ପାଖରେ ଶହେ ପ୍ରଶ୍ନ ଥିଲା। କିନ୍ତୁ, ପଦଟିଏ ଉଚ୍ଚାରିନି ମୁଁ। ମୋ ବ୍ୟକ୍ତିତ୍ୱ ମୋତେ ସେତିକି କରିବାକୁ ଦେଲା ନାହିଁ। ନୀରବରେ କେବଳ ତା'ର ସୌନ୍ଦର୍ଯ୍ୟକୁ ବିଶ୍ଳେଷଣ କରୁଥିଲା ମୋ ମନ। ହଠାତ୍ ମୋ ମନରେ ଖିଆଲ୍ ଆସିଲା, ଭୁବନେଶ୍ବରରେ ପହଞ୍ଚିବା ପରେ ମୁଁ ତା ପଛେ ପଛେ ଯିବି। ନିରାପଦ ଦୂରତାରେ ରହି ତା ଘର ବା ଗନ୍ତବ୍ୟର ଠିକଣା ଖୋଜିବି। ମୋ ହୃଦୟରେ ତିଆରି ହୋଇଥିବା ପ୍ରେମର ଫଲ୍ଗୁକୁ ମୁଁ ହଜିଯିବାକୁ ବା ନିଃଶେଷ ହେଇଯିବାକୁ ଦେବି ନାହିଁ। କେବେ ନା କେବେ ତାକୁ ଏକାନ୍ତରେ ଭେଟିବାର ସୁଯୋଗ ମିଳିବ ନିଶ୍ଚୟ। ଯଦି ଷ୍ଟେସନ୍‌ରେ ତା ସ୍ୱାମୀ କିମ୍ବା ପରିଜନ ତାକୁ ଅପେକ୍ଷା କରିଥିବେ ! ତେବେ ବି ମୁଁ ଯିବି, ତା ଠିକଣା ପାଇବାକୁ। ଧୀରେ ଧୀରେ ମୋ ମନରେ ଏକ ବିଚିତ୍ର ଆନନ୍ଦର ଲହରି ଖେଳିବାରେ ଲାଗିଲା। ମୁଁ ସ୍ଥିର ହୋଇ ବସିପାରିଲିନି। ତା'ଠାରୁ ଧ୍ୟାନ ହଟେଇବାକୁ ବାହାରକୁ ଚାହିଁଲି। ଟ୍ରେନ୍‌ର ବିକଟାଳ ଶବ୍ଦ ବି ମୋତେ ଏକ ମଧୁର ସଙ୍ଗୀତ ପରି ଲାଗିଲା। ମୋ ଚାରିପଟର ପରିବେଶ ମୋତେ ଆଉ ଅସନ୍ତୁଷ୍ଟ କଲା ନାହିଁ। ମୁଁ ଏକ ସ୍ୱପ୍ନର ଉପବନରେ ତା ସହିତ ଖୁବ୍ ଅନ୍ତରଙ୍ଗ ଭାବେ ବସିଥିବାର ଅନୁଭବ କଲି। ଜୀବନ ମୃତ୍ତିକାରେ ଅହରହ ପ୍ରେମର ବୀଜ ବୁଣି ହେଉଥାଏ। କିନ୍ତୁ, କେତୋଟି ବୀଜର ଅଙ୍କୁରୋଦ୍ଗମ ହୁଏ ! କେଉଁ ଅଙ୍କୁରଣରୁ ଚାରାଗଛ ହୁଏ ! କେଉଁ ଚାରାଗଛ ପ୍ରେମର ବୃକ୍ଷ ପାଲଟେ ! ସହସ୍ରରେ ଏକମାତ୍ର ବୀଜ ବୃକ୍ଷର ରୂପ ନିଏ ଓ ଫଳପ୍ରସୂ ହୁଏ। ଅଥଚ ମାତ୍ର ଘଣ୍ଟାଏ ଭିତରେ ମୋ ସ୍ୱପ୍ନର ବୃକ୍ଷ ଫୁଲଫଳରେ ଭରିଯାଇଛି ! ମଣିଷ ମନର ଗତି କେଡ଼େ କ୍ଷୀପ୍ର ସତେ ! ମୁହୂର୍ତ୍ତକରେ ଆଲୋକବର୍ଷୀୟ ଦୂରତାକୁ ଅତିକ୍ରମି ପାରେ। ମୋ ଭାବନାର ସ୍ରୋତରେ ବନ୍ଧଟିଏ ପକାଇ ଟ୍ରେନ୍‌ର ଗତି ଧିମା ହୋଇଗଲା। କ୍ଳାନ୍ତ ବଳଦ ହଳେ ଶଗଡ଼କୁ ଟାଣି ନେବା ପରି ଟ୍ରେନ୍ ଟାଣି ହୋଇଗଲା ଜଟଣୀ ଷ୍ଟେସନ୍‌କୁ। ମୁଁ ସଜାଗ ହୋଇ ବସିଲି ଆଉ ଅଳ୍ପ ସମୟ ପରେ ଚମ୍ପାଫୁଲର ଠିକଣା ଅନ୍ୱେଷଣରେ ଯିବାକୁ। ଶୀତ ସନ୍ଧ୍ୟାରେ କୁହୁଡ଼ିର ବହଳ ଚାଦର ଘୋଡ଼େଇ ରଖିଥାଏ ପୂରା ଷ୍ଟେସନ୍‌କୁ। ଟ୍ରେନ୍ ଅଳସ ଭାଙ୍ଗି ଛିଡ଼ା ହେଲା ଜଟଣୀ ଜଙ୍କ୍‌ସନ୍‌ରେ। ଦଶ ମିନିଟ୍ ରହିବ ଟ୍ରେନ୍ ଏଇଠି। ମୋତେ ଇଚ୍ଛା ହେଲା ତା ପାଇଁ କିଣି ଆଣନ୍ତି କଅଁଳ ପଳାଶ ପତ୍ରରେ ଗୁଡ଼େଇ ମଲ୍ଲିଫୁଲର ଗଜରାଟିଏ। କିଛି ନ କହି ବଢ଼େଇ ଦିଅନ୍ତି ତା ହାତକୁ ସେଇ ମଲ୍ଲି ଗଜରାକୁ। ମୋ ଅପରିପକ୍ୱ ସ୍ୱପ୍ନକୁ ପବନରେ ଉଡ଼େଇ ଦେଇ ଚମ୍ପାଫୁଲ ଉଠିଗଲା ସିଟ୍‌ରୁ। ତା ପଛେ ପଛେ ଉଠି ଚାଲିଗଲେ କିଛି ଯାତ୍ରୀ। ସେ ଯେମିତି ମେଘଖଣ୍ଡ ପରି ଭାସି ଆସିଥିଲା, ସେମିତି ଭାସି ଚାଲିଗଲା ଡୋର୍ ଆଡ଼କୁ। ମୁଁ ଅନିୟନ୍ତ୍ରିତ ଭାବେ ତା ପଛେ ପଛେ ଚାଲିଲି। ସେ ଟ୍ରେନ୍‌ରୁ ଓହ୍ଲେଇ ଗଲାବେଳେ ଥରଟିଏ ବି ବୁଲି ଚାହିଁଲାନି ପଛକୁ। ଘଣ୍ଟାକ ଭିତରେ ତିଆରି ହୋଇଥିବା ସ୍ୱପ୍ନର ଇମାରତ୍ ଭାଙ୍ଗି ଚୁର୍‌ମାର୍ ହୋଇଗଲା। ମୋତେ ଲାଗିଲା ଜୀବନରେ ଦ୍ୱିତୀୟବାର ଆଉ ତାକୁ ଭେଟିବାର ସୁଯୋଗ ମିଳିବନି। ମୋ ମନ ଭିତରେ ଚମ୍ପାଫୁଲ ତା'ର ମହକ ଛାଡ଼ି ଦେଇଗଲା। ଗୋଟିଏ ଅଳ୍ପ ବିକଶିତ ଭ୍ରୁଣର ଅକସ୍ମାତ୍ ଗର୍ଭପାତର ପୀଡ଼ା ପରି ତା ସହିତ ଆତ୍ମିକ ସ୍ତରରେ ଏକପାଖିଆ ଗଢ଼ି ଉଠିଥିବା ପ୍ରେମରେ ବିଚ୍ଛେଦ ମୋ ପାଇଁ ଅସହ୍ୟ ଲାଗିଲା। ସେ ଷ୍ଟେସନ୍‌ର ଗହଳି ଭିତରେ ହଜିଗଲା। ମୁଁ ନିରାଶ ହୋଇ ଡୋର୍ ପାଖରେ ତା ଯିବା ରାସ୍ତାକୁ ଚାହିଁରହିଲି। ଏମିତି ସ୍ଥିତିରେ ଘଞ୍ଚ ସବୁଜ ବନାନୀ ବି ମରୁଭୂମି ପରି ଲାଗେ। ମୁଁ ଅଣନିଃଶ୍ବାସୀ ହେବା ପରି ଅନୁଭବ କଲି। ମୋ ଛାତି ରୁନ୍ଧି ହେଇଗଲା। ମୋତେ ଦରକାର ହେଲା ଆଞ୍ଜୁଳାଏ ପବନ। ମୁଁ ପକେଟ୍‌ରୁ ଶେଷ ସିଗାରେଟ୍‌ଟି ବାହାର କରି ଅଗ୍ନି ସଂଯୋଗ କଲି। ସିଗାରେଟ୍‌ର ଧୂମ କୁଣ୍ଡଳୀ ସହିତ ମିଳେଇ ଯାଉଥିଲା ଗୋଟିଏ ମଧୁର ସ୍ୱପ୍ନ। ଟ୍ରେନ୍ ଆଗକୁ ଗଡ଼ିବା ସହିତ ତାକୁ ହରେଇବାର ଦୁଃଖ ତୁହାକୁ ତୁହା ମୋ ମନର ଅନ୍ଦିକନ୍ଦିକୁ ଆକ୍ରାନ୍ତ କଲା। ମୁଁ ଡୋର୍ ପାଖରେ ଗୋଟିଏ ପରାସ୍ତ ସୈନିକ ପରି ଛିଡ଼ା ହୋଇ ରହିଲି। ଯାତ୍ରୀଙ୍କ ହାଉଯାଉ ଭିଡ଼ ଭିତରେ ଉଚ୍ଚ ସ୍ୱରରେ ବିଭିନ୍ନ ଟ୍ରେନ୍‌ର ଷ୍ଟେସନ୍ ଛାଡ଼ିବା ଓ ପହଞ୍ଚିବାର ସୂଚନା ଦେଉଥିବା ଉଦ୍‌ଘୋଷିକା ମଧ୍ୟ ମୋତେ ଶତ୍ରୁ ପରି ଲାଗିଲେ। ମୁଁ ସେ ଗହଳିରୁ ମୁକୁଳିବାକୁ ଚାହିଁଲି। ହଠାତ୍ ମନ୍ଦିରର ନିଷ୍କାସନ ଦ୍ୱାରରେ ପାଦୁକା ସହିତ ଭାସି ଆସୁଥିବା ଚମ୍ପାଫୁଲକୁ ଦେଖିଲି। ମୁଁ ନିଜ ଆଖିକୁ ବିଶ୍ୱାସ କରିପାରିଲିନି। ଏପରି ଚମତ୍କାର ବି ଘଟିପାରେ ! ମୋ ପାଇଁ ଠାକୁରଙ୍କ ଛଡ଼ାଫୁଲ ଭାସିଆସିଛି ! ରେଳଧାରଣାର ପାର୍ଶ୍ୱରେ ଫୁଟ୍‌ପାଥ୍ ଉପରେ ଟ୍ରେନ୍ ସହିତ ସମାନ୍ତରାଳ ଭାବେ ଚମ୍ପାଫୁଲ ଚାଲୁଥିଲା। ଆଶ୍ଚର୍ଯ୍ୟର କଥା ହେଲା, ସେ ଆଉ ଲାଜ କି ସଂକୋଚରେ ନୁହେଁ, ସିଧା ସିଧା ମୋତେ ଚାହୁଁଥିଲା। ପ୍ରେମର, ସମର୍ପଣର ଚିହ୍ନ ସ୍ପଷ୍ଟ ବାରି ହେଉଥିଲା ତା ଆଖିରେ। ମୁଁ ମଧ୍ୟ ଲଜ୍ଜାହୀନ ଭାବେ ଗଭୀର ଆତ୍ମବିଶ୍ୱାସର ସହିତ ତାକୁ ଚାହିଁରହିଲି। ଚାରି ଚକ୍ଷୁର ମିଳନରେ ମୁଁ ଉଲ୍ଲସିତ ହେଲି। ମୋତେ ଲାଗିଲା, ସାରା ସଂସାରର ସୁଖ ମୋତେ ପ୍ରାପ୍ତ ହୋଇଗଲା। ଟ୍ରେନ୍‌ର ଗତି ସହିତ ଚମ୍ପାଫୁଲ ଆଉ ମୋ ଭିତରେ ଦୂରତା ବଢ଼ି ବଢ଼ି ଗଲା। ସେ ଗୋଟିଏ ବିନ୍ଦୁ ପରି ପ୍ରତୀୟମାନ ହେବା ପର୍ଯ୍ୟନ୍ତ ମୁଁ ତାକୁ ଚାହିଁରହିଲି। ଆଖି ବୁଜି ତା କଥା ଭାବିଲେ ସେ ଏବେ ବି ଟ୍ରେନ୍‌ରେ ମୋ ସାମ୍ନା ସିଟ୍‌ରେ ବସିଥିବାର ମୁଁ ତାକୁ ଦେଖେ। ସମୟ ସୁଅରେ ଅନେକ କିଛି ବହିଯାଇଛି। କିନ୍ତୁ, ଦୀର୍ଘ ବର୍ଷ ପରେ ବି ମୁଁ ଠିକ୍ ସେଇ ଅବସ୍ଥାରେ ହିଁ ତାକୁ ପାଏ। ମୋ ସ୍ୱପ୍ନରେ, ଅବଚେତନରେ, ଭାବପ୍ରବଣତାରେ, ମୌନତାରେ, ପ୍ରଗଳ୍ଭତାରେ ଏବେ ମଧ୍ୟ ସେ ସେମିତି ସତେଜ ଚମ୍ପାଫୁଲଟିଏ। ଅନେକ ଅକୁହା କଥା, ଯାହା ଓଠରୁ ସ୍ଫୁରୁନଥାଏ ତାହା ଆଖି ବଖାଣୁଥିବାର ଦୃଶ୍ୟ ହିଁ ଚିରକାଳ ପାଇଁ ଶେଷତମ ଦୃଶ୍ୟ। ସେ କହିନଥିଲା, ମୁଁ ବୁଝିଥିଲି। ମୁଁ କହିନଥିଲି ହୁଏତ ସେ ବୁଝିଥିଲା। ନୀରବ ସମ୍ଭାଷଣର ସେଇ ଅଧ୍ୟାୟରୁ କେବେ ବି ନାଟକ ଆରମ୍ଭ ହୋଇପାରେ। ଏଇ ଆଶାର ଆର୍ଦ୍ରତାରେ ମୁଁ ଆଜି ବି ଭିଜୁଛି। ତିନି ଦଶନ୍ଧି ପରେ ମଧ୍ୟ ଆଜି ସେ ମୋ ଛାତିରେ ସେମିତି ଏକ ଅମଳିନ, ଚିରହରିତ୍, କୋମଳ ବିନ୍ଦୁଟିଏ ହୋଇ ରହିଛି।


Rate this content
Log in