ସାହାଯ୍ୟ (ଅନୁଗଳ୍ପ )
ସାହାଯ୍ୟ (ଅନୁଗଳ୍ପ )
ସତରେ ଦୁନିଆ କେତେ ବଦଳି ଗଲାଣି l ମଣିଷ ଆଉ ମଣିଷ ପରି ଆଚରଣ କରୁନି l ନର ରାକ୍ଷସ ପାଲଟି ଗଲାଣି l ମାନବିକତା କୁଆଡ଼େ ହଜି ଗଲାଣି l ଆଜି ଖାଲି ହିଂସା ଆଉ ପ୍ରତିହିଂସା ନିଆଁରେ ପ୍ରତିଟି ମୁହୂର୍ତ୍ତ ଜଳୁଛି ମଣିଷ l ନିଜେ ମଣିଷ ହୋଇ ଧର୍ମ ଓ ଜାତି ଆଳରେ ଆଉ ଗୋଟିଏ ମଣିଷକୁ କରୁଛି ଘୃଣା l ଏମିତି ଏକ ପରିସ୍ଥିତିରେ କିଏ ବା କାହାକୁ ଆହାଃ ପଦେ କହିବ? ଏଠି ତ ସମସ୍ତେ ସ୍ୱାର୍ଥପର l
ସେ ଯାହା ହେଉ ଏସବୁ ସତ୍ୱେ ମଧ୍ୟ ହୃଦୟବାନ ମଣିଷ ଦୁନିଆରେ ଅଛନ୍ତି l ସତ୍ୟବାଦୀ ବି ଅଛନ୍ତି ଆଉ ପ୍ରେମ, ଭଲପାଇବା ବି ସମାଜରେ ବଞ୍ଚିଛି l ହେଲେ ସେମାନଙ୍କ ସଂଖ୍ୟା ବହୁତ କମ l
ସେଦିନ ସନ୍ଧ୍ୟାରେ ମୁଁ ପରିବା ହାଟରୁ କିଛି ସଉଦା କିଣି ଘରକୁ ଶୀଘ୍ର ଫେରିବା ପାଇଁ ପ୍ରସ୍ତୁତ ହେଉଥାଏ l
ଅଚାନକ ମୋ ସାମ୍ନାରେ ଆସି ଠିଆହେଲା ପାଗଳ ପରି ଦିଶୁଥିବା ଲୋକଟିଏ l ମୁଁ ଟିକେ ଚମକି ପଡିଲି l ତାକୁ ଦେଖିଲେ ଯିଏହେଲେ ବି ଡରିଯିବ l ଆଧୁନିକ ସିନେମା ଜଗତର ଭୁତ ଫିଲ୍ମର ମୁଖ୍ୟ ଚରିତ୍ର ପରି ତାର ଚେହେରା l
ଚିରା କନା ସାଙ୍ଗକୁ ଦେହସାରା ଧୂଳି l ମୋତେ ଡାହାଣ ହାତ ଦେଖାଇ କିଛି ମାଗିବା ପରି କଲା ସେ l
ମୁଁ ପ୍ରଥମେ ପ୍ରଥମେ ତାକୁ ଏଡ଼ାଇ ଦେଇ ଚାଲି ଯିବାକୁ ମନସ୍ଥ କଲି l କିନ୍ତୁ ତା ପର ମୁହୂର୍ତ୍ତରେ ମୋ ମନ ବଦଳାଇ ମୋ ପର୍ସରୁ ଶହେ ଟଙ୍କିଆ ନୋଟ ଟିଏ କାଢ଼ି ତା ହାତକୁ ବଢ଼େଇ ଦେଲି l
ଏତିକିରେ ସେ ପାଗଳଟି ଅଣନିଃଶ୍ୱାସୀ ହୋଇ ଦଉଡି ଯାଇ ପାଖରେ ଥିବା ଏକ ଗଳି ଭିତରକୁ ପଶିଗଲା l ମୋ ମନରେ ଅନେକ ପ୍ରଶ୍ନ l କୁଆଡ଼େ ଗଲା ସେ? ପଇସା ନେଇ କଣ କରିବ? ଆହୁରି କେତେ କଣ l
ମୁଁ ବି ତାକୁ ପିଛା କଲି l
ପର ମୁହୁର୍ତରେ ଦେଖେ ତ ସେ ତାର ଦୁଇଟି ହାତରେ ଦୁଇଟି ମଦ ପାଉଚ ଧରି ଢକ ଢକ କରି ପିଉଥାଏ l
ମୁଁ ମୋ ମୁଣ୍ଡରେ ଟିକେ ହାତ ଦେଲି l ଆଉ ହେ ଭଗବାନ କହି ତାକୁ ମୋ ଘର ଆଡ଼କୁ ଚାଲିଲି l
ମୋ ଆଖିରେ ଖାଲି ସେ ପାଗଳ ଲୋକର ନିରୀହ ଚେହେରା ଜଳଜଳ ହୋଇ ଦିଶୁଥାଏ l