ସ୍ୱାମୀ ସ୍ତ୍ରୀଙ୍କ ପ୍ରେମ ବହନ କରୁଥିବା ଚିଠି ଟିଏ
ସ୍ୱାମୀ ସ୍ତ୍ରୀଙ୍କ ପ୍ରେମ ବହନ କରୁଥିବା ଚିଠି ଟିଏ
ମୋ ପ୍ରେମର ମଣିଷ
ତମେ ମୋ ପ୍ରଥମ ଆଉ ଶେଷ ପ୍ରେମ l ମୁଁ ଯେଉଁ ପରିବେଶ ପରିସ୍ଥିତିରେ ବଢିଥିଲି , ମୁଁ ଜାଣି ଥିଲି ପ୍ରେମ କେବଳ ହୁଏ ବାହାଘର ପରେ ଆଉ ବାହା ହୋଇଥିବା ପୁଅ ସାଙ୍ଗରେ l ତେଣୁ ତମେ ମୋର ପ୍ରଥମ ପ୍ରେମ l ତମ ସହ ମୋର ପ୍ରଥମ ରାତିକୁ ମୁଁ ଆଜି ଗଳ୍ପ ମାଧ୍ୟମରେ ଲେଖିଛି , ସେଟା ତମକୁ ବାସ୍ତବରେ ତ ପଢାଇ ପାରିନି , ତେଣୁ ଏଇ ଚିଠିରେ ପଢ଼ିନିଅ ଆଗ l
ଗଳ୍ପ -"ସ୍ମୃତି ", ପ୍ରଥମ ଅନୁଭୂତି କହିଲେ ତ ଅନେକ ଦୃଷ୍ଟାନ୍ତ ,କାହାର ଜୀବନର ପ୍ରଥମ ପରୀକ୍ଷା ,ତ କାହାର ପ୍ରଥମ ସ୍କୁଲ ଯିବା ତ କାହାର ପ୍ରଥମ ଚାକିରୀ ଜୀବନ ତ କାହାର ପ୍ରଥମ ପ୍ରେମର ଅନୁଭୂତି ତ କାହାର ପ୍ରଥମ ବୈବାହିକ ଜୀବନର କଥା ଆଉ ମୁଁ ଆଜି ମୋ ବୈବାହିକ ଜୀବନର ପ୍ରଥମ ମିଳନର ରାତିର ସ୍ମୃତି ବିଷୟରେ କହିବାକୁ ଯାଉଛି l
ଅଶୀ ଦଶକର ଝିଅ ପୁଅ ମାନେ କୋଉ ଢାଞ୍ଚାରେ ଥିଲେ ,ପାଠକେ ନିହାତି ଅବଗତ ଥିଲା ବେଳେ ,ମୁଁ ସେହି ଦଶକ ରେ ଛାତ୍ରୀ ଥିବା ବେଳେ ,ଅନ୍ୟ ପୁଅ ଝିଅମାନଙ୍କର ଆଚରଣ ଦେଖି କାବା ହୁଏ l ଯେମିତିକି ଆମ ଅନର୍ସ ଝିଅମାନେ କୋଣାର୍କକୁ ଶିକ୍ଷାପର୍ଯ୍ୟଟନ ସ୍ଥଳୀ ରୂପେ ବାଛି ,ବସ ରିଜର୍ଭ କରି ଯାଉଥିଲାବେଳେ ,"ଝୁମୁକା ଟିକେ ତୁତ ହଲେଇ ଦେ, ରୁମ ଝୁମ କରି ଟିକେ ବଜେଇଦେ" ଗୀତର ତାଳେ ତାଳେ ନାଚି ଝିଅମାନେ ଯେଉଁଭଳି ଉନ୍ମତ ହେଉଥିଲେ ,ଭଲଲାଗୁନଥିଲା ମତେ l ମୁଁ ଏକୁଟିଆ ନୀରବରେ ବସିଥାଏ ଚୁପ ଚାପ ତ କେହି କେହି ମତେ ଭିଡି ଚିଡ଼େଇବାକୁ ପଛେଇନଥିଲେ ଯେ ଆଉ କେତେ ଦିନ ଏମିତି କଦଳୀ ବେଣୀ ପକେଇବୁ ବାଳିକା ?ମୁଁ ମନେ ମନେ ଖୁବ୍ଧ ହେଇଥିଲି କି ଗୋଛେ ଚୁଟି ଅଛି ବୋଲିତ ପକେଇ ପାରୁଛି କଦଳୀ ବେଣୀ l ତୁମେସବୁ ପକେଇ ପାରିବ କାଁହୁଁ ?
ସେଇ ଚୁଟି ର ଆକର୍ଷଣ ରେ ଶାଶୁଙ୍କ ପସନ୍ଦରେ ବୋହୁ ହୋଇଗଲି ନିରାଟ ମଫସଲ କୁ , ସ୍ୱାମୀଙ୍କ ସହ ପ୍ରଥମ ମିଳନ ରାତିରେ l ତଣ୍ଟି ଅଠା ଅଠା ହେଇଯାଉଥିଲା ବେଳେ ସ୍ୱାମୀ ଯେବେ ଇଂରାଜୀ ଗ୍ରାମାର ଓ ଟ୍ରାନ୍ସଲେସନ ସବୁ ପଚାରି ଚାଲିଥିଲେ ମତେ ପାଣିଗ୍ଲାସ ଆଉ ଦରକାର ନଥିଲା ଆଉ ଖୁବ ଖୁସି ହେଇଥିଲି ମୁଁ ଚାଁହୁଥିବା ପ୍ରେମିକ ମତେ ମିଳି ଯାଇଥିବାରୁ l କାରଣ ,ବିବାହ ପରେ ହିଁ ଭଲପାଇବା ହୁଏ ଆଉ ସେଇଟା ସ୍ୱାମୀଙ୍କ ସହ ବୋଲି ଦୃଢ଼ ଧାରଣା ଥିଲା ନା ମୋର ଆଉ ଅଳ୍ପ ଦିନ ପରେ ସ୍ୱାମୀଙ୍କ ଦୟାରୁ ମୋର ବିଏଡ଼ ରେ ନାମ ଲେଖା ହୋଇଯାଇଥିଲା l
ଏଵେର ପ୍ରେମ ,ପ୍ରଣୟ ,ବିଚ୍ଛେଦ ଭିତରେ କେବେ କେବେ ହତାଶ ନିରାଶ ହେଲା ବେଳେ ସେହି ସବୁ ପୁରୁଣା ସ୍ମୃତି ମତେ ଜୀବନ୍ତ କରେ l ମୋ ଭଲପାଇବା ଆରମ୍ଭ ଜୀବନର ପ୍ରଥମ ସ୍ମୃତି ଅବା କେତେ ଜଣଙ୍କ ଭାଗ୍ୟରେ ଥାଏ ?ଏମିତି ପଦେ ଲେଖିଦେବାର ସୌଭାଗ୍ୟ କାହାକୁ ମିଳେ ?ସେ ପ୍ରଥମ ଅନୁଭୂତିର ସ୍ବର୍ଗୀୟ ଶାଶ୍ୱତ ସ୍ମୃତି l-ଶେଷ
ପଢ଼ିଲ ନା , ସତରେ କୁହତ ଏମିତି ଭାବେ ପ୍ରଥମ ପ୍ରେମର ଅନୁଭୂତି କାହା ପାଖରେ ଥିବ l ହଉ ଛାଡ଼ ସେକଥା ,ଏଵେ ତୁମ ଏ ଜାଗାରେ ସମସ୍ତେ ଭାବନ୍ତି ,ତମେ କାଳେ ମୋ ପାଇଁ ଗଳ୍ପ କବିତା ଗୀତ ଲେଖିଦେଉଛ ଆଉ ଯଦି ଉପରୋକ୍ତ ଗଳ୍ପ ଟି ପଢି ତୁମ ମୋ ଭିତରେ ଥିବା ସ୍ବର୍ଗୀୟ ଭଲପାଇବା ବୁଝନ୍ତେ ସେମାନେ ଜାଣିପାରନ୍ତେ ନିଶ୍ଚୟ ତମେ ଏସବୁ ଭାବ ଫାବ ର ମାନେ ବୁଝନା ବୋଲି l ଖାଲି ଗତାନୁଗତିକତା ଓ ବାସ୍ତବତା ତୁମ ପ୍ରେମର ରଙ୍ଗ ବୋଲି ସେମାନେ ବୁଝି ନାହାଁନ୍ତି l ହେଲେ ବୁଝିଥିଲା ମୋ ବୋଉ , ଆଈ ,ବାପା ଆଉ ଭାଇଭଉଣୀ ସହ ଏଵେ ମୋ ପୁଅ ବୋହୁ ,ଝିଅ ଜୋଇଁ ବି , ହେଲେ ସେଇଥିରେ ମୋ ଗର୍ବ ଆଉ ଗୌରବ l ତୁମେ ଏ ଚିଠି ପଢିବ କି ନା ମୁଁ ଜାଣେନା , ହେଲେ ତମ ବାସ୍ତବବାଦୀ ପ୍ରେମ ବି ମୋ ପାଇଁ ଦୁର୍ମୁଲ୍ୟ l
ଆଜିକାଲିର ଅନେକ ବିବାହ ଭାଙ୍ଗିଯାଉଛି ଅସଫଳ ହେଉଛି ସ୍ୱାମୀ ସ୍ତ୍ରୀ ଭିତରେ ଆମ ଭଳି ପ୍ରେମ ଦୁର୍ମୁଲ୍ୟ , କେତେ କେତେ ଉଦାହରଣ ଦେବାକୁ ଇଚ୍ଛା ଥିଲେ ବି ଦେଉନି ଏଇଥିପାଇଁ ଯେ କାହାକୁ କାହିଁକି ଆକ୍ଷେପ କରିବି ,କିନ୍ତୁ ଆମ ଦୁହିଁଙ୍କ ପ୍ରେମ ଯେ ଶାଶ୍ୱତ, ନିର୍ମଳ ଆଉ ଆମ ଦାମ୍ପତ୍ୟ ଭିତରେ ଯେତେ କଳି ଥିଲେ ବି ତାର ବାସ୍ନା ନିଶ୍ଚୟ ଚନ୍ଦନ ଓ ତୁଳସୀ ଭଳି ପବିତ୍ର l ତୁମେ ସତରେ ଏ ଚିଠିଟି ଯଦି ପଢିବ ମତେ ଭାରି ଲାଜ ମାଡ଼ିବ ସତ ହେଲେ ସତରେ ଯଦି ପଢିବ ସେତେବେଳକୁ ମୁଁ ନଥାଏ ଏ ଦୁନିଆଁରେ l ଯେଉଁଟା ମୋର ଅଭିଳାଷ ,ଯେଉଁ ଟିକକ ପାଇଁ ମୁଁ ପ୍ରଭୁଙ୍କୁ ଭିକ୍ଷା ମାଗେ ଅଞ୍ଜଳି ପାତି l ତୁମ ବାସ୍ତବବାଦୀ ଜୀବନରେ, ଏସବୁର କିଛି ମାନେ ଅଛିକି ନା ମୁଁ ଜାଣେନା କିନ୍ତୁ ତୁମ ବିନା ଏ ସଂସାରରେ କେମିତି ଚାଲିବି ଚଳିବି ଚିନ୍ତା ମତେ ଅହରହ ବ୍ୟସ୍ତ ବିବ୍ରତ କରୁଛି l ପୁରୁଷ ଲୋକମାନେ କାହିଁକି ଆଗ ଚାଲିଯାନ୍ତି ଉତ୍ତରରେ ତମେ କୁହ ଯେ ନାରୀ ମାନଙ୍କର ଧର୍ଯ୍ୟ ଓ ସହନଶୀଳତା ଅଧିକା ପୁରୁଷମାନଙ୍କଠାରୁ ଆଉ ସେଇଥିପାଇଁ ନାରୀମାନେ ପୁଅ ବୋହୁ, ଝିଅ ଜୋଇଁଙ୍କ ସହ ଖାପଖୁଆଇ ଚଳି ପାରିବେ କିନ୍ତୁ ପୁରୁଷମାନେ ଚଳି ପାରିବେ ନାହିଁ,ଯେ କୌଣସି ପରିବେଶ ଓ ପରିସ୍ଥିତିରେ l ଏସବୁ ତମ ମୁହଁର ବାଣୀ କିନ୍ତୁ ବାସ୍ତବ କ୍ଷେତ୍ରରେ ମୁଁ କେବେ ଅନୁଭବ କରିନି, ତମକୁ ଛାଡି ମୁଁ କେବେ କୁଆଡେ ଯାଇନି କିନ୍ତୁ ତମେ ମୋ ବିନା ଅନୁପସ୍ଥିତିରେ ଚଳିଯିବ କୁହ, ତ ପୁଅ ଘରକୁ ଝିଅ ଘରକୁ, ମତେ ଏକୁଟିଆ ଯିବାକୁ କହିଲେ ବି ମୁଁ ଯାଏନି ତମକୁ ଛାଡି l
ମୋର ସମସ୍ତ ଗଳ୍ପ କବିତା ର ମୂଳଭିତ୍ତି ତମେ, ଅନେକ ଲେଖିଲିଣି , ଅନେକ ଧର୍ଯ୍ୟ ସାହସ ରଖି ଲେଖିଲେ ବି ପ୍ରଶଂସା କରିନ କେବେ କି ବାରଣ କରିନ ବରଂ ଅପେକ୍ଷା କର ହଉ ଲେଖିସାର ବୋଲି ପ୍ରତ୍ୟକ ଆବଶ୍ୟକତାରେ ଅପେକ୍ଷା କରି ମୋ ଲେଖାକୁ ଜୀବନ୍ୟାସ ଦେଇ ପ୍ରାଣବନ୍ତ କରିବାରେ ତମେ ହିଁ ତ ମୂଳଦୁଆ ବା ଭିତ୍ତିଭୂମି l କେବେ କେବେ ତମ ପାଖେ ମୋ ବହି ଖଣ୍ଡେ ଦେଖିଲେ ମୁଁ ଖୁସି ହୋଇଯାଏ ,କିନ୍ତୁ ତମେ ମୋ ବହିଟିକୁ ପଢିବା ପାଇଁ ନୁହେଁ ବରଂ କିଛି ଲେଖିବାର ସହାୟକ ରୂପେ ରଖିଥାଅ ବୋଲି ଶୁଣିଲେ ବି ମୋ ମନ ଦୁଃଖ ହୁଏ ,ମୁଁ ଭାବେ ସତକୁ ସତ ମୁଁ ଯଦି ଆଗ ମରିଯାନ୍ତି ,ମୋ ପ୍ରେମର ମୂଲ୍ୟ ଇଏ ବୁଝନ୍ତେ l ହେଲେ ତମେ , କୌଣସି କାମରେ ବାହାରକୁଗଲେ ମତେ ଭଲ ଲାଗେନି l ତମେ କୁଆଡେ ଯାଅ ଅନ୍ୟ କାହା ସଙ୍ଗେ କଥା ହୁଅ ମୁଁ ଚାହେଁନି କାହିଁକି ?ତମେ କିନ୍ତୁ ଖୁବ ରାଗ ମତେ ମଣିଷ ଗନ୍ଧ ବୋଲି କୁହ ,ମୁଁ ଖୁବ କଷ୍ଟ ପାଏ l ମୋର ସେମିତି କିଛି ଦୋଷ ତ୍ରୁଟି ସହଜରେ ହୁଏନି କିନ୍ତୁ ସାମାନ୍ୟ ଦୋଷ ତ୍ରୁଟି ଦେଖି ତମେ ରାଗିଯାଅ ଖୁବ l ନୂଆ ବାହାଘର ବେଳେ ତମକୁ ମୋ ବଡଯାଆ ଭାତବାଢି ଦେଇ ମତେ ବିଞ୍ଚି ଦେବାକୁ କହିଥିଲେ ଯେ ତମ ମାଆ ଉପର ଖଂଜାରୁ ରଡି କରିଥିଲେ କୋଉ ନୂଆ ଭୂଆସୁଣୀ ସ୍ୱାମୀ ପାଖରେ ବସି ଗୁଣ୍ଡା ଗଣିବ, ମୁଁ ସ୍ତବ୍ଧ ହୋଇ ଯାଇଥିଲି , ହେଲେ ତମର କିଛି ପ୍ରତିକ୍ରିୟା ନଥିଲେବି ଖୁବ ଶୀଘ୍ର ପଢିବା ଆଳରେ ମତେ ନେଇ ସହରରେ ରଖି ବିଏଡ଼ କରାଇ ,ଚାକିରୀ ବି କରେଇଦେଇଥିଲ ,ବୋଧହୁଏ ତମ ଦୁଷ୍ଟ ମାଆ ଆଉ ଗ୍ରାମୀଣ ପରିସ୍ଥିତି ଓ ପରିବେଶ ଠାରୁ ଦୁରେଇ ରଖିଥିଲେ ବି ନିଜ ମାଆ ଙ୍କ ବିରୋଧରେ କିଛିବି କହୁନଥିଲ ବରଂ ମୁଁ ଯେବେ ପଚାରିଛି ,ତମେ ଉତ୍ତର ଦେଇଛ , ମୋ ମାଆ ମୋ ଖସିବା ପାଖେ କାହାକୁ ବସିବାକୁ ଦିଏନି ,ମୁଁ ନିରୁତ୍ତର ରହିଛି ମନଦୁଃଖ କରିଛି କିନ୍ତୁ ଶାଶୁଙ୍କ କଥା ସହିବାକୁ ସାମର୍ଥ୍ୟ ଯୋଗାଡ଼ କରିନେଇଛି ,ଆଉ ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ କରିନି କେବେ ତମ ଆଗେ l ଏଵେ ବୁଝୁଛି ସବୁ ପୁଅ ତମପରି ସ୍ୱାମୀ ହେବା ଉଚିତ l
ତମେ ଯାତ୍ରା ,ପାଲା ଓ ଦାସକାଠିଆ ତଥା ଘୋଡାନାଚ ଦେଖିବାକୁ ଭଲ ପାଅ ବୋଲି ମୁଁ ତୁମକୁ ଗାଉଁଟିଆ କହିଛି ଅନେକ ଥର ,ହେଲେ ଓଡ଼ିଆ ସଂସ୍କୃତି କଥା ଉଠିଲେ ,ସେଗୁଡିକ ଯେ ଓଡ଼ିଆ ସାହିତ୍ୟ ସଂସ୍କୃତିର ପ୍ରାଣକେନ୍ଦ୍ର ତଥା ଭିତ୍ତିଭୂମି ,ଆଜି ଏକଥା ବୁଝି ଯାଇଛି ,ଆଉ ଗଳ୍ପ କବିତା ପରିବର୍ତ୍ତେ ସେଗୁଡିକ ଉପରେ କିଛି ଗବେଷଣାତ୍ମକ ଲେଖା ଲେଖିଥିଲେ ହୁଏତ ମୁଁ ଆଦୃତ ହୋଇପାରି ଥାନ୍ତି ବୋଲି ମୋର ଆତ୍ମପ୍ରତ୍ୟେୟ ହୋଇଛି l ଏଵେ ସେସବୁ ପ୍ରତି ମୋର ଦୁର୍ବଳତା ଦେଖି ତମେ ଖୁସି କି ନୁହଁ ମୁଁ ଜାଣିନି ହେଲେ ସଂସ୍କୃତି ଓ ସଂହତି ତଥା ପରମ୍ପରା ଯେ ସାହିତ୍ୟ ଏକଥା ମୁଁ ବୁଝିପାରିଥିବାରୁ ତମେ ନିଶ୍ଚୟ ଖୁସି ,ମୋର ମନେପଡେ ନୂଆ ନୂଆ ବାହାଘର ବେଳେ ତୁମେ ଯାତ୍ରା ଦେଖି ଗଲେ ମୋର କି ରାଗ ଆଉ ଅଭିମାନ ,ଏମିତିକି ଘରେ ଟିଭିରେ ଢେର ରାତି ଯାଏଁ ପାଲା ଦେଖିଲେ ବି ମୁଁ ବିରକ୍ତ ହୁଏ l
ଆଜି ଆମ ଯୁଗ୍ମ ସଂସାର ଭିତରେ ତମେ ଆଉ ମୁଁ l କୋଉଦିନ କିଏ ବାଟ ଭାଙ୍ଗି ଚାଲି ଗଲେ ଅନ୍ୟ ଜଣେ ନିଶ୍ଚୟ ଛଟପଟ ହେବ , କିନ୍ତୁ ଇଶ୍ୱରଙ୍କ ସୃଷ୍ଟିରେ ଏହାହିଁ ଚିରନ୍ତନ ସତ୍ୟ l କିନ୍ତୁ ଏ ଚିଠି ମାଧ୍ୟମରେ , ମୁଁ ଏହି ବାର୍ତ୍ତା ଦେବାକୁ ଚାହିଁବି ଯେ ପ୍ରେମର ଅର୍ଥକୁ ସୁଚାରୁ ରୂପେ ବୁଝି ତାକୁ ଜୀବନ କାଳ ଭିତରେ ତାର ପ୍ରକୃତ ମୂଲ୍ୟ ବୁଝିପାରିଲେ ସ୍ୱାମୀ ସ୍ତ୍ରୀ ଙ୍କ ଦାମ୍ପତ୍ୟ ନିଶ୍ଚୟ ସୁଦୃଢ ହେବ, ନା କଣ କହୁଛ ତମେ ??
ଇତି
ତୁମର ପ୍ରେମିକା (ସ୍ତ୍ରୀ )

