ଭୋଜି ଭାତ
ଭୋଜି ଭାତ
ଲୋକେ ଦଳବଦ୍ଧ ହୋଇ ବାହାରେ ଭୋଜି ଭାତ କରି ଖାଇବାକୁ ଖୁବ୍ ପସନ୍ଦ କରନ୍ତି । କେହି ଜଙ୍ଗଲ ମଧ୍ୟରେ, କେହି ନାଳ କୂଳରେ, କେହି ନଦୀ କୂଳରେ ଥିବା ତୋଟାରେ ତ କେହି ଠାକୁର ଦର୍ଶନ କରି ମନ୍ଦିରର ପ୍ରସାଦ ସେବନ କରନ୍ତି । କିନ୍ତୁ ସମାନ ମାନସିକ ସ୍ତରର ଲୋକମାନେ ଗୋଟିଏ ପ୍ରକାରର ଭୋଜି କରିଥାଆନ୍ତି ।ଲୋକମାନଙ୍କର ମାନସିକତା ଏମତି ଯେ ଅଧିକାଂଶ ଲୋକେ ଭୋଜି ଭାତ କହିଲେ ଆମିଷ ଭୋଜନ ବୁଝନ୍ତି । ଆଉ କିଛି ଲୋକ ଆମିଷ ଭୋଜନ ଏବଂ ତା ସହିତ ମଦ୍ୟପାନକୁ ଭୋଜି ଭାତ ବୁଝନ୍ତି । ସେହିଭଳି ବିବାହ ଭଳି ଶୁଭ ମାଙ୍ଗଳିକ ଏବଂ ମୃତାହ ଭଳି ଶୁଦ୍ଧି କାର୍ଯ୍ୟରେ ଲୋକେ ଆମିଷ ରନ୍ଧନ ସହ ଭୋଜନ ଆଉ ମଦ୍ୟପାନ କରି ଆନନ୍ଦ ଅନୁଭବ କରୁଛନ୍ତି ।
ମାଙ୍ଗଳିକ ଆଉ ଶୁଦ୍ଧି କାର୍ଯ୍ୟରେ ଆମିଷ ରନ୍ଧନ ଓ ଆମିଷ ଭୋଜନ କେତେ ଦୂର୍ ଯଥାର୍ଥ ଏହା ବିଚାର୍ଯ୍ୟ । ଗୋଟିଏ ମୃତ ଜୀବକୁ ଶବ କୁହାଯାଏ । ଶବକୁ ସ୍ପର୍ଶ କଲେ ଆମେ ଅଶୁଚି ହୋଇଥାଉ ଏବଂ ସ୍ନାନ ପରେ ଶୁଚି ହୋଇ ଘରର ସମସ୍ତ ଆସବାବ ପତ୍ରକୁ ଛୁଇଁ ଥାଉ । କାରଣ ଏହି ଶବକୁ ଅପବିତ୍ର ମାନା ଯାଇଥାଏ । ଶବକୁ ମଢ଼ ବା ମୁର୍ଦାର ମଧ୍ୟ କୁହାଯାଏ । ମଣିଷଟିଏ ମଲେ ଆମେ ସ୍ନାନ କରି ଶୁଚି ହେଉ । କିନ୍ତୁ ଅନ୍ୟ ମୃତ ଜୀବର ଅପବିତ୍ର ମାଂସକୁ ରୋଷାଇ ଘରେ ପୁରାଇ ତାକୁ ପାକ କରି ଆନନ୍ଦ ମନରେ ଉଦରସ୍ଥ କରି ନିଜକୁ ଖୁବ୍ ପବିତ୍ର ମନେକରୁ । ଯାହା କୁକୁର, ବିରାଡ଼ି, ବିଲୁଆ, ବ୍ୟାଘ୍ର, ସିଂହ, କାଉ, ଶାଗୁଣା ଇତ୍ୟାଦି ଅଜ୍ଞାନ ପଶୁ ପକ୍ଷୀ ମାଂସାଶୀ ପ୍ରାଣୀମାନଙ୍କର ତଥା ରାକ୍ଷସ ମାନଙ୍କର ଖାଦ୍ୟ ; କିନ୍ତୁ ମଣିଷର ନୁହେଁ । ମଣିଷ ତାକୁ ଖାଉଛି । ଶବ ମଶାଣିକୁ ଯାଏ, ହେଲେ ମଣିଷ ନିଜ ପେଟକୁ ମଶାଣି କରି ଦେଇଛି । ଧନ୍ୟରେ ଶ୍ରେଷ୍ଠ ,ଜ୍ଞାନୀ ବୋଲାଉ ଥିବା ମଣିଷ !
ଆମର ଖାଦ୍ୟକୁ ତିନି ଭାଗରେ ବିଭକ୍ତ କରା ଯାଇଛି । ସାତ୍ତ୍ୱିକ, ରାଜସିକ ଓ ତାମସିକ । ଏହାକୁ ପୁଣି ଯଥା କ୍ରମେ ତିନି ଭାଗରେ ବିଭକ୍ତ କରାଯାଏ । ଖାଦ୍ୟ, ଅଖାଦ୍ୟ ଓ କୁଖାଦ୍ୟ । ଏହି ଖାଦ୍ୟରୁ ମନ ଓ ଶରୀରର ତିଆରି ହୋଇଥାଏ । ଯୈସା ଅନ୍ନ ଓଏସା ମନ୍ । ଅର୍ଥାତ୍ ଖାଦ୍ୟ ଯେପରି ହେବ ମନ ମଧ୍ଯ ସେପରି ହେବ । ଶାସ୍ତ୍ରାନୁସାରେ ଜୀବକୁ ମାରିବାରେ ଆଠ ଜଣ ଦୋଷୀ । "ଅନୁମନ୍ତା ବିସଂଶିତା ନିହନ୍ତା କ୍ରୟୀ ବିକ୍ରୟୀ, ସଂସ୍କର୍ତ୍ତା ଚୋପହର୍ତ୍ତା ଚ ଖାଦକାଶ୍ଚେତି ଘାତକାଃ ।" ଅର୍ଥାତ୍ ଏହି କ୍ରମରେ ୧- ମାଂସ ଆଣିବାକୁ ଅନୁମତି ଦେଲାବାଲା ବା ମାଂସ ଖାଇବା ପାଇଁ ଟଙ୍କା ଦେଲାବାଲା, ୨- କାଟିଲା ବାଲା, ୩- ମାରିବା ବାଲା, ୪- କିଣିଲା ବାଲା, ୫- ବିକିଲା ବାଲା, ୬- ରନ୍ଧନ କଲା ବାଲା, ୭ - ଆଣିଲା ବାଲା ଓ ୮- ଖାଇଲା ବାଲା ଏହି ଆଠ ଜଣ ସେହି ଜୀବକୁ ମାରିବାରେ ଦୋଷୀ ।
ଦ୍ୱିତୀୟତଃ ଅହିଂସା ପରମ ଧର୍ମ ହେଉଛି ଶାସ୍ତ୍ର ବାଣୀ । ନିରୀହ ଜୀବଟିକୁ କଷ୍ଟ ଦେଇ ବଧ କରିବା କେଉଁ ଅହିଂସାରେ ଗଣ୍ୟ ? କେବଳ ଆତତାୟୀ ବଧ ଯୋଗ୍ୟ ହୋଇଥାଏ । ତୃତୀୟତଃ ମଢ଼ ଅପବିତ୍ର ମାଂସ ଭୋଜନ କରି ମନ ଏଵଂ କାୟାକୁ ଅପବିତ୍ର କରାଯାଇ ଧର୍ମ ବିରୁଦ୍ଧ କାର୍ଯ୍ୟ କରି ଧର୍ମକୁ ଆଖି ମିଟିକା ମାରିବା ବ୍ୟତୀତ ଆଉ କିଛି ନୁହେଁ । "ମାଂସ ଭକ୍ଷଣ ସୁରା ପାନ, ଅସୁର ମାନଙ୍କ ଭୋଜନ (ଭାଗବତ) ।" ସନ୍ଥକବିଙ୍କ ଭାଷାରେ "ଜୀବ ମାରିଣ ଖାଏ ଯିଏ, ଅନ୍ତେ ନରକେ ପଡେ ସିଏ ।" ବିବାହ ଭୋଜିଭାତ ଯଦି ମନ୍ଦିରରେ ହେଲା ତାକୁ ଭଲ ତୃପ୍ତିକର ଭୋଜନ ବୋଲି ମଣିଷ କହୁଛି ଆଉ ଯଦି ଘରେ ସେହି ବିବାହ ଭୋଜିଭାତରେ ଆମିଷ ନ ହେଲା ଭଲ ଭୋଜି ବୋଲି ସ୍ବୀକାର କରୁ ନାହିଁ । ଏହାହିଁ ମଣିଷର ମାନସିକତା ।
ବିବାହ ଓ ଶୁଦ୍ଧି କ୍ରିୟାରେ ଦେବାଦେବୀଙ୍କ ପୂଜନ ଆବାହନ କରାଯାଇଥାଏ । ସେଠାରେ ମଢ଼ ଅପବିତ୍ର ଦୁର୍ଗନ୍ଧ ମାଂସ ରନ୍ଧନ ଆଉ ଭୋଜନ କଲେ କେଉଁ ଦେବାଦେବୀ ଉପସ୍ଥିତ ହେବେ ବିଚାର ଯୋଗ୍ୟ । ଭାଗବତରେ କୁହା ଯାଇଛି "ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗଵାନ ।" ପ୍ରତ୍ୟେକ ମନୁଷ୍ୟ ଠାରେ ଦିବ୍ୟ ଜ୍ଞାନ ରହିଛି । କେବଳ ତାକୁ ଉଜାଗର କରିବାର ଅଛି । ପରମ କରୁଣାମୟ ଭଗଵାନ, ମଣିଷ ପାଇଁ ଅନେକ ଦେବଭୋଗ୍ୟ ଖାଦ୍ୟ ଗଚ୍ଛିତ କରି ରଖିଛନ୍ତି । ଆମର ଆଦିମ ପ୍ରବୃତ୍ତି ଓ ଜିହ୍ୱା ଲାଳସାକୁ ବର୍ଜନ କଲେ ନିଜର ଏବଂ ସମାଜର ମଙ୍ଗଳ ହେବ । "ପ୍ରବୃତ୍ତିନାଂ ନିବୃତ୍ତିଷୁ ମହା ଫଳାଃ ।" ପ୍ରବୃତ୍ତି ମାନଙ୍କର ନିବୃତ୍ତି ହିଁ ମହାଫଳ ଦାୟକ । ଆମର ସନାତନ ଧର୍ମର ଶ୍ରେଷ୍ଠ ଗ୍ରନ୍ଥ ଗୀତା, ଭାଗବତ, ରାମାୟଣ ପାଠ କରି ନିଜ ଜୀବନକୁ ସୁଧାରିବା କର୍ତ୍ତବ୍ୟ । ନଚେତ୍ ଜୀବନ ଡ଼ଙ୍ଗା କୂଳରେ ଲାଗିବା ଅସମ୍ଭବ । ଜଗନ୍ନାଥ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ ।
