ବଇଁଶୀ ଵାଲା
ବଇଁଶୀ ଵାଲା
5 mins
1
ସପ୍ତାହର ଶେଷ ଦିନ ରବିବାର. ସ୍କୁଲ ଛୁଟି.ଛୁଟି ତ ଛୁଟି ପୁଣି ରବିବାର ଛୁଟି. ମୁନା ଗଡେଇ ତଡେଇ ହୋଇ ଶୋଉଥିଲା ପଛେ ଅଳସ ତେଜି ଉଠୁ ନଥିଲା ତ ଜେଜେ ମାଆ ଡାକ ଛାଡିଲେ. କହିଲେ ଅଳସୁଆ ଦୁଃଖ ପାଏ. ଉଠୁ ଉଠୁ ଚଞ୍ଚଳ ଉଠୁ ଦେଖିବୁ କେମିତି ଠାକୁର ଘରେ ଦୀପ ସଳିତାରେ ଜଗନ୍ନାଥ ଆବିର୍ଭାବ ହୋଇଛନ୍ତି. ଆଶ୍ଚର୍ଯ୍ୟ ରେ ଆଖି ମଳି ମଳି ଉଠିଲା ମୁନା. ଭାବିଲା ଘରେ ମୂଷା ଗୁଡାକ ଭାରି ହଇରାଣ କରୁଛନ୍ତି ବୋଲି ଜେଜେମାଆ, ଜେଜେଙ୍କୁ କହି ମୂଷା ଧରା ଯନ୍ତା କିଣି ଆଣି ସେଥିରେ ରୁଟି, ଛେନା, କଦଳୀ ଇତ୍ୟାଦି ଯେତେ ଯାହା ରଖିଲେ ମଧ୍ୟ ମୂଷା ପଶୁନାହାଁନ୍ତି ବରଂ ଖସି ଯାଉଛନ୍ତି. ଯାହା ତ ଶସ୍ୟ ନଷ୍ଟ କରୁଛନ୍ତି ବୋଲି ମୁନା ବାପା ଖୁବ ବ୍ୟସ୍ତ. ସେଥିପାଇଁ ସେ ସବୁଆଡେ ଗନ୍ଧ କର୍ପୁର ଦେଇ ରଖିଛନ୍ତି ଶସ୍ୟ ସାଇତି. ମୂଷା ପଲ ତଥାପି ମାନିବାର ନାହିଁ.ଲୁଗାପଟା କାଟି କୁଟି କଣା କରୁଛନ୍ତି ବୋଲି ମୁନାର ବୋଉ ମନ ଦୁଃଖ କରି ଘରେ ଝୁଣା ଦେଇ ଯେତେ ଯାହା କଲେ ମଧ୍ୟ ଟିକେ ଅଣହୁସିଆର ହେଲେ କଥା ସରିଲା. ଲୁଗା ପଟା ଆଉ ଆଲେଣା ରେ ରହୁନି କିନ୍ତୁ କମ୍ବଳ ଚାଦର କୁ ତ ଆଉ ସବୁଦିନ ଆଲମିରା କି ସିନ୍ଦୁକ ଅବା ଟ୍ରଙ୍କ ରେ ରଖିହେବନି ଏ ଶୀତ ଦିନେ!ମୂଷା ଏତେ କଥା କରିବା ସହ ଏବେ ଜେଜେମାଆ ଙ୍କ ଠାକୁର ଘର ଉପରେ ନଜର ପକେଇଛି. ଜଳୁଥିବା ଅଖଣ୍ଡ ଦୀପ ରୁ ବଳିତା କାଢିନେଉଛି. ଅଲକ୍ଷେଣା ମୂଷାର ଆଜି ଦିନେ କୁ ମୋର ଦିନେ କହି ଜେଜେମାଆ, ଜେଜେଙ୍କୁ ମୂଷାମରା ଔଷଧ ଆଣିବାକୁ କହିବାରୁ ସେ ରାଜି ହୋଇଗଲେ. ତାଙ୍କ ଚଷମା ମୂଷା ଫିଙ୍ଗିଦେଇଥିଲା କୋଉଠି ଘରେ.ପୁଣି ଜେଜେଙ୍କ ବଙ୍କୁଲି ବାଡ଼ି ଅଗ୍ରରେ ଲାଗିଥିବା ସୁନାପରି ଦିଶୁଥିବା ଓ ଚକ ଚକ କରୁଥିବା ବଇଠି ଟିକୁ ଦାନ୍ତ ଲଗେଇ ଚେପା କରିବା ପରେ ଏବେ ଏବେ କୁଆଡେ ଫୋପାଡି ଦେଇଛିତ ଜେଜେ ପାଉନାହାଁନ୍ତି ସେଇଟିକୁ. ସେ ପିତ୍ତଳ ପରି ଧାତୁର ବଇଠି ନଥାଇ ବଙ୍କୁଲି ବାଡ଼ିଟି ଆଉ ପୂର୍ବ ପରି ଦେଖାଯାଉନଥିବାରୁ ଜେଜେ ମଧ୍ୟ ମୂଷା ମରା ଔଷଧ ଆଣିବାକୁ ରାଜି ହୋଇଗଲେ.
ମୁନା ସେଦିନ ଏଡ଼େ ଶୀତ ରେ କମଳ ତଳେ କାନ୍ଦୁଥିଲା. ମୂଷା ଗଣେଶ ଙ୍କ ବାହାନ ବୋଲି ନିଜେ କହିଥିବା ବାପା ପ୍ରତିବାଦ କଲେନାହିଁ. ବୋଉ ସୁନ୍ଦର ଚିତ୍ର ଅଙ୍କନ କରେ. ସେ ମଧ୍ୟ ଗଣେଷଙ୍କ ଚିତ୍ରପଟ ଓ ଛୋଟ ମୂଷା ଚିତ୍ରଟିଏ ଅଙ୍କନ କରି କହୁଥିଲା ପ୍ରଭୂ ତୁମେ ସତରେ ଜୀବନ୍ତ ରୂପେ ଆସନ୍ତ ନାହିଁ କାନଭାସ କୁ ମୋ ଚିତ୍ରପଟ ଆହୁରି ସରସ, ସତେଜ ଓ ସୁନ୍ଦର ଦିଶନ୍ତା!ଏବେ ଜୀବନ୍ତ ମୂଷା ଆସୁଥିଲେ ବି ତାକୁ ବିଷ ଦେଇ ମାରିବା କୁ ଜେଜେମାଆ ଚିନ୍ତା କଲାବେଳେ ବୋଉ ବି ଚୁପ ରହିଥିବାର ଦେଖି ମୁନା ବୁଝିଗଲା କି ମୂଷାର ଆଉ ରକ୍ଷା ନାହିଁ. ସେ ଅପେକ୍ଷା କଲା. ସମସ୍ତେ ଶୋଇ ସାରିବା ପରେ ପାଦ ଚିପି ଚିପି ଠାକୁର ଘରକୁ ଯାଇ ଗଣେଷ ଙ୍କୁ କେତେ ନେହୁରା ହେଲା. ତୁମ ବାହାନ କୁ ତୁମେ ରକ୍ଷା କର ଓ ତାର ଦୁଷ୍ଟ ବୁଦ୍ଧି କୁ ପରିହାର କର ପ୍ରଭୁ କହି ବିଷ ପୁଡିଆ ନେଇ ଲାର୍ଟିନ ରେ ପକାଇ ଦେଇ ନିଘୋଡ଼ ନିଦରେ ଶୋଇଗଲା. କାଲି ରବିବାର ଛୁଟି. କେହି ଆଉ ତାକୁ ଉଠେଇବେନି. ସେ ଛୁଟି ଦିନ ଢେର ସମୟ ଯାଏଁ କମ୍ବଳ ଢାଙ୍କି ଶୋଇଯିବ.
ଜେଜେମାଆ ଡାକ ଓ ତାଙ୍କ କଥାରେ ମୁନା ଭାବୁଥିଲା ସବୁଦିନ ପରି ଆଜି ମୂଷା କଣ ଅଖଣ୍ଡ ଦୀପର ବଳିତା ନେଇନି? ତେବେ ଗଣେଷ ପ୍ରଭୁ ତାକୁ କୁବୁଦ୍ଧି ପରିବର୍ତ୍ତେ ସୁବୁଦ୍ଧି ଦେଲେ ନା କଣ! ଜେଜେମାଆ ଅନ୍ୟ କେଉଁଠି ଲୁଚାଇ ରଖିଥିବା ମୂଷା ମରା ଔଷଧ ଗୋଳେଇ ମୂଷାକୁ ମାରିଦେଇଛି କି!କିଛି ବୁଝିପାରୁନଥିଲା ମୁନା. ଘର ସାରା ଝୁଣା ଧୂପ ରେ ମହକୁ ଥିଲା. ସମସ୍ତେ ଖୁସି ଥିଲେ କାରଣ ଠାକୁର ସ୍ୱୟଂ ଜଗନ୍ନାଥ ମୁନା ଘର ଠାକୁର ଘରେ ଦୀପ ଶିଖା ରେ ବିରାଜମାନ ହୋଇଛନ୍ତି. ପ୍ରଜାପତି ଡେଣାରେ ଥରେ ଜଗନ୍ନାଥ ଙ୍କ ଦୁଇ ଚକା ଚକା ନୟନ ଦେଖି ଜେଜେମାଆ ପ୍ରଜାପତି କୁ କେତେ ମୁଣ୍ଡିଆ ମାରୁ ମାରୁ ସେ ଉଡି ଯାଇଥିଲା. ଆଜି ଜେଜେମାଆ ଖୁବ ଖୁସି ଥିବେ କିନ୍ତୁ ମୁନା ଅଲଗା କଥା ଭାବୁଥିଲା ବେଳେ ସମସ୍ତେ କହିବାରୁ ତରତର ହୋଇ ନିତ୍ୟ କର୍ମ ସାରି ଆକାଶର ଠାକୁର ସୂର୍ଯ୍ୟଙ୍କୁ ପାଣି ଅର୍ପଣ କରିବା ପରେ ଠାକୁର ଘରକୁ ଯାଇ ପାଟି କରିଉଠିଲା ଏ ତ ଗଣେଷ ପ୍ରଭୁ. ତୁମ ସମସ୍ତଙ୍କୁ ଜଗନ୍ନାଥ ଙ୍କ ଦୁଇ ଆଖି ର ଭେଳିକି ଲାଗିଥିବାରୁ ତୁମେ କେବଳ ଦୁଇ ଆଖିକୁ ଦେଖି ଜଗନ୍ନାଥ କହୁଛ କିନ୍ତୁ ମଝିରୁ ବାହାରି ଥିବା ଶୁଣ୍ଢଟିକୁ ଅଣଦେଖା କରିଯାଇଛ. ଆରେ ହଁ.ସତେତ!ମୁନା ପୁଣି ପାଟି କରୁଥିଲା ଏଇ ଟିକେ ତଳକୁ ଦେଖ ଟିକି ମୂଷାଟିଏ ପରି ଦୀପଫୁଲ ଜଳୁଛି କେମିତି ଦାଉ ଦାଉ. ସମସ୍ତେ ହେ ପ୍ରଭୁ ଜଗନ୍ନାଥ, ହେ ପ୍ରଭୁ ବିଘ୍ନ ବିନାଶନ ପ୍ରଭୁ ଗଣନାଥ କହୁଥିଲା ବେଳେ ବାପା ଆଣିଥିବା ବିଲେଇ ଟି ଟିକେ ଦୂରରେ ରହି କହୁଥିଲା ମିଆଁଉ ମିଆଁଉ. ଏଥର ମୁନା ବୁଝିପାରିଲା ମୂଷା ବା ମୂଷାମାନେ ଘରୁ କୁଆଡେ ଗଲେ ଓ କାହିଁକି ଗତ ରାତିରେ ଅଖଣ୍ଡ ଦୀପ ର ସଳିତା କାଢି ନେଇ ପାରିନି କେହି ମୂଷା.ବାପା ଯେବେ ଜେଜେ ମାଆ ଙ୍କୁ କହୁଥିଲେ ଆଉ କୋଉ ମୂଷା ତୁମ ଦୀପ ସଳିତା ରୁ ବତୀ କାଢି ପାରିବ ନାହିଁ କି ସଶ୍ୟ ନଷ୍ଟ କରିପାରିବ ନାହିଁ. ବୋଉ କହୁଥିଲା ହଁ ମୁଁ ପଛେ ଛବିରୁ ଦେଖି ମୂଷା ଚିତ୍ର ଅଙ୍କନ କରିଦେବି ମୁନା ପାଇଁ କିନ୍ତୁ ମୂଷା ଯାଉ ପଳେଇ. ଜେଜେ ହସି ହସି କହୁଥିଲେ ଆଉ ରହିବ ମୂଷା ନା ବଇଁଶୀ ବାଜିବ. ଏ ଘରେ ଏଣିକି ରାଜ କରିବ ହିଟଲର ବିଲେଇ. ମୁନା ହସିଦେଇ ମନେ ମନେ ଭାବୁଥିଲା ହିଟଲର ଙ୍କ ଟ୍ୟାଙ୍କ ରେ ପଶି ମୂଷା ସବୁ ଟ୍ୟାଙ୍କ ନଷ୍ଟ କରିଥିବାରୁ ସେ ଯୁଦ୍ଧରେ ହାରିଥିଲେ ବୋଲି ସାର କହୁଥିଲେ. ଏ ଛାର ବିଲେଇଟି ମୂଷାର କଣ କରିପାରିବ!
ମୁନା ଘରେ ଥିବା ବିଲେଇ ର ନାମ ତ ଅନେକ କିନ୍ତୁ କାମ ହେଲା ମୂଷା ନମାରି ତାଙ୍କ ସଙ୍ଗେ ଖେଳିବ, ଆଉ ପଡିଶା ଘର କଲ୍ୟାଣୀ ମଣ୍ଡପରୁ ବିବାହ ବ୍ରତ ଆଦି ଭୋଜିରୁ ମାଛ ଚୋରୀ କରି ଆଣି ତା ଛୁଆଙ୍କୁ ଦେବ. ବେଳେ ବେଳେ କୁକୁର ହାବୁଡ଼ରେ ପଡି ମାଛ ସିନା ହରାଏ କିନ୍ତୁ ଏମିତି ଆମ୍ପୁଡା ଦିଏ କୁକୁରକୁ, ଆଉ ଦିନେ ସେ ସାହସ କରିବନି ତା ଗତିପଥ ରୋକିବାକୁ. ଏଣିକି ପ୍ରାୟ କୁକୁର ଡରୁଥିଲେ ତାକୁ ମାନେ ବିଲେଇ କକି କୁ. କୁକୁରମାନେ ସିନା ଭୟ ପାଇ ବିଲେଇଠୁ ମାଛ ଖଣ୍ଡ ଛଡେଇ ରଖି ପାରନ୍ତିନି କିନ୍ତୁ ଜେଜେମା ଉଠିଲା ବେଳକୁ କୋଉଦିନ କୋଉଠି ମାଛ ଖଣ୍ଡ ସବୁ ପଡ଼ିଥିବ ତ ଘର ଧୁଆ ପୋଛା, ଗଙ୍ଗା ପାଣି ପକାରେ ଅସ୍ତବ୍ୟସ୍ତ ବୋଉ.ଜେଜେମା ଗାଳି ଦେଇ ଚାଲିଥିବ କକିକୁ, ହେଲେ ଜେଜେମାକୁ ଆମ୍ପୁଡେ ନାହିଁ କକି ବରଂ ଦେଖେଇ ଦେଖଇ ପଞ୍ଝା ଚାଟି ସଫା କରି କହୁଥିବ ଯେମିତି ଦେଖ ଜେଜେମା, ମୋ ପାଦ ମଧ୍ୟ ମୁଁ ସଫା କରିଦେଲି.
ସେଦିନ ପାଟିରେ ମାଛମୁଣ୍ଡ ଗୋଟେ ଧରି ଆସୁ ଆସୁ, ପଡିଗଲା ଜେଜେମାଙ୍କ ହାବୁଡ଼ରେ ତ ଡାକପକେଇଲେ ଜେଜେମା. ଦୌଡି ଆସିଲା ମୁନା କହିଲା ଜେଜେମା ବ୍ୟସ୍ତ ହୁଅନି, କକିକୁ ମଙ୍ଗଳ ଗ୍ରହକୁ ଛାଡ଼ିଦେବା. ଯେମିତି ଚନ୍ଦ୍ର ପୃଷ୍ଠକୁ ପ୍ରଥମ ସଜୀଵ ବା ଜୀବନ୍ତ ପ୍ରାଣୀ, କୁକୁର ଲାଇକା ଯାଇଥିଲା. ସେମିତି ମଙ୍ଗଳ ଗ୍ରହରେ ଆମ କକିର ପ୍ରଥମ ଦିନ ବିଶ୍ୱବାସୀ ଦେଖିବେ. ଜେଜେମା କିଛି କହିଲେନି, ଗୁମସୁମ ହୋଇଗଲେ. ଧୁଆ ପୋଛା କରୁ କରୁ ବିଲେଇଟା ଗଁ ଗଁ ହେଉଥିଲା କାରଣ ସେ ଆଣିଥିବା ମାଛମୁଣ୍ଡ, କୁକୁର ଟମି ଥାଳିରେ ଦେଖି ଥିଲା. ଟମି ମଧ୍ୟ ଖାଇପାରୁନଥିଲା,ଥରେ ଜେଜେମା ଓ ଥରେ କକି ଆଡ଼େ ଚାହିଁ ଶୋଇରହି ଚାହିଁଥିଲା ମାଛମୁଣ୍ଡ ଆଡକୁ. ମୁନା ଏସବୁ ଲକ୍ଷ କରି, ମାଛମୁଣ୍ଡଟିକୁ ବାରିପଟେ ବରଡ଼ା ଜାଳି ଆମିଷ ଚୁଲିରେ ଭାଜି ବାଡ଼ିପଟେ କିଛି ଟମି ଥାଳିଆରେ ଓ କିଛି କକି ପେଟିରେ ଥିବା ଖାଇବା ଗିନାରେ ରଖି ଦେଇଥିଲା.
ଏବେ କକିର ଛୁଆ ହେବ. ଏତେ ଉପରକୁ ଡେଇଁ ପଡୋଶୀ ଘରକୁ ଯାଇ ପାରୁନି. ଆମିଷ ବିନା କ୍ଷୀର ଭାତ ତାକୁ ରୁଚୁନି. କିନ୍ତୁ ସେପଟେ ବାଜା ରୋଷଣୀ, ଲାଇଟ ଭିତରେ ଆମିଷ ବାସ୍ନା ତାକୁ ଅସ୍ଥିର କରୁଛି. ମୁନା ରହି ରହି କହୁଥାଏ କକିକୁ,ରହ ମଙ୍ଗଳ ଗ୍ରହକୁ ଗଲେ ସେଠି କୋଉଠି ମାଛ ଖାଇବୁ ଓ ଛୁଆଙ୍କୁ ମାଛ ଆଣି ଦେବୁ!ଏକଥା କକି ବୁଝେକି ନବୁଝେ, ଜେଜେମା କିନ୍ତୁ ଗୁମସୁମ ଦିଶନ୍ତି. ମୁନା ବୁଝିପାରେନା କକି ପାଇଁ ଜେଜେମାଙ୍କ ମନରେ କଣ ଅଛି!
ସେଦିନ ପଡୋଶୀ କଲ୍ୟାଣୀ ମଣ୍ଡପରେ ଭୋଜିରେ ମୁନା ଘର ସଦସ୍ୟମାନଙ୍କୁ ଡକରା ଥାଏ. ଯିଏ ଯାହା ବାଟରେ ଯାଇ ଖାଇକି ଆସିଲେ. ଜେଜେମା ସବା ପଛରେ ଗଲେ. ସକାଳୁ ଦେଖିଲା ବେଳକୁ, ମାଛ ମୁଣ୍ଡ ଧରି କକି ଖାଉଛି ତା ଛୁଆଙ୍କ ସହ. କକି ତ ଏବେ ବନ୍ଧା ହୋଇ ରହୁଛି. ଘରଦ୍ୱାର ଆମିଷ କରି ଜେଜେମାଆଙ୍କୁ ହଇରାଣ କରୁଛି ବୋଲି ତାକୁ ମଙ୍ଗଳ ଗ୍ରହର ପ୍ରଥମ ଦିନର ଅନୁଭୂତି ଦେଖାଇବାକୁ ଅର୍ଥାତ ଛାଡ଼ି ଦେବାର ଯୋଜନା ଚାଲିଥିବା ଭିତରେ, ମାଛମୁଣ୍ଡ କୋଉଠୁ ଆସିଲା ଭାବୁଥିଲା ମୁନା. ସାଙ୍ଗ କୁନା କହୁଥିଲା, ତୁମ ଜେଜେମା କାଲି ତାଙ୍କ ପତରରେ କେବଳ ମାଛମୁଣ୍ଡ ମାଗୁଥିଲେ, ମୁନା ମୁଣ୍ଡ ଗୋଳମାଳ ହୋଇଯାଉଥିଲା.ମୂଷା ଆଉ ଆସୁନଥିବାରୁ ଜେଜେମାଆ ଏଭିତରେ କକିକୁ ଖୁବ ଭଲ ପାଉଥିଲେ ବୋଧେ.
