STORYMIRROR

Manoja kumar Pattnayak

Drama Classics Fantasy

4  

Manoja kumar Pattnayak

Drama Classics Fantasy

ଗର୍ବ ର ଫଳ

ଗର୍ବ ର ଫଳ

2 mins
362

ବଣର ରାଜା ସିଂହ ମନରେ ଭାରି ଗର୍ବ । କାରଣ ସେ ଭଲ ନ୍ୟାୟ ଦେଇପାରୁଛନ୍ତି । ତାଙ୍କର ଶାସନରେ ବଣର ସମସ୍ତ ପଶୁପକ୍ଷୀ ସୁଖରେ ଅଛନ୍ତି । ବଣର ଅବସ୍ଥା ସୁଧୁରିଯିବା ପରେ ଗାଁର ଗୃହପାଳିତ ପଶୁମାନଙ୍କ ଉପରେ ତା’ର ନଜର ପଡ଼ିଲା । ତେଣୁ ମାଙ୍କଡ଼କୁ ଡାକି ସେ କହିଲା ଦେଖ , ତୁ ତ ସବୁଆଡ଼େ ଯାଇପାରୁଛୁ । ତେଣୁ ଗାଁକୁ ଯାଇ ଆମର ପଶୁଭାଇମାନଙ୍କୁ କହ , ଯଦି କିଏ ହଇରାଣ ହେଉଥାଏ ତେବେ ସିଧା ସିଂହରାଜାଙ୍କ ପାଖରେ ଆସି ଆପତ୍ତି କରୁ । ତାକୁ ଉଚିତ ନ୍ୟାୟ ମିଳିବ । 


ସିଂହକଥାରେ ହଁଟାଏ ମାରି ମାଙ୍କଡ଼ ଗାଁ ଆଡ଼କୁ ଡେଇଁଡେଇଁ ଚାଲିଗଲା । ଯିବାବାଟରେ ଗଧଟିଏ ଦେଖିଲା । ଗଧ ପିଠିରେ ଲୁଗା ବୋଝ ଲଦି ତା ’ ମାଲିକ ତାକୁ ପିଟିପିଟି ନେଉଥାଏ । ମାଙ୍କଡ଼ ଗଧକାନରେ ସିଂହରାଜାଙ୍କର ଖବରଟାକୁ କହିଦେଇ ଚାଲିଗଲା । ସେକଥା ଶୁଣି ଗଧର ଆନନ୍ଦ ଆଉ ଦେଖେ କିଏ ?


ତା’ପରଦିନ ଗଧ ନିଜ ମାଲିକକୁ ଲୁଚି ବଣରେ ଯାଇ ପହଞ୍ଚିଲା । ହାତଯୋଡ଼ି କହିଲା , ମହାରାଜ ! ମୁଁ ଭାରିଦୁଃଖୀ । ବହୁତ ଆଶା ବାନ୍ଧି ଆପଣଙ୍କ ପାଖକୁ ଆସିଛି । ଆପଣ ମୋର ଦୁଃଖ ଦୂର କରନ୍ତୁ । ସିଂହ କହିଲା , ଏ ଦରବାର ତ ସମସ୍ତଙ୍କ ପାଇଁ ଖୋଲା । ତତେ ଉଚିତ୍ ନ୍ୟାୟ ମିଳିବ । ତେବେ କିଏ ସେହି ଦୁଷ୍ଟ ତତେ ଏତେ କଷ୍ଟ ଦେଉଛି ? 


ଗଧ କହିଲା ହଜୁର ସେହି ଦୁଷ୍ଟର ନାଁ ଧରିବାକୁ ଡ଼ର ମାଡ଼ୁଛି । କାଳେ ଆପଣଙ୍କର କ’ଣ ହୋଇଯିବ ? 


ସିଂହ ରାଗିଯାଇ ନିଶକୁ ଫୁଲାଇ କହିଲା ତୁଟା ନିପଟ ମୂର୍ଖ । ମୋର କେତେ ବଳ ତତେ ବୋଧହୁଏ ଜଣାନାହିଁ ? 


ଗଧ କହିଲା ହଜୁର କ୍ଷମା କରନ୍ତୁ । ଏପରି କେଉଁ ମୂର୍ଖ ଅଛି ଯେ ଆପଣଙ୍କ ବଳକୁ ଜାଣି ନ ଥୁବ ? 


ତେବେ ସେଇ ଦୁଷ୍ଟ ଆଉ କେହି ନୁହେଁ ସେ ପରା ମଣିଷ । ମୋ ମାଲିକ । ଗଧମୁହଁରୁ ମଣିଷ ନାଁକୁ ଶୁଣି ସିଂହ ଗୋଟାଏ ବିକଟାଳ ହସ ହସି ସେଇ ବଣଟାକୁ କମ୍ପାଇ ଦେଲା । ଗଧର ମାଲିକ ଯେତେବେଳେ ଜାଣିଲା ଯେ ତା ’ ଗଧ ସିଂହ ପାଖକୁ ଅଭିଯୋଗ କରିବାକୁ ଯାଇଛି ସେ ସିଂହକୁ ଧରିବା ପାଇଁ ଗୋଟାଏ ବଡ଼ ଯନ୍ତା ତିଆରି କଲା । ତାକୁ ଶଗଡ଼ରେ ଲଦି ସେହି ବଣକୁ ଚାଲିଲା । କିଛି ଦୂର ଯାଇ ଦେଖିଲା ତା’ଗଧ ସିଂହ ସହିତ ତା ଆଡ଼କୁ ଆସୁଛି । ମଣିଷକୁ ଦେଖୁ ସିଂହ ରାଗିଯାଇ କହିଲା ରେ ମୂର୍ଖ ମଣିଷ ! ତୁ ମୋର ପ୍ରଜାମାନଙ୍କ ଉପରେ ଏପରି ଅତ୍ୟାଚାର କରି ଚାଲିଛୁ । ତା’ର ପରିଣତି କ’ଣ ହେବ ଜାଣିଛୁ ତ ?


ମଣିଷ କହିଲା ପଶୁରାଜ ! ଆପଣ କ’ଣ କହିବାକୁ ଚାହୁଁଛନ୍ତି ମୁଁ କିଛି ବୁଝିପାରୁ ନାହିଁ । ସିଂହ ଆହୁରି ରାଗିଯାଇ କହିଲା ତୁ ତୋ ଗଧକୁ ପଚାର ସବୁ କଥା ଜାଣିପାରିବୁ । 


ମଣିଷ ତା’ପରେ କହିଲା ଆଚ୍ଛା ଆଚ୍ଛା ମୁଁ ବୁଝିଗଲି । ହେଲେ ଆପଣଙ୍କ ଭଳି ଜଣେ ଚତୁରପ୍ରାଣୀ ଏଇ ଛାର୍ ଗଧକଥାକୁ ବିଶ୍ଵାସ କରିଲେ କିପରି ? ତେବେ ମୁଁ ବହୁଦିନରୁ ଆପଣଙ୍କୁ ଗୋଟିଏ ଉପହାର ଦେବାକୁ ଠିକ୍ କରିଛି । ବହୁ କଷ୍ଟରେ ଏଇ ଆରାମଦାୟକ ଯନ୍ତାଟିକୁ ଆପଣଙ୍କ ପାଇଁ ତିଆରି କରିଛି । ହେଲେ ଏଇ ମୂର୍ଖ ଗଧ ଆପଣଙ୍କୁ ସେଇଟାକୁ ନ ଦେବା ପାଇଁ ଜିଦ୍ ଧରି କହିଲା । ଏବେ ଆପଣ କୁହନ୍ତୁ ତ ଏ ଦୋଷ କାହାର ?


ସେକଥା ଶୁଣି ସିଂହ ଧାଇଁ ଯାଇ ସେଇ ଯନ୍ତାରେ ବସି ପଡ଼ିଲା । ମଣିଷ ଆଉ ଡେରି ନକରି ଚଟାପଟ୍ ସେଇ ଯନ୍ତାର ମୁହଁଟାକୁ ବନ୍ଦ କରିଦେଲା । ଗଧକୁ ଦୁଇଠେଙ୍ଗା ପକାଇ ଦଉଡ଼ିରେ ବାନ୍ଧି ଘରକୁ ଫେରିଲା । ବିଚରା ସିଂହରାଜା ଯନ୍ତାରେ ପଡ଼ି ଛଟପଟ ହେବାରେ ଲାଗିଲା । ଆପଣା ଦୋଷ ପାଇଁ ସିନା ସେ ଏପରି ଦଣ୍ଡ ପାଇଲା !



Rate this content
Log in

Similar oriya story from Drama