STORYMIRROR

Pradeep Kumar Panda

Horror Tragedy Crime

3  

Pradeep Kumar Panda

Horror Tragedy Crime

ପୁରୁଷ ନିର୍ଯାତନା

ପୁରୁଷ ନିର୍ଯାତନା

4 mins
110

ଯୁବ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣା ଯୌତୁକ ନିରୋଧୀ ଆଇନ ୧୯୬୧ କୁ ବିତର୍କ ମଧ୍ୟକୁ ଟାଣି ନେଇଛି। ମୁଖ୍ୟ ଗଣମାଧ୍ୟମ ସହିତ ସାମାଜିକ ଗଣମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆଇନ ବ୍ୟବସ୍ଥାରେ ଲିଙ୍ଗଗତ ବୈଷମ୍ୟକୁ ଦୂର କରିବା ପାଇଁ ସ୍ୱର ଉତ୍ତୋଳନ ହୋଇଛି। ଧର୍ମପତ୍ନୀମାନଙ୍କ ଦ୍ୱାରା ମିଥ୍ୟା ଯୌତୁକ ନିର୍ଯାତନା ଅଭିଯୋଗରୁ ରକ୍ଷା ପାଇବା ସହିତ ଆଇନରେ ନିଜର ଅଧିକାର ପାଇଁ ଉପଯୁକ୍ତ ସଂଶୋଧନ କରିବା ଲାଗି ପୁରୁଷମାନେ ଏବେ ଦାବି କରୁଥିବା ଦେଖାଯାଉଛି। ଯୌତୁକ ନିରୋଧୀ ଆଇନ ୧୯୬୧କୁ ମହିଳାମାନଙ୍କ ପାଇଁ ଏକ ସୁରକ୍ଷାକବଚ ରୂପେ ଲାଗୁ କରାଯାଇଥିଲେ ମଧ୍ୟ ଅନେକ ମହିଳା ଏହାକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି ବୋଲି ପ୍ରତ୍ୟାରୋପ ହୋଇ ଆସୁଛି।

‘ଯୌତୁକ ନିରୋଧୀ ଆଇନର ଅପବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି’ – ଏହି ଧାଡ଼ିଟି ଏକ ଆପେକ୍ଷିକ ସତ୍ୟ। ଏହି ଆଇନରେ ଦୋଷୀସାବ୍ୟସ୍ତ ହେବାର ହାର ବହୁତ ନଗଣ୍ୟ ଥିବାରୁ ଏପରି ଏକ ଭ୍ରାନ୍ତ ଧାରଣା ଭାରତର ସମାଜରେ ସୃଷ୍ଟି ହେବାରେ ଲାଗିଛି। ଅତିବେଶୀରେ ବାର୍ଷିକ ହାରାହାରି ମାତ୍ର ୧୫ ଶତାଂଶ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୁଅନ୍ତି। ୨୦୧୭ ଜୁଲାଇ ମାସରେ ସର୍ବୋଚ୍ଚ ନ୍ୟାୟାଳୟ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ବିଭିନ୍ନ ପ୍ରକାରର ତଥ୍ୟ ଆଧାରରେ ଜାଣିବାକୁ ପାଇଥିଲେ ଯେ ମହିଳାମାନେ ଏହି ଆଇନର ସହାୟତା ନେବା ପରେ ମଧ୍ୟ କାଳକ୍ରମେ ସେଥିରୁ ଦୂରେଇ ଯାଆନ୍ତି କିମ୍ବା ଆପୋସ ବୁଝାମଣା କରି ନିଅନ୍ତି। ଭାରତରେ ମହିଳାମାନେ ସ୍ୱାଭାବିକ ଭାବରେ ରକ୍ଷଣଶିଳା ଓ ଶାନ୍ତିପ୍ରିୟା ଥିବାରୁ କୋର୍ଟ କଚେରୀକୁ ବାରମ୍ୱାର ଯିବାକୁ କୁଣ୍ଠାବୋଧ କରନ୍ତି। ଏହାର ଅର୍ଥ ନୁହେଁ ଯେ ଅଭିଯୋଗ ଭିତ୍ତିହୀନ ଥିଲା।

ବିଶେଷ ଭାବରେ ଭାରତୀୟ ପିଙ୍ଗଳ ଧାରା ୪୯୮(କ) ସର୍ବାଧିକ ବିତର୍କିତ। ଏହାର କାରଣ ହେଉଛି ଏହା କେବଳ ବିବାହିତ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି ଆଇନ ବଳରେ ଜଣେ ବିବାହିତା ନିଜର ସ୍ୱାମୀ କିମ୍ବା ତାଙ୍କ ସମ୍ପର୍କୀୟମାନଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିପାରିବେ। ୧୯୮୩ ମସିହାରେ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଆଇନ ଲାଗୁ କରାଯାଇଥିଲା। କିନ୍ତୁ ଏହାର ଅପବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି ବୋଲି ଆଶଙ୍କା କରାଗଲା। ତେଣୁ ନ୍ୟାୟପାଳିକା ମଧ୍ୟ ଏଥିପ୍ରତି ସଚେତନ ଅଛନ୍ତି। ହଠାତ୍‌‌ ଗିରଫ କରିବା ଏବଂ ଜାମିନ ନ ଦେବା ଇତ୍ୟାଦି ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି। ପୁଲିସ ଅନୁସନ୍ଧାନ କରି ଯଥେଷ୍ଟ ପ୍ରମାଣ ହାସଲ କରିବା ପରେ ହିଁ ଅଭିଯୁକ୍ତକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଇନ ବଳରେ ଅଭିଯୁକ୍ତମାନଙ୍କୁ ଅତିବେଶୀରେ ତିନିବର୍ଷ କାରାଦଣ୍ଡ ଦିଆ ଯାଇପାରେ। ତେଣୁ ଯୌତୁକ ନିରୋଧୀ ଆଇନକୁ ଆଧାର କରି ଭାରତର ପୁରୁଷମାନେ ଯେପରି ହଠାତ୍‌‌ ଭୟଭୀତ ହୋଇ ପଡ଼ିଛନ୍ତି ତାହାର ଯଥାର୍ଥତା ନାହିଁ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଆଧାରରେ ୨୦୨୨ ଶୀତ ଅଧିବେଶନରେ ସଂସଦରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଭାରତରେ ପ୍ରତିଦିନ କୋଡ଼ିଏ ଜଣ ମହିଳା ଯୌତୁକ ଜୁଇରେ ଜଳନ୍ତି। ଯେତେବେଳେ ଭାରତରେ ଏହି ଆଇନ ପ୍ରଣୟନ ହୋଇଥିଲା ସେତେବେଳେ ଯୌତୁକ କହିଲେ ଗୋଟିଏ ହାତ ଘଣ୍ଟା, ରେଡିଓ ଓ ସାଇକେଲକୁ ବୁଝାଉଥିଲା। ଅଳ୍ପ କିଛି ବାସନ, ବସ୍ତ୍ର, ଶିଳ, ଘୋରଣା, ପଥର ପାଣି କୁଣ୍ଡ ଇତ୍ୟାଦି ନିହାତି ଆବଶ୍ୟକ ହେଉଥିବା ସାମଗ୍ରୀ ପ୍ରଦାନ କରାଯାଉ ଥିଲା। ଧନୀମାନେ ଗାଈଟିଏ ଦେଉଥିଲେ। ସେତେବେଳେ ଖୋଲା ବଜାରରେ ସୁନା ଗହଣା ମିଳୁ ନ ଥିଲା। ଝିଅର ମା’ ନିଜର ପିତା ଘରୁ ଆଣିଥିବା ଛୋଟ ଛୋଟ ଗହଣାକୁ ଭାଙ୍ଗି ନୂଆ କରି ତିଆରି କରି ଝିଅକୁ ଦେଉଥିଲା। ତଥାପି କିଛି ଊଣା ହେଲେ ଯୌତୁକ ନିର୍ଯାତନା ସହି ନପାରି ବିଷ ପିଇବା ନବବଧୂମାନଙ୍କ ପାଇଁ ଶେଷ ବିକଳ୍ପ ଥିଲା।

ବର୍ତ୍ତମାନ ଆଇନରେ ନିଜ ପାଇଁ ସମାନ ଅଧିକାର ଦାବି ରଖୁଥିବା ପୁରୁଷମାନଙ୍କ ପାଇଁ ଉଲ୍ଲେଖନୀୟ ଯେ ଆଇନରେ ସ୍ପଷ୍ଟ ଭାବରେ ଲିଖିତ ଅଛି – ଉଭୟ ଯୌତୁକ ଦେବା ଓ ନେବା ଧର୍ତ୍ତବ୍ୟ ଅପରାଧ। ତେବେ ବର୍ତ୍ତମାନ ସ୍ଥିତିରେ ପଚାଶ ଲକ୍ଷ ଟଙ୍କାରୁ ଅଧିକ ବଜେଟରେ ହେଉଥିବା ବାହାଘରରେ କ’ଣ ଯୌତୁକର ଆଦୌ ସ୍ଥାନ ନାହିଁ? ଆଇନ ଲାଗୁ ହେବାର ଛ’ ଦଶନ୍ଧି ମଧ୍ୟରେ କଳଙ୍କିତ ଯୌତୁକ ପ୍ରଥାକୁ ସମାଜରୁ ଦୂର କରିବା ସମ୍ଭବ ହେଉନାହିଁ। କାରଣ ଆଇନ ସମାଜରେ ଅବହେଳିତ ଓ ଅତି ଦୁର୍ବଳ। କେବଳ ନିର୍ଯାତନା ପ୍ରମାଣିତ ହେଲେ ଛ’ ମାସ ଜେଲ୍‌‌ ଓ ପାଞ୍ଚ ହଜାର ଟଙ୍କା ଜୋରିମାନା ହୁଏ ଏବଂ ହତ୍ୟା ମାମଲାରେ ସାତବର୍ଷ ରୁ ଚଉଦବର୍ଷ ମଧ୍ୟରେ ଜେଲ୍‌‌ ହୁଏ। ଏହାସହ ଯେଉଁ ପୁରୁଷମାନେ ଘରୋଇ ହିଂସା ଆଚରଣ କଥା କହୁଛନ୍ତି କିମ୍ବା ସମସ୍ତ ଆଇନରେ ମହିଳାମାନଙ୍କ ସହିତ ପୁରୁଷମାନଙ୍କ ମଧ୍ୟ ସମାନ ଅଧିକାର ଦାବି ରଖୁଛନ୍ତି, ସେମାନେ ଜାଣିରଖିବା ଉଚିତ ଯେ ପାରିବାରିକ ହିଂସାରୁ ସୁରକ୍ଷା ପାଇଁ ମହିଳାମାନଙ୍କ ପାଇଁ ପ୍ରଣୀତ ଆଇନ ମଧ୍ୟ ବିଫଳ ହୋଇଛି।

ପଞ୍ଚମ ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁସାରେ ୪୨.୫ ଶତାଂଶ ପୁରୁଷ ମତ ଦେଇଛନ୍ତି ଯେ ଆବଶ୍ୟକ ସ୍ଥଳେ ସ୍ତ୍ରୀମାନଙ୍କୁ ମାଡ଼ ଦେବା ସଠିକ ପଦକ୍ଷେପ। ଏଥିରୁ ଜଣାପଡ଼େ ଯେ ଭାରତରେ ଘରୋଇ ହିଂସା କିପରି ସ୍ତରରେ ରହିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ବାର୍ଷିକ ବିବରଣୀ ଅନୁସାରେ ଗତ ଦୁଇଦଶନ୍ଧି ମଧ୍ୟରେ ମହିଳାମାନଙ୍କ ପ୍ରତି ପାରିବାରିକ ଅତ୍ୟାଚାର ଓ ହିଂସାରେ ବୃଦ୍ଧି ଘଟିଛି। ୨୦୦୧ ରୁ ୨୦୧୮ ମଧ୍ୟରେ ମୋଟ୍‌‌ ୧୫,୪୮,୫୪୮ଟି ଏ ସମ୍ପର୍କିତ ମାମଲା ପଞ୍ଜିକୃତ ହୋଇଛି। ୨୦୦୧ ରୁ ୨୦୧୮ ମଧ୍ୟରେ ମହିଳାମାନଙ୍କ ସ୍ୱାମୀ କିମ୍ୱା ତାଙ୍କର ସମ୍ପର୍କୀୟମାନଙ୍କ ଦ୍ୱାରା କ୍ରୂରତାପୂର୍ଣ୍ଣ ବ୍ୟବହାରରେ ୫୩ ଶତାଂଶ ବୃଦ୍ଧି ହୋଇଛି। ଗୃହ ମଧ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାରର ଅନେକ କାରଣ ଥିଲେ ମଧ୍ୟ ପାରିବାରିକ ହିଂସାରୁ ସେମାନଙ୍କୁ ସୁରକ୍ଷା ଆଇନ ୨୦୦୫ର ନିଷ୍କ୍ରିୟତା ଏକ ପ୍ରମୁଖ କାରଣ। ଏହି ଆଇନ୍‌‌ର କ୍ରିୟାଶୀଳତାକୁ ତର୍ଜମା କରାଗଲେ ଏହାର ଦୁର୍ବଳତା ସ୍ପଷ୍ଟ ରୂପେ ନିରୂପଣ କରିହୁଏ। ବିଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ଆଇନ୍‌‌ ଅଧୀନରେ ମାତ୍ର ୨୫୧୯ ଟି ମାମଲା ରୁଜୁ ହୋଇଛି। ଏହି ଆଇନ୍‌‌ ଅନୁଯାୟୀ ପ୍ରତି ୧ଲକ୍ଷ ମହିଳାଙ୍କ ପାଇଁ ଅପରାଧର ହାର ମାତ୍ର ୦.୧୪ ଶତାଂଶ ରହିଛି।

ଏତଦ୍‌‌ବ୍ୟତୀତ ଆଉ ଗୋଟିଏ କଥା ମଧ୍ୟ ଗମ୍ଭୀର ଭାବରେ ଆଲୋଚନା ହେଉଛି। ପାରିବାରିକ ହିଂସାରୁ ରକ୍ଷା ପାଇବା ପାଇଁ ପୁରୁଷମାନଙ୍କ ଆତ୍ମହତ୍ୟା ହାର ବଢ଼଼ିବାରେ ଲାଗିଛି। ଯେତେବେଳେ ଦମ୍ପତି ନିଜର ପାରିବାରିକ ଜୀବନ ଆରମ୍ଭ କରନ୍ତି ଉଭୟ କଷ୍ଟ ସହନ୍ତି ଓ ସଂଘର୍ଷ କରନ୍ତି। ସଂସାରର ଜଞ୍ଜାଳ ମଧ୍ୟରେ ପତ୍ନୀମାନେ ପ୍ରଥମେ ଓ ଅତିସହଜରେ ଭାଙ୍ଗି ପଡ଼ନ୍ତି। ସମସ୍ୟା ବଳୟରେ କାନ୍ଦି ପକାନ୍ତି। କିନ୍ତୁ ପତି ବା ସ୍ବାମୀମାନେ ହିଁ ଧୈର୍ଯ୍ୟ ଧରି ସଠିକ ଭାବରେ କାତ ମାରି ନାବକୁ ଆଗକୁ ବଢ଼଼ାଇଥା’ନ୍ତି। କିନ୍ତୁ ଯିଏ ଆତ୍ମହତ୍ୟା କରେ ସେ କୌଣସି ପ୍ରକାରର ଚାପରୁ ମୁକ୍ତି ପାଇବା ପାଇଁ ତା’ର ଏକମାତ୍ର ଲକ୍ଷ୍ୟ ଥାଏ। ଆତ୍ମହତ୍ୟା କରିବା ଦୁର୍ବଳ ମାନସିକତାର ଲକ୍ଷଣ। ଯେଉଁ ବିବାହିତ ମହିଳାମାନେ ଅଳ୍ପ ବୟସରେ ବିଧବା ହୋଇ ଯାଉଛନ୍ତି ସେମାନେ କେତେ ସଂଘର୍ଷ କରି ପରିବାରକୁ ସମ୍ଭାଳି ନେଉଛନ୍ତି! ତେଣୁ ଆତ୍ମହତ୍ୟା କରୁଥିବା ପୁରୁଷମାନଙ୍କ ପାଇଁ ଅନୁକମ୍ପା ପ୍ରଦର୍ଶନ କରିବା ସମାଜ ଲାଗି କଲ୍ୟାଣକାରୀ ନୁହେଁ।

ଆଇନ ପୁରୁଷ ଓ ମହିଳାମାନଙ୍କ ସୁରକ୍ଷା ପାଇଁ ପ୍ରଣୟନ କରାଯାଇଛି। କିଛି ଲୋକ ଆଇନ୍‌‌କୁ ଏକ ସେବା ଭାବରେ ଗ୍ରହଣ କରି ଏଥିରୁ ଲିଙ୍ଗ ବୈଷମ୍ୟକୁ ଦୂର କରିବା ପାଇଁ ଦାବି ରଖି ଚାଲିଛନ୍ତି। ଏହାକୁ ଆଧାର କରି କିଏ କେତେ ଶକ୍ତିଶାଳୀ ବା ଦୁର୍ବଳ ତାହାକୁ ଆଲୋଚନା କରିବା ତାହା ସମ୍ପୂର୍ଣ୍ଣ ନିରର୍ଥକ। ତେଣୁ ଦମ୍ପତିମାନେ କିପରି ପରସ୍ପର ମଧ୍ୟରେ ଉପଯୁକ୍ତ ବୁଝାମଣା ରଖି ଜୀବନର ଗାଡ଼ିକୁ ଆଗକୁ ବଢ଼଼ାଇବେ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ।


Rate this content
Log in

Similar oriya story from Horror