ଲିଙ୍ଗଭେଦ
ଲିଙ୍ଗଭେଦ
ମଣିଷ ସମେତ ପ୍ରାୟ ସମସ୍ତ ଉନ୍ନତ ଜୀବଶ୍ରେଣୀରେ ରହିଛି ଲିଙ୍ଗଗତ ପ୍ରଭେଦତା- ନାରୀ ଓ ପୁରୁଷ। ଯୌନ ପ୍ରଗୁଣନ(ରିପ୍ରଡକ୍ଟିଭ୍) ଦ୍ୱାରା ଜିନୀୟ ବିଭେଦତା ଯୁକ୍ତ ବଂଶଧର ସୃଷ୍ଟି ମାଧ୍ୟମରେ ଏମାନେ ନିଶ୍ଚିତ କରିଥା’ନ୍ତି ପ୍ରଜାତିଟିର ବିକାଶ ଏବଂ ତାହା ତିଷ୍ଠି ରହିବାର ସମ୍ଭାବନା। ତାଙ୍କ ମଧ୍ୟରେ ଜୈବିକ ବୈଷମ୍ୟତା ହେତୁ କେବଳ ଶାରୀରିକ ନୁହେଁ, ମାନସିକ ସ୍ତରରେ ମଧ୍ୟ ବିଭେଦତା ବିଦ୍ୟମାନ ବୋଲି ପ୍ରଚଳିତ ରହିଆସିଛି ଏକ ଜନପ୍ରିୟ ବିଶ୍ୱାସ। ଏଥିଅନୁସାରେ ସେମାନେ ଭିନ୍ନ ଭିନ୍ନ ଜଗତରେ ବାସ କରନ୍ତି ଏବଂ ଜଣେ ଅନ୍ୟର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିପାରନ୍ତି ନାହିଁ। ମନେ କରାଯାଏ ଯେ ସେମାନଙ୍କ ମସ୍ତିଷ୍କରେ ରହିଛି ଲିଙ୍ଗଗତ ପ୍ରଭେଦତା। ଏଣୁ ତହିଁରୁ ଗୋଟିକୁ ଆମେ ‘ପୁରୁଷ ମସ୍ତିଷ୍କ’ ଏବଂ ଅନ୍ୟଟିକୁ ‘ନାରୀ ମସ୍ତିଷ୍କ’ ବୋଲି କହିପାରିବା। ସେଥିପାଇଁ ତାଙ୍କର ଚିନ୍ତାଧାରା ପରସ୍ପରଠାରୁ କେତେକ କ୍ଷେତ୍ରରେ ଅଲଗା ଅଲଗା ହୋଇଥାଏ। ବୈଜ୍ଞାନିକମାନେ ଦୀର୍ଘଦିନ ଧରି ଏ ଧାରଣାର ସତ୍ୟତା ପ୍ରମାଣ କରିବାକୁ ଉଦ୍ୟମ ଚଳାଇ ଆସିଛନ୍ତି।
ଲିଙ୍ଗଗତ ଅନୁସାରେ ମସ୍ତିଷ୍କମାନଙ୍କ ମଧ୍ୟରେ ଥିବା ତାରତମ୍ୟ ଏକ ସମ୍ବେଦନଶୀଳ ଏବଂ ବିବାଦମାନ ପ୍ରଶ୍ନ। ଏଥିସହିତ ଜଡ଼ିତ ଅନେକ ନିର୍ଦ୍ଦିଷ୍ଟ ଭାବେ ପ୍ରମାଣିତ ହୋଇ ନଥିବା ତଥ୍ୟ- ଯେପରିକି ପୁରୁଷମାନଙ୍କ ତୁଳନାରେ ନାରୀମାନେ କମ୍ ଧୀଶକ୍ତି ସମ୍ପନ୍ନ। କାରଣ ସେମାନଙ୍କ ମସ୍ତିଷ୍କର ଆକାର ତୁଳନାତ୍ମକ ଭାବେ ଛୋଟ। ସେହିପରି ଆଉ ଗୋଟିଏ ତ୍ରୁଟିପୂର୍ଣ୍ଣ, ଅଥଚ ଜନପ୍ରିୟ ଧାରଣା ହେଲା ଯେ ନାରୀମାନେ ସାଧାରଣ ଭାବେ ଗଣିତ ବିଦ୍ୟାରେ କମ୍ ଧୂରନ୍ଧର। ତେବେ ବର୍ଷବର୍ଷ ଧରି ମସ୍ତିଷ୍କ ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ସମ୍ଭବତଃ ନାରୀ ଓ ପୁରୁଷଙ୍କ ମସ୍ତିଷ୍କ ମଧ୍ୟରେ ରହିଛି କିଛି ରହସ୍ୟମୟ ପ୍ରଭେଦତା।
ଆଜିକାଲି ‘ଫଙ୍କସ୍ନାଲ-ମାଗ୍ନେଟିକ୍ ରେଜୋନାନ୍ସ ଇମେଜିଂ’କୁ ମସ୍ତିଷ୍କ ଉପରେ ଅଧ୍ୟୟନ କରିବାର ଏକ ସହଜ ଏବଂ ସୁବିଧାଜନକ ସାଧନ ରୂପେ ବ୍ୟବହାର କରାଯାଉଛି। ତହିଁରୁ ଜଣାପଡ଼ିଛି ଯେ କୌଣସି ଏକ ବିଷୟରେ ଭାବିଲା ସମୟରେ ନାରୀ ଏବଂ ପୁରୁଷଙ୍କ ମସ୍ତିଷ୍କର କାର୍ଯ୍ୟ ଭଙ୍ଗୀରେ କିଛିଟା ତାରତମ୍ୟ ପରିଲକ୍ଷିତ ହୁଏ। ଏହାର କାରଣ ଓ ପ୍ରଭାବ ସମ୍ପର୍କରେ ନିର୍ଦ୍ଦିଷ୍ଟ ରୂପେ ନିରୂପଣ କରିବା ଲାଗି ବୈଜ୍ଞାନିକମାନେ ଏବେ ଅଧ୍ୟୟନ ଚଳାଇଛନ୍ତି। ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି ୟେଲ୍ ମେଡିକାଲ୍ ସ୍କୁଲର ସ୍ନାୟୁବିଜ୍ଞାନୀ ଦମ୍ପତି ଡକ୍ଟର ସାଲ୍ଲି ଶାଇୱିଜ୍ ଏବଂ ତାଙ୍କ ସ୍ୱାମୀ ଡ. ଚବନେଟ୍ ଶାଇୱିଜ୍। ଦମ୍ପତି ଓ ତାଙ୍କ ସହଗବେଷକଗଣ ଏକ ପରୀକ୍ଷାରେ ୧୯ ଜଣ ପୁରୁଷ ଏବଂ ୧୯ ଜଣ ମହିଳାଙ୍କୁ ନେଇ ଏଣୁ ତେଣୁ କିଛି ଶବ୍ଦ ପଢ଼଼ିବାକୁ ଦେଲେ। ସେହି ସମୟରେ କାହାରି ମସ୍ତିଷ୍କ କିପରି କାର୍ଯ୍ୟ କରୁଛି ସେମାନେ ‘ଫଙ୍କସନାଲ୍ ମାଗ୍ନେଟିକ୍ ରେଜୋନାନ୍ସ ଇମେଜିଂ’ ପଦ୍ଧତିରେ ପର୍ଯ୍ୟବେକ୍ଷଣ କରିବାକୁ ଲାଗିଲେ। ଏହାର ଫଳାଫଳକୁ ନେଇ ୧୯୯୫ ମସିହା ଫେବ୍ରୁଆରୀ ସଂଖ୍ୟାର ଗବେଷଣାପତ୍ରିକା ‘ନେଚର୍’ରେ ପ୍ରକାଶ କଲେ ଏକ ନିବନ୍ଧ। ତଦନୁଯାୟୀ ଏ ସମୟରେ ଉଭୟଙ୍କର ମସ୍ତିଷ୍କ ପ୍ରାୟତଃ ସମାନ ଦକ୍ଷତାର ସହ କାର୍ଯ୍ୟ କରନ୍ତି। ତେବେ ଏଥିପାଇଁ ପୁରୁଷମାନଙ୍କର ‘ବ୍ରୋକା’ ଅଞ୍ଚଳ ଅଧିକ ସକ୍ରିୟ ହୋଇଥାଏ। ଏହା ହେଉଛି ମସ୍ତିଷ୍କର ବାମଭାଗରେ ଥିବା ‘ସେରେବ୍ରାଲ୍ କୋରଟେକ୍ସ’ର ଏକ ଅଂଶ ଏବଂ ଆମ କଥା କହିବା ପ୍ରକ୍ରିୟା ସହିତ ଜଡ଼ିତ। ଅନ୍ୟପକ୍ଷରେ ନାରୀମାନେ ଏଥିସହିତ ସେମାନଙ୍କ ମସ୍ତିଷ୍କର ଦକ୍ଷିଣାଞ୍ଚଳର କିଛି ଭାଗକୁ ମଧ୍ୟ ବ୍ୟବହାରରେ ଲଗାଇଥିଲେ। ଏଥିରୁ ପ୍ରଥମଥର ପାଇଁ ନିର୍ଦ୍ଦିଷ୍ଟ ଭାବେ ସୂଚୀତ ହୋଇପାରିଲା ଯେ ନାରୀ ଓ ପୁରୁଷମାନେ ଚିନ୍ତା କଲା ବେଳେ ସେମାନଙ୍କ ମସ୍ତିଷ୍କର ଭିନ୍ନ ଭିନ୍ନ ଭାଗକୁ ବ୍ୟବହାର କରିଥା’ନ୍ତି।
ଇତିମଧ୍ୟରେ ‘ୟୁନିଭରସିଟି ଅଫ୍ ପେନସିଲ୍ଭାନିଆ ସ୍କୁଲ୍ ଅଫ୍ ମେଡିସିନ୍’ର ‘ବ୍ରେନ୍ ବିହେବିୟର୍ ଲାବ୍’ର ନିର୍ଦ୍ଦେଶକ ଡ. ରୁବେନ୍ ସି. ଗୁର୍ ଏବଂ ତାଙ୍କ ସହଗବେଷକଗଣ ୩୭ ଜଣ ଯୁବକ ଏବଂ ୨୪ ଜଣ ଯୁବତୀଙ୍କର ମସ୍ତିଷ୍କର ଚୟାପୟନ କ୍ରିୟାକଳାପ(ମେଟାବୋଲିଜିମ୍) ଉପରେ ସେମାନେ ସମ୍ପୂର୍ଣ୍ଣ ବିଶ୍ରାମରେ ଥିବା ଏବଂ ସଚେତନ ଭାବେ କିଛି ଭାବୁ ନଥିବା ସମୟରେ ଅଧ୍ୟୟନ କରିଥିଲେ। ଏହାର ଫଳାଫଳ ପ୍ରକାଶିତ ହୋଇଥିଲା ୧୯୯୫ ମସିହା ଜାନୁଆରୀ ସଂଖ୍ୟା ‘ସାଇନ୍ସ’ ପତ୍ରିକାରେ। ସେଥିରେ ସେମାନେ ସୂଚନା ଦେଇଥିଲେ ଯେ ବିଶ୍ରାମ କାଳରେ ନାରୀ ଓ ପୁରୁଷଙ୍କ ମସ୍ତିଷ୍କର ଅଧିକାଂଶ ଭାଗରେ ବିଶେଷ ପ୍ରଭେଦତା ପରିଦୃଷ୍ଟ ହୁଏ ନାହିଁ। ତଥାପି ଭାବପ୍ରବଣତାକୁ ନିୟନ୍ତ୍ରଣ କରୁଥିବା ଲିମ୍ବିକ୍ ବ୍ୟବସ୍ଥାର ସଂରଚନାରେ କିଛିଟା ତାରତମ୍ୟ ଦେଖିବାକୁ ମିଳିଥିଲା। ସେମାନଙ୍କଠାରେ ସେତେବେଳେ ଏହାର ଭିନ୍ନ ଭିନ୍ନ ଭାଗ ସକ୍ରିୟ ଥିବାର ଏବଂ ପୁରୁଷ କ୍ଷେତ୍ରରେ ତାହା ଅଧିକ ସକ୍ରିୟ ଥିବାର ଜଣାପଡ଼ିଥିଲା। ଅତଏବ ବିଶ୍ରାମ ସମୟରେ ମଧ୍ୟ ପୁରୁଷର ମସ୍ତିଷ୍କ କାର୍ଯ୍ୟ କରିବା ପାଇଁ ଅଧିକ ପ୍ରସ୍ତୁତ ଥାଏ ବୋଲି ଗବେଷକମାନେ ଉପସଂହାରରେ ପହଞ୍ଚିଥିଲେ।
ଏପରିକି ନିଦ୍ରାବସ୍ଥାରେ ମଧ୍ୟ ନାରୀ ଓ ପୁରୁଷଙ୍କ ମସ୍ତିଷ୍କ ଭିନ୍ନ ଭିନ୍ନ ରୂପେ କାର୍ଯ୍ୟ କରେ ବୋଲି କହନ୍ତି ମନସ୍ତତ୍ତ୍ୱବିତ୍ ରବର୍ଟ ୱାନ୍ଡେ କ୍ୟାସେଲ୍ଫ। ସେଥିପାଇଁ ସେମାନେ ଦେଖୁଥିବା ସ୍ୱପ୍ନ ଅଲଗା ଅଲଗା ପ୍ରକାର ହୋଇଥାଏ। ସେ ତାଙ୍କ ପୁସ୍ତକ ‘ଆୱାର ଡ୍ରିମିଂ ମାଇଣ୍ଡ’ ପୁସ୍ତକରେ ସୂଚୀତ କରିଛନ୍ତି ଯେ ବିଶେଷକରି ନାରୀମାନେ ଭାବନାତ୍ମକ ଏବଂ ପୁରୁଷମାନେ କ୍ରିୟାକଳାପ ସମ୍ପର୍କୀୟ ସ୍ୱପ୍ନମାନ ଦେଖିଥା’ନ୍ତି। ଅନ୍ୟପକ୍ଷରେ ଶ୍ରମଜୀବୀ ମହିଳା ଏବଂ ଗୃହିଣୀମାନଙ୍କ ସ୍ୱପ୍ନରେ ମଧ୍ୟ ପ୍ରଭେଦତା ରହିଛି। ସେମାନଙ୍କ ମସ୍ତିଷ୍କର କ୍ରିୟାବିଧିରେ ତାରତମ୍ୟ ଏହାର କାରଣ ହୋଇପାରେ।
ଅନ୍ୟପକ୍ଷରେ ଡ. ଗୁର୍ ଏବଂ ତାଙ୍କର ସହଯୋଗୀଗଣ ନାରୀ ଓ ପୁରୁଷମାନେ ଅନ୍ୟ ଜଣକ ମୁହଁ ଦେଖି ତା’ର ଭାବପ୍ରବଣତାକୁ କିପରି ବାରିପାରନ୍ତି, ତାହା ଅଧ୍ୟୟନ କରିଛନ୍ତି। ତହିଁରୁ ଜଣାପଡ଼ିଛି ଯେ ବ୍ୟକ୍ତି ଜଣକ ନାରୀ ହେଉକି ପୁରୁଷ ସେ ଆନନ୍ଦିତ ଥିଲେ ତାହାକୁ ସେମାନେ ସମାନ ଭାବରେ ବାରି ପାରିବେ। ତେବେ ଦୁଃଖୀ ହୋଇଥିବା ନାରୀଟିଏ କ୍ଷେତ୍ରରେ ନାରୀମାନେ ତାହା ୯୦ ଶତାଂଶ ଏବଂ ପୁରୁଷମାନେ ୭୦ ଶତାଂଶ ଅବଗତ ହୋଇପାରିବେ। ଅନ୍ୟପକ୍ଷରେ ସେ ପୁରୁଷ ହୋଇଥିଲେ ଉଭୟ ନାରୀ ଓ ପୁରୁଷ ତାହା ବୁଝିବାକୁ ୯୦ ଶତାଂଶ ସକ୍ଷମ ହେବେ। ଅତଏବ ଜଣେ ପତ୍ନୀ ଦୁଃଖୀ କି ନୁହେଁ ତାହା ବୁଝିବା ସ୍ୱାମୀପକ୍ଷେ ଅପେକ୍ଷାକୃତ କଷ୍ଟକର ହୋଇପାରେ, କିନ୍ତୁ ଜଣେ ପତ୍ନୀ ସହଜରେ ତା’ ସ୍ୱାମୀର ଦୁଃଖୀ ଅବସ୍ଥା ବୁଝିବାକୁ ସମର୍ଥ ହେବ।
ହାମିଲ୍ଟନ୍ସ୍ଥିତ ମ୍ୟାକ୍ ମାଷ୍ଟର ୟୁନିଭରସିଟିର ଜଣେ ପ୍ରସିଦ୍ଧ ସ୍ନାୟୁବିଜ୍ଞାନୀ ହେଲେ ଡକ୍ଟର ସୁନ୍ଦ୍ରା ୱିଟେଲସନ୍। ସେ ନାରୀ ଓ ପୁରୁଷ ଉଭୟ ପ୍ରକାର ମୃତ ଲୋକଙ୍କର ମସ୍ତିଷ୍କର ସ୍ନାୟୁକୋଷ ଗଣନା କରିଥିଲେ। ଏଥିରୁ ଜଣାପଡ଼ିଲା ଯେ ପୁରୁଷମାନଙ୍କ ମସ୍ତିଷ୍କ ଆକାରରେ ବଡ଼ ହୋଇପାରେ। କିନ୍ତୁ ନାରୀମାନଙ୍କ ମସ୍ତିଷ୍କରେ ରହିଛି ୧୧ ଶତାଂଶ ଅଧିକ ସ୍ନାୟୁକୋଷ। ସେଗୁଡ଼ିକ ‘ସେରେବ୍ରାଲ୍ କୋର୍ଟେକସ୍’ର ଛ’ଟି ସ୍ତର ମଧ୍ୟରୁ ଦୁଇଟିରେ ଖୁବ୍ ସାନ୍ଧ୍ରଭାବେ ଏକତ୍ର ରହିଥା’ନ୍ତି। ଏହି ଅଂଶଟି ଭାଷାବୁଝିବା ଏବଂ କଥିତ ଭାଷାର ସ୍ୱରକୁ ଚିହ୍ନଟ କରି ମନେରଖିବା ପାଇଁ ଅଭିପ୍ରେତ। ଅତଏବ ନାରୀଙ୍କର ଏ ଦକ୍ଷତା ଅଧିକ। ମୁମ୍ବାଇର ଯଶଲୋକ ହସ୍ପିଟାଲ୍ଠାରେ କାର୍ଯ୍ୟରତ ଡାକ୍ତର ମୋହିତ ଭଟ୍ଟଙ୍କ ମତରେ ନାରୀ ଓ ପୁରୁଷଙ୍କ ମସ୍ତିଷ୍କର କାର୍ଯ୍ୟଭଙ୍ଗୀରେ ତଫାତ ରହିଛି। ତେବେ ଏଥିପାଇଁ ମୁଖ୍ୟତଃ ଦାୟୀ ତାହା ସଂସ୍ପର୍ଶରେ ଆସୁଥିବା ଅଲଗା ଅଲଗା ହର୍ମୋନ୍। ସେଥିପାଇଁ ଋତୁସ୍ରାବ କାଳରେ ନାରୀର ସ୍ୱଭାବରେ କିଛିଟା ପରିବର୍ତ୍ତନ ଆସେ ଏବଂ ତା’ମସ୍ତିଷ୍କର ପରିବେଶ ପ୍ରତି ସମ୍ବେଦନଶୀଳତା ବଦଳିଥାଏ।
ଅନ୍ୟପକ୍ଷରେ ନିକଟରେ ନ୍ୟୁୟୁର୍କ ବିଶ୍ୱବିଦ୍ୟାଳୟର ‘ଗ୍ରସ୍ମ୍ୟାନ୍ ସ୍କୁଲ୍ ଅଫ୍ ମେଡିକାଲ୍’ର ପ୍ରଫେସର ତଥା ଉପାଧ୍ୟକ୍ଷ ୱାଇ ଭୋନେ ଲୁଇ ଏବଂ ସହଯୋଗୀମାନେ ‘ମାଗ୍ନେଟିକ୍ ରେଜୋନାନ୍ସ ଇମେଜିଂ’ ବା ଏମ୍ଆର୍ଆଇ ଫଳାଫଳର ପ୍ରକ୍ରିୟାକରଣ କରିପାରୁଥିବା କୃତ୍ରିମମେଧା- କମ୍ପ୍ୟୁଟର ପ୍ରୋଗ୍ରାମ ବ୍ୟବହାର କରି ୪୭୧ ଜଣ ପୁରୁଷ ଏବଂ ୫୬୦ ଜଣ ନାରୀଙ୍କ ମସ୍ତିଷ୍କର ହଜାର ହଜାର ସ୍କାନକୁ ବିଶ୍ଳେଷଣ କରିଛନ୍ତି। ଏହି ଅଧ୍ୟୟନରେ ୯୨%ରୁ ୯୮% ଥର ନାରୀ ଓ ପୁରୁଷଙ୍କ ମସ୍ତିଷ୍କ ଗାଠନିକ ବିଭିନ୍ନତା ଚିହ୍ନଟ ହୋଇପାରିଥିଲା। ସେମାନେ ୧୪ ମଇ ୨୦୨୩ରେ ‘ସାଇଣ୍ଟିଫିକ୍ ରିପୋର୍ଟସ୍’ ପତ୍ରିକାରେ ପ୍ରକାଶିତ ଏହାର ଫଳାଫଳରେ ଦର୍ଶାଇଥିଲେ ଯେ ମସ୍ତିଷ୍କର ଭିନ୍ନ ଭିନ୍ନ ଅଂଶ ସହିତ ଯୋଗାଯୋଗ ଘଟାଉଥିବା ଏହାର ‘ଶ୍ୱେତପଦାର୍ଥ’ରେ ସ୍ନାୟୁକୋଷମାନଙ୍କ ସାଜସଜାରେ ଲିଙ୍ଗଗତ ପ୍ରଭେଦତା ରହିଛି। ସେଥିପାଇଁ ସେମାନଙ୍କଠାରେ ବିଭିନ୍ନ ମସ୍ତିଷ୍କ ଏବଂ ସ୍ମୃତି ଜନିତ ସମସ୍ୟା ଭିନ୍ନ ଭିନ୍ନ ହାରରେ ଏବଂ ଭିନ୍ନ ଭିନ୍ନ ଲକ୍ଷଣ ନେଇ ପ୍ରକଟିତ ହୁଏ।
ଏ ସମସ୍ତ କଥା ବିଚାରକୁ ନେଇ ଡକ୍ଟର ଗୁର୍ ଏବଂ ତାଙ୍କ ସହଯୋଗୀମାନେ କହନ୍ତି ଯେ ନାରୀ ଓ ପୁରୁଷଙ୍କ ମସ୍ତିଷ୍କର ଗଠନ ଓ ତାହାର କାର୍ଯ୍ୟଭଙ୍ଗୀ ତଥା ଭିନ୍ନ ଭିନ୍ନ ପରିବେଶ ପ୍ରତି ପ୍ରତିକ୍ରିୟାରେ ପ୍ରଭେଦ ନିଶ୍ଚୟ ରହିଛି। ତେବେ ଏ ସବୁ ତୁଳନାରେ ସେଗୁଡ଼ିକର ସମାନତା ମଧ୍ୟ ଯଥେଷ୍ଟ। ଏଣୁ ସେମାନେ ଭିନ୍ନ ଭିନ୍ନ ଦୁନିଆରେ ବାସ କରନ୍ତି ବୋଲି କହି ହେବ ନାହିଁ। ପୁନଶ୍ଚ ଏ ଦିଗରେ ଏକ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚିବାକୁ ହେଲେ ଲୋଡ଼ା ଅଧିକ ଅଧ୍ୟୟନ ଓ ଗବେଷଣା। ତାହା ମସ୍ତିଷ୍କର କାର୍ଯ୍ୟଭଙ୍ଗୀ ଉପରେ ଆହୁରି ଆଲୋକପାତ କରିବ ଏବଂ ତାହାର କାର୍ଯ୍ୟ ଦକ୍ଷତା ବୃଦ୍ଧି ସଂଗେ ସଂଗେ ତାହାକୁ ରୋଗମୁକ୍ତ ରଖିବା ଦିଗରେ ନୂତନ ପଥ ପ୍ରଦର୍ଶନ କରିବ।
