ସାବୀକୁ ଚିଠି
ସାବୀକୁ ଚିଠି


ସବୁଦିନ ପରି ସାବୀ ସେଦିନ ବାରଣ୍ଡା ଝାଡୁ କରୁଥାଏ । ଡାକବାଲାର ଚିଠି ...ଚିଠି ... ପାଟି ଶୁଣି, ସେ ତରବରରେ ଦାଣ୍ଡ ଦୁଆର ମୁହଁରେ ଆସି ଠିଆ ହେଲା । ଏଥର ଡାକବାଲା ହସ ହସ ମୁହଁରେ, ସାଇକେଲ୍ ପିଣ୍ଢାକୁ ଡେରିଦେଇ, ବ୍ୟାଗ୍ ଭିତରୁ ଚିଠିଟି ବାହାର କରି, ଅତି ଶରଧାରେ ତା ହାତକୁ ଦେଇ କହିଲେ -
– ନେ’ ତୋ ଚିଠି । ଏତେ ଦିନ ପରେ ସୁରୁଜା ପଠେଇଛି ।
ସେ ଅତି ଖୁସିରେ ଭାବବିହ୍ୱଳ ହୋଇ, ତାଙ୍କ ହାତରୁ ଚିଠଟିି ନେଇ,ତାକୁ ଖୁସିରେ ଛାତିରେ ଚାପି ଧରିଲା । ତା’ ଉପରେ ଦୁଇ ଟୋପା ଲୁହ ଝରାଇଦେଲା । ସଙ୍ଗେ ସଙ୍ଗେ ପଣତକାନୀରେ ଚିଠିକୁ ପୋଛି, ଲୁହ ଭିଜା ଆଖିରେ, ଅତି ବିକଳରେ ଡାକବାଲା ମୁହଁକୁ ଚାହିଁ କହିଲା –
-ଭାଇ, ଟିକେ ଖୋଲି ପଢି ଦିଅ । ମୁଁ ତୁମକୁ ନେହୁରା ହେଉଛି ।
ଡାକବାଲା ଖୁସିରେ ତା ହାତରୁ ଚିଠିଟିି ନେଇ, ମନେ ମନେ ପଢି, ସମୟ ଅଭାବରୁ, ସଂକ୍ଷେପରେ ବୁଝାଇ କହିଲେ – “ସୁରୁଜା ଲେଖିଛି, ସେ ଆସନ୍ତା ଶୁକ୍ରବାର ମାନେ ପଅର ଦିନ ଏଠି ଆସି ପହଂଚିବ । ଜାଣିଛୁ, ସିଏ କାଳେ ଗୋଟେ ବଡ ବିପଦରେ ପଡିଯାଇଥିବାରୁ ଗାଁ’କୁ ଆସିପାରୁନଥିଲା । ନେ ମା’, ତୋ ଚିଠି ରଖ । ଆଉ ମନ ଦୁଃଖ କରନା । ଏତେ ଦିନେ ଠାକୁର ତୋ ଡାକ ଶୁଣିଛନ୍ତି । ତୋ ଆଶା ପୂର୍ଣ୍ଣ ହେଇଛି ।”