ମଶା କାମୁଡା ପାଇଁ ଭାରି ବ୍ୟସ୍ତ ସୁଚିତ୍ରା. ଗୋଟେ ଵି ମଶା କାନ ପାଖରେ ଗୁଣୁ ଗୁଣୁ ହେଲେ ନିଦ ହେବା ଅସମ୍ଭବ ହୋଇପଡେ ସୂଚିତ୍ରାଙ୍କୁ ତ ସ୍ୱାମୀ ଥଟ୍ଟା କରନ୍ତି ଯେ ତୁମ ଦେହର ରକ୍ତ ବୋଧେ ମିଠା କିନ୍ତୁ ସୁଚିତ୍ରା ଭାବନ୍ତି ମଶା ହେଲେ ରକ୍ତରେ ଥିବା ମିଠା ଅଂଶ ଶୋଷିନିଅନ୍ତା କି.ସତକୁ ସତ ଏମିତି ଭାବେ ଡାଇବେଟିସ କବଳରୁ ରକ୍ଷା ମିଳିଯିବାର ବାହାକ ମଶାକୁ ସମସ୍ତେ ଏଣିକି ଆଦର କରନ୍ତେ. ଏକଥା ମନରେ ଭାବୁ ଭାବୁ ଭିତରେ, ଉପରକୁ କହନ୍ତି ହଁ ହେଇଥିବ ମୋର ଏଵି ପଜିଟିଭ ଜାଣି ମଶା ନେଇ ବାଣ୍ଟୁଥିବ ନା ଆଉ କୋଉ ରୋଗୀ ଦେହରେ ବସି!ସ୍ୱାମୀ ଆଉ କିଛି ନକହି ମସକ୍ଯୁଟୋ ଅଏଲ ଆଣିଦିଅନ୍ତି. ସୁଚିତ୍ରା ଜାଣନ୍ତି ଏ ବଜାର ଉପଲବ୍ଧ ମସକ୍ଯୁଟୋ ଅଏଲ ଜାଳି ଶୋଇଲେ ପାର୍ଶ୍ୱ ପ୍ରତିକ୍ରିୟା ଅଛି ହେଲେ ନଡ଼ିଆ କତା ଯୋଗାଡିବା, ଦିଆସିଲ ଖୋଜି ଧୂଆଁ କରି ଝୁଣା ଭରି ଖଟତଳେ ରଖିବାରେ କଣ କମ ସାଇଡ ଇଫେକ୍ଟ ନା କଣ? ସ୍ୱାମୀଙ୍କ ଭାଷାରେ ସେଇଟା ଯାହା ହେଲେ ମଧ୍ୟ ଅନ୍ତର୍ଦେଶ ର ନୁଁହଁ ବାହ୍ୟ ଇଫେକ୍ଟ ତ ଚଳିବ କିନ୍ତୁ ଠାକୁର ଘରୁ ଦିଆସିଲି ଆଣିବା ପୁଣି ଝୁଣା ଡବା ଖୋଜୁ ଖୋଜୁ ଭୋଗ ଡବା କାଢିବା ଇତ୍ୟାଦି କଣ କମ କାଠିକର ପାଠ ନା କଣ! ଯା ହେଉ ଅଖଣ୍ଡ ଦୀପ ଜାଳିବା ଓ ଜଳିବା ଭିତରେ ଏବେ ଏତେ ଅସୁବିଧା ନାହିଁ. ସୁଇଚ ବୋର୍ଡ ଦେଖାଯାଏ, ଦେଖାଯାଏ ମଧ୍ୟ ନଡ଼ିଆ କତା ଭରା ପ୍ଳାଷ୍ଟିକ ବାଲ୍ଟି ସାଙ୍ଗକୁ ଝୁଣା ଭରା ଡବା ଓ ତା ସାଙ୍ଗକୁ ଦିଆସିଲ ପେଡା ତ ଝୁଣା ବୁଲେଇ ଖଟ ତଳେ ରଖିଲେ ଵି କୋଉ ଶାନ୍ତି!ସେଇ ସାଇଡ ଇଫେକ୍ଟ ର ଭୟ. କାଳେ ଓହଳି ରହିଥିବା ବେଡ଼ସିଟ ଜଳି ଯିବ! ନିଆଁ କୁହୁଳି ଧୂଆଁ ନଛାଡିବା ଯାଏଁ କୋଉ ଶୋଇହେବ. ସେଥିପାଇଁ ତ ଦୁଇଜଣିଆ ବେଡ଼ ରୁମ କେବଳ ସୁଚିତ୍ରା ଙ୍କର ବେଡ଼ ରୁମ ହେଲାଣି ଏଣିକି. ରାଗରେ ସୁଚିତ୍ରା କୁହନ୍ତି କେଜାଣି କାହାର ଗୋଧି ଚମ କୁ ମଶାକାମୁଡା ଜଣା ଯାଉନଥିବ!
ଏବେ କଥାଟା ଅନ୍ୟ ରକମ ଥିଲା. ଜଗନ୍ନାଥ ଙ୍କ ମୁଣ୍ଡରେ ଥିବା ନୀଳ ରଙ୍ଗର ନୀଳା ମୁକୁଟ ମିଳୁନଥିଲା. ଦୋଷ ଲାଗିଲା ସୂଚିତ୍ରାଙ୍କ ଉପରେ ତ ସୁଚିତ୍ରା ଡବା ପରେ ଡବା ଆଡେଇ, ଅଳନ୍ଧୁ ଝାଡ଼ି, ଯେତେ ପରସ୍ତ ସଜାଡୁ ଥିଲେ କି ଖୋଜୁଥିଲେ ମଧ୍ୟ ମିଳୁନଥିଲା ନୀଳା ମୁକୁଟ. ଦୀପ ଜଳୁଥିଲା ଠିକ ଠାକ. ଦୀପ ରେ ଦୁଇ ଜଳନ୍ତା ଫୁଲ ଦେଖାଯାଉଥିଲା ଜଗନ୍ନାଥ ଙ୍କ ଦୁଇ ଚକା ଚକା ଆଖି ପରି. କାଳେ କଥାଟା ଭାଇରାଲ ହେବା ଡ଼ରରେ କେବଳ ଜାଣିଥାଆନ୍ତି ଘର ଲୋକ. ଅଖଣ୍ଡ ବିଶ୍ୱାସ ସୁଚିତ୍ରାଙ୍କର ଯେ ନୀଳ ରଙ୍ଗର ନୀଳା ମୁକୁଟ ହଜିଛି. ଠାକୁର ଘରୁ ନିଶ୍ଚୟ ଓ ମିଳିବ ଆଜି ନହେଲେ କାଲି. ଯଦି ମୂଷା ନେଇଯାଇଥିବ ତେବେ? ମାଆ ସୁଭଦ୍ରା ଓ ପ୍ରଭୁ ବଳଭଦ୍ର ଙ୍କ ମୁଣ୍ଡର ମୁକୁଟ ଥିଲା ବେଳେ ଜଗନ୍ନାଥ ଙ୍କ ମୁଣ୍ଡର ମୁକୁଟ ନଥିଲେ କି ଖରାପ କଥା ବୋଲି ପିଲାଏ କହୁଥିଲା ବେଳେ ସୁଚିତ୍ରା ମଧ୍ୟ ଆଶଙ୍କିତ ହେଉଥିଲେ. କାଳେ ଝୁଣା ଦାନୀ ରେ ପଡି ପୋଡି ଯାଇଥିବ ବୋଲି ଭାବି ଭିତରେ ତସ୍ତ୍ର ହେଉଥିଲେ ଵି ଉପରକୁ ଠିକ ଦମ୍ଭ ଦେଖାଇ ଚାଲିଥିଲେ. ଖୋଜୁଥିଲେ କତା ଡବା, ଝୁଣା ଡବା ଓ ଦିଆସିଲି ରଖିବା ସ୍ଥାନ. ସେଦିନ ସାହିତ୍ୟ ଆସରରେ ଜଣେ କବି ଗାଉଥିଲେ ଏକରକମ ବ୍ୟଙ୍ଗ କବିତଟିଏ ଯେ ମଶାଟିଏ ମତେ କରିଦିଅ ପ୍ରଭୁ ମଶାଟିଏ ମତେ କର... ସୁନ୍ଦରୀ ମାନଙ୍କ ଗାଲରେ ବସିବି.. ରକ୍ତ ଶୋଷବି ମେଲାଇ ମୋ ଦୁଇ ପର. ଏକରେ ନୀଳା ମୁକୁଟ ହଜିବା ଦୁଇରେ ଏ କବିତା, ଦୁହେଁ କାହିଁକି କେଜାଣି ଅସ୍ଥିର କରୁଥିଲେ ମନ ଓ ହୃଦୟ ସୁଚିତ୍ରାଙ୍କର. ସତକୁ ସତ ସେଦିନ ଗଣଗଣ ସ୍ୱର କରି ଗାଲ ସାରା ରକ୍ତ ଶୋଷ଼ୁଥିବା ମଶା ଗୋଟେ ଦିଟା ମାରିବା ପରେ ଖଟତଳୁ କାଢିଲେ ଝୁଣା ଦାନୀ ସୁଚିତ୍ରା.ଝୁଣା ଓ ନଡ଼ିଆ କତା ଭରି, ଦିଆସିଲି ମାରି ଝୁଣା ପକାଇବା ପୂର୍ବରୁ ଦେଖିଲେ ଜଗନ୍ନାଥ ଙ୍କ ନୀଳ ରଙ୍ଗର ନୀଳା ଖଚିତ ନୀଳା ମୁକୁଟ ଟିକୁ ସେହି ଦାନୀ ଭିତରେ. ହେ ପ୍ରଭୁ ଜଗନ୍ନାଥ କହି ସେଇଟିକି କାଲି ବଣିଆ ଦୋକାନ ଯାଇ ସଫା କରିଆଣିବେ ଭାବି ଝୁଣା ଧୂପ ବୁଲେଇ ଦୀପ ଆଗରେ ପ୍ରଣିପାତ କରି ଶୋଇଗଲେ ସୁଚିତ୍ରା. ସବୁ ଶୁଣି ସ୍ୱାମୀ କହିଥିଲେ ହଁ ଏଇଟା ଵି ଗୋଟେ ସାଇଡ ଇଫେକ୍ଟ. ସୁଚିତ୍ରା ଅଟୋ ଡକେଇ ବଣିଆ ଦୋକାନ ଅଭିମୁଖେ ଗଲବେଳେ ଦୀପ ତେଜି କହୁଥିଲେ ଜୟ ଜଗନ୍ନାଥ.