ରତନଗଡର ରତନା
ରତନଗଡର ରତନା
ରତନଗଡ ଗାଁରେ ରତନା ନାମରେ ଜଣେ ଭାରି ସରଳ ଓ ପରିଶ୍ରମୀ ଯୁବକ ଥିଲା । ଯୌବନର ପ୍ରଥମ ପାହାଚରେ ସେ ସେଇ ଗାଁର ଝୁମୁରି ନାମ୍ନୀ ଝିଅକୁ ଭଲପାଇ ବସିଲା । ଉଭୟ ରତନା ଓ ଝୁମୁରିର ନିଜର ବୋଲି କେହି ନଥିଲେ । କିଛି ଦିନର ପ୍ରେମ ସମ୍ପର୍କ ପରେ ଉଭୟ ଉଭୟଙ୍କୁ ବିବାହ କଲେ । ବଡ ଆନନ୍ଦରେ ସେମାନେ ନିଜର ସଂସାର ରଥରେ ଆଗକୁ ଆଗକୁ ମାଡି ଚାଲିଲେ । ମାତ୍ର କିଛି ଦିନ ପରେ ସରକାରଙ୍କ ତରଫରୁ ରାଜସ୍ୱ ବୃଦ୍ଧି କରିବା ପାଇଁ ରତନଗଡ ଗାଁ ପାଖରେ ଏକ ମଦ ଦୋକାନ ଖୋଲା ହେଲା । କିଛି ଦିନ ମଧ୍ଯରେ ରତନଗଡର ଅଧିକାଂଶ ଯୁବକ ମଦ ନିଶାକୁ ନିଜର ପରମ ମିତ୍ର କରି ସାରିଥିଲେ । ନଶା ଏକ ବ୍ଯାଧିପରି ରତନଗଡର ଛୁଆ ଠୁ ବୁଢା ପର୍ଯ୍ଯନ୍ତ ସମସ୍ତଙ୍କ ମଧ୍ଯରେ ବ୍ଯାପିଗଲା । ମଦ ନିଶା ଯେମିତି ରତନଗଡର ସବୁ ସୁଖ ଶାନ୍ତି କୁ କୁଆଡେ ଉଭାନ କରିବାକୁ ଲାଗିଲା । ରାଗ, ହିଂସା, ରକ୍ତପାତ ଗଣ୍ଡଗୋଳ, ଅପରାଧ ଦିନକୁ ଦିନ ବଢିବାକୁ ଲାଗିଲା । ଏପଟେ ଝୁମୁରି ଗର୍ଭବତୀ ହେଲା । ଏହା ଜାଣିବା ପରେ ରତନା ଖୁସିରେ ନାଚିବାକୁ ଆରମ୍ଭ କଲା । ଆଉ ନିଜର ହେବାକୁ ଥିବା ଭବିଷ୍ଯତର ସନ୍ତାନ ପାଇଁ କିଛି ଅର୍ଥ ସଞ୍ଚୟ କରିବା ଆଶାରେ ଆଗ ଅପେକ୍ଷା ଅଧିକରୁ ଅଧିକ ସମୟ ପରିଶ୍ରମ କରିବାକୁ ଲାଗିଲା । ବହୁତ୍ ଆନନ୍ଦରେ କଟୁଥିଲା ଝୁମୁରି ଓ ରତନାର ଜୀବନ, ମାତ୍ର ରତନା ବି କପ ସଙ୍ଗରେ ପଡି ସେମାନଙ୍କ ପରୋଚନାରେ ମଦ ପିଇବା ଆରମ୍ଭ କଲା । ପ୍ରଥମେ ପ୍ରଥମେ ମଜାରେ ଅଳପ ଅଳପ ସାଙ୍ଗସାଥି ପାଖରୁ ପିଇ ଦେଉଥିଲା । ମାତ୍ର ତାର ଏଇ ଅଭ୍ଯାସ ଦିନକୁ ଦିନ ବଢି ଚାଲିଲା ।
ରତନା ଦିନସାରା ପରିଶ୍ରମ କରି ଯେତିକି ରୋଜଗାର କରେ ସବୁ ଟଙ୍କାକୁ ମଦପିଇ ଉଡେଇବାକୁ ଲାଗିଲା । ବେଳେବେଳେ ଘରେ ସଞ୍ଚିତ ଧନକୁ ଝୁମୁରି ପାଖରୁ ମାଡପିଟ୍ କରି ନେଇ ମଦ ପିଇବାକୁ ଆରମ୍ଭକଲା । ଏମିତି ଦିନ ଆସିଲା ଘରେ ଖାଇବାକୁ ମଧ୍ଯ ରହିଲା ନାହିଁ । ମଦପିଇ ବିନା କାରଣରେ ପ୍ରତିଦିନ ଝୁମୁରିକୁ ମାଡପିଟ୍ କରିବାକୁ ଲାଗିଲା ରତନା । ନିଜ ଭାଗ୍ଯକୁ ଆଦରି ଝୁମୁରି ସବୁ ସହିଯାଏ । ନିଜ ଆଖିଲୁହକୁ ନିଜ ଓଠରେ ପିଇଯାଏ । କଣବା କରିବ ସିଏ? କାହାକୁବା ଆଉ କହିବ ନିଜର ଦୁଃଖ? ରତନା ଛଡା ଏଇ ଦୁନିଆରେ କିଏବା ଅଛି ତା ନିଜର? ଦିନେ ରତନା ଘରେ ନଥାଏ । ଝୁମୁରି ଦେଖିଲା ଘରେ ରୋଷେଇ କରିବା ପାଇଁ ଡାଲି, ଚାଉଳ କିଛି ନାହିଁ । ସେତେବେଳକୁ ଝୁମୁରିର ନଅ ମାସ ହୋଇସାରିଥାଏ । ବଡ କଷ୍ଟରେ ପଡୋଶୀ ଘରୁ କିଛି ଚାଉଳ, ଡାଲି ମାଗି ଆଣି ରୋଷେଇ କରି ଅପେକ୍ଷା କଲା ରତନାର ଆସିବା ବାଟକୁ । ଅନେକ ରତି ହେଲା ତଥାବି ରତନାର ଦେଖା ନାହିଁ । ଝୁମୁରି ମନେ ମନେ ଭାବୁଥାଏ କୁଆଡେ ଗଲା ଏ ରତନା ଏତେବେଳ ଯାଏ? ଏହି ସମୟରେ ପ୍ରବଳ ମଦ୍ଯପାନ କରି ନିଶାଶକ୍ତ ଅବସ୍ଥାରେ ଟଳମଳ ହୋଇ ରତନା ଘରେ ପହଞ୍ଚିଲା । ଝୁମୁରି ରତନାକୁ ଦେଖି ଖାଇବା ବାଢିଦେଲା । ରତନା କେବଳ ଭାତ ଆଉ ଡାଲି ଦେଖି କହିଲା କଣ ଆଉ କିଛି ନାହିଁ । ଏଗୁଡା ସବୁ ମଣିଷ ଖାଆନ୍ତି? ଝୁମୁରି କହିଲା ଘରେତ କିଛି ହେଲେ ନାହିଁ । ତୁ ଯାହା ରୋଜଗାର କଲୁ ତାକୁ ମଦପିଇ ଉଡେଇଲୁ । ସେତକ ଅଣ୍ଟିଲାନି ଯେ ଘରେ ଯାହା ଟଙ୍କା ପଇସା ଥିଲା ତାକୁ ବି ନେଲୁ । ଆଉ ଘରେ କଉଠୁ ଆସିବ? ପଡିଶା ଘରୁ ବଡ କଷ୍ଟରେ ଏତିକି ମାଗି ଆଣି ରୋଷେଇ କରିଛି । ଇଛା ହେଲେ ଖା ନହେଲେ ଓପାସ ଶୋଇପଡ ।
ଏକଥା ଶୁଣି ରତନା ରାଗରେ ଗରଗର ହୋଇ କଣ କହିଲୁ ମାଇକିନା? ତୋର ବହୁତ୍ ସାହସ ବଢିଗଲାଣି ମୁଁ ଦେଖୁଛି । ଝୁମୁରି କହିଲା ମୁଁ ଜାହା କହିଛି ଠିକ୍ କହିଛି । ଖାଇଲେ ଖା ନହେଲେ ନାହିଁ । ରତନାର ଆହୁରି ରାଗ ବଢିଗଲା । ସହଜରେ ତ ସିଏ ମଦ ନିଶାରେ ଥିଲା । ଖାଇବା ସବୁକୁ ଝୁମୁରି ମୁଁହଁକୁ ଫୋପାଡି ସହ ତାକୁ ପିଟିବାକୁ ଆରମ୍ଭ କଲା । ରାଗରେ ତା' ପେଟକୁ ଦୁଇ ଚାରି ଗୋଇଠା ମାରିଦେଲା । ଝୁମୁରି କଷ୍ଟରେ ଚିତ୍କାର କରିବାକୁ ଲାଗିଲା । ଝୁମୁରି ର ଚିତ୍କାର ଶୁଣି ପଡୋଶୀ ଘରର ହେମା ମାଉସୀ ଦୌଡି ଆସିଲେ । ଦେଖିଲା ବେଳକୁ ଝୁମୁରି ରକ୍ତ ଜୁଡୁବୁଡୁ ହୋଇ ଘରେ ପଡିଛି ଆଉ ଏକ ଶିଶୁ କନ୍ଯାକୁ ଜନ୍ମ ଦେଇ ରତନାକୁ ଛାଡି ଚାଲି ଯାଇଛି ବହୁତ୍ ଦୂରକୁ । କିଛି ସମୟ ପରେ ରତନାର ଯେତେବେଳେ ନିଶା ଛାଡିଲା, ସେ ନିଶାରେ କରିଥିବା ନିଜର ଭୁଲ୍ ପାଇଁ ଗଭୀର ଅନୁତାପ କରିବାକୁ ଲାଗିଲା । ଛାତି ବାଡେଇ କାନ୍ଦିବାକୁ ଲାଗିଲା । ନିଜକୁ ନିଜେ ଶେଷ କରିବାକୁ ଚିନ୍ତା କରି ବିଷ ଖାଇବାକୁ ହାତରେ ଧରି ଖାଇବା ପାଇଁ ଯାଉଥିବା ସମୟରେ ନିଜ ଝିଅର କାନ୍ଦଣା ଶୁଣି ଅଟକି ଗଲା । ଝୁମୁରିର ଶେଷକୃତ୍ଯ ସାରି ତାର ଜୁଇ ଓ ନିଜ ଝିଅର ମୁଁହଁକୁ ଚାହିଁ ପ୍ରତିଜ୍ଞା
କଲା ଯେ ସେ ତା ଜୀବନରେ ଆଉ କେବେ କୌଣସି ନିଶା ଦ୍ରବ୍ଯକୁ ହାତରେ ମଧ୍ଯ ଧରିବ ନାହିଁ ।
ନିଜ ଝିଅର ନାଁ ରଖିଲା ମିଲି । ଆଉ ବହୁ ସ୍ନେହର ସହ ନିଜ ଝିଅର ଯତ୍ନ ନେଲା । ତା ଝିଅକୁ କେବେ ତା ମାଆ ନଥିବାର ଅନୁଭବ ମଧ୍ଯ ହେବାକୁ ଦେଲା ନାହିଁ । ନିଜ ଝିଅ ପାଇଁ ରତନା ସଜାଲା ଉଭୟ ବାପା ଆଉ ମାଆ । ଧିରେଧିରେ ମିଲି ବଡ ହେଲା । ରତନା ମିଲିର ନାଁ ସ୍କୁଲ୍ ରେ ଲେଖିଦେଲା ପାଠ ପଢିବା ପାଇଁ । ମିଲି ଛୁଆବେଳୁ ବହୁତ ଭଲ ପାଠ ପଢି ସବୁବେଳେ ଶ୍ରେଣୀରେ ପ୍ରଥମ ହେଉଥିଲା ।
ଚାହୁଁ ଚାହୁଁ ଦଶ ବର୍ଷ ବିତିଗଲା । ମିଲି ମେଟ୍ରିକ୍ ପରୀକ୍ଷା ଦେଇ ଭଲ ନମ୍ବର ରଖି ଉତିନ୍ନ ହେବା ସହ କଲେଜରେ ନାମଲେଖାଇଲା । ଏଇ ଭିତରେ ମିଲି ଯୌବନର ପ୍ରଥମ ପାହାଚରେ ପାଦ ଥାପି ସାରିଥିଲା । ତା ରୂପ ଲାବଣ୍ଯରେ ଅନେକ ଯୁବକ ମୁଗ୍ଧ ହୋଇ ତାକୁ ପ୍ରେମ ନିବେଦନ କରିବାକୁ ଚାହୁଁଥିଲେ । ତାର ରୂପ ମାଧୁରୀରେ ଏତେ ଲାଳିତ୍ଯ ଥିଲା ଯେ, ଲାଗୁଥିଲା ସତେ ଯେମିତି ସ୍ୱର୍ଗ ରାଜ୍ଯର କୌଣସି ପରି ବା ଅପ୍ସରୀ ବାଟ ଭୁଲି ପୃଥୀବିକୁ ଓଲ୍ହାଇ ଆସିଛି । ମିଲି ବି ମନେ ମନେ ନିଜର ସ୍ୱପ୍ନର ରାଜକୁମାରକୁ ଖୋଜି ଚାଲିଥିଲା । ସେ ବି ଚାହୁଁଥିଲା ପ୍ରେମର ଅମୃତ ପାନ କରିବାକୁ । ଏମିତି ଏକ ସମୟରେ ଦିନେ ଗାଁ ପାଖରେ ଥିବା ମଦ ଦୋକାନ ମାଲିକର ପୁଅ ମିଲିକୁ ପ୍ରେମ ନିବେଦନ କଲା । ମିଲି ତାକୁ କିଛି ଉତ୍ତର ନଦେଇ ସେଠାରୁ ଚାଲିଆସିଲା । ରାତି ସାରା ସେ ପ୍ରେମ ନିବେଦନ ବିଷୟରେ ଚିନ୍ତା କରି ପରଦିନ ତାର ପ୍ରେମ ନିବେଦନକୁ ସ୍ୱୀକୃତି ପ୍ରଦାନ କଲା । ଏମିତି କିଛି ଦିନ ପ୍ରେମରେ ବିତିଲା ମିଲିର । ଚାହୁଁ ଚାହୁଁ ମିଲିର ଯୁକ୍ତ ତିନି ବି ସରିଗଲା । କଲେଜ ପଢା ସରିଗଲା । ମିଲିର ତା ପ୍ରେମିକ ସହ ଆଉ ଦେଖା ହୋଇ ପାରିଲା ନାହିଁ । ମିଲି ବିରହ ବେଦନାରେ ଜଳିବାକୁ ଲାଗିଲା ।
ସେପଟେ ମିଲିର ପ୍ରେମିକ ମଧ୍ଯ ମିଲି ସହ ଦେଖା କରିବାକୁ ସୁଯୋଗ ଉଣ୍ଡି ବସିଥାଏ । ଦିନେ ରତନା ଘରେ ନଥିବାର ସୁଯୋଗ ନେଇ ମିଲିର ପ୍ରେମିକ ମିଲିକୁ ଦେଖା କରିବାକୁ ତା ଘରକୁ ଗଲା ଓ ସେଇ ଦିନ ଠାରୁ ରତନା ଘରେ ନଥିବାର ସୁଯୋଗ ନେଇ ମିଲି ଓ ତାର ପ୍ରେମିକ ପରସ୍ପରକୁ ମିଲି ଘରେ ଦେଖା କରିବାକୁ ଲାଗିଲେ । ଦିନେ ରତନା ଘରେ ପହଞ୍ଚି ମିଲିକୁ ନିଜ ପ୍ରେମିକ ସହ ଅସଞ୍ଜତ ଅବସ୍ଥାରେ ଦେଖି ବହୁତ ବିରକ୍ତ ହେଲା । ମିଲିର ପ୍ରେମିକ ସେଠାରୁ ପଳେଇଗଲା । ମିଲି ନିଜର ପ୍ରେମ ସମ୍ପର୍କ ବିଷୟରେ ରତନାକୁ ସବୁ କହିଲା ଓ ନିଜର ପ୍ରେମିକ କୁ ବିବାହ କରିବ ବୋଲି କହିଲା, ମାତ୍ର ରତନା ମିଲିକୁ ତା ପ୍ରେମିକ ସହ ବାହାକରିବାକୁ ରାଜି ହେଲା ନାହିଁ । କାରଣ ରତନା ଜାଣିଥିଲା ସେ ପିଲା ବହୁତ ମଦ ପିଏ । ଆଉ ସିଏ ଚାହୁଁ ନଥିଲା ଯେ ଝୁମୁରି ପରି ମିଲିର ମଧ୍ଯ ସେମିତି କିଛି ଅସୁବିଧା ହେଉ ବୋଲି ।
କିଛି ଦିନ ବିତିଗଲା । ଦିନେ ସକାଳେ ଉଠି ରତନା ଦେଖିଲା ମିଲି ଘରେ ନାହିଁ । ବହୁ ଖୋଜାଖୋଜି ପରେ ରତନା ଏକ ଚିଠି ପାଇଲା । ଯେଉଁଥିରେ ମିଲି ନିଜ ଇଛାରେ ତା ପ୍ରେମିକ ସହ ସବୁଦିନ ପାଇଁ ଘରଛାଡି ଚାଲିଯାଉଛି ଓ ସେମାନଙ୍କୁ ଖୋଜିବାକୁ ଚେଷ୍ଟା ନକରିବା ପାଇଁ ଲେଖା ଥିଲା । ଏହା ପଢିବା ପରେ ରତନା ବହୁତ କାନ୍ଦିଲା । ଧିରେଧିରେ ଖିଆପିଆ ଛାଡିଦେଲା । ଏମିତି ଏମିତି ଛଅମାସ ବିତିଗଲା । ଦିନେ ମିଲି କାନ୍ଦି କାନ୍ଦି ତା ବାପା ପାଖରେ ପହଞ୍ଚିଲା । ଆଉ ତା ପ୍ରେମିକ ମଦ ପିଇ କେମିତି ତା ଉପରେ ଅତ୍ଯାଚାର କରୁଥିଲା ସେ ସବୁ କଥା କହିଲା । ରତନାର ଝୁମୁରି କଥା ମନେ ପଡିଗଲା । ସେ ମଧ୍ଯ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା । ନିଜ ଝିଅକୁ ନିଜ ଘରେ ରଖିଲା । ମଦ ପାଇଁ ବାପ ଝିଅଙ୍କ ଜୀବନ ଦୁର୍ବିସହ ହୋଇପଡିଥିବାରୁ ଉଭୟ ବାପ ଝିଅ ମିଶି ମଦ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ । ପ୍ରଥମେ ପ୍ରଥମେ ଉଭୟଙ୍କୁ ଅନେକ କଷ୍ଟ କରିବାକୁ ପଡିଲା । ଅନେକ ବିରୋଧର ସମ୍ନା କରିବାକୁ ପଡିଲା । କିନ୍ତୁ ଧିରେ ଧିରେ ଗାଁର ମହିଳା ଆଉ ଶିକ୍ଷିତ ଯୁବକ ଯୁବତୀ ମାନେ ମଦ ବିରୋଧି ଆନ୍ଦୋଳନରେ ରତନା ଓ ତା ଝିଅ ମିଲି ସହ ଯୋଗଦେଲେ । ଚାହୁଁଚାହୁଁ ମଦ ବିରୋଧି ଆନ୍ଦୋଳନ ଉଗ୍ର ହେବାକୁ ଲାଗିଲା । ଲୋକ ମାନେ ମଦ ବିରୋଧରେ ସଚେତନ ହେବାକୁ ଲାଗିଲେ । ଶେଷରେ ସରକାର ବାଧ୍ଯହୋଇ ସେ ଅଞ୍ଚଳରୁ ମଦ ଦୋକାନ ଉଠାଇ ଦେଲେ । ମିଲିର ପ୍ରେମିକ ମଧ୍ଯ ନିଜର ଭୁଲ ବୁଝିବାରି ମଦ ଛାଡି ମିଲିକୁ ଭୁଲ ମାଗିବା ସହ ତାକୁ ନିଜ ସହ ଘରକୁ ନେଇଗଲା । ରତନା ଓ ମିଲି ପାଇଁ ପୁରା ରତନଗଡରେ ପୁଣିଥରେ ଆନନ୍ଦର ଲହରୀ ଖେଳିଗଲା ।