ରଣା ଡେଇଁ ନପାରିବ ପାଟ ଅଗଣା
ରଣା ଡେଇଁ ନପାରିବ ପାଟ ଅଗଣା


ରଣାସାପର ଆଗେ ଭାରି ଵିଷ ଥିଲା । ରଣା ଯାହାକୁ ଚୋଟେ ମାରୁଥିଲା ସେ ଗୋଟେ ଅଗଣା ଡେଇଁ ପାରୁନଥିଲା । ସେଇଠି ଟଳି ପଡୁଥିଲା । ଆଗେ ଏତେ ସାପଙ୍କର ଵିଷ ନଥିଲା । ରଣା ସାପଙ୍କର ରାଜା ଥିଲା କହିଲେ ଚଳେ ।
ଦିନକର କଥା,ଗୋଟେ ଟୋକା ଗାଈ ଜଗିଥାଏ । ହୁଙ୍କା ପାଖ ଦେଇ ଯାଉଥିବା ବେଳେ ରଣା ତାକୁ ଚୋଟାଏ ଦେଲା । ଏକା ଚୋଟକେ ଟୋକାର ପ୍ରାଣଵାୟୁ ଉଡି଼ଗଲା । ସେ ତ ସହଜେ ଵୈଶାଖ ମାସ । ଦିନଯାକ କାଳଵୈଶାଖୀ ପଵନ ବହୁଥାଏ । ଟୋକା ହାତରେ ଗୋଟାଏ ବଇଁଶୀ ଥିଲା ପଵନ ହେଲେ ତାହା ବାଜି ଉଠୁଥିଲା । ବଇଁଶୀ ବାଜିଲାରୁ ରଣା ମନେ ମନେ ଭାଳିଲା - ତା ଵିଷରେ ବୋଧେ ପିଲାଟା ମଲା ନାଇଁ ।
ସେ ହୁଙ୍କାରୁ ବାହାରି ଆସି ସୁଁ ସୁଁ ହେଇ କହିବାକୁ ଲାଗିଲା “ମୋ ପ୍ରତାପ ଜାଣିନୁ କିବେ ? ଦେଖିବୁ ଏଇଁଲେ ?
ୟା' ବୋଲି ଟୋକା ଉପରେ ଚୋଟ ପରେ ଚୋଟ ମାରିବାକୁ ଲାଗିଲା । ହେଲେ ବଂଶୀ ତଥାପି ବାଜୁଥାଏ । ରଣା ଆହୁରି ରାଗିଗଲା । ସେ ତା'ର ଯେତେ ଵିଷ ଥିଲା ସବୁ ସେ ମଲା ଟୋକା ଦିହରେ ଗାଳି ପକାଇଲା । ଅନ୍ୟ ସାପମାନେ ୟା' ଦେଖି ଟିକିଏ ଟିକିଏ ଵିଷ ନେଇ ଆପଣା ଦାନ୍ତରେ ଛଞ୍ଚି ରଖିଲେ । ହେଲେ ରଣାର ଆଉ ମୋଟେ ଵିଷ ରହିଲା ନାଇଁ । ସେଟା ଶେଷକୁ ଗୋଟେ ଚିତ୍ର ଧାମଣା ହୋଇଗଲା । ତା' ପ୍ରତି ଏବେ କାହାର ଖାତିରି ନାଇଁ ।
“ ଅତି ରାଗିଲେ ଆପଣା ଧନ ସରେ
ମହତ ସରେ
କେହି ନ ଡରେ । ”