ସତ୍ୟ-ଅନୁଗଳ୍ପ
ସତ୍ୟ-ଅନୁଗଳ୍ପ


ସତ୍ୟ ହିଁ ଚିରନ୍ତନ ଆଉ ଶାଶ୍ୱତ । ସତ୍ୟକୁ ଆଦରି ଜୀବନ ଜିଇଁଲେ ଜୀବନରେ ଅସଲ ସୁଖର ପ୍ରାପ୍ତି ହୋଇଥାଏ । ସେଥିପାଇଁ ତ ସତ୍ୟର ସବୁବେଳେ ବିଜୟ ହୁଏ । ସତ୍ୟ ପଥିକ କେବେ ନିରାଶ ହୁଏନି କି ଜୀବନ ଯୁଦ୍ଧରେ ହାରିଯାଏନି ।
ସେ ଶାନ୍ତିପ୍ରିୟ ଓ ଧୌର୍ଯ୍ୟଶୀଳ ହୋଇଥାଏ । ତା ମନ ଓ ଶରୀର ପବିତ୍ର ।
ତେଣୁ ଆମେ ସର୍ବଦା ସତ୍ୟ ହିଁ କହିବା ଉଚିତ । ଅସତ୍ୟକୁ ଦଳି ଚକଟି ମାରିଦେବା ଉଚିତ ।
ଏମିତି ଅନେକ କଥା କହୁଥାନ୍ତି ଶ୍ୟାମ ମାଷ୍ଟ୍ରେ ତାଙ୍କର କୁନି କୁନି ନିରୀହ ଛାତ୍ରଛାତ୍ରୀ ମାନଙ୍କୁ ପାଟିରେ ପାନ ଖଣ୍ଡେ ଚୋବେଇ ଚୋବେଇ ଓ ଓଠକୁ ନାଲି କରି ।
ଠିକ ଏତିକି ବେଳେ ତାଙ୍କ ମୋବାଇଲ ରିଂ ହେଲା ।
ଶ୍ୟାମ ମାଷ୍ଟ୍ରେ ରାଗି ଗଲେ ଓ ପାନ ଛେପ ପୁଚକିନା ପକେଇଲେ ଓ କହିଲେ -ହେଲୋ,
ସେପଟୁ କିଛି ଶୁଣିବା ଆଗରୁ ପୁଣି କହିଲେ -
ହେଲୋ, ମୁଁ ଏବେ ଜରୁରୀ ମିଟିଙ୍ଗରେ ଅଛି । କଥା ହୋଇପାରିବିନି । ସନ୍ଧ୍ୟାରେ ଫୋନ କରନ୍ତୁ ।
ଏତିକି କହି ସେ ଫୋନଟିକୁ କାଟିଦେଲେ ।
ପିଲାମାନେ ଶ୍ୟାମ ମାଷ୍ଟ୍ରେ ଆଡ଼କୁ ଦେଖି ମୁରୁକି ମୁରୁକି ହସୁ ଥାଆନ୍ତି ଆଉ ଶ୍ୟାମ ମାଷ୍ଟ୍ରେ ସତ୍ୟ ଉପରେ ଭାଷଣ ମାରିବା ପାଇଁ ଆଉଥରେ ନିଜକୁ ପ୍ରସ୍ତୁତ କରୁଥାଆନ୍ତି ।