STORYMIRROR

Manoja kumar Pattnayak

Action Classics Fantasy

4  

Manoja kumar Pattnayak

Action Classics Fantasy

ସାହାଯ୍ୟ ଯୋଗେ ସାଜିଲା ହିରୋ

ସାହାଯ୍ୟ ଯୋଗେ ସାଜିଲା ହିରୋ

3 mins
246

ଗାଁ ମୁଣ୍ଡରେ ଝଙ୍କାଳିଆ ବରଗଛଟିଏ । ସେଇ ଗଛରେ ନାନା ଜାତିର ଚଢ଼େଇ ବସା ବାନ୍ଧି ରହିଥାନ୍ତି । ଗୋଟିଏ ଡାଳରେ ବଣିଚଢ଼େଇର ବସାଥାଏ । ବଣିଚଢ଼େଇର ଦୁଇଟି ଛୁଆ ଥାଆନ୍ତି । ଛୁଆଦୁହେଁ ନୂଆ କରି ଉଡ଼ା ଶିଖୁଥାଆନ୍ତି । ଖଣ୍ଡିଉଡ଼ା ଦେଉଥାଆନ୍ତି । ମଜା ମଉଜରେ ସେମାନଙ୍କ ସମୟ କଟି ଯାଉଥାଏ । ବେଳେବେଳେ ବାପା ମାଆ ଦୁହେଁ ଆହାର ପାଇଁ ବହୁତ ଦୂରକୁ ଉଡ଼ିଯାଆନ୍ତି । ତେଣୁ ଛୁଆଦୁହେଁ ଏହି ମଉକାରେ ପଡ଼ିଶା ବସାକୁ ଉଡ଼ିଯାଆନ୍ତି । ତାଙ୍କ ପିଲାଙ୍କ ସାଥ୍‌ରେ ଖେଳିବୁଲି ଫେରି ଆସନ୍ତି । 


ଶୀତ ଗଲା । ବସନ୍ତ ଋତୁ ଆସିଲା । ଦିନେ ସବୁ ଚଢ଼େଇ ଦୂରସ୍ଥାନକୁ ଆହାର ଖୋଜିବା ପାଇଁ ଚାଲିଯାଇଥାଆନ୍ତି । କେବଳ କାପତାଟିର ଦେହ ଖରାପ ଥିବାରୁ ଯାଇ ନ ଥାଏ । ସେ ନିଜ ବସାରେ ରହିଥାଏ । ତା ବସା ପାଖରେ ଅନ୍ୟ ଚଢ଼େଇ ଛୁଆମାନେ ମଉଜ କରି ଖେଳୁଥାଆନ୍ତି । 


ହଠାତ୍ କେତେଟା ଛୁଆ ବିକଳରେ କାନ୍ଦିଉଠି ଡେଣା ଫଡ଼ଫଡ଼ କରି ଡେଇଁବାକୁ ଲାଗିଲେ । କ’ଣ ହୋଇଛି ଜାଣିବା ପାଇଁ କୋପତ ତା ବସାରୁ ଥଣ୍ଟକାଢ଼ି ଚାରିଆଡ଼କୁ ଚାହିଁଲା । ଦେଖିଲା ଗୋଟିଏ ଛଞ୍ଚାଣ କେଉଁ ଆଡୁ ଉଡ଼ିଆସି ଚଢ଼େଇ ଛୁଆକୁ ଝାମ୍ପି ନେବାକୁ ବସିଛି । କୋପତ ଭାବିଲା ସେ ଯାଇ ଛଞ୍ଚାଣ ସାଥିରେ ଲଢ଼ିବ । ହେଲେ ଛଞ୍ଚାଣର ମୁନିଆଁ ଥଣ୍ଟ ଆଉ ନଖ ଦେଖି ଡରିଗଲା । ତଥାପି ଖୁବ୍ ଜୋର୍‌ରେ ପାଟିକରି ଛୁଆମାନଙ୍କୁ କହିଲା ସମସ୍ତେ ପଳାଅ । ତା’ପରେ ନିଜେ ବସାରେ ଲୁଚି ରହିଲା । ନ ହେଲେ ଛଞ୍ଚାଣଟା ଯେ କେତେବେଳେ ତାକୁ ମଧ୍ୟ ଝାମ୍ପି ନେଇଯିବ ।


ସଞ୍ଜବେଳକୁ ଚଢ଼େଇମାନେ ଆହାର ଧରି ବସାକୁ ଫେରିଲେ । ବସାଗୁଡ଼ିକ ଛିନ୍‌ଛତ୍ର ହୋଇଥିବା ଦେଖୁ ବ୍ୟସ୍ତ ହୋଇପଡ଼ିଲେ । ଗଛତଳେ କେତେଗୁଡ଼ିଏ ଚଢ଼େଇ ଛୁଆଙ୍କ ଟିକିଟିକି ପର ପଡ଼ିଥାଏ । ତାକୁ ଦେଖି ସେମାନେ ବଡ଼ ବିକଳ ହେଲେ । ତହିଁ ଆରଦିନ ସେମାନେ ଗଛଛାଡ଼ି ଅନ୍ୟ ଆଡ଼କୁ ଚାଲିଗଲେ । ଯେଉଁଗଛ ସବୁଦିନେ ସକାଳ ଆସିଲେ ପକ୍ଷୀମାନଙ୍କର ରାବରେ ଫାଟି ପଡୁଥିଲା , ତାହା ସବୁଦିନ ପାଇଁ ଶୂନ୍ଶାନ୍ ହୋଇଗଲା । ଜାଗାଟା ଖାଲି ଖାଁ ଖାଁ ଲାଗିଲା ।


ସମସ୍ତେ ସିନା ସେ ଜାଗା ଛାଡ଼ି ଚାଲିଗଲେ , ହେଲେ ବଣିଚଢ଼େଇ ଜମା ଗଲାନାହିଁ । ସେ ମନେ ମନେ ଭାବିଲା ଯେଉଁଠି କି ଗଲେ ତ , ଏମିତି ବିପଦ ଆସିବ । ଛଞ୍ଚାଣ ପରି ଶତ୍ରୁ ଆସି ପହଞ୍ଚିବେ । ତେଣୁ ଏ ଜାଗା ଛାଡ଼ିଗଲେ କି ଲାଭ ?


ଗଛ ଡାଳରେ ଏକୁଟିଆ ବସି ବଣିଚଢ଼େଇ ସାଙ୍ଗମାନଙ୍କ କଥା ମନେ ପକାଉଥାଏ । ତା’ ଆଖୁରୁ ଟପ୍ ଟପ୍ ହୋଇ ଲୁହ ଗଡ଼ି ପଡୁଥାଏ ।


ସେଇ ଗଛତଳେ ହୁଙ୍କାରେ ରହୁଥାଏ ନାଗସାପଟିଏ । ସେ ବଣିଚଢ଼େଇର ଦୁଃଖ ଦେଖି କହିଲା ମାଆ ଲୋ ! ତୁ ମୋଟେ ବ୍ୟସ୍ତ ହଅନା । ମତେ ଥରକ ପାଇଁ ତୋ ବସା ପାଖକୁ ଯିବାକୁ ଅନୁମତି ଦେ । ଦେଖିବୁ ଛଞ୍ଚାଣକୁ କେମିତି ପାନେ ମଜା ଚଖେଇଦେବି ।


ପ୍ରଥମେ ବଣି ତା କଥା ଶୁଣି ଡରି ଯାଇଥିଲା । ପରେ ରାଜି ହୋଇ କହିଲା ହଉ ଆସିବ ଯଦି ଆସ । ସେ ମନେମନେ ଭାବିଲା ଛଞ୍ଚାଣ ହାତରେ ତ ମରିବି । ତା ପୂର୍ବରୁ ଥରେ ପରୀକ୍ଷା କରି ଦେଖୁଥାଏ - ନାଗସାପ କ’ଣ କରୁଛି । ସେଇ ଡାଳର ଆଉ ଗୋଟିଏ ବସା ଖାଲି ପଡ଼ିଥାଏ । ସେଠାରେ ନାଗ ସାପକୁ ରହିବା ପାଇଁ ସେ କହିଲା । 


ଛଞ୍ଚାଣ ମୁହଁରେ ତ ମିଠା ଲାଗିଛି । ତହିଁ ଆରଦିନ ସେ ପୁଣି ବଣିବସା ଉପରେ ଆକ୍ରମଣ କଲା । ନାଗସାପ ତ ଆଗରୁ ଛକି ରହିଥିଲା । ସୁଯୋଗ ପାଇ ସେ ଛଞ୍ଚାଣକୁ ଏମିତି କାବୁ କରିନେଲା ଯେ ଛଞ୍ଚାଣ ଆଉ ହଲି ପାରିଲା ନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ ଛଞ୍ଚାଣଟା ନାଗସାପ କବଳରୁ ମୁକୁଳି ପାରିଲା ନାହିଁ । ଶେଷରେ ବିଚରା ଛଞ୍ଚାଣଟି ମରି ତଳେ ପଡ଼ିଗଲା । ନାଗସାପ ମଧ୍ୟ ତା ଗାତକୁ ଚାଲିଗଲା । 


ବଣିଚଢ଼େଇ ଖୁସି ମନରେ ଉଡ଼ିଯାଇ ତା ସାଙ୍ଗମାନଙ୍କୁ ଏ ଖବର ଜଣାଇ ଦେଲା । ନାଗସାପ ଯୋଗୁଁ ସେମାନଙ୍କ ଶତ୍ରୁ ମରି ଶୋଇଥିବାର ଜାଣି ସମସ୍ତେ ଖୁସି ହେଲେ । ତା’ପରେ ପୁଣି ଫେରିଆସି ସେଇ ଗଛରେ ବସାବାନ୍ଧି ରହିଲେ । ବରଗଛଟି ପୁଣି ଚଢ଼େଇମାନଙ୍କ କିଚିରିମିଚିରି ଶବ୍ଦରେ ହସି ଉଠିଲା । ଏମିତିକା ସାହାଯ୍ୟ କରି ନାଗସାପ ହିରୋ ହୋଇଗଲା ସମସ୍ତେ ପକ୍ଷୀ ମାନେ ନାଗ ସାପକୁ ସେଇଦିନ ଠାରୁ ହିରୋ ବୋଲି ଡାକିଲେ ।



Rate this content
Log in

Similar oriya story from Action