STORYMIRROR

Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

ଚନ୍ଦ୍ରଭାଗା ବୁଡ

ଚନ୍ଦ୍ରଭାଗା ବୁଡ

5 mins
396


ପଦ୍ମପୁରାଣର ପ୍ରାଚୀ ମାହାତ୍ମ୍ୟରେ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି I ସେହି ଅର୍କ ତୀର୍ଥ ପରବର୍ତ୍ତୀ କାଳରେ ‘ ଚନ୍ଦ୍ରଭାଗା ତୀର୍ଥ ’ ନାମରେ ପ୍ରସିଦ୍ଧ ହୋଇଛି I ସ୍ୱର୍ଗର ପୁଣ୍ୟତୋୟା ସରସ୍ୱତୀ ମର୍ତ୍ତ୍ୟଲୋକରେ ପ୍ରାଚୀ ନାମରେ ପ୍ରବାହିତ ହୋଇଥିଲେ I ତା’ପରେ ଏହା ଚିତ୍ରୋତ୍ପଳା, କାଦୁଆ ଓ ଶେଷରେ ଚନ୍ଦ୍ରଭାଗା ନାମରେ କୋଣାର୍କ ନିକଟରେ ସମୁଦ୍ରରେ ପଡ଼ିଥିଲା I ଶାମ୍ବ ଏହି ଚନ୍ଦ୍ରଭାଗା ନଦୀକୂଳରେ ସୂର୍ଯ୍ୟ ଉପାସନା କରି କୁଷ୍ଠରୋଗରୁ ମୁକ୍ତିଲାଭ କରିଥିଲେ I ଏହି ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ସମୟରେ ଶାମ୍ବ ସୂର୍ଯ୍ୟଙ୍କର ମଣିବିଗ୍ରହ ପାଇଥିଲେ ଏବଂ ସ୍ୱୟଂ ସୂର୍ଯ୍ୟଦେବ ତାଙ୍କର ସେହି ମୂର୍ତ୍ତିକୁ ଚନ୍ଦ୍ରଭାଗା ନଦୀ ତୀରରେ ମନ୍ଦିର ନିର୍ମାଣ ପାଇଁ ଶାମ୍ବଙ୍କୁ ନିର୍ଦ୍ଦେଶ ଦେଇଥିଲେ I ତେଣୁ ପ୍ରାଚୀନ କାଳରୁ ଚନ୍ଦ୍ରଭାଗା ଏକ ପୂଣ୍ୟତୀର୍ଥ ରୂପେ ଖ୍ୟାତି ଅର୍ଜନ କରିଆସିଛି I ସୂର୍ଯ୍ୟଙ୍କର ସ୍ଵନକ୍ଷତ୍ର ଦିବସ ହେଉଛି ମାଘସପ୍ତମୀ l ସୂର୍ଯ୍ୟ ସକଳ ଶକ୍ତିର ଆଧାର ହୋଇଥିବାରୁ ପୁରାଣଯୁଗଠାରୁ ଆରମ୍ଭ କରି ପ୍ରାଚୀନ ଇତିହାସ ଏବଂ ଆଜି ମଧ୍ୟ ସୂର୍ଯ୍ୟଙ୍କ ଉପାସନା ଦେଖିବାକୁ ମିଳେ l ବିଶେଷତଃ ଜନ୍ମତିଥି ଅବସରରେ ଏହା ଭାରତର ସର୍ବତ୍ର ପାଳିତ ହୋଇଥାଏ l ଆମ ରାଜ୍ୟର ଲୋକସଂସ୍କୃତିରେ ସୂର୍ଯ୍ୟଦେବ ଓ ସୂର୍ଯ୍ୟ ଉପାସନାର ଗୁରୁତ୍ଵ ଓ ପ୍ରସିଦ୍ଧି ରହିଛି l ମାଘସପ୍ତମୀରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇ ଉଦିତ ସୂର୍ଯ୍ୟଙ୍କ କିରଣ ଲାଭ କରିବା, ସମସ୍ତ ପ୍ରକାର ପାପରୁ ମୁକ୍ତି ପାଇବା ତଥା ରୋଗ ଓ ପୀଡ଼ା ନିବାରଣ ପାଇଁ ଲୋକଙ୍କ ସମାଗମ ଚନ୍ଦ୍ରଭାଗା ଯାତ୍ରା ଭାବେ ପରିଚିତ l ସମୟ ବଦଳିଥିଲେ ମଧ୍ୟ ଏଇ ପରମ୍ପରା ଆଜି ବି ପ୍ରଚଳିତ l ଏହି ପୁଣ୍ୟତିଥିରେ ଧର୍ମ, କଳା, ସ୍ଥାପତ୍ୟ ଓ ସଂସ୍କୃତିର ପୀଠ ଅର୍କକ୍ଷେତ୍ର କୋଣାଦିତ୍ୟ ସୂର୍ଯ୍ୟକ୍ଷେତ୍ର ମିତ୍ରବାନକ୍ଷେତ୍ର କୋଣାର୍କରେ ଶ୍ରଦ୍ଧାଳୁ ଭକ୍ତମାନେ ସୂର୍ଯ୍ୟନାରାୟଣଙ୍କୁ ପୂଜାର୍ଚ୍ଚନା କରି ନବଗ୍ରହଙ୍କୁ ପୂଜା ମଧ୍ୟ କରିଥା’ନ୍ତି l


ସାରଳା ଦାସଙ୍କ ମହାଭାରତର ବନ ପର୍ବରେ ଅର୍କକ୍ଷେତ୍ର ବିଷୟରେ ଉଲ୍ଲେଖ ଅଛି ଯେ ମକର ମାସ ଅର୍ଥାତ ପବିତ୍ର ମାଘ ସପ୍ତମୀ ତିଥିରେ ସୂର୍ଯ୍ୟଦେବ ‘ ଅର୍କ ’ ନାମକ ଏକ ଦୈତ୍ୟକୁ ପାତାଳକୁ ଚାପି ତୀର୍ଥ ଅର୍କତୀର୍ଥ ସୃଷ୍ଟି କରିଥିବାରୁ ପ୍ରତିବର୍ଷ ମାଘ ଶୁକ୍ଳ ସପ୍ତମୀ ଦିନ ଏହିତୀର୍ଥରେ ପବିତ୍ର ସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ I ତେଣୁ ‘ କୋଣାର୍କ ’ ସୂର୍ଯ୍ୟକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛନ୍ତି I ତେଣୁ ଏହିଦିନରେ ସୂର୍ଯ୍ୟପୂଜା କରାଯାଏ I ପଦ୍ମ ପୁରାଣରେ ପ୍ରାଚୀ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି ଯେ ସୂର୍ଯ୍ୟଦେବ ନିଜର ପାପ ମୋଚନ ନିମନ୍ତେ ଅର୍କତୀର୍ଥରେ ତପସ୍ୟା କରି ମୁକ୍ତିଲାଭ କରିଥିଲେ I ମହାଦେବ ମଧ୍ୟ ଏଠାରେ ତପସ୍ୟା କରି ବ୍ରହ୍ମାଶିର ଛେଦନ ଜନିତ ପାପରୁ ମୁକ୍ତି ପାଇଥିଲେ I ସୂର୍ଯ୍ୟଦେବ ଶିବଙ୍କୁ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରି କହିଛନ୍ତି -


 “ ଅର୍କ ତୀର୍ଥ ଯେତେ ପୁଣ୍ୟ, ମୁଁ କହିବାକୁ ନୋହେଁ କ୍ଷମ I

 ମାଘ ମାସର ଶୁକ୍ଳପକ୍ଷ, ସପ୍ତମୀ ହୋଇଲେ ପ୍ରତ୍ୟେକ୍ଷ I

ତିଳ ଲଗାଇ କଲେ ସ୍ନାନ, ତିଳେ ଦେଲେ ଦାନ ଭୋଜନ I

 କୋଟି ଗୋଦାନ ଫଳ ପାଇ, ତା ଦେହେ ବ୍ୟାଧି ନ ଲାଗଇ I

 ଅପୁତ୍ରୀ ନାରୀ କଲେ ଦାନ, କୋଳେ ତା ହୁଅଇ ନନ୍ଦନ

ଅର୍କ ତୀର୍ଥରେ ସ୍ନାନ କରି, ବ୍ରହ୍ମ ହତ୍ୟାରୁ ହୋଏ ପାରି I ”


ମାଘ ଶୁକ୍ଳ ସପ୍ତମୀରେ ସୂର୍ଯ୍ୟଦେବ ଜନ୍ମଗ୍ରହଣ କରିଥିଲେ I ଏହି ତିଥିରେ ଅର୍କ ତୀର୍ଥରେ ସ୍ନାନ କଲେ ମନୁଷ୍ୟ ବୀତରୋଗ ବିକଳ୍ମଷ ହୋଇ ମନୁଷ୍ୟ ଜନ୍ମରୁ ମୁକ୍ତି ମିଳିଥାଏ I ପ୍ରତିବର୍ଷ ମାଘ ସପ୍ତମୀରେ ସୂର୍ଯ୍ୟ ମନ୍ଦିର କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗାରେ ପବିତ୍ର ବୁଡ ଅନୁଷ୍ଠିତ ହୋଇଥାଏ I ଭାରତର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ ସମାଗମ ହୋଇ ବ୍ରାହ୍ମ ମୁହୂର୍ତ୍ତରେ ଚନ୍ଦ୍ରଭାଗାରେ ବୁଡ ପକାଇ ତୀର୍ଥଜଳରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଦାନଧର୍ମ କରି ପୁଣ୍ୟ ଅର୍ଜନ କରିଥାନ୍ତି I ଏହା ଚନ୍ଦ୍ରଭାଗା ଯାତ୍ରା ବା ଚନ୍ଦ୍ରଭାଗା ମେଳା ନାମରେ ପ୍ରସିଦ୍ଧ I ଏହିମେଳା ଉପଲକ୍ଷେ ପୂର୍ବେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରତିଷ୍ଠିତ ସୂର୍ଯ୍ୟ ଓ ଚନ୍ଦ୍ର ଏକ ବିମାନରେ ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରୁଥିଲେ I ଏହି ପ୍ରତିମାଙ୍କ ସହ କୋଣାର୍କର ଅଷ୍ଟଶମ୍ଭୁ ଓ ଅଷ୍ଟଚଣ୍ଡୀ ମଧ୍ୟ ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରିଥାନ୍ତି I ସୂର୍ଯ୍ୟଦେବଙ୍କର ଏଇ ରଥଯାତ୍ରା ଅତ୍ୟନ୍ତ ବିରଳ I ବ୍ରହ୍ମ ପୁରାଣରେ ଏହା ସୌର ଗୁଣ୍ଡିଚା ନାମରେ ଖ୍ୟାତିଲାଭ କରିଛି I ତେବେ ପ୍ରଥମେ ଏଇ ଦେବଗଣମାନେ ପ୍ରଦକ୍ଷଣ କରିସାରିବା ପରେ ଭକ୍ତଗଣ ହରିବୋଲ ହୁଳହୁଳିର ପ୍ରକମ୍ପିତ ଧ୍ୱନିରେ ବୁଡପକାଇଥାନ୍ତି I କୋଣାର୍କ ମନ୍ଦିର ଭାଙ୍ଗିଯିବା ପରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରତିମା ଦ୍ୱୟକୁ ପୁରୀ ନିଆଯାଇ ଶ୍ରୀ ମନ୍ଦିର ବେଢାରେ ସ୍ଥାପନ କରାଯାଇଛି I ଚନ୍ଦ୍ରଭାଗା ନଦୀଟି ପୋତି ହୋଇ ତାର ସତ୍ତା ହଜାଇ ବସିଲାଣି I ତଥାପି ଏଠାରେ ପ୍ରତିବର୍ଷ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ ପାଳିତ ହୋଇଆସୁଛି l


ଅଭିଶପ୍ତ ଶାମ୍ବ ପିତା ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକ୍ରମେ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗାରେ ତପସ୍ୟା କରିଥିଲେ ଏବଂ ସୂର୍ଯ୍ୟପୂଜାର ଅୟମାରମ୍ଭ କରିଥିଲେ l ସେହି ଦ୍ୱାପରଯୁଗର ସମୟ ଯୁଧିଷ୍ଠିର ରାଜାଙ୍କ ରାଜତ୍ୱକାଳରୁ ସାକ୍ୟ ସମ୍ବତ ଯାଏ ୨୫୨୬ବର୍ଷ, ବୁଦ୍ଧଦେବଙ୍କ ଜନ୍ମଠାରୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ୫୭୪ବର୍ଷ ଏବଂ ଯୀଶୁଙ୍କ ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୩ବର୍ଷଯାଏଁ; ଅତଏବ ବର୍ତ୍ତମାନ କଳିଯୁଗକୁ ମିଶାଇ ୫୧୨୩ ବର୍ଷ ଅତିକ୍ରାନ୍ତ ହୋଇଗଲାଣି l ସୁତରାଂ ୫୧୨୩ ବର୍ଷ ପୂର୍ବେ ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ପୌଷମାସ ଦଶମୀଠାରୁ ମାଘ ମାସ ସପ୍ତମୀ ପର୍ଯ୍ୟନ୍ତ ତପସ୍ୟା କରିଥିଲେ l ଯେଉଁ ସୂର୍ଯ୍ୟଦେବଙ୍କ ମଣିବିଗ୍ରହକୁ ଚନ୍ଦ୍ରଭାଗା ନଦୀରେ ସ୍ନାନ ସମୟରେ ପ୍ରାପ୍ତକରି ଶାମ୍ବ ସୂର୍ଯ୍ୟପୂଜା କରୁଥିଲେ, ମିତ୍ରାଦିତ୍ୟଂ ସେହି ସ୍ଥାନରେ ସୂର୍ଯ୍ୟମନ୍ଦିର ନିର୍ମାଣକରି ସେଥିରେ ବିଗ୍ରହକୁ ସ୍ଥାପନ କରିଥିଲେ l ସେବେଠାରୁ ସୂର୍ଯ୍ୟଦେବଙ୍କ ରଥଯାତ୍ରା ପାଳନ କରାଯାଉଥିବାର ଅନୁମାନ କରାଯାଏ l ପରବର୍ତ୍ତୀ କାଳରେ ରାଜାମାନେ ଥରକୁ ଥର ମନ୍ଦିର ନିର୍ମାଣ କରିଛନ୍ତି, ପରିଶେଷରେ ଲାଙ୍ଗୁଡା ନରସିଂହ ଦେବ ଏକ ଚଳନ୍ତା ରଥ ସଦୃଶ ସୂର୍ଯ୍ୟମନ୍ଦିରର ରୂପରେଖ ଦେଇଥିଲେ l ତେଣୁ ରଥ ସଦୃଶ୍ୟ ମନ୍ଦିର ତିଆରି ପୂର୍ବରୁ ଏଠାରେ ଲୌକିକ ରଥଯାତ୍ରା ହେଉଥିବାର ପ୍ରମାଣ ଦିଏ l 


ମାଦଳା ପାଞ୍ଜିରେ କୋଣାର୍କରେ ମାଘ ସପ୍ତମୀ ଯାତ୍ରା ଉଲ୍ଲେଖ ଅଛି l କପିଳ ସଂହିତାରେ ଏହିସ୍ଥାନରେ ରଥଯାତ୍ରା ଓ ବ୍ରହ୍ମପୁରାଣରେ ଚୈତ୍ରମାସର ଶୁକ୍ଳପକ୍ଷ 'ଚୈତ୍ର ଯାତ୍ରା' ନାମରେ ଏଠାରେ ଏକ ଯାତ୍ରା ହେଉଥିବାର ବର୍ଣ୍ଣନା ରହିଛି l ଖ୍ରୀଷ୍ଟିୟ ଷଷ୍ଠ ଶତାବ୍ଦୀରେ ମାଘ ସପ୍ତମୀରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୂର୍ଯ୍ୟପୂଜା ଉତ୍ସବ ପାଳନ ହେଉଥିଲା ବୋଲି ଡଃ. ନବୀନ କୁମାର ସାହୁ ଓଡ଼ିଆ ଜାତିର ଇତିହାସରେ ଲେଖିଛନ୍ତି l ଚୀନ ପରିବ୍ରାଜକ ହୁଏନଂସା ୬୪୧ଖ୍ରୀଷ୍ଠାବ୍ଦରେ ସୂର୍ଯ୍ୟରଥ ଉତ୍ସବ ଦେଖିଥିବାର ଉଲ୍ଲେଖ କରିଛନ୍ତି l ଗଙ୍ଗାଙ୍କ ୧୮୩ରେ ଚେକାକେଲ ତାମ୍ର ଶାସନରେ ରଥ ସପ୍ତମୀ ଉପଲକ୍ଷେ ଗ୍ରହ ବ୍ରାହ୍ମଣମାନଙ୍କୁ ଭୂମିଦାନର କରାଯାଇଥିବାର ସୂଚନା ମିଳେ l ଅନଙ୍କଭୀମ ଦେବଙ୍କ ରାଜତ୍ୱ ୨୯ ବର୍ଷରେ ସନ ୧୧୫୭ ଖ୍ରୀଷ୍ଟାବ୍ଦରେ ମାଘ ଶୁକ୍ଳ ସପ୍ତମୀରେ ଚନ୍ଦ୍ରଭାଗା ସ୍ନାନପରେ ରଥଯାତ୍ରାରେ ସୂର୍ଯ୍ୟ ଉପାସକ ଗ୍ରହ ବ୍ରାହ୍ମଣ କୃର୍ତ୍ତିବାସ ନାୟକଙ୍କୁ ଦୁଇଟି ଭୂମିଦାନ ବିଷୟ ଶ୍ରୀକ୍ଷେତ୍ର ପାତାଳେଶ୍ୱର ମନ୍ଦିର ଦେହରେ ଖୋଦିତ ଅଛି l ଏହି ରଥଯାତ୍ରା ପୁରୀ ରଥଯାତ୍ରାଠାରୁ ପ୍ରାଚୀନ ଅଟେ l କିନ୍ତୁ ସ୍କନ୍ଦପୁରାଣ ଉତ୍କଳ ଖଣ୍ଡରେ ଚନ୍ଦ୍ରଭାଗା ବୁଡ ଉପଲକ୍ଷେ କୋଣାର୍କରେ ମାଘମାସ ଶୁକ୍ଳ ପଞ୍ଚମୀ ଦିନ ରଥଯାତ୍ରା ଗୁଣ୍ଡିଚା ଯାତ୍ରା ପରି ପାଳନ ହେଉଥିଲା l ଓଡ଼ିଶାରେ ମୁଖ୍ୟତଃ ଚାରିଗୋଟି ରଥଯାତ୍ରା ଅନୁଷ୍ଠିତ ହୁଏ l ବର୍ଷର ପ୍ରତି ଦୁଇମାସରେ ଥରେ ଗୋଟିଏ ରଥଯାତ୍ରା ହୁଏ l ଚୈତ୍ରମାସ ଶୁକ୍ଳ ଅଷ୍ଟମୀରେ ରୁକୁଣା ରଥଯାତ୍ରା, ଆଷାଢ ମାସ ଦ୍ୱିତୀୟାରେ ଗୁଣ୍ଡିଚା ରଥଯାତ୍ରା, ଆଶ୍ୱିନରେ ଦୁର୍ଗାଙ୍କ ଏବଂ ମାଘ ମାସ ପଞ୍ଚମୀରେ କୋଣାର୍କ ସୌର ରଥଯାତ୍ରା ପାଳନ ହେଉଥିବାର ପୁରାଣରେ ବର୍ଣ୍ଣନା ଅଛି l କିନ୍ତୁ ପ୍ରତି ଦୁଇ ମାସ ବ୍ୟବଧାନରେ ଗୋଟିଏ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ କୋଣାର୍କର ସୌର ରଥଯାତ୍ରା ମାଘ ମାସ ପରିବର୍ତ୍ତେ ପୌଷମାସରେ ଅନୁଷ୍ଠିତ ହେବାର ଗବେଷକ ଡଃ. ଉପେନ୍ଦ୍ର ନାଥ ଭୋଳ ପ୍ରମାଣ ଦେଇଛନ୍ତି l ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିରେ ମାଘ ମାସ ଏକ ପୂଣ୍ୟର ମାସ l "ତ୍ରିବେଣୀ ଅମାବାସ୍ୟା", 'ଶ୍ରୀପଞ୍ଚମୀ', 'ମାଘସପ୍ତମୀ' ଇତ୍ୟାଦି ପୂଣ୍ୟଦିବସ ମାନ ମାଘମାସର ତାତ୍ପର୍ଯ୍ୟକୁ ବଢାଇ ଦେଇଥାଏ l 


ଇତିହାସରୁ ଜଣାଯାଏ : ପ୍ରାଚୀନ କାଳରେ ପୂର୍ବ ଭାରତରେ ପ୍ରମୁଖ ବନ୍ଦର 'କୋଣ', 'କମଣ' ଓ 'କୋଣାର୍କ'କୁ ବିଶ୍ୱର "ବାଣିଜ୍ୟ ଦ୍ୱାର" ବୋଲି କୁହାଯାଉଥିଲାl ସେଥିପାଇଁ ଆଜିର ବଙ୍ଗୋପସାଗର 'କଳିସାଗର' ନାମରେ ପ୍ରସିଦ୍ଧ ଥିଲାl ଆଜିର ଗବେଷକମାନେ କହନ୍ତି : ପ୍ରାଚୀନ 'ଚିତ୍ରୋତ୍ପଳା' ନଦୀ ହିଁ ଆଜିର 'ଚନ୍ଦ୍ରଭାଗା' ସ୍ଥାନ ନେଇଛିl ମାଘସପ୍ତମୀରୁ ଖଣ୍ଡଗିରି ମେଳା ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲେl ମାଘସପ୍ତମୀ ଏକ ପବିତ୍ର ତିଥି ଓ ପ୍ରାଚୀନ ସ୍ମୃତିର ସଂସ୍କୃତିପୂର୍ଣ୍ଣ ଦିବସl ସାଧୁସନ୍ଥମାନଙ୍କ ସମାଗମରେ 'ଖଣ୍ଡଗିରି'ର ମାହାତ୍ମ୍ୟ ଅନେକ ବଢିଯାଏ ଏଇ ମାଘ ସପ୍ତମୀର ଆରମ୍ଭରୁ l


Rate this content
Log in

Similar oriya story from Abstract