ଭାଗ୍ୟର ଗୋଟି
ଭାଗ୍ୟର ଗୋଟି
ପିଲାଦିନୁ ବାପାକୁ ଖାଇଛୁ ର ଅପବାଦ ମୁଣ୍ଡେଇ ଚାଲିଥିବା ଝିଅଟା ପାଠ ଶାଠ କେମିତି ପଢିଥାଆନ୍ତା ଯେ!ଗଣେଷ ପୂଜା କି ସରସ୍ବତୀ ପୂଜା ହେଉ ଅବା ଜାନୁଆରି ଛବିଶ କି ଅଗଷ୍ଟ ପନ୍ଦର ପରି ଜାତୀୟ ଦିବସ ହେଉ, ପିଲମାନେ ଭଳି ଭଳି ପୋଷାକ ପିନ୍ଧି କେବେ ଭୋଗ ଡାଲା ସହ ହେଉ କେବେ ଜାତୀୟ ପତାକା ଧରି ସ୍ଲୋଗାନ ଦେଇ ଜୟ ଭାରତ ମାତାକି ଜୟ କହି ହେଉ ଧ୍ୱନି ସବୁ ପ୍ରତିଧ୍ୱନି ହୋଇ କେତକୀ ଛାତିରେ ବାଜୁଥାଏ ତ ସେ ମାଆ କୋଳରେ ମୁଣ୍ଡ ଗୁଞ୍ଜି ଗୁଞ୍ଜି ବଢୁଥାଏ ଅଲକ୍ଷରେ, ଭାଗ୍ୟର ଗୋଟି ଚଳନାରେ. ଭାଗ୍ୟ ଯେମିତି ତାକୁ ହାଠାରି କହୁଥାଏ ମୁଁ କି କରିବି ନିଅଁସୀ ଝିଅଲୋ... ତୋ ମାଆ ତ କଳମ ଖାଇଛି. ମାଆ କଳମ ଖାଇଥିଲା କି ନାହିଁ କେତକୀ ଜାଣିନି କିନ୍ତୁ ସେ ଜନ୍ମ ହେବା ପରେ ପରେ ବାପା ଚାଲିଯିବା ପରି ବିଧିର ବିଧାନ କୁ ମାଆ ସିନା ମାଣିନେଲା ତାକୁ ଛାତିରେ ଜାକି ଯେ ଯାହା ହେଉ ପ୍ରଥମ ପିଲା ପୁଅ ହେଲେ ମଧ୍ୟ ଦ୍ୱିତୀୟ ଝିଅ ତା ପରି ଅନ୍ତତଃ ମାଦଳ ତ ନୁଁହଁ!ମାଦଳ ଭାଇ ସଙ୍ଗେ ଖେଳୁ ଖେଳୁ ସମୟ ସାଥିରେ ପ୍ରଜାପତି ଧରୁ ଧରୁ କେତକୀ କେବେ ନିଜେ ପ୍ରଜାପତି ପାଲଟି ଗଲା ସେ ଜାଣି ନଥିଲା. ଦୁନିଆଁ ଯାକର ଲୋଲୁପ ଦୃଷ୍ଟିରୁ ଝିଅ କେତକୀ କୁ ରକ୍ଷା କରୁ କରୁ ଦେଲା ନାରୀ ହେଲା ପାରି ବୋଲି ଭାବି ଦୋଭେଇ ବର ହାତରେ ଟେକି ଦେଲା ବେଳେ କେତକୀ ସିନା ପ୍ରତିବାଦ କରିନଥିଲା କିନ୍ତୁ ସେହି ସ୍ୱାମୀ ଯୌତୁକ ଲୋଭରେ ଛାଡିଦେଲା ପରେ କେତକୀ ଅସହାୟ ହୋଇଗଲା. ବାପା ନଥିବା ମାଆ ତାର ପାରୁପର୍ଯ୍ୟନ୍ତ ଚେଷ୍ଟା ଚରିତ୍ର ଜାରି ରଖି ସେ ନିଜେ କାମକରୁଥିବା ପଡା ର ଜଣେ ବାବୁଘରେ ନେଇ ଝିଅ କେତକୀ କୁ ରଖାଇ ଦେଇଥିଲା ଯେ ଝିଅ କେତକୀ ର ପେଟ ବଢ଼ୁଥିବାରୁ ସେଠୁ କାମ ଛାଡ଼ି ପୁଣି ମାଆ ଘରକୁ ଚାଲିଆସିଲା କେତକୀ. ମାଦଳ ଭାଇ ସହିତ ସ୍ୱାମୀ ଛାଡ଼ି ଝିଅର ବୋଝ ବୋହି ଚାଲିଥିବା ମାଆ. ଭାଗ୍ୟର ଗୋଟି ଚାଳନା ରେ ମାଆ ଟି ଅଧିରା ହୋଇ ଅକର୍ମ ରେ କର୍ମ ଦେଉଥିବା ଠାକୁର ଶିବଙ୍କ ପୂଜା ଆରାଧନା କରି କେତକୀ କୋଳକୁ ପୁଅଟିଏ ଆସିଲେ ବଳେ ଝିଅ କେତକୀ କୁ ନିଜ ପୁଅ ସହ ଜୋଇଁ ଆସି ଫେରାଇ ନେବ ବୋଲି ମାଆ ଭାବୁଥିଲା. ଶିବକୃପାରୁ କେତକୀ ପୁଅ ଜନ୍ମ କଲା ସତ ହେଲେ ସ୍ୱାମୀ ଫେରେଇ ନେବା ପରିବର୍ତ୍ତେ, କେତକୀ ର ଚରିତ୍ର ସଂହାର କରିବାକୁ ପଛେଇ ନଥିଲା. କେତକୀ ଗୁହାରି ପ୍ରଭୁ ଶିବ ଶଙ୍କର ଶୁଣି କୋଳକୁ ପୁଅ ଟିଏ ଦେଇଥିବାରୁ ପ୍ରଭୁଙ୍କୁ ଅଶେଷ ଧନ୍ୟବାଦ ଦେବା ସହ ସୁଖ ଦୁଃଖ ରେ ଚଳି ଯାଉଥିଲା ବେଳେ ମାଆ ଟି ଚାଲିଗଲା ଆରପୁରକୁ. ଏତେ ଦୁଃଖରେ କେତକୀ ମୁଣ୍ଡରେ ବଜ୍ର ପଡିଲା. ମାଆ ଚାଲିଗଲା ପରେ ମାଦଳ ଭାଇର ଦାଇତ୍ୱ ସହ ନିଜ ଟିକି ପୁଅର ଦାଇତ୍ୱ ନେବାକୁ ଯାଇ କେତକୀ ଆଉ କୋଉ ବାବୁଘର କାମକୁ ଯିବାକୁ ଅସମର୍ଥ ଥିଲା. ଘରୁ ଆସ୍ତେ ଆସ୍ତେ କଂସା ବାସନ ବିକ୍ରୀ ହୋଇ ଉଭାନ ହେବା ସହ ସହ ରାସନ ଦରକାର ହେଉଥିଲା ତ ସେଦିନ ଅଖାଟିଏ ଧରି ଜରି, ପ୍ଲାଷ୍ଟିକ ବୋତଲ ଗୋଟେଇ ଗୁଜୁରାଣ ମେଣ୍ଟେଇବା ପାଇଁ ଘରୁ ବାହାରିଗଲା କେତକୀ. ପଦାକୁ ବାହାରିବା ଗୋଟେ ଗରୀବ ସ୍ୱାମୀ ଛଡା ନାରୀ ପାଇଁ କେତେ ଅସହଜ ସହଜେ ଅନୁମେୟ. ତଥାପି ଭାଇ ଓ ପୁଅର ଆବଶ୍ୟକତା ସହ ନିଜ ଖର୍ଚ୍ଚ ଉଠେଇବା ପାଇଁ ମନ ଦୃଢ଼ କରି ସାହି ପଡୋଶୀଙ୍କୁ ନିଜର କରି ଚଳି ଯାଉଥିଲା ବେଳେ ଆସିଥିଲା ପୁଷ ମାସ ଓ ପରକୁ ପର ଜାଗର. କେତକୀ ଦଉଡି ଯାଇଥିଲା ଶିବ ମନ୍ଦିର କିନ୍ତୁ ଠେଲା ପେଲା ଭିଡରେ ପଡିଯାଇ ନିଜକୁ ନିଜର ସାହାରା କରି ଘରକୁ ଫେରିଲା ବେଳେ ଦେଖିଲା ସମୟ ସହିତ ତାଳ ଦେଇ ବଢୁଥିବା ପୁଅ ତାର କାଚ ଘରଟିଏ ତିଆରି କରୁଛି.
ସେଦିନ ଅସହାୟତା ରେ ବହୁତ କାନ୍ଦିଥିଲା କେତକୀ. ଶିବଙ୍କୁ ଭକ୍ତି କଲେ କଣ ହେବ ତା ପ୍ରାରବ୍ଧ କର୍ମ ଫଳ ଯୋଗୁଁ ଶିବ ଶଙ୍କର ତା ପ୍ରତି ନିର୍ଦୟ ହୋଇଛନ୍ତି ବୋଲି ସେ ଅଭିମାନ ତେଜି ପୁଣି ଉଠିଲା ଅଖା ଧରି. ବାର୍ତ୍ତା ପ୍ରଚାର କଲା ଯେ ପ୍ଲାଷ୍ଟିକ ବର୍ଜ୍ଜନ କରନ୍ତୁ. ସେ ବୁଝିନଥିଲା ଯୋଉ ପ୍ଲାଷ୍ଟିକ ଜରି ଗୋଟେଇ ସେ ନିଜ ପରିବାର ର ଗୁଜୁରାଣ ମେଣ୍ଟାଈ ଚାଲିଛି ତାହାକୁ ପୁଣି ବ୍ୟବହାର ନକରିବାକୁ କାହିଁକି ସମସ୍ତଙ୍କୁ କହୁଛି.ତାର କିନ୍ତୁ ସେହି ବାର୍ତ୍ତା ପାଇଁ ସେ ଜଣେ ସାମ୍ବାଦିକ ଭାଇ ଙ୍କ ନଜର କୁ ଆସି ପ୍ରସିଦ୍ଧି ପାଇବା ସହ ତାକୁ ଗୋଟିଏ ସରକାରୀ ସଂସ୍ଥାରେ ପିଅନ ଚାକିରୀଟିଏ ମିଳିଗଲା. ଆଖିରୁ ତାର ସେଦିନ ଝର ଝର ଲୁହ ନିଶ୍ଚୟ ଅଦୃଶ୍ୟ ରେ ଶିବ ଶଙ୍କର ଙ୍କ ପାଦ ଧୋଇଦେଉଥିଲା. ଯୋଗକୁ ସେଦିନ ଜାଗର ଥିଲା. ଭାଇ ଓ ପୁଅକୁ ନେଇ ସେ ଦେଖିଥିବା ସ୍ବପ୍ନ କୁ ପୁରଣ କରିବାକୁ ଠିଆ ହେଉ ହେଉ ଦଉଡି ଆସିଥିଲା ସ୍ୱାମୀ ହେଲେ କେତକୀ କହିଥିଲା ତା ନିଜର କାଚଘରେ ସେ ଭଲରେ ଅଛି ତାର ଆଉ ଅନ୍ୟର କାଚଘରେ ଆଶ୍ରୟ ନେବା ଦରକାର ପଡ଼ିବନି କହି ଭାଇକୁ ଓ ପୁଅକୁ ନେଇ କେତକୀ ଶିବମନ୍ଦିର ଯାଉଥିଲା. ପଛରୁ ତା ଯିବା ପଥକୁ ଟ୍ରଲିବାଲା ସ୍ୱାମୀ ଚାହିଁରହିଥିଲା କେବଳ. ଶିବକୃପା ଯୋଗୁଁ ଭାଇକୁ ସରକାରୀ ଡାକ୍ତର ଙ୍କ ସହାୟତା ରେ ଅପେକ୍ଷାକୃତ ଭଲ କରିପାରିଥିବା କେତକୀ ଦୀପ ବସାଉଥିଲା ଶିବମନ୍ଦିର ରେ ପୁଅର ଭବିଷ୍ୟତ ପାଇଁ.ସ୍ବପ୍ନ ଦେଖୁଥିଲା ପୁଅ ତାର ସ୍କୁଲ ଯିବ. ଗଣେଷ ପୂଜା ଓ ସରସ୍ବତୀ ପୂଜା ରେ ନୂଆ ଡ୍ରେସ ପିନ୍ଧି ଭୋଗ ପାଇଁ କହିବ ପୁଣି ଜାନୁଆରି ଛବିଶ ଓ ଅଗଷ୍ଟ ପନ୍ଦର ତାରିଖରେ କହୁଥିବ ଜୟ ଭାରତ ମାତାକି ଜୟ. କେତକୀ ନିଜ ସ୍ବପ୍ନ ପୁରଣ ପାଇଁ ବେଲୁନ ବିକି ସଞ୍ଚୟ କରୁଥିଲା.
