STORYMIRROR

Ghanashyam Biswal

Tragedy

4  

Ghanashyam Biswal

Tragedy

ଭାଗବଣ୍ଟା (ଅଣୁଗଳ୍ପ )

ଭାଗବଣ୍ଟା (ଅଣୁଗଳ୍ପ )

2 mins
383

ଗତ କିଛିଦିନ ହେଲା ସରୋଜ ବାବୁ ବହୁତ ମାନସିକ ଚାପରେ ଅଛନ୍ତି । କାହିଁକି କେଜାଣି ସବୁଦିନ ଅଫିସରୁ ଫେରୁ ଫେରୁ ତାଙ୍କ ସ୍ତ୍ରୀ ସହିତ ଝଗଡ଼ା ଆରମ୍ଭ ହୋଇଯାଏ । ଆଉ ରାତିସାରା ହୋ ହାଲ୍ଲା ସହିତ ପାଟିତୁଣ୍ଡ ଯାହାକୁ ଯେତେ । ସତେ ଯେମିତି ଜୀବନ ନରକ ପାଲଟି ଯାଇଛି । ବିଚରା ବୃଦ୍ଧ ବାପାମାଆ ବି ଠିକ ସେ ଶୋଇପାରୁ ନାହାନ୍ତି । ସେ ଦିନ ରାତିରେ ଏତେ ଜୋରରେ ପାଟିତୁଣ୍ଡ ହେଲା ଯେ ଶେଷରେ ସରୋଜ ବାବୁ ତାଙ୍କ ମୁହଁକୁ ଲାଲ କରି ବେଡ଼ରୁମରୁ ବାହାରି ସିଧା ଯାଇ ତାଙ୍କ ବାପାମାଆ ଶୋଇଥିବା ଘରର କବାଟକୁ ଯାଇ ଜୋରରେ ଧକ୍କା ଦେଲେ ଆଉ ଚିତ୍କାର କରି କହିଲେ -


ବାସ, ହେଇଗଲା । ଆଉ ନୁହେଁ । ସହିବାର ବି ସୀମା ଥାଏ । ଆମେ ମଣିଷ ନା ପଥର । ବାପା ମୁଁ ଆଉ ତୁମ ବୁଢ଼ାବୁଢ଼ୀ ସହିତ ରହି ପାରିବିନି । ଦୀର୍ଘ ଦଶ ବର୍ଷ ହେଲା ତୁମର ସେବା କରି କରି ମୁଁ ଆଉ ମୋର ସ୍ତ୍ରୀ ନୟାନ୍ତ ହୋଇ ସାରିଲୁଣି । ଏବେ ଦୟାକରି ମୋ ପିତୃକ ସମ୍ପତ୍ତି ଆଧାରରେ ଯେତିକି ମୋ ଭାଗ ମୋତେ ଦେଇ ଦିଅନ୍ତୁ ଆଉ ମୋତେ ଏ ନର୍କରୁ ମୁକ୍ତି ଦିଅନ୍ତୁ । ମୁଁ ଭାବୁଛି ସମ୍ପତ୍ତି ଭାଗବଣ୍ଟା ହୋଇଯାଉ ଆଉ ଯିଏ ଯାହା ବାଟରେ ରହୁ । ହଁ ଆଉ ଗୋଟେ କଥା । ତୁମେ ଯଦି ଚାହିଁବ ମୁଁ ସହରରେ ଥିବା ସବୁଠୁ ଭଲ ଵୃଦ୍ଧାଶ୍ରମରେ ଯାଇ ତୁମର ବ୍ୟବସ୍ଥା କରିଦେବି ।


ଏ କଥା ଶୁଣି ବୃଦ୍ଧ ବାପାଙ୍କ ଆଖିରୁ ଅଜାଣତେ ଲୁହ ଝରି ଆସିଲା । ସତେ ଯେମିତି ତାଙ୍କ ମୁଣ୍ଡରେ ଏକ ଅଦିନ ଚଡ଼କ ପଡିଲା । ସେ କାନ୍ଦି କାନ୍ଦି ଅତି ଧୀର ସ୍ୱରରେ କହିଲେ - ଦେଖ ପୁଅ । ମୋର ଅସଲ ସମ୍ପତ୍ତି ତ ତୁ ହିଁ ଅଟୁ । ହଉ ଆଜି ତୁ ବହୁତ ବଡ଼ କଥା ପଦେ କହିଛୁ । ଆମର ସେବା କରି କରି ତୁ ଆଉ ତୋର ସ୍ତ୍ରୀକୁ ଆଉ ବେଶୀ ହଇରାଣ ହେବାକୁ ପଡ଼ିବନି ।

ମୁଁ ମୋର ସବୁ ସମ୍ପତ୍ତିକୁ ତୋ ନାଁରେ ହିଁ ଆଗରୁ କେତେ ଆଗରୁ ଉଇଲ କରି ସାରିଛି । ଆଉ ତାକୁ ଭାଗବଣ୍ଟାର ଆବଶ୍ୟକତା ନାହିଁ । ତୁ ଜାଣିନୁ ବାବୁରେ । ତୁ ଦଶମ କ୍ଲାସ ପଢୁଥିବା ସମୟରେ ଗୋଟିଏ ସଡ଼କ ଦୁର୍ଘଟଣାରେ ତୋର ଦୁଇଟିଯାକ କିଡ଼ନୀ ଖରାପ ହୋଇଯିବାରୁ ମୁଁ ଆଉ ତୋର ମା ଅମର ଗୋଟିଏ ଗୋଟିଏ କିଡ଼ନୀ ଦେଇ ତୋର ଜୀବନ ବଞ୍ଚାଇଲୁ । ତୋ ଛଡ଼ା ଏ ସଂସାରରେ ଆମର ଆଉ କିଏ ବା ଅଛି? ତୋ ମୁହଁ ଦେଖି ଦେଖି ଆମେ ବଞ୍ଚିଯାଉଥିଲୁ ।ଏତିକି କହୁ କହୁ ହଠାତ ତାଙ୍କର ଛାତିରେ ଜୋରର ଯନ୍ତ୍ରଣା ହେଲା । ସେ ଆଉ କିଛି କହିପାରିଲେ ନାହିଁ ଆଉ ତଳେ ଗଳି ପଡ଼ିଲେ । ସରୋଜ ବାବୁ କିଛି କହିବା ଆଗରୁ ତାଙ୍କର ବୃଦ୍ଧ ମାଆ ବି ଆଖି ବୁଝି ସାରିଥିଲେ ।


ସରୋଜ ବାବୁ କଣ କରିବେ କିଛି ଭାବିପାରୁନ ଥିଲେ । ଗୋଟେ ପଟେ ତାଙ୍କ ସ୍ତ୍ରୀର ରାଗ ତମ ତମ ଚେହରା ଆଉ ଗୋଟେ ପଟେ ତାଙ୍କ ନିରୀହ ବାପାଙ୍କର ଲୁହ ଝରା ମୁହଁ ତାଙ୍କ ଆଖିରେ ନାଚି ଯାଉଥିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy