ଅଦିନ ଚଡ଼କ
ଅଦିନ ଚଡ଼କ




ଆଜି ଧନୁ ମୁଣ୍ଡାର ମନ ବହୁତ ଖୁସି l ପିଲାଟି ଦିନରୁ ଏତେ ଖୁସି ସେ କେବେ ପାଇ ନ ଥିଲା l ଆଉ ତାର କାରଣ ହେଲା ତା ଘରେ ଝିଅଟିଏ ଜନ୍ମ ହୋଇଛି l ତା ଘରକୁ ଆଜି ସାକ୍ଷାତ ଲକ୍ଷ୍ମୀ ଉଭାହୋଇ ଆସିଛନ୍ତି l ଗରିବ ହେଲେ କଣ ହେଲା ଆଜି ତା ଘର ସରଗପୁରଠୁ କମ ନୁହଁ l
ସେ ତ ନିଜେ ଅନାଥ l ପିଲାଟି ଦିନରୁ ମା ବାପା କଣ ଜାଣିନି l
କୁଳି ମଜୁରୀ କରି ଦିନ କାଟେ l ଦିନେ କାମ କରି ନ ଗଲେ ଭୋକ ଉପାସରେ ରହିବା ଥୟ l ତା ସ୍ତ୍ରୀ ବି ତ ଘର ଘର ଯାଇ ବାସନ ସଫା କରେ ଆଉ ସେଇଥିରୁ ଯାହା ମିଳେ ଦୁଇଜଣ ସୁଖ ଦୁଃଖକୁ ନିଜର କରି ଚଳି ଯାଆନ୍ତି l
ଧନୁ ଅତି ସ୍ନେହରେ ତାର ଝିଅକୁ ଲକ୍ଷ୍ମୀ ବୋଲି ଡାକେ l ଆଉ ସେଥିପାଇଁ ତା ଝିଅର ନାମ ଲକ୍ଷ୍ମୀପ୍ରିୟା ରଖା ଯାଇଛି l
ଗାଁର ଶେଷ ମୁଣ୍ଡରେ ଝାଟିମାଟିର କୁଡ଼ିଆ ଘର ତାର l ଝଡ଼ ବତାସରେ ଚାଳ ଛପର ଉଡ଼ିଯାଏ ଆଉ ବର୍ଷାଦିନେ ବି ଘର ଭିତରେ ଆଣ୍ଠୁଏ ପାଣି ହୋଇଯାଏ l
ଏତେ ସବୁ ଅସୁବିଧା ଥିଲେ ବି ଧନୁ ମୁଣ୍ଡାର ମନରେ ଟିକେ ବି ଦୁଃଖ ନାହିଁ l ସେ ସବୁବେଳେ ଈଶ୍ୱରଙ୍କୁ ହାତ ଯୋଡ଼ି ଧନ୍ୟବାଦ ଦିଏ ଯେ ତାକୁ ସାକ୍ଷାତ ଦେବୀ ପରି ସ୍ତ୍ରୀ ଟିଏ ମିଳିଛି ଆଉ ଏବେ ସେ ସୁନା ଝିଅଟିଏର ବାପା ବି ହୋଇ ପାରିଛି l ଏ ସବୁର ଶ୍ରେୟ ସେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ଦିଏ l
ଏମିତି କେତେ ବର୍ଷ ବିତି ଯାଏ l ଧନୁ ମୁଣ୍ଡାର ଝିଅ ଲକ୍ଷ୍ମୀପ୍ରିୟାକୁ ହୁଏ ପାଞ୍ଚ ବର୍ଷ l ଏବେ ତାର ସ୍କୁଲ ଯିବାର ସମୟ ହୋଇଗଲା l
ସେଥିପାଇଁ ଧନୁମୁଣ୍ଡାର କେତେ ଚିନ୍ତା l ତାଙ୍କ ଗାଁକୁ ତ ଯିବା ଆସିବା ପାଇଁ ସରକାର ଏଯାଏଁ ରାସ୍ତାଟିଏ ବି କରି ପାରିଲାନି l
ପାହାଡ଼ିଆ ଜଙ୍ଗଲ ଭିତରେ ରହୁଛନ୍ତି ତା ପରି ଆଠ ଦଶଟି ମୁଣ୍ଡା ପରିବାର l ଖାଇବା ପିଇବା କହିଲେ ଖାଲି ଜଙ୍ଗଲରୁ ଯାହା ମିଳେ ସେତକ l ତାଙ୍କ ପାଖ ଗାଆଁକୁ ନଈ ପାରି ହୋଇ ଧନୁ ମୁଣ୍ଡା ଓ ତା ସ୍ତ୍ରୀ କାମ କରିବାକୁ ଯାଆନ୍ତି l ସାଙ୍ଗରେ ଲକ୍ଷ୍ମୀ ପ୍ରିୟା ବି ଯାଏ l
ଲକ୍ଷ୍ମୀ ତ ଧନୁମୁଣ୍ଡାର ଖାଲି ଝିଅ ନୁହେଁ l ସେ ତ ତାର ଜୀବନ l ଗୋଟେ ମୁହୂର୍ତ୍ତ ବି ତାକୁ ନ ଦେଖିଲେ ସେ ଅଣନିଃଶ୍ୱାସୀ ହୋଇପଡ଼େ l ସବୁଦିନ ସକାଳୁ ସକାଳୁ ଲକ୍ଷ୍ମୀକୁ ତା କାନ୍ଧରେ ବସାଇ ଧନୁମୁଣ୍ଡା ତା ସ୍ତ୍ରୀ ସହିତ ପାଖ ଗାଁକୁ ବାହାରି ଯାଆନ୍ତି l
ଧନୁମୁଣ୍ଡା ଜଣେ ପରିଶ୍ରମୀ ଲୋକ l ଦିନରାତି ନ ଖାଇ ନ ପିଇ କାମ କରିପାରେ ସେ l ନିହାତି ମଣିଷ ପରି ମଣିଷ ଟିଏ l ମନରେ ଟିକେ ହେଲେ ଛଳନା ନାହିଁ l ଅତି ନିରୀହ ଓ ନିଷ୍କପଟ ମଣିଷଟିଏ ସେ l ସେଥିପାଇଁ ତ ସମସ୍ତେ ତାକୁ ଭଲପାଆନ୍ତି l
ଦିନକର କଥା ଧନୁମୁଣ୍ଡାର ସ୍ତ୍ରୀକୁ ପ୍ରବଳ ଜ୍ୱର l ଦେହରେ ପୁରା ତାତି l ପାଟିରେ କଥା ପଦେ ବି କହିବାକୁ ବଳ ନାହିଁ l ଆଖପାଖରେ ଡାକ୍ତର କି ହସ୍ପିଟାଲ ବି ନାହିଁ l ଛୋଟମୋଟ ଚେରମୁଲିଆ ଔଷଧ ଯାହା ଜାଣିଥିଲା ସେ ସବୁ କିଛି ବି କାଟୁ କରୁନି l ଘରେ ଖାଇବା ପାଇଁ ବି ଆଉ କିଛି ନାହିଁ l ଦୁଇ ତିନି ଦିନ ହେଲା ଧନୁମୁଣ୍ଡା କାମକୁ ଯାଇ ପାରୁନି l ଏପଟେ ତାର କୁନି ଝିଅ ଲକ୍ଷ୍ମୀ ଭୋକର ଯନ୍ତ୍ରଣା ଆଉ ସହି ପାରୁନି l
ଯେମିତି ହେଲେ ବି ତାକୁ ପାଖ ଗାଁକୁ ଯିବାକୁ ପଡ଼ିବ l
କାନ୍ଦ କାନ୍ଦ ଆଖିରେ ତା ସ୍ତ୍ରୀ କହିଲା -ଶୁଣ, ତମେ କାମ କରିବାକୁ ଯାଅ l ନ ହେଲେ ଆମେ ଖାଇବା କଣ? ଆମ ଝିଅ ଲକ୍ଷ୍ମୀ ବି କେତେ କଷ୍ଟ ଆଉ ସହିବ? ମୋ କଥା ଛାଡ଼ l ପ୍ରଥମେ ଆମ ଝିଅପାଇଁ କିଛି ଖାଇବା ବ୍ୟବସ୍ଥା କର l
ଧନୁମୁଣ୍ଡାର ଜୀବନରେ ଅଦିନ ଚଡ଼କ ପଡିଲା l କୁଆଡ଼େ ଯିବ ଆଉ କଣ କରିବ ସେ କିଛି ବି ଚିନ୍ତା କରି ପାରିଲା ନାହିଁ l ଧୌର୍ଯ୍ୟ ଧରି, ତା ଛାତିକୁ ପଥର କରି ତା ସ୍ତ୍ରୀ ଆଖିର ଲୁହ ପୋଛିଲା ଆଉ ଅତି ଦୁଃଖ ମନରେ ତା ଝିଅ ଲକ୍ଷ୍ମୀପ୍ରିୟାକୁ କାନ୍ଧରେ ବସାଇ ପାଖ ଗାଁକୁ ଗଲା l
ଗାଁରେ ପହଁଚିଲା ପରେ ଝିଅକୁ ବରଗଛ ମୂଳେ ବସାଇ କହିଲା -ମୋ ସୁନା ଝିଅଟା ପରା l ତୁ ଏଇଠି ବସିଥା l ମୁଁ ଶୀଘ୍ର ଯାଇ ତୋ ପାଇଁ ଖାଇବା ନେଇ ଆସୁଛି l
ପିଲାଟି ଦିନରୁ ଲକ୍ଷ୍ମୀକୁ କେବେ ବି ଏକା ଛାଡ଼ି ନ ଥିଲା ତା ବାପା l ଆଜି ପ୍ରଥମ ଥର ସେ ନିଜକୁ ଟିକେ ଏକଲା ଅନୁଭବ କଲା l
ଧନୁମୁଣ୍ଡା ଦୌଡ଼ି ଦୌଡ଼ି ଗଲା କାହାଘରୁ ହେଲେ ପଖାଳ କଂସାଏ ମାଗି ଆଣିବ ଆଉ ତା ଛୁଆକୁ ଖାଇବାକୁ ଦେବ l ସେପଟେ ପୁଣି ତା ସ୍ତ୍ରୀକୁ ପ୍ରବଳ ଜ୍ୱର ଆଉ ତାକୁ ଏକା କରି ବାପା ଝିଅ ପଳେଇ ଆସିଛନ୍ତି l
ଠିକ ଏତିକିବେଳେ ଆଠ ଦଶ ଜଣ ଯୁବକ ଆସି ବରଗଛ ମୂଳେ ବସିଲେ l କିଏ ସିଗାରେଟ ଟାଣୁଥାଏ ତ କିଏ ପାଟିରେ ଗୁଟଖା ଚୋବାଉ ଥାଏ l କିଏ ଅତି ଜୋରରେ ଗୀତ ବୋଲୁଥାଏ ତ ଆଉ କିଏ ଚିଲମ ଧରି ଗଂଜେଇ ଟାଣୁଥାଏ l
ଏମାନଙ୍କୁ ଦେଖି ଲଷ୍ମୀ ଟିକେ ଅଡ଼ୁଆ ଅନୁଭବ କଲା l ଯାହା ହେଲେ ବି ସେ ଏମାନଙ୍କ ମଧ୍ୟରୁ କାହାକୁ ବି ଚିହ୍ନିନାହିଁ l ସମସ୍ତେ ଅଚିହ୍ନା l ତାଙ୍କର ଚେହେରା ପୁରା ରାକ୍ଷସ ପରି l ଲକ୍ଷ୍ମୀ ତ ତାଙ୍କ ଝିଅ ବୟସର ହେବ l
ହଠାତ ଗୋଟେ ଟୋକା ଆସି ତା ପାଖରେ ଆସି ବସି ପଡ଼ିଲା l ଲକ୍ଷ୍ମୀ ଚମକି ପଡ଼ିଲା ଆଉ ଟିକେ ଡରି ବି ଗଲା l
ସେ ଲକ୍ଷ୍ମୀ ଆଡ଼କୁ ତା ନାଲି ଆଖିରେ ଅନବରତ ଚାହିଁଥାଏ l
ମଝିରେ ମଝିରେ ତାର କୁହା ଦାନ୍ତମାନ ଦେଖାଇ ହସି ଦେଉଥାଏ l
ଏଇ ନେ ଖାଇଦେ l
ହାତରେ ବିସ୍କୁଟ ପ୍ୟାକେଟ ଟିଏ ବଢ଼େଇ ଦେଇ କହିଲା ସେ ଲୋକଟି l
ଲକ୍ଷ୍ମୀକୁ ପ୍ରବଳ ଭୋକ l ସିଏ ସଙ୍ଗେ ସଙ୍ଗେ ବିସ୍କୁଟ ପ୍ୟାକେଟଟିକୁ ନେଇ ଆସିଲା ଓ ତାକୁ ଖାଇବାକୁ ଆରମ୍ଭ କଲା l ତା ପର ମୁହୂର୍ତ୍ତରେ ସବୁଯାକ ଭେଣ୍ଡିଆ ଆସି ତାକୁ ଘେରିଗଲେ l
ହେଲେ କାହାକୁ ବି ଲକ୍ଷ୍ମୀର ନଜର ନାହିଁ l ସେ ଖାଲି କେମିତି ବିସ୍କୁଟ ପ୍ୟାକେଟ ଟି ସାରିବ ସେଥିରେ ବ୍ୟସ୍ତ l ଠିକ ଏତିକି ବେଳେ ଆଉ ଜଣେ ଧମକିନା ଡିଆଁ ମାରିଲା l
ତା ମୁହଁରେ ଦାଢ଼ି ଓ ନିଶ ଥାଇ ପୁରାପୁରି ନର ରାକ୍ଷସ ପରିକା ଚେହେରା l ଲକ୍ଷ୍ମୀକୁ ଏକା ପାଇ ତାର ମୁହଁରୁ ଲାଲ ବାହାରି ପଡ଼ୁଥାଏ l ସତେ ଯେମିତି ସେ ଗୋଟିଏ ରାସ୍ତାକଡ଼ର ବୁଲା କୁକୁରଟିଏ ଆଉ ଏଇନା ତାକୁ ଚୋବେଇ ଚୋବେଇ ଖାଇଦବ l
ଟିକେ ଗଲା ପରେ ଆଉ ଜଣେ ଲୋକ ଆସି ଲକ୍ଷ୍ମୀର ଦୁଇ ହାତରେ ଦୁଇଟି ଚକୋଲେଟ ଧରେଇ ଦେଲା l
ଲକ୍ଷ୍ମୀ ଟିକେ ଆଶ୍ବସ୍ତି ଅନୁଭବ କଲା l କାରଣ ଏଠି ତ ସମସ୍ତେ କେତେ ଭଲ l ସେ ସମସ୍ତଙ୍କ ସହିତ ପୁରାପୁରି ମିଶିଗଲା l
ଆଉ ତାଙ୍କ ସହିତ କଥାବାର୍ତ୍ତା ବି ହେଲା l ସେମାନେ ତାକୁ କେତେ ମିଠା ମିଠା କଥା କହିଲେ l ଆଉ ଅନେକ ବିସ୍କୁଟ ଓ ଚକୋଲେଟ ଦେବାପାଇଁ ବି କହିଲେ l ଏମିତିରେ ଲକ୍ଷ୍ମୀ ପୁରାପୁରି ତା ବାପା କଥା ପାସୋରି ଦେଇଥିଲା l
ଦୁଇ ତିନି ଘଣ୍ଟା ପରେ ଧନୁମୁଣ୍ଡା ଦୁଇ ହାତରେ କଂସା ବାସନରେ ପଖାଳ ଆଣି ବରଗଛ ମୂଳେ ପହଁଚିଲା l ଯାହାହେଉ ଦଶ ବାରଟି ଘର ବୁଲିଲା ପରେ ଈଶ୍ୱରଙ୍କ ଦୟାରୁ ଖାଇବା ମିଳିଗଲା l ତା ଲକ୍ଷ୍ମୀର ବାସି ପଖାଳ ବେଶ ପସନ୍ଦ l ଆଜି ସେ ମନଭରି ଖାଇବ l
ହେଲେ ଏ କଣ? ଲକ୍ଷ୍ମୀ ତ ଦିଶୁନି l ଏଇ ବରଗଛ ମୂଳରେ ତ ତାକୁ ଛାଡ଼ିକି ଯାଇଥିଲା ସେ l ଆଉ ଲକ୍ଷ୍ମୀ ବି ତ ଏ ଗାଁଆଁର କାହାକୁ ବି ଚିହ୍ନିନି ଯେ ତା ସହିତ ତା ଘରକୁ ବୁଲିବାକୁ ଯିବ l
ବରଗଛ ଆଖ ପାଖ ବି ଧାଇଁ ଧାଇଁ ଖୋଜିଲା ତା ପ୍ରାଣଧନକୁ l ହେଲେ କୋଉଠି ବି ପାଇଲା ନାହିଁ l ହାଏ ରେ ଦଇବ !ତୁ ସତେ କେଡ଼େ ନିଷ୍ଠୁର l ଶେଷରେ ଏଡ଼ିକି ଟିକେ ଛୋଟ ଝିଅଟି ତୋର କି ଦୋଷ କରିଥିଲା? ତାକୁ ତୁ କାହିଁକି ଏତେ ଦଣ୍ଡ ଦେଲୁ?
ହେ ଭଗବାନ !ମୁଁ ଏବେ କୁଆଡ଼େ ଯିବି?
ଏତିକି କହି ଧନୁ କଚାଡ଼ି ହୋଇ ମାଟିତଳେ ପଡ଼ିଲା l ଦେହରେ ତାର ଆଉ ବଳ ନାହିଁ ଉଠିବାକୁ l ସେ ଆଜି ଶ୍ରୀହୀନ l ବଞ୍ଚି ଥାଉ ଥାଉ ମୃତ l
ଲକ୍ଷ୍ମୀ... ଆଲୋ ମା ଲକ୍ଷ୍ମୀ.. କୋଉଠି ଅଛୁ ଲୋ ମା ଲକ୍ଷ୍ମୀ?
କୁଆଡ଼େ ଗଲୁ ଲୋ ମୋ ସୁନା ଧନ?
କିଏ ତୋତେ ବୋହି ନେଇଗଲା ଲୋ ଗଣ୍ଠିଧନ?
ଏବେ ମୁଁ କୋଉ ମୁହଁ ନେଇ ତୋ ମାଆ ପାଖକୁ ଯିବି ଲୋ ମୋ ଲକ୍ଷ୍ମୀ?
ଏମିତି କେତେ କଥା କହି ଚିତ୍କାର କରୁଥାଏ ଧନୁମୁଣ୍ଡା l
ହେଲେ କାହାରି ବି ତା ଆଡ଼କୁ ନଜର ନାହିଁ l
ବାଟ ସାରା ଖଣ୍ଡିଆ ଖାବରା ହୋଇ ଲୁହଝରା ଆଖିରେ ଏକା ଏକା ଘରକୁ ଫେରିଲା ଧନୁ l
ତା ସ୍ତ୍ରୀକୁ ସବୁ କଥା ଗୋଟି ଗୋଟି କରି କହିଲା l
ଏହା ଶୁଣି ଲକ୍ଷ୍ମୀର ମାଆ ବିଶ୍ୱାସ କରି ପାରିଲାନି l
ତାକୁ ଚାରିଆଡ଼ ଅନ୍ଧାର ଦିଶିଲା l ଚେତାଶୂନ୍ୟ ହୋଇ ତଳେ କଚାଡ଼ି ହୋଇ ପଡ଼ିଲା l
ଧନୁର ଅବସ୍ଥା କହିଲେ ନ ସରେ l ତା ସ୍ତ୍ରୀର ମୁହଁରେ ପାଣି ଦେଲା l ଅତି କଷ୍ଟରେ ତା ସ୍ତ୍ରୀ ଚେତା ଫେରି ପାଇଲା l
ସଙ୍ଗେ ସଙ୍ଗେ ସେମାନେ ଘରୁ ବାହାରି ତାଙ୍କ ଗାଁ ସାରା ପଚାରି ବୁଝିଲେ l ଗାଁ ପୋଖରୀ, ବିଦ୍ୟାଳୟ, ବିଲ ସବୁ ଜାଗା ଖୋଜିଲେl ସନ୍ଧ୍ୟା ହୋଇଗଲା କିନ୍ତୁ ଲକ୍ଷ୍ମୀର କିଛି ବି ଖବର ପାଇଲେ ନାହିଁ l
ରାତି ସାରା ଅନିଦ୍ରା ରହିଲେ ସେମାନେ l ଆଖିରେ ଲୁହ ଝରିବା ବନ୍ଦ ହେଉନି l ଆଖିରେ ଝୁଲୁଛି ଖାଲି ତାଙ୍କ ଗେହ୍ଲି ଝିଅ ଲକ୍ଷ୍ମୀର ହସ ହସ ମୁହଁ ନାଚି ଯାଉଛି l
ତା ପର ଦିନ ସକାଳୁ ସକାଳୁ ଉଠି ସିଧା ପାଖ ଗାଁଆକୁ ଗଲା l ଦ୍ୱାର ଦ୍ୱାର ବୁଲି ପଚାରି ବୁଝିଲା l ହେଲେ କିଛି ବି ସୁଫଳ ମିଳିଲା ନାହିଁ l ମୁହଁକୁ ଶୁଖାକରି, ମୁଣ୍ଡରେ ହାତ ଦେଇ ଖାଲି ହାତରେ ଘରକୁ ଫେରିଲା ଧନମୁଣ୍ଡା l
"ଦୁଇଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମେ ସ୍ୱାମୀ ସ୍ତ୍ରୀ
ନୟାନ୍ତ ହୋଇଗଲୁଣି l ବିଦ୍ୟାଳୟ ଠାରୁ ଆରମ୍ଭ କରି ରେଳ ଷ୍ଟେସନ ଯାଏ ଏପରିକି ଗାଁ କୂଅମୂଳ ପୋଖରୀତୁଠକୁ ବି ବାଦ ଦେଇନୁ, କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି l ସାଙ୍ଗସାଥି କେହି ବି କିଛି କହିପାରୁ ନାହାନ୍ତି l ଆମକୁ ଦୟା କରନ୍ତୁ ସାହେବ l"
କାନ୍ଦି କାନ୍ଦି ଧନୁମୁଣ୍ଡା ପୁଲିସବାବୁଙ୍କୁ ଗୁହାରୀ କରୁଥିଲା l
ପୋଲିସ ବାବୁ କହିଲେ -ତୁମ ଝିଅର ନାଁ କଣ? ଆଉ ସେ କେତେ ବର୍ଷର ଝିଅ?
ତାକୁ ଦଶ ବର୍ଷ ହେବ ବାବୁ l
କାନ୍ଦି କାନ୍ଦି ନେହୁରା ହୋଇ କହିଲା ଲକ୍ଷ୍ମୀର ମାଆ l
ହଉ ଠିକ ଅଛି l ତୁମେ ଘରକୁ ଯାଅ l ଆମେ ଯଥା ଶୀଘ୍ର ତୁମର ଝିଅକୁ ଖୋଜିବାକୁ ଚେଷ୍ଟା କରିବୁ l
ଠିକ ଏତିକି ବେଳେ ଦୌଡ଼ି ଦୌଡ଼ି ଆସି ଜଣେ ଲୋକ ଥାନା ଭିତରକୁ ପଶିଲା l ତା ଦେହ ସାରା ଝାଳ ନିଗିଡ଼ି ପଡ଼ୁଥାଏ l ଆଉ ସେ ଅତି ଜୋରରେ ନିଃଶ୍ୱାସ ପ୍ରଶ୍ୱାସ ନେଉଥାଏ l
"ଆଜ୍ଞା, ଆମ ଗାଁର ନଈପଠାରେ ଗୋଟିଏ ଛୋଟ ଝିଅ ରକ୍ତାକ୍ତ ଅବସ୍ଥାରେ ପଡ଼ିଛି l ତାକୁ କେତେ ଜଣ ନର ପିଶାଚ ବଳାତ୍କାର କରି ଦେଇ ଫିଙ୍ଗି ଦେଇଛନ୍ତି ବୋଧେ l
ଧନୁମୁଣ୍ଡା ତାର ସ୍ତ୍ରୀକୁ ଧରି ପୋଲିସବାବୁଙ୍କ ସହିତ ନଈପଠାକୁ ଗଲେ l
ଝିଅକୁ ଦେଖି ଧନୁମୁଣ୍ଡାର ମୁହଁ କଲା ପଡ଼ିଗଲା l ତାର ଛାତି ଭିତରର କଲିଜା ସତେ ଯେମିତି ଖଣ୍ଡ ଖଣ୍ଡ ହୋଇ ଯାଉଥିଲା l
ପୃଥିବୀଟା ତାକୁ କେଜାଣି କାହିଁକି ନରକ ନରକ ଲାଗୁଥିଲା l
ତା ପରଦିନ ସକାଳ ଖବର କାଗଜର ମୁଖ୍ୟ ପୃଷ୍ଠାରେ ପ୍ରକାଶିତ ହେଲା -
ପୁଣି ଲଜ୍ଜା l
ନାବାଳିକାର ଗଣ ଦୁଷ୍କର୍ମ l ଆସାମୀ ଫେରାର l