ରାଜାନନ୍ଦିନୀ
ରାଜାନନ୍ଦିନୀ
ସେଦିନ ନୀରବ ନିସ୍ତବ୍ଧ ରାସ୍ତାରେ ଆଗକୁ ବଢୁଥିଲା ଶ୍ଵେତା ମନେ ପଡୁ ଥିଲା ପିଲାଦିନ ଗଣିତ ପଢେଇବାକୁ ଆସୁଥିବା ଘରୋଇ ମିସ ଯୋଉଦିନ ତାକୁ ଏକରେ ଏକ ମିଶାଇଲେ କେତେ ହେବ ପଚାରିଥିଲେ ସେ ନିର୍ଦୋନ୍ଦରେ କହିଥିଲା ଏଗାର ବୁଝେଇ ବୁଝେଇ ଥକି ପଡ଼ିଥିଲେ ମିସ କିନ୍ତୁ ଶ୍ଵେତା ମିସଙ୍କ ନାମରେ ଅଭିଯୋଗ କରିଥିଲା ପିତାଙ୍କ ପାଖରେ ।ଝିଅର କଥାକୁ ଭୁଲ କହିବାକୁ ଶିଖି କିମ୍ବା ଶିଖାଇନଥିବା ପିତା ଝିଅର ଗଣିତ ଠିକ କହି, ମିସଙ୍କ ଅକ୍ଷମଣୀୟ ଅପରାଧ ପାଇଁ, ତାଙ୍କୁ ସବୁଦିନ ପାଇଁ ଶ୍ଵେତା ଜୀବନରୁ ବିଦାୟ ଦେଇଥିଲେ ।ଆଉ ଯେବେ, ମିସ ପେମେଣ୍ଟ ମାଗିଥିଲେ ବିଗତ ପିଛିଲା ଓ ବର୍ତ୍ତମାନର ଦୁଇ ମାସର ଏକ ହଜାର ଓ ଆଉ ଏକ ହଜାର ମିଶି ଏଗାର ହଜାର ଗଣିଥିଲେ ବାପା ଶ୍ଵେତାର ଭୁଲ ଗଣିତ ହିସାବର ସମର୍ଥନରେ. ସେହି ଦିନଠୁ ଶ୍ଵେତାର ସବୁ କଥାରେ ହଁରେ ହଁ ମାରିବା ଶିଖାଇ ପିତା ରାଜାନନ୍ଦିନୀକୁ ତାଙ୍କ ଅଜଣାତରେ ସ୍ବେଛାଚାରିଣୀ କରିଦେଇଥିଲେ ।
ଆଜି ପିତା ଜୀବିତ ନାହାଁନ୍ତି କିନ୍ତୁ ଶ୍ଵେତାର ଡେଣା କାଟିବାକୁ, ତାକୁ ପାରିବାରିକ ତଥା ସାମାଜିକ ବନ୍ଧନରେ ଆବଦ୍ଧ କରିବାକୁ, କେହି ସକ୍ଷମ ନୁହେଁ । ଅଲିଅଳି ରାଜାନନ୍ଦିନୀ ବିନା ଶାସନରେ ଆଜି ମୁକ୍ତ ବିହଙ୍ଗୀ । ତା ଡେଣା କାଟି ପୋଷା ମନେଇବା ପାଇଁ ଅନେକ ଯୁବକ ଭିତରୁ ମାନସ ଏକ ଚିତ୍ରକର ଉପାୟ ପାଞ୍ଚିଲା ଉଡ଼ା ଚଢେଇକୁ ପିଞ୍ଜରାବଦ୍ଧ କରିବାର ଉପାୟ । ସେ ଜାଣିଥିଲା ଶ୍ଵେତାର ଦୁଇଟି ପସନ୍ଦ। ଏକରେ ଦର୍ଜୀ, ଯାହା ପାଖରେ ମାପ ଦେଇ କରୁଥିବା ପୋଷାକ ପିନ୍ଧିବା ତାର ସଉକ ଆଉ ଦ୍ୱିତୀୟଟି ମୋଚି ସାହିର ନିର୍ଦ୍ଦିଷ୍ଟ ଦୋକାନୀ ପାଖରେ ମାପ ଦେଇ ଭିର୍ନ୍ନ ଭିର୍ନ୍ନ ଡିଜାଇନ ଚପଲ ଓ ଜୋତା ପିନ୍ଧିବା ତାର ପସନ୍ଦ ଓ ସଉକ ।
ସେଦିନ ବି ନିଜକୁ କିଛି ଅସହଜ ନମଣି ସେ ଦର୍ଜୀକୁ ମାପ ଦେଇଥିଲା । ଆଉ ନଇଁପଡି ଗୋଡ଼ରେ ଜୋତା ମାପ ଦେଲାବେଳେ ମୋଚି ଯୁବକ ତା ଢିଲା କୁର୍ତ୍ତି ଭିତରକୁ ଚାଁହୁଛି କି ନା ତାର ଯାଏ ଆସେ ନଥିଲା । କିନ୍ତୁ କଲେଜର କାନ୍ଥବାଡ଼, କରିଡର, କମନରୁମରେ ତାର ଦର୍ଜୀ ଓ ମୋଚି ଯୁବକ ସହ ଅଶ୍ଳୀଳ ଚିତ୍ର ସବୁ ଆଜି ପ୍ରଥମ ଥର ତା ଭିତରେ ଭୟ ସୃଷ୍ଟି କରିଥିଲା । ପିତାଙ୍କ ସ୍ନେହ,ଶ୍ରଦ୍ଧା, ଗେଲବସର ଭରା ଆନ୍ତରିକତାର ଚାବୁକ ନଥିଲା ତା ପାଇଁ, ରକ୍ଷା କବଚ ସାଜିବାକୁ, ତ ସେ ନୀରବ ରାସ୍ତାରେ ଵିଵସ୍ତ୍ର ହୋଇ ଚାଲିବା ପରି ଅନୁଭବ କରୁଥିଲା । ଶୀକାର ହେଲା ଦର୍ଜୀ, ଶୀକାର ହେଲା ମୋଚି ଯୁବକ କିନ୍ତୁ ମାନସ ଯେ ଏସବୁର ଖଳନାୟକ ଜାଣିବା ପରେ ମାନସକୁ ବିବାହ କରି ପ୍ରତିଶୋଧ ନେବାକୁ ଚିନ୍ତା କରି ପିଞ୍ଜରାବଦ୍ଧ ହୋଇସାରିଥିଲା ଶ୍ଵେତା । ରାଜନନ୍ଦିନୀର ଗର୍ବ ଓ ଅହଂକାର ତଥା ଆତ୍ମାଭିମାନ ଭାଙ୍ଗି ରୁଜି ଚୁରମାର ହୋଇଯିବା ବେଳକୁ ସେ ମାଆ ହୋଇସାରିଥିଲା ଆଉ କନ୍ୟାକୁ ଉପଯୁକ୍ତ ମଣିଷ କେମିତି କରିବାକୁ ହୁଏ ମାନସଠୁ ଶିଖିଥିଲା, ଭିତରେ ସ୍ନେହ ରଖି ସନ୍ତାନକୁ ଉପରେ ମୃଦୁ ଆକଟ କରାଯାଏ ଓ ସେଥିରେ ସନ୍ତାନର ମଙ୍ଗଳ ହିଁ ହୋଇଥାଏ, ବୁଝିବାକୁ ବାକି ନଥିଲା ।
