ଭାରତର ବୈଭବ
ଭାରତର ବୈଭବ
ସାରା ପୃଥିବୀରେ ଭାରତ ଏକ ଆଧ୍ୟାତ୍ମିକ ଦେଶ ଭାବରେ ଅନନ୍ତ କାଳରୁ ସୁପରିଚିତ । ଏହି ବିଶାଳ ଭୂଖଣ୍ଡରେ ବାସ କରୁଥିବା ଅଧିବାସୀମାନେ ସନାତନୀ ହିନ୍ଦୁ , ଆର୍ଯ୍ୟ ବା ବୈଦିକ ଧର୍ମ ଉପରେ ବିଶ୍ୱାସ କରନ୍ତି । ଅତ୍ୟନ୍ତ ଶ୍ରଦ୍ଧାର ସହିତ ବୈଦିକ ଦେବାଦେବୀମାନଙ୍କର ଉପାସନା କରିଥାନ୍ତି ।
ଏ ଭୂମି ଏତେ ପବିତ୍ର ଯେ, ଏଠାରେ ଅସଂଖ୍ୟ ଯୋଗୀ, ଋଷି, ମୁନି, ସନ୍ନ୍ୟାସୀ , ମହାପୁରୁଷ ଜନ୍ମ ଗ୍ରହଣ କରିଛନ୍ତି । ଏଠାରେ ଆଚାର୍ଯ୍ୟ ଶଙ୍କର , ରାମାନୁଜଙ୍କ ଭଳି ବହୁ ଆଚାର୍ଯ୍ୟ,ରାମଦେବ,ତୁକାରାମ, ସନ୍ଥ ଜ୍ଞାନେଶ୍ଵର , ସନ୍ଥ ତୁଳସୀ ଦାସ , ମହର୍ଷି ବାଲ୍ମୀକି, ବଶିଷ୍ଠ , ଦତ୍ତାତ୍ରେୟ, ଋଷି କଣାଦ, ମହର୍ଷି ବିଶ୍ଵାମିତ୍ର ଭଳି ଅନେକ ସନ୍ଥ ମହାପୁରୁଷ ଜନ୍ମ ଗ୍ରହଣ କରି ସାରା ବିଶ୍ୱକୁ ମାର୍ଗଦର୍ଶନ କରାଇଛନ୍ତି ।
ଶ୍ରୀରାମ ଶ୍ରୀକୃଷ୍ଣଙ୍କ ଭଳି ଅବତାର ମାନଙ୍କର ପଦରଜରେ ଏଭୂମି ଅତ୍ୟନ୍ତ ପବିତ୍ର । ପାଶ୍ଚାତ୍ୟ ଦେଶଗୁଡିକର ଦର୍ଶନ ଭୌତିକ ବାଦ ଉପରେ ପ୍ରତିଷ୍ଠିତ ; ମାତ୍ର ଭାରତୀୟ ଦର୍ଶନ ଅଧ୍ୟାତ୍ମବାଦ ଉପରେ ଆଧାରିତ ଏକ ସୁଦୂର ପ୍ରସାରୀ ସର୍ବଜନ ହିତପ୍ରଦ ଦର୍ଶନ, ଯାହାକି ଭାରତ ଭୂମିରେ ଜନ୍ମଗ୍ରହଣ କରିଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଦାର୍ଶନିକ କହିଲେ ଭୁଲ ହେବ ନାହିଁ ।
ଏ ଦେଶର ମଳିମୁଣ୍ଡିଆ ଚାଷୀଟିଏ ହେଉ, ନାବିକ ହେଉ , ଗାୟକ,ବାରିକ ,ବ୍ୟବସାୟୀ ,ଗୋପାଳ , ପ୍ରତ୍ୟେକ ବର୍ଗର ଲୋକଙ୍କ ଜୀବନ ଚର୍ଯ୍ୟାକୁ ଯଦି ଅନୁଧ୍ୟାନ କରାଯାଏ ଭାରତୀୟ ସନାତନ ଦର୍ଶନର ଗନ୍ଧ ସ୍ପଷ୍ଟ ବାରିହୋଇଯାଏ । ଚାଷୀଟି ନିଜ କ୍ଷେତରେ ଚାଷ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ବହୁବାର ଭଗବାନଙ୍କ ପବିତ୍ର ନାମ ଉଚ୍ଚାରଣ ସହିତ ନାନାଦି ପୂଜା ପାର୍ବଣ କରିଥାଏ । ବାରିକ ବାଳ କାଟିଲା ବେଳେ ଜୟ ଜଗନ୍ନାଥ କହି ଭଗବାନଙ୍କୁ ପ୍ରଣାମ କରି ନିର୍ବିଘ୍ନରେ କାର୍ଯ୍ୟର ସଫଳତା କାମନା କରେ ।
ଏପରିକି ଗୋପଳ ଭାଇ ଗୋ ଦୋହନ ସମୟରେ ପ୍ରଥମ ଧାରାଟି ମାଟିରେ ଛାଡ଼ିଦେଇ ଈଶ୍ଵରଙ୍କୁ ସସର୍ପଣ କରିଥାଏ । ବ୍ୟବସାୟ ଆରମ୍ଭରେ ଦୋକାନରେ ଈଶ୍ୱରଙ୍କ ପୂଜା କରିଥାଏ । ଏଭଳି କରିବାର ଉଦ୍ଦେଶ୍ୟ କ'ଣ ?ଭାରତୀୟ ମାନଙ୍କର ଅନ୍ତିମ ଲକ୍ଷ୍ୟ ଆତ୍ମସାକ୍ଷାତ୍କାର । ସେମାନଙ୍କର ଭୌତିକ ପ୍ରଗତି ପାଇଁ ଚିନ୍ତା ନ ଥାଏ l
ଶାଶ୍ଵତ ଆନନ୍ଦ ପ୍ରାପ୍ତି ନିମିତ୍ତ ଇଛା ପ୍ରକାଶ କରିଥାନ୍ତି । କିଛି ପାଠ ନ ପଢ଼ି ଥିବା ବ୍ୟକ୍ତିଟି କହିଥାଏ , ଏ ଘର ଦ୍ଵାର ,ଟଙ୍କାପଇସା,ପିଲାଛୁଆ , ସବୁ ଭଗବାନଙ୍କର । ଭୋଗ ଅପେକ୍ଷା ତ୍ୟାଗ ଉପରେ ବହୁତ ଗୁରୁତ୍ୱ ଦେଇଥାନ୍ତି ।ବର୍ତ୍ତମାନ କାଳର କରାଳ ଗତିରେ ଭାରତୀୟ ମାନେ ପାଶ୍ଚାତ୍ୟ ଭୋଗବାଦୀ ମାନଙ୍କୁ ଅନୁସରଣ କରିବାରେ ଲାଗିଛନ୍ତି । ନିଜର ପିଲାମାନଙ୍କ କ୍ୟାରିଅର ଗଠନ କରିବାରେ ବ୍ୟାକୁଳ ।
ପୁଅଟି ବଡ଼ ଡାକ୍ତର , ଇଞ୍ଜିନିୟର, lAS ,OAS ପାଇ ବଡ଼ଧନୀ ଓ ସମ୍ମାନର ଅଧିକାରୀ ହେଉ ,ଏହାକୁ ପ୍ରାଧାନ୍ୟ ଦେଲା ବେଳକୁ ପିଲାଟି ଅଧ୍ୟାତ୍ମିକ ନୈତିକ ଶିକ୍ଷା ଅଭାବରୁ ଚରିତ୍ରହୀନ ହୋଇ ସମାଜର କଳଙ୍କ ହୋଇ ଠିଆ ହେଉଛି ।
ଖୁବ୍ କମ୍ ଦିନ ତଳର କଥା , ଆମ ପାଖକୁ କିଛି ୫ମ, ଷଷ୍ଠ ସପ୍ତମ ଏପରି ଦଶମ ଶ୍ରେଣୀରେ ପାଠ ପଢୁଥିବା ପିଲା ଆସନ୍ତି । ଥରେ ଆମେ ପିଲାଙ୍କୁ କହିଲୁ, ପିଲେ କାଲିକି ମନ୍ଦିରରେ ବିବାହ ଭୋଜି ଅଛି , ଆମର ଜଣେ ସଂପର୍କୀୟଙ୍କର ଆସିବ ଭୋଜି ଖାଇବାକୁ ଯିବା। ସେମାନଙ୍କ ଭିତରୁ ଛୋଟ ପିଲାଟି ଆସି ଚୁପଚୁପ କହିଲା , ଭାଇନା ବିଅର ଅସିଲେ , ଆମ ପାଇଁ ଗୋଟିଏ ଦୁଇଟି ରଖିଥିବ । ଆମେ ସକାଳେ ଆସିଲେ ନେଇଯିବୁ ।
ପରଦିନ ସକାଳେ କଳା ବ୍ୟାଗଟିଏ ଧରି ଦୁଇଟି ପିଲା ବିଅର ନେବା ପାଇଁ ଆସିଛନ୍ତି । ଆମେ କହିଲୁ ତୁମେ ସବୁଦିନେ ଏମିତି ପିଉଛ ? କହିଲେ ନାହିଁ ଆଜ୍ଞା ! ଚାରିପାଞ୍ଚ ଜଣ ପିଲା ପାଇସା ଏକାଠି କରି ଦୋକାନରୁ ଗୋଟିଏ ବୋତଲ ଆଣି , ଜଙ୍ଗଲରେ ଦିନେ ଦିନେ ପିଉ । ମୁଁ ଆଶ୍ଚର୍ଯ୍ୟ ହୋଇ ସେମାନଙ୍କୁ ଚାହିଁ ଥାଏ ଭାବୁଥିଲି ଏଇ ମାନେ ଆମର ଭବିଷ୍ୟତ ବଂଶଧର ହେବେ ।
ଆମେ ସଭ୍ୟତା ବିକାଶ ନାମରେ ବିନାଶ ଆଡ଼କୁ ଯାଉ ନାହିଁନ୍ତି ତ ! ତଥା କଥିତ ରାଜନେତାମାନେ କହନ୍ତି,ମଦରୁ ଦେଶର ରାଜକୋଷକୁ ଅଧିକ ରାଜସ୍ୱ ଆସୁଛି । ସତରେ ଏ ରାଜସ୍ଵ କାହାପାଇଁ ? ଉତ୍ତର - ପ୍ରଜା ମାନଙ୍କପାଇଁ , ପ୍ରଜା ମଦଖାଇ ମରିବେ , ସର୍ବସ୍ୱାନ୍ତ ହେବେ । ରୋଗୀ ହେବେ । ତାହେଲେ ରାଜସ୍ଵ ଦ୍ୱାରା ପ୍ରଜାମାନଙ୍କର ମଙ୍ଗଳ ହେଲା ତ ? ଆମେ ଥରେ ଗୋଟିଏ ମେଳାକୁ ଅତିଥି ଭାବରେ ଯାଇଥିଲୁ । ସେଠାରେ ପହଞ୍ଚି ଦେଖିଲୁ ଲୋକ ନାମ କରୁଛନ୍ତି , ଜଣେ ନାଲି ଧୋତି ପିନ୍ଧିଥିବା ବ୍ୟକ୍ତି ବିଡ଼ି ଗଞ୍ଜେଇ ପୁଡ଼ିଆ ଓ ଦିଆସିଲି ବାଣ୍ଡୁଛି ଏବଂ ଡାକବାଜି ଯନ୍ତ୍ରରେ କହୁଛି ।
ସର୍ବେ ଭବନ୍ତୁ ସୁଖୀନଃ ,ସର୍ବେ ସନ୍ତୁ ନିରା ମୟା,ଏମିତି ଅନେକ ଶାନ୍ତି ପାଠ । ସମସ୍ତଙ୍କୁ ନିଶାସକ୍ତ ଓ ରୋଗୀ ତିଆରି କରି ଏଭଳି ମନ୍ତ୍ର ପାଠ ର କିଛି ଅର୍ଥ ଅଛି କି ? ଥରେ ବିଚାର କରନ୍ତୁ ଯେଉଁ ମୁନି ଋଷି ତପସ୍ଵୀ ମାନଙ୍କର ଆମେ ଦାୟାଦ ଆମେ ଏ ପବିତ୍ର ଭାରତ ଭୂମିର ଗୌରବ, ବୈଭବକୁ ତିରସ୍କାର କରୁ ନାହିଁନ୍ତି ତ ? ଜୀବନର ମୂଳ ଲକ୍ଷ୍ୟଠାରୁ ଅଲଗା ହୋଇ ନାହାନ୍ତିତ ? ଜୀବନକୁ ସରସ ସୁନ୍ଦର କରି ଗଢି ତୋଳିବା ବଦଳରେ ବିକୃତ ଅବସ୍ଥାକୁ ଆଦରି ନାହିଁନ୍ତି ତ ? ଯେଉଁ ଭାରତ ଦିନେ ବିଶ୍ୱଗୁରୁ ଥିଲା , ଆଜି ବିଶ୍ଵ ଦରବାରରେ ନିନ୍ଦିତ ହୋଇ ନାହିଁ କି ?
ଆସନ୍ତୁ ସମୟର ଆହ୍ଵାନ, ପୁନରାୟ ପତନନ୍ମୁଖୀ ନହୋଇ ଅତୀତର ଗୌରବମୟ ଅଧ୍ୟାୟକୁ ଅନୁସରଣ କରିବା । ଆମ ଭବିଷ୍ୟତ ବଂଶଧରମାନଙ୍କୁ ଗୀତା, ରାମାୟଣ, ଭାଗବତ, ବେଦ, ଉପନିଷଦ ଜ୍ଞାନରେ ଉଦ୍ଭାସିତ କରିବା ।
