ସ୍ୱପ୍ନର ଘର
ସ୍ୱପ୍ନର ଘର
ସୂର୍ଯ୍ୟମଣି ଆଉ ରାଧାଙ୍କ ଦୁଇ ଝିଅ ଆଉ ଗୋଟିଏ ପୁଅ ଶୁଭମ। ତାଙ୍କର ବି ଅନ୍ୟମାନଙ୍କ ପରି ବହୁତ ସପନ ଥିଲା। ହେଲେ ପିତା ମାତା ହୋଇ ନିଜର ସ୍ୱଳ୍ପ ଆୟରେ ପିଲାମାନଙ୍କୁ ପାଠ ପଢାଇ ବଡ ମଣିଷ କରୁ କରୁ ସୂର୍ଯ୍ୟମଣି ଓ ରାଧା ନିଜର ସପନ ଭୁଲି ଯାଇଛନ୍ତି। ଆଉ ତାଙ୍କର ସପନର ଘର ହୋଇଯାଇଛି ସେଇ ଛୋଟ କୁଡ଼ିଆଟି ଯେଉଁଥିରେ ସେ ଦୁହେଁ ବିବାହ ପାଖରୁ ଏବେ ଯାଏଁ ଘର ସଂସାର କରିଛନ୍ତି। ଝିଅ ଦୁଇ ଜଣ ବିବାହ କରି ଖୁସିରେ ତାଙ୍କ ଶାଶୁ ଘରେ ଅଛନ୍ତି। ସୂର୍ଯ୍ୟମଣି ଚାକିରୀ ରୁ ଅବସର ନେଇ ପେନସନ ଟଙ୍କା ରେ ଘର ଚଳାଉଛନ୍ତି। ଶୁଭମ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି ଏବଂ କିଛି ମାସ ହେବ ତାଙ୍କର ଦେବଲିନାଙ୍କ ସହ ପ୍ରେମ ବିବାହ ହୋଇଛି। ଦେବଲିନା ଜଣେ ଧନୀ ଘରର ଝିଅ। ତାଙ୍କୁ ସୂର୍ଯ୍ୟମଣିଙ୍କ ଘର ପସନ୍ଦ ଆସୁ ନାହିଁ। ପୁଅ ଶୁଭମ ବି ବାପାମାଆଙ୍କ ସହ ରହିବା ପାଇଁ ପସନ୍ଦ କରୁ ନାହାଁନ୍ତି। ତାଙ୍କୁ ଲାଗୁଛି ବାପା ପଇସାର ମୂଲ୍ୟ ନ ବୁଝି ବେକାର ଖର୍ଚ୍ଚ କରି ଆଜି ଏଇ କୁଡିଆ ଘରେ ରହୁଛନ୍ତି ଆଉ ଛୁଆମାନଙ୍କ ପଢା ପାଇଁ ଏମିତି ଅବସ୍ଥା କହୁଛନ୍ତି। ସେ ଘର ଚଳାଉ ଥିଲେ ତ ବୁଝି ପାରିବେ ଘର ଖର୍ଚ୍ଚ କଣ? ଶୁଭମ ଓ ଦେବଲିନା ନିଜର ଏକ ସ୍ୱପ୍ନର ଘର ପାଇଁ ଯୋଜନା କରିଛନ୍ତି। ଶୁଭମ ଓ ଦେବଲିନା ସୂର୍ଯ୍ୟମଣି ଓ ରାଧାଙ୍କୁ କିଛି ନ ଜଣାଇ ଗୋଟିଏ ଜାଗା କିଣି ଘର କରିବା ଆରମ୍ଭ କରିଛନ୍ତ। ଆଉ କିଛି ଟଙ୍କା ଦେବଲିନାଙ୍କ ବାପାଙ୍କ ଠାରୁ ସାହାଯ୍ୟ ନେଇଛନ୍ତି। ଇତି ମଧ୍ୟରେ ଦେବଲିନା ଗର୍ଭବତୀ ହୋଇଛନ୍ତି। ଘରର ସବୁ କାମ ଏବେ ରାଧାଙ୍କୁ କରିବାକୁ ପଡୁଥିଲା। ଦିନେ ହଠାତ୍ ରାଧା ଖାଇବା ତିଆରି କରିବାକୁ ଟିକିଏ ଡେରି ହେଲାରୁ ଶୁଭମ ଆଉ ଦେବଲିନା ଘର ଛାଡ଼ି ଯିବା କଥା କହିଲେ। ସେମାନେ କହିଲେ ଯେ ସେମାନେ ତାଙ୍କର ସ୍ୱପ୍ନର ଘରକୁ ଯିବା ପାଇଁ ଚାହୁଁଛନ୍ତି। ଏ କୁଡିଆ ଘରେ ରହିବା ପାଇଁ ଚାହୁଁ ନାହାଁନ୍ତି । ଏ କଥା ଶୁଣି ସୂର୍ଯ୍ୟମଣି ଓ ରାଧା ବହୁତ ଦୁଃଖିତ ହେଲେ। ତାଙ୍କୁ ଲାଗିଲା ଯେଉଁ ଘରକୁ ଆଜି ତାଙ୍କର ଛୁଆମାନେ ଭଙ୍ଗା କୁଡିଆ କହି ଛାଡି ପଳାଉଛନ୍ତି ସେ ଘର ପରା ସେ ଦୁହିଁଙ୍କର ସ୍ୱପ୍ନର ଘର। ହେଲେ ଆଜି ତାଙ୍କ ପୁଅ ବୋହୂ ପାଇଁ ସ୍ୱପ୍ନର ଘର ଅଲଗା ହୋଇ ଯାଇଛି। ଆଉ ଆଜି ସୂର୍ଯ୍ୟମଣି ଓ ରାଧାଙ୍କ ସ୍ୱପ୍ନର ଘର ସତରେ ଭାଙ୍ଗି ଯାଇଛି। ତଥାପି ପିଲାମାନଙ୍କ ଖୁସି ପାଇଁ ପିତାମାତା ହୋଇ ସେ ବିଚ୍ଛେଦକୁ ବି ସହିବା ପାଇଁ ରାଜି ହୋଇ ଯାଇଛନ୍ତି। ଶୁଭମ ଓ ଦେବଲନା ଘରୁ ନିଜର ସ୍ୱପ୍ନର ଘରକୁ ଯିବା ପାଇଁ ବାହାରିଲେ। ହେଲେ ଥରୁଟିଏ ବି ସୂର୍ଯ୍ୟମଣି ଓ ରାଧାଙ୍କୁ ଡିକିଲେ ନାହିଁ। ସେମାନେ ଯିବା ପରେ ରାଧା କାନ୍ଦି କହିଛନ୍ତି ଯେ ଆଜି ଆମର ସ୍ୱପ୍ନର ଘର ସବୁ ଦିନ ପାଇଁ ଭାଙ୍ଗି ଯାଇଛି।
ଶୁଭମ ନିଜର ବଡ ଘରକୁ ଯିବା ପରେ ଜାଣିଲେ ଯେ ଘର ଚଳାଇବା କେତେ କଷ୍ଟ।କେବେ ଘର ଖର୍ଚ୍ଚ ତ ଉଠାଇ ନ ଥିଲେ। ଏବେ ନିଜ ଖର୍ଚ୍ଚରେ ଘର ଚଳାଇଲା ବେଳକୁ ତାଙ୍କୁ ବାପାଙ୍କ କଥା ମନେ ପଡୁଛି ଯେ ସ୍ୱଳ୍ପ ଦରମାରେ କେମିତି ସେ ତିନି ଛୁଆଙ୍କୁ ବଢାଇଛନ୍ତି। ସେପଟେ ଗର୍ଭବତୀ ଥିବାରୁ ଦେବଲିନା ଘରର କିଛି କାମ କରିପାରୁ ନାହାଁନ୍ତି। ଶେଷରେ ଗୋଟିଏ ଚାକରାଣୀ ରଖିଲେ। ଚାକରାଣୀ ତାର ମନ ଇଚ୍ଛା କାମ କଲା। କେବେ ବି ଠିକ ସମୟରେ ଖାଇବାକୁ ମିଳିଲା ନାହିଁ କି ଶାଶୁ ରାଧାଙ୍କ ସ୍ନେହଭରା କଥା ବି ଶୁଣିବାକୁ ମିଳିଲା ନାହିଁ। ଶୁଭମ ଓ ଦେବଲିନା ନିଜର ଭୂଲ ବୁଝି ପାରିଲେ। ହେଲେ ବାପା ମାଆଙ୍କ ସାମ୍ନାକୁ ଯିବା ପାଇଁ ସାହସ ନ ଥିଲା।
କିଛି ଦିନ ପରେ ସୂର୍ଯ୍ୟମଣି ଓ ରାଧାଙ୍କ ବାହାଘର ବାର୍ଷିକ ଉତ୍ସବ ଥାଏ। ଦୁଇ ଝିଅ ଓ ଜୁଆଇଁ ଛୁଆମାନଙ୍କୁ ନେଇ ଆସି ଥାଆନ୍ତି। ହେଲେ ସୂର୍ଯ୍ୟମଣି ଓ ରାଧାଙ୍କୁ ତାଙ୍କ ସ୍ୱପ୍ନର ଘର ଅଧୁରା ଲାଗୁ ଥାଏ। ପାର୍ଟି ଆରମ୍ଭ ହେବାକୁ କିଛି ସମୟ ଥାଏ। ହଠାତ୍ ଗୋଟିଏ କାର ଆସି ଘର ଆଗରେ ଲାଗିଲା। ସବୁ ବାହାରି ଦେଖିଲେ ଯେ ଶୁଭମ ଓ ଦେବଲିନା ନିଜର ସବୁ ଜିନିଷ ନେଇ ପଳାଇ ଆସିଛନ୍ତି। ସେ ଦୁହେଁ ସୂର୍ଯ୍ୟମିଣି ଓ ରାଧାଙ୍କ ଗୋଡ ଧରି ଭୂଲ ପାଇଁ କ୍ଷମା ମାଗି କହିଲେ ସେମାନେ ବୁଝି ପାରିଛନ୍ତି ଯେ ପିତାମାତାଙ୍କର ଛୁଆମାନଙ୍କ ଜୀବନରେ ଭୂମିକା କଣ।ଖାଲି ବଡ ଘର ସ୍ୱପ୍ନର ଘର ହୋଇ ପାରେ ନାହିଁ ନ ଥିଲେ ସେଥିରେ ପିତାମାତା। ପଛେ କୁଡିଆ ଘର ହେଉ ହେଲେ ବାପାମାଆ ଥିଲେ ଘରଟି ହୋଇ ଥାଏ ସ୍ୱପ୍ନର ଘର, ସେ ହୋଇଯାଏ ସ୍ୱର୍ଗପୁର। ସୂର୍ଯ୍ୟମଣି ଓ ରାଧା ଖୁସିରେ ପୁଅ ବୋହୂ କୁ ଆପଣାଇ ନେଲେ। ଧୁମଧାମରେ ବିବାହ ବାର୍ଷିକ ଉତ୍ସବ ପାଳନ କଲେ। କିଛି ଦିନ ପରେ ସେ ଘରେ ଗୁଞ୍ଜରିତ ହେଲା ଶୁଭମ ଓ ଦେବଲିନାଙ୍କ ଶିଶୁ କନ୍ୟା ସ୍ୱପ୍ନାର ହସର କିଳିକାରିରେ। ଏବେ ଯାଇ ସୂର୍ଯ୍ୟମଣି ଓ ରାଧାଙ୍କ ସ୍ୱପ୍ନର ଘର ବାସ୍ତବ ରୂପ ନେଲା। ଶୁଭମ ଘରର ଖର୍ଚ୍ଚ ଉଠାଇବା ସହ ଘରର ମରାମତି ବି କରାଇଲେ। ଦେବଲିନା ଘରର ସବୁ କାମ ନିଜେ କରି ଶାଶୁ ଶଶୁରଙ୍କ ସେବା ଯତ୍ନ କଲେ। ପ୍ରକୃତରେ ସ୍ୱପ୍ନର ଘର ଏବେ ଯାଇ ସତ୍ୟ ହେଲା।
