କବି ହବା ଭାବନା ତୁଚ୍ଛ ହୋଇଲା
କବି ହବା ଭାବନା ତୁଚ୍ଛ ହୋଇଲା
ଭିତର କନିକା ଜଙ୍ଗଲରେ ଭାରି ଚହଳ ପଡ଼ିଛି । ଗୋଟାଏ ବଡ଼ ଧରଣର କବି ସମ୍ମିଳନୀ ହେବ । ବହୁ ପ୍ରତିଷ୍ଠିତ କବି ସେମାନଙ୍କର କବିତା ପଢ଼ିବେ । ଏଥିପାଇଁ କବି ଶେଖର ଶୃଗାଳ , କବି ଶ୍ରୀ କୋଇଲି , କବି ଭୂଷଣ କୋକିଶିଆଳି , କବି ମଉଡ଼ମଣି ଗର୍ଦଭରାଜ ଏମିତି ଅନେକ କବି ଆସି ସଭା ମଞ୍ଚପାଖରେ ପହଞ୍ଚିଗଲେଣି । ସଭାରେ କବିତା ପଢ଼ିବାପାଇଁ କବିମାନଙ୍କୁ ଡ଼ାକିବାକୁ ଭାର ଦିଆଯାଇଛି ଜଣେ ତରୁଣ କବିଙ୍କୁ । ସେ ହେଉଛନ୍ତି ନଟଖଟ ହନୁମାଙ୍କଡ଼ ।
ଠିକ୍ ସମୟରେ ସଭା ଆରମ୍ଭ ହେଲା । ବଣର ରାଜା ସିଂହକୁ ସଭାର ସଭାପତି , ବାଘକୁ ମୁଖ୍ୟ ଅତିଥ୍ ଆଉ ମୁଖ୍ୟବକ୍ତା ଭାବେ ଭାଲୁକୁ ଆସନ ଦିଆଗଲା । ସମସ୍ତେ ମନ ଖୁସିରେ ସଭାରେ ବସିଥାନ୍ତି । ସୁନ୍ଦରୀବଣର ଗୋଟିଏ ବଡ଼ ବରଗଛ ତଳେ ଏ ସଭା ହେଉଥାଏ । ସେ ବଣର ପଶୁପକ୍ଷୀଙ୍କ ସହିତ ଆଖପାଖ ବଣର ପଶୁପକ୍ଷୀ ମଧ୍ୟ ସଭାକୁ ଆସିଥାନ୍ତି । ଏଇ କବି ସମ୍ମିଳନୀଟା ପ୍ରଥମଥର ପାଇଁ ହେଉଥିବାରୁ ପଶୁପକ୍ଷୀମାନେ ନିଜ ନିଜର କବିତାଗୁଡ଼ିକୁ ଆଗ୍ରହରେ ପଢୁଥା’ନ୍ତି । ନାନା ପ୍ରକାର ଅଙ୍ଗ - ଭଙ୍ଗୀ ବି ଦେଖାଉଥାନ୍ତି । ତାଳିମାଡ଼ରେ ସଭାଟା ଏକଦମ୍ କମ୍ପିଉଠୁଥାଏ ।
ଅନ୍ୟ ଶ୍ରୋତାମାନଙ୍କ ଭିତରେ ଚୁଗୁଲୁ ଠେକୁଆ ବି ସଭାରେ ଥାଇ କବିତା ପଢ଼ା ଶୁଣୁଥିଲା । କବିମାନଙ୍କର ପ୍ରଶଂସାଶୁଣି ତା’ର ମନ ଖାଲି ଡ଼ହଳବିକଳ ହେଉଥାଏ । ସେ ମନେମନେ ଭାବୁଥାଏ , ଆ ! ମୁଁ ଯଦି ଏମିତି ଗୋଟେ କିଛି କବିତା ଲେଖୁଥାନ୍ତି ନା , ତେବେ ଆଜି କେତେ ବାହାବା ପାଇ ନଥାନ୍ତି ! ଯେମିତି ହେଉ ମତେ କବିତା ଲେଖିବାର କୌଶଳ ଶିଖିବାକୁ ହେବ । ହେଲେ ଏ କୌଶଳ ପୁଣି ତାକୁ ଶିଖାଇବ କିଏ ? ଏମିତି ଭାବୁଭାବୁ ସଭା ଭାଙ୍ଗିଲା । ସମସ୍ତେ ମନ ଖୁସିରେ ଘରକୁ ଫେରିଲେ । ହେଲେ ସମସ୍ତଙ୍କ ମୁହଁରେ ହନୁମାଙ୍କଡ଼ର ପ୍ରଶଂସା । ନୂଆ ହେଲେ କ’ଣ ହେବ ସେ , ସଭାଟାକୁ ବେଶ୍ ଜମାଇ ଦେଲା ।
ଅନ୍ୟମାନଙ୍କ ମୁହଁରୁ ହନୁମାନଡ଼ର ପ୍ରଶଂସା ଶୁଣି ଚୁଗୁଲୁ ମନେ ମନେ ଭାବିଲା , ପୁରୁଣାବାଲାଙ୍କ ପାଖକୁ ଗଲେ ସେମାନେ ମୋତେ ଜମା ପଚାରିବେନି । ହେଲେ ହନୁ ନୂଆ । ତେଣୁ ତାକୁ କହିଲେ ସେ ନିଶ୍ଚୟ କଥା ରଖିବ । ଏହା ଭାବି ଚୁଗୁଲୁ ହନୁମାଙ୍କଡ଼ ଘରକୁ ଗଲା । ଯୋଗକୁ ହନୁମାଙ୍କଡ଼ ସେଦିନ କେଉଁ ଆଡ଼େ ନ ଯାଇ ଘରେ ଥିଲା । ଚୁଗୁଲୁ ହନୁକୁ ଦେଖ୍ ନମସ୍କାର କରି କହିଲା , ତରୁଣ କବିରାଜ ହନୁବାବୁଙ୍କୁ ଅନେକ ଅନେକ ଶୁଭେଚ୍ଛା ।
ହନୁ କହିଲା – କଥା କ’ଣ ? ମୋର ଏତେ ପ୍ରଶଂସା କାହିଁକି କରୁଛ ? ତୁମର କ’ଣ କିଛି ମୋଠାରୁ ପାଇବାର ଅଛି କି ?
ଚୁଗୁଲୁ ଦୁଇ ହାତକୁ ମଳି କହିଲା ନାଇଁଆଜ୍ଞା ! ସେଦିନ ସଭାରେ ଆପଣଙ୍କ କବିତା ଶୁଣିଥୁଲି । ମୋତେ ଖୁବ୍ ଭଲ ଲାଗିଲା । ଆଉ ସେଇଥପାଇଁ ମୋର ବି ଭାରି ଲୋଭ ହେଉଛି କବିଟିଏ ହେବାକୁ । ତେଣୁ ମତେ ଟିକିଏ କବିତା ତିଆରି କରିବାର ବାଟଟା ଶିଖାଇ ଦେବେ । ଏଇ ଆଶା କରି ଆପଣଙ୍କ ପାଖକୁ ଆସିଛି ।
ଚୁଗୁଲୁ କଥା ଶୁଣି ହନୁ କହିଲା – ଏଇ କାମ ତ , ଯେହେତୁ ତୁମର ଆଗ୍ରହ ଅଛି ତାହା ନିଶ୍ଚୟ ହୋଇଯିବ । ଏଥିପାଇଁ ଗୋଟିଏ ଉପାୟ ହେଲା ପାଦକୁ ପାଦ ପକାଇବା ।
ଟୁଗୁଲୁ ଟିକେ ଆଶ୍ଚର୍ଯ୍ୟ ହୋଇ କହିଲା –ପାଦକୁ ପାଦ ମିଳାଇ ଚାଲିଲେ କବିତା ଲେଖୁ ହୋଇଯିବ ?
ହନୁ ମନେ ମନେ ହସିଦେଇ କହିଲା ନା , ନା , ଚାଲିଲେ କ’ଣ କବିତା ଲେଖ ହୁଏ ? ଏଇଟା କବିତା ଲେଖାର ଏକ କୌଶଳ । କବିତାର ପ୍ରତି ଧାଡ଼ିକୁ ପାଦ କୁହାଯାଏ । ତେଣୁ ପ୍ରଥମ ଧାଡ଼ିର ଶେଷ ପଦ ଓ ଦ୍ବିତୀୟ ଧାଡ଼ିର ଶେଷପଦ ମିଶିଲେ ତ କବିତା ହେଲା । ଏଇ ଯେମିତି ମଣି , ଖଣି , ବସା , ହସା ।
ଚୁଗୁଲୁ କହିଲା , “ ଏମିତି ହେଲେ ହୋଇଯିବ ତ ? ହନୁ କହିଲା ତୁମକୁ ଏଥିପାଇଁ ଅନେକ ଦିନ ସାଧନା କରିବାକୁ ପଡ଼ିବ । ଚୁଗୁଲୁ ଏକଥା ଶୁଣି ହନୁକୁ ନମସ୍କାରଟିଏ ପକାଇ ସେଠାରୁ ଆସିଲା ।
ବାଟରେ ଗଲାବେଳେ ଭାରି ଖୁସି ମନରେ ହୁଇସିଲ୍ମାରି ଗୀତବୋଲି ଯାଉଥାଏ । ବାଟରେ ତାକୁ କଇଁଛଟିଏ ଦେଖ୍ କହିଲା କିହୋ ଚୁଗୁଲୁ ଭାଇ , କ’ଣ ଆଜି ଭାରି ଖୁସି ଥିବାର ଦେଖାଯାଉଛ ! କିଛି ପାଇଲ କି ? ଆମକୁ ଟିକେ ସେଥୁରୁ ଦେବନି ? ଚୁଗୁଲୁ ତା ’ ମୁଣ୍ଡରେ ଟିକେ ହାତ ମାରି ଦେଇ କହିଲା । ନାଇଁରେ ବୋକା , ମୁଁ ପରା କବିତା ଲେଖା ଶିଖିବାକୁ ଯାଇଥିଲି । ଆଉ କେମିତି କବିତା ଲେଖା ହୁଏ , ସେ କଥା ବେଶ୍ ଭଲଭାବରେ ଜାଣିଗଲି । କଇଁଛ କହିଲା ଯାହା ହେଉ ଆମ ବଣରେ ଆଉ ଜଣେ ତ ନୂଆକବି ସୃଷ୍ଟି ହୋଇଗଲେ ! ତେବେ ଭାଇ , ଟିକେ ତୁମ କବିତା ଶୁଣାଇଲ । ଚିଗୁଲୁ କହିଲା ଶୁଣ
ଦେଖରେ ଦେଖ
କଇଁଛ କାଢ଼ିଛି ନହକା ବେକ ,
ପିଠିରେ ଧରିଛି ମୋଟାଖୋଳପା
ଛୋଟପାଦେ ଯାଏ ହଲି ହଲିକା
କଇଁଛ ଖୁସି ହୋଇ କହିଲାବାଃ , ବାଃ ବଢ଼ିଆ କବିତା । ଚୁଗୁଲୁ ତା ମୁଣ୍ଡରେ ପୁଣିଥରେ ହାତ ମାରି ଦେଇ ଡେଇଁ ଡେଇଁକା ଚାଲିଗଲା । ଏମିତି କିଛି ବାଟ ଗଲାପରେ ଭାଲୁଟିଏ ତାକୁ ଦେଖୁ ପଚାରିଲା କିରେ ଚୁଗୁଲୁ ଆଜିତ ଭାରି ଖୁସି । କ’ଣ ହୋଇଛି କିରେ ? ଚୁଗୁଲୁ କହିଲା ଅଜା ମୁଁ ପରା କବି ହୋଇଗଲିଣି ।
ଭାଲୁ କହିଲା ବହୁତ ଖୁସି ଖବରଟେ ଶୁଣାଇଲୁ । ଆଚ୍ଛା ତୋ କବିତା ଟିକେ ଶୁଣା ତ । ଚୁଗୁଲୁ କହିଲା ତେବେ ଶୁଣ
ଭାଲୁ ଅଜା ଆମ ନାଲଗାଲୁ
ଦେହସାରା ରୁମ ସାଲୁବାଲୁ
ମହୁଖାଇବାକୁ ଭାବିଲା ମନେ
ମହୁମାଛି ଦେଲେ ଆଚ୍ଛାକି ପାନେ
ଭାଲୁ ସେ କବିତା ଶୁଣି ଏକବାର ରାଗିଗଲା । କହିଲା ଯଃ – ଯଃ – ଯେଉଁ କବିତା ! ତମେ ଏମିତି କେତେଟା ବଦମାସ୍ କାମଧନ୍ଦା ନ କରି ଏ ଦୁନିଆକୁ ସାରିଦେଲ । ୟାଡୁ ସେଆଡୁ ପଦ ପକାଇ କ’ଣଟାଏ ଲେଖିଦେଲ ସେଥିରେ ପୁଣି କହୁଛ କ’ଣ ନା ଆମେ ଗୋଟେ ବଡ଼କବି ! ଚୁଗୁଲୁ କହିଲା କ’ଣ ଅଜା ରାଗିଗଲକି ? ତେବେ ଆଉ ଗୋଟେ ନୂଆ କବିତା ଶୁଣାଉଛି । ଭାଲୁ କହିଲା ଥାଉ ଥାଉ । ତୋ ’ କବିତା ଶୁଣିବାକୁ ମୋର ବେଳ ନାହିଁ । ଏତିକି କହି ସେ ତା’ବାଟରେ ଚାଲିଗଲା । କିଛି ବାଟ ଯାଇଛି କି ନାହିଁ ବିଲୁଆକୁ ଦେଖୁ ସେ ବଡ଼ ପାଟିରେ ଡ଼ାକ ପକାଇଲା
ନମସ୍କାର ହୋ ବିଲୁଆ ନନା
କେଣେ ପଳାଉଛ ଏଣିକି ଅନା ।
କିଏ ଗୋଟେ ଗୀତ ବୋଲୁଛି ଶୁଣି ବିଲୁଆ ଟିକେ ପଛକୁ ଚାହିଁ ଦେଖେ ତ ଚୁଗୁଲୁଠେକୁଆ । ସେ କହିଲା କିରେ ଚୁଗୁଲୁ , ତୁ କେଉଁ ଦିନୁ ଗୋଟେ କବି ହୋଇଗଲୁଣି କି ? ତୋ’ର ତ କଥା ପଦକରେ ଖାଲି ଗୀତ ବାହାରୁଛି ? ଚୁଗୁଲୁ କହିଲା ସେଥିପାଇଁ କେତେ ସାଧନା କରିବାକୁ ପଡ଼ୁଛି , ତୁମେ କ’ଣ ଜାଣିଛ ? ” ବିଲୁଆ କହିଲା ଆଚ୍ଛା , ଆଚ୍ଛା , ତୋତେ ମୁଁ ବହୁତ ଆଶୀର୍ବାଦ କରୁଛି । ତେବେ ଗୋଟାଏ ନୂଆ କବିତା କିଛି ଶୁଣାଇଲୁ । ଚୁଗୁଲୁ କହିଲା ଶୁଣ
ଅଙ୍ଗୁର ପାଇଁ ନନା ଆମର ଡେଇଁ
ଡେଇଁକା ହେଲେ ଅଧୀର
ମିଠା କି ଖଟା ନ ଖାଇ କୋଳି
କହିଲେ ଖଟା ଅଙ୍ଗୁରକୋଳି ।
ବିଲୁଆ ସେ କବିତା ଶୁଣି ରାଗିଯାଇ କହିଲା – “ ହଇରେ ବଦ୍ମାସ୍ , ତୁ କ’ଣ ଏମିକି କବି ହୋଇଛୁ ? କିଏ କେଉଁଠି କ’ଣ କଲା , ଏଇ କଥା କହିବାକୁ ? ଥାଉ ଥାଉ ତୋ ’ କବିତା ଲେଖା । ହେଲେ ବାବା ଚୁଗୁଲୁ ଖବରଦାର , ଏମିତି ନିରାଟ ସତକଥାକୁ ନେଇ କବିତା ଲେଖୁଲେ ତୋ ’ କବି ପଣିଆର ମଜା ଦିନେ ବାହାରିଯିବ । ତେଣୁ ବାବା ଟିକେ ସାବଧାନ ହୋଇ କାମ କରୁଥା । ” ବିଲୁଆ କଥା ଶୁଣି ଚୁଗୁଲୁ କହିଲା – “ ଆଉ କ’ଣ ମିଛ କଥାକୁ ନେଇ କବିତା ଲେଖୁବି ? ସେ କଥା ହୋଇପାରିବନି । କବି ନ ହେବି ପଛେ , ମିଛକଥା ମୋ କବିତାରେ ଜମା ରହିବନି । ଏତିକିବେଳେ ହାତୀଟିଏ ତା ଆଡ଼କୁ ଆସୁଥିବାର ଦେଖି ତାକୁ ନମସ୍କାରଟିଏ ପକାଇଲା । ହାତୀ କହିଲା କ’ଣ କବିରାଜ ଚୁଗୁଲୁ ଆଉ କବିତା ଲେଖା ଚାଲିଛି ତ ? ” ହାତୀ ପୁଣି ତା କବି ହେବା କଥା ଜାଣିଗଲାଣି ! ତେବେ ଏ ଭିତରେ ସେ ଗୋଟାଏ ନାମଜାଦା କବି ପାଲଟି ଗଲାଣି । ଯାହା ହେଉ ଏମିତି ଭାଗ୍ୟ କାହାକୁ ମିଳେ ? ତା ’ ମନଟା ଗର୍ବରେ କୁଣ୍ଢେମୋଟ ହୋଇଗଲା । ସେ ହାତୀକଥାକୁ ଶୁଣି କହିଲା ମଉସା ଆପଣଙ୍କର ଆଶୀର୍ବାଦରୁ ସବୁ ସମ୍ଭବ ହୋଇଛି । ହାତୀ କହିଲା ତେବେ ତୋ’ର ଗୋଟେ ନୂଆ କବିତା ମତେ ଶୁଣା । ଚୁଗୁଲୁ ମନେମନେ ଖୁସି ହୋଇ ନିଶକୁ ଫୁଲାଇ କବିତା ପଢ଼ିବା ଆରମ୍ଭ କଲା
ହାତୀମଉସା ହାତୀମଉସା
କେମିତି ହୋଇଛ ଧୁସୁମଧୁସା
ଏଡ଼େ ବଡ଼ ଦେହ ଆଖ୍ ଏଡ଼ିକି
ଶୁଣ୍ଢ ଗୋଟେଖମ୍ବ ଦାନ୍ତ ଗୋଟେଖମ୍ବ
କାନ ପାଇଅଛ କୁଲା ଭଳିକି ।
ଆଉ କିଛି ଆରମ୍ଭ କରିବା ଆଗରୁ ହାତୀ ରାଗିଯାଇ କହିଲା ବଦ୍ମାସ୍ ମୁଁ କ’ଣ ତତେ କହିଥୁଲି ମୋରି ବିଷୟରେ କବିତା ପଢ଼ିବାକୁ ? ଏହା କହି ସେ ତା ଶୁଣ୍ଢରେ ଚୁଗୁଲୁକୁ ଧରି ପକାଇଲା ଓ କହିଲା ଯଦି କେବେ ଆଉ ଏମିତି କବିତା ଲେଖୁଚୁ ନା ତେବେ ତତେ ଏଇ ପଥର ଉପରେ ଛେଚି ମାରିଦେବି । ଏତିକି କହି ସେ ତାକୁ ଦୂରକୁ ଫୋପାଡ଼ି ଦେଲା । ହାତୀଶୁଣ୍ଢରୁ ପଡ଼ିଯାଇ ଚୁଗୁଲୁର ଗୋଟାଏ ଗୋଡ଼ ଭାଙ୍ଗିଗଲା । ସେ ଆଉ ଚାଲି ପାରିଲାନି । କ’ଣ କରିବ ? ବିଲୁଆନନାର କଥା ଟିକେ ଯଦି ମାନିଥାନ୍ତା , ତେବେ ତାକୁ ଏ ଦଶା ଭୋଗିବାକୁ ପଡ଼ିନଥାନ୍ତା । କାନକୁ ମୋଡ଼ି ଚାପୁଡ଼ାଟାଏ ମାରି କହିଲା ନାଇଁରେ ବାବା ଆଉ ହେବନି । ମିଛ ନୁହେଁ କି ସତ ବି ନୁହେଁ । ଯେତିକି ହେଲା ସେତିକି ।ତା’ର କବିତା ଲେଖିବାର ସଉକୀ ଏକଦମ୍ ଉଭେଇଗଲା । ସେଇଦିନୁ ଚୁଗୁଲୁ ଠେକୁଆକୁ କବି କଥା କି କବିତା କଥା କହିଲେ , ସେ ଚିଡ଼ିଉଠି ସେଠାରୁ ପଳାଇଯାଏ ।
