ସାଧାରଣ ଗୃହିଣୀ (!)
ସାଧାରଣ ଗୃହିଣୀ (!)
କବିତା ପାଠୋତ୍ସବ ସଭାରେ ଉଦ୍ଘୋଷକ ବାରମ୍ବାର ବିଭିନ୍ନ ଉଦୀୟମାନା କବୟିତ୍ରୀଙ୍କ ପରିଚୟ ପ୍ରଦାନ କରିବା ଉଦ୍ଦେଶ୍ୟରେ କହୁଥାନ୍ତି, "ସାଧାରଣ ଗୃହିଣୀଟିଏ ହୋଇଥିଲେ ବି...!!!" କବିତା ପାଠ ପରବର୍ତ୍ତୀ କାଳରେ ସମୀକ୍ଷକ ମଧ୍ୟ ସେହି ସମାନ ଉକ୍ତି ଦୋହରାଉଥାନ୍ତି। ଉପସ୍ଥିତ ସାହିତ୍ୟ ପ୍ରେମୀ ଶ୍ରୋତାଗଣ ବିନା ପ୍ରତିବାଦରେ ସଭିଏଁ କରତାଳି ବୃଷ୍ଟି କରୁଥାନ୍ତି।
ଏହାକୁ ଦେଖି ଆଉ ଧୌର୍ଯ୍ୟ ଧରି ନିଶ୍ଚୁପରେ ବସିରହି ପାରିଲେ ନାହିଁ ଜନୈକ ତରୁଣ କବି। ଏବେ ଏବେ ସ୍ନାତକ ଉପାଧି ହାସଲ କରିଛନ୍ତି ମହାବିଦ୍ୟାଳୟରୁ। ଆପଣାର ଆସନରେ ଦଣ୍ଡାୟମାନ ହୋଇ ତତକ୍ଷଣାତ୍ କହି ଉଠିଲେ, "ଉପସ୍ଥିତ ସମସ୍ତ ବରିଷ୍ଠ, ବିଜ୍ଞ, ବରେଣ୍ୟ ସାହିତ୍ୟିକ, ସତୀର୍ଥମାନଙ୍କୁ ମୋର ସାରସ୍ଵତ ପ୍ରଣାମ! ସଭାରେ କିଛି ବିସଙ୍ଗତିକୁ ଲକ୍ଷ୍ୟ କରି ଦୁଇ ପଦ କହିବାକୁ ଆସ୍ପର୍ଦ୍ଧା କରିଛି। ଦୟାବହି ମୋତେ କ୍ଷମା କରିଦେବେ। ଏଠି ବାରମ୍ବାର କୁହାଯାଉଛି,'ସାଧାରଣ ଗୃହିଣୀ' କିନ୍ତୁ ଥରେ ବିଚାର କରି ଦେଖନ୍ତୁ ତ ଗୃହିଣୀ କେବେ କଣ ସାଧାରଣ ହୋଇପାରେ? ଗୃହିଣୀ କାଳେ କାଳେ ଅସାଧାରଣ। ଗୃହିଣୀଟିର ଶ୍ରମ, ତ୍ଯାଗ, ତିତିକ୍ଷାରେ ହିଁ ତ ଏ ସମାଜ, ଜାତି ଓ ଦେଶ ପରିପୃଷ୍ଟ। ଆମ ଦେଶରେ ଗୃହିଣୀଟିଏ କରୁଥିବା କାର୍ଯ୍ୟର ଅର୍ଥନୈତିକ ମୂଲ୍ୟାୟନ ହେଉନଥିବା ହେତୁ ସଭିଏଁ ଲାଞ୍ଛନା ଦେଇ କୁହନ୍ତି,'ଦିନସାରା ତ ଘରେ ରହୁଛ, କଣ କରୁଛ?' ଏହି ରକ୍ଷଣଶୀଳ ଓ ପୁରୁଣାକାଳିଆ ମନୋବୃତ୍ତି ଯଦି ସାହିତ୍ୟ ସାଧନାରେ ମଗ୍ନ ଜ୍ଞାନୀ ଗୁଣୀ ବ୍ଯକ୍ତି ବିଶେଷଙ୍କ ରହିବ, ତେବେ ସାହିତ୍ୟ ଆମ ସମାଜର ଯାହା ହିତ ସାଧନ କରିବ, ତାହା ଜଳ ଜଳ ହୋଇ ଦିଶୁଛି। ଆମର ରୁଢ଼ିବାଦୀ ମାନସିକତାରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଆରମ୍ଭ ହେବା ଜରୁରୀ। ଲେଖକ ଲେଖିକାଙ୍କ ବୃତ୍ତିକୁ ଗୁରୁତ୍ବ ନଦେଇ ପ୍ରବୃତ୍ତି ଉପରେ ଧ୍ୟାନ ଦେବା ବିଧେୟ। ସୃଜନଶୀଳତା ଏକ ଦିବ୍ୟ ପ୍ରତିଭା। ଅନ୍ୟାନ୍ୟ କଳା ପରି ଏହାକୁ ଶିଖାଯାଏ ନାହିଁ ବରଂ ସ୍ବତଃସ୍ଫୁତ ଭାବେ ସ୍ଫୁରଣ ଘଟିଥାଏ।
ସାହିତ୍ୟ ସାଧନାରେ ଯେ କେବଳ ଅମଲାତାନ୍ତ୍ରିକ ଅଧିକାରୀ ପ୍ରଭାବ ବିସ୍ତାର କରିବେ ଏପରି ସାମନ୍ତବାଦୀ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ଏକାନ୍ତ ଆବଶ୍ୟକ। ଏହା ଆମର ବ୍ୟକ୍ତିଗତ ମତ ଏବଂ କାହାର ଭାବାବେଗକୁ ଆଘାତ କରିବା ଉଦ୍ଦେଶ୍ୟ ନଥିବା କହି ମୁଁ ଲେଖକୀୟ ଦାୟିତ୍ଵବୋଧରୁ ଖସିଯିବାକୁ ଚାହୁଁ ନାହିଁ। ବରଂ ସୁସ୍ଥ ବାତାବରଣରେ ଏକ ବିତର୍କ ଆରମ୍ଭ ହେଉ ବୋଲି ଆହ୍ବାନ କରୁଛି।"
ସାହିତ୍ୟ ମାଧ୍ୟମରେ ଶ୍ରେଣୀହୀନ ସମାଜ ଗଠନର ଆବଶ୍ୟକତାକୁ ସଭିଏଁ ମର୍ମେ ମର୍ମେ ଉପଲବ୍ଧି କରୁଥିଲେ।
©ସମ୍ବିତ୍ ଶ୍ରୀକୁମାର
