STORYMIRROR

Santosh Kumar Nayak

Abstract Tragedy Others

3  

Santosh Kumar Nayak

Abstract Tragedy Others

ସାଇକେଲ

ସାଇକେଲ

2 mins
12.1K


ବାପା ଚାଲିଗଲା ପରେ ବାପାଙ୍କ ପୁରୁଣା ହେର୍କୁଲେସ୍ ସାଇକେଲଟା କବାଡ଼ିବାଲାକୁ ବିକିଦେବା ପାଇଁ ପରିବାର ସଦସ୍ୟଙ୍କ ମଧ୍ୟରେ ଯୋଜନା ଚାଲିଥିଲା। ଏ ଯୋଜନାର ମୁଖ୍ୟ ସଂଯୋଜକ ଥିଲି ମୁଁ। ମାଆ କିନ୍ତୁ ଏଥିରେ ଆଦୌ ସମ୍ମତି ପ୍ରକାଶ କରୁନଥିଲା। ମୁଁ ମାଆ କୁ କହିଲି " ଦେଖ ମାଆ! ବାପା ତ ଚାଲିଗଲେ । ପୁରୁଣା ସାଇକେଲ ଟା ରଖି ଲାଭ କଣ? ବରଂ ତାକୁ ବିକିଦେଲେ ତୋର ଗୋଟିଏ ମାସର ଔଷଧ ଖର୍ଚ୍ଚ ଉଠିଯିବ।" ମାଆ ଭୋ ଭୋ ହେଇ କାନ୍ଦି ଉଠିଲା। କହିଲା " ତୁମେ ମାନେ ଯାହା ଠିକ୍ ଭାବୁଛ ସେୟା କର।" ମୋତେ ମାଆ ର କାନ୍ଦ ଅପ୍ରାସଙ୍ଗିକ ମନେ ହେଉଥିଲା। ତା ପରେ ମୁଁ ବଜାର ଚାଲିଗଲି।

 ବଜାରରୁ ଫେରି ଦେଖିଲି ବାପାଙ୍କ ସାଇକେଲ ଟି ଯେଉଁ ସ୍ଥାନରେ ଥିଲା ସେ ସ୍ଥାନରେ ନାହିଁ। ଭାବିଲି ଭାଇ ମୋ ଅନୁପସ୍ଥିତିରେ ସାଇକେଲ ଟି ବିକି ଦେଇଛନ୍ତି। ଭାଇଙ୍କୁ ଯାଇ ପଚାରିଲି, " ଭାଇ, ବାପାଙ୍କ ସାଇକେଲ କାହିଁ? " ଭାଇ କହିଲେ ମାଆ ଜିଦି କରିବାରୁ ସାଇକେଲ ଟିକୁ ତା ରୁମ୍ କୁ ଶିଫ୍ଟ୍ କରିଦେଇଛି। ମୁଁ ମାଆ ର ରୁମ୍ ଆଡ଼େ ଗଲି। ରୁମ୍ ଟି ଭିତର ପଟୁ ବନ୍ଦ ଥିଲା। କବାଟ ଫାଙ୍କ ଦେଇ ଯାହା ଦେଖିଲି ଆଖିକୁ ବିଶ୍ବାସ କରିପାରିଲିନି। ପୁରୁଣା ସାଇକେଲଟି ନୂଆ ଭଳି ଦେଖା ଯାଉଛି। ମାଆ ମୋର ହାତରେ କପଡାଟିଏ ଧରି ସାଇକେଲଟିକୁ ପୋଛି ଚାଲିଛି। ହ୍ୟାଣ୍ଡଲ୍, ପ୍ଯାଡଲ୍, ରିମ୍, ସିଟ୍ ସବୁ ଗୋଟେ ପରେ ଗୋଟେ ପୋଛି ଲାଗିଛି। ପାଖରେ ପୁରୁଣା ଆଲବମ୍ ଟିଏ ପଡିଛି। ଆଲବମ୍ ରେ ଥିବା ଫଟୋ ଗୁଡିକ କବାଟ ଫାଙ୍କରେ ଭଲ ଭାବେ ଦେଖା ଯାଉନି। ବିବେକହୀନ ବ୍ୟକ୍ତି ଟିଏ ମୁଁ। କାହାର ମନୋଭାବକୁ ବୁଝିବାକୁ ମୁଁ ଅକ୍ଷମ। କବାଟ ବାଡ଼େଇଲି। ମାଆ କବାଟ ଖୋଲିଲା। ମୁଁ ହଠାତ୍ ପୁରୁଣା ଆଲବମ୍ ଟିର ଫର୍ଦ୍ଦ ଗୁଡ଼ିକୁ ଓଲଟିବାକୁ ଲାଗିଲି। କେତେ ଫଟୋ।ମାଆର ବାହାଘର ବେଦୀ ପାଖରେ ଠିଆ ହେଇଛି ଏଇ ସାଇକେଲ। ଗାଁ ନଦୀ ପଠାରେ ମାଆ କୁ ଆଗରେ ବସାଇ ବାପା ଚଲାଉଛନ୍ତି ଏଇ ସାଇକେଲ। ବାପା କୁନି ପିଲାଟିକୁ ପଛରେ ବସେଇ ମେଳା ବୁଲେଇବାକୁ ନେଉଥିଲେ ଏଇ ସାଇକେଲ ରେ। ଏମିତି ଅନେକ ଫୋଟ। ହଠାତ୍ ମାଆ କହିଲା, " ସାଇକେଲ ଟା ବିକିବୁ ପରା?" ଏତିକି ବେଳକୁ ଅଜାଣତରେ ମୋ ଆଖିରେ ବି ଲୁହ ଆସି ଯାଇଥିଲା। ମୋ ଆଖି ଲୁହ ପୋଛି ଦେଇ ମାଆ କହିଲା, " ଏ ସାଇକେଲ ଟା ମୁଁ ବିବାହ ବେଳେ ମୋ ବାପଘରୁ ଆଣିଥିଲି।" ତା ପରଠୁ ଆମ ଘରେ ଏ ସାଇକେଲ ବିକିବା ପ୍ରସଙ୍ଗଟି ବନ୍ଦ ହୋଇଯାଇଛି। ଆଜି ବି ମାଆ ର ରୁମ୍ ର ଗୋଟେ କୋଣରେ ସାଇକେଲ ଟି ସେମିତି ଠିଆ ହେଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract