puspanjali das

Abstract

3  

puspanjali das

Abstract

ରାବଣ ପୋଡି

ରାବଣ ପୋଡି

3 mins
511



ଶିଖା ଷ୍ଟାଫକମନରୁମ ରେ ପସୁ ପସୁ,ତା' କଲିଗ୍ କେତେଜଣ ଏକା ସାଙ୍ଗରେ କହିପକାଇଥିଲେ-ଶିଖା ,ଏଥର ଚାଲେ,'ରାବଣ ପୋଡି' ଦେଖିବାକୁ ଯିବା।ଏବର୍ଷ ତ ତୁମ ଘର ପାଖରେ ହଉଛି,ଏଥର କ ଆଉ ଆମକୁ ଆଡେଇ ଯିବୁନି!ଗତ କିଛି ବର୍ଷ ହେବ ସିନା ମିଷ୍ଟର ଙ୍କ ଦେହ ଖରାପ ଓ ଘରଠାରୁ ବେସି ଦୂର କହି ରହିଯାଉଥିଲା,ହେଲେ ଏବର୍ଷ କଣ କହିକି ମୁକୁଳିବ,ଭାବିପାରୁ ନଥିଲା ଶିଖା।ତା'ଛଡା ହଠାତ ଏତେଜଣ ଏକା ସାଙ୍ଗରେ ଚାହୁଁ ଥିବାରୁ ସାମାନ୍ୟ ଅପ୍ରସ୍ତୁତ ହୋଇଯାଇଥିଲା।ଚେୟାର ଟିରେ ବସୁ ବସୁ, ପାଖରେ ବସିଥିବା ତା' ଘନିଷ୍ଠ ବାନ୍ଧବୀ ବନ୍ଦନା ର ମୁହଁଟିକୁ ପ୍ରଶ୍ନିଳ ଆଖିରେ ଅନାଇଦେଇଥିଲା।କଲେଜରେ କ୍ଲାସ କେତେଟା ସେଦିନ ସସପେଣ୍ଡ ହୋଇଯାଇଥିବାରୁ ବାଧ୍ୟ ହୋଇ ତାକୁ କମନ୍ ରୁମ କୁ ଆସିବାକୁ ପଡିଥିଲା।

             ରୁମଟିର ନୀରବତା କୁ ଭାଙ୍ଗି ଦେଇ ବନ୍ଦନା କହିଦେଇଥିଲା-ଆରେ ,ତାକୁ ଭଲ ଲାଗେନି 'ରାଵଣ ପୋଡି',ତାକୁ ଛାଡ଼,ତମେମାନେ ସେଦିନ କେତେବେଳେ ବାହାରିବ କୁହ,ଯଦି ସୁବିଧା ହେବ ,ଏବର୍ଷ ମୁଁ ତୁମ ମାନଙ୍କ ସାଙ୍ଗରେ ଯିବି।ତା'କଥାରେ ସନ୍ତୁଷ୍ଟ ନ ହୋଇ ସାଇକଲୋଜି ଅଧ୍ୟାପିକା ବନାନୀ ଆରମ୍ଭ କରିଥିଲେ–ଆରେ ଶିଖା,ତୁମ ଘର ପାଖରେ ଏଥର ହେଉଛି।ଅଳ୍ପ ସମୟ ପୂର୍ବରୁ ତୁମ ଘରକୁ ଆମେ ସମସ୍ତେ ଯିବୁ ବୋଲି ଭାବିଛୁ।କଣ ସାମାନ୍ୟ ଜଳଯୋଗ ମିଳିବନି ତୁମ ଘରେ?ଏଥର ଶିଖା ସାମାନ୍ୟ ହସିଦେଇ କହିଦେଇଥିଲା–ଆରେ ହଁ,ନିଶ୍ଚୟ।ଇଏ ଗୋଟେ କଥା!ଆଛା, ମୋର ଗୋଟାଏ ପ୍ରଶ୍ନ ଥିଲା ସମସ୍ତଙ୍କୁ..ତା'ର କଥା ସମ୍ପୂର୍ଣ୍ଣ କରିବାକୁ ନ ଦେଇ କେତେଜଣ କହିଉଠିଥିଲେ–ପଚାର,ପଚାର,କ'ଣ ପିନ୍ଧିକି ଯିବା? ଭଲ କ୍ୟାମେରା ଟିଏ ସାଙ୍ଗରେ ନେଇକି ଯିବା?କଥା ପଦକ ସରୁ ସରୁ ହୋ ହୋ ହୋଇ ହସର ଜୁଆର ଖେଳିଗଲା ପୁରା ରୁମ ଟି ଭିତରେ।ସମସ୍ତେ ଯେମିତି ଲିଜର୍ ପିରିଅଡ଼ କେତେଟା କୁ ଉପଭୋଗ କରିବାର ମୁଡ୍ ରେ ଥିଲେ।

          ସାମାନ୍ୟ ଗଳା ସଫାକରି ଶିଖା ପଚାରିଦେଇଥିଲା–ସେକଥା କିଛି ନୁହେଁ।ଆଛା କହିଲ, ରାବଣ କାହିଁକି ପୋଡାହୁଏ?ଆରେ, ଏଇଟା ତ ଅତି ସାଧାରଣ କଥାଟିଏ,ଏଥିରେ ଜାଣିବାକୁ ଅଛି କ'ଣ?ସୀତା ଙ୍କୁ ଅପହରଣ କରିନେଇଥିଲା ରାକ୍ଷସ ରାବଣ ଟା ବୋଲି,ପୁରୁଷୋତ୍ତମ ରାମ ତାକୁ ମାରି ମା ସୀତା ଙ୍କୁ ରକ୍ଷା କରିଥିଲେ।ଅଧର୍ମ ର ବିନାଶ ହୋଇ ଧର୍ମ ର ପ୍ରତିଷ୍ଠା ହୁଏ।ଏକଥା ତ ପିଲା ଟି ବେଳୁ ଆମେ ଶୁଣି ଆସିଛୁ–ଏତକ ଏକା ଥରକେ କହିଦେଇଥିଲେ,ସାଇକଲୋଜି ଅଧ୍ୟାପିକା ଜଣକ।ଶିଖା ଏଥର ପୁଣି ପଚାରିଦେଇଥିଲା–ସେଇଟା ତ ଶୁଣିଛ,ହେଲେ ରାବଣ କାହିଁକି ସୀତାଙ୍କୁ ଅପହରଣ କରିଥିଲା,ଏକଥା ଥରେ ଭାବିଛ?ସଙ୍ଗେ ସଙ୍ଗେ ଆଉ ଜଣ ଙ୍କର ଉତ୍ତର ଭାସି ଆସିଥିଲା–ଆରେ,ରାବଣ ର ଭଉଣୀ ସୁପର୍ଣୃଖା ର ନାକ କାନ ,ରାମ ଙ୍କ କଥା ଅନୁସାରେ ଲକ୍ଷ୍ମଣ କାଟିଦେଇଥିଲେ ବୋଲି!ଆରେ ,ଏତେକଥା କାହିଁକି ପଚାରୁଛୁ ଶିଖା,ଆମେ ତୋ ଷ୍ଟୁଡେଣ୍ଟ ନୁହେଁ!ପୁଣି ଜୋର ରେ ହସ ଖେଳିଗଲା ପୁରା ରୁମ ଟା ଭିତରେ।ଶିଖା ହସିଦେଇ କହିଉଠିଲା–ଆରେ ହଁ, ସେକଥା ମୁଁ କେମିତି ଭୁଲିବି?ତମେମାନେ ମୋ ଷ୍ଟୁଡେଣ୍ଟ ହେଲେ ,ମୋ ଚାକିରି ଗୋଲ ହେଇଯିବନି!!ହେଲେ,କୁହ–ସୁପର୍ଣୃଖା ର କ'ଣ ଭୁଲ ଥିଲା ଯେ,ତା' ନାକ କାନ କାଟିଦେଲେ??ନାରୀଟିଏ ପ୍ରେମ ନିବେଦନ କରିବା କ'ଣ ଏତେବଡ ପାପ?ଭଲରେ ତା'କୁ ମନା ବି କରିପାରିଥାନ୍ତେ!!ଏଥର ରୁମ ଟିରେ ନୀରବତା ଛାଇଗଲା,ସମସ୍ତେ ହଠାତ୍ ଚୁପ ହୋଇଗଲେ।

           କିଛି ସମୟ ନୀରବତା ପରେ ଶିଖା ପୁଣି କହିଉଠିଥିଲା–ଆଛା ,ସମସ୍ତେ ଥରେ ଭାବିଲ,ପୁରୁଷ ର ଇଛା ଯେତେବେଳେ ହେବ,ଯାହାକୁ ପ୍ରେମ ନିବେଦନ କରିପାରିବ,ଆଉ ନାରୀଟିର କ'ଣ ମନ ନାହିଁ??ଯୁଗ ଏତେ ବଦଳିଲାଣି,ହେଲେ ,ଆମ ଚିନ୍ତାଧାରା ଏବେ ବି ଯେମିତି ସେଇ ରାମାୟଣ ଯୁଗରେ ଅଟକି ଯାଇଛି!!କୋଉ ଝିଅଟିଏ ଯଦି କାହାକୁ ନିଜଆଡୁ ପ୍ରେମ ନିବେଦନ କରିଦେଲା,କି ପ୍ରେମ କରୁଛି ବୋଲି ଜଣାଇଦେଲା,ତା'ହେଲେ ତା'କୁ ଅଲାଜୁକି,ଅଲ୍ଟ୍ରାମଡ଼ର୍ଣୃ କହି ଆମେମାନେ କେତେ ସମାଲୋଚନା କରୁଛେ!ତା'ଛଡା ରାବଣ ଯଦି ଚାହିଁଥାନ୍ତା,ତାହେଲେ ସେ ତ ସୀତା ଙ୍କର ସତୀତ୍ଵ ଅପହରଣ କରିପାରିଥାନ୍ତା!!ହେଲେ,ସିଏ ସୀତା ମା' ଙ୍କୁ ଅତି ସମ୍ମାନ ର ସହ ଅଶୋକ ବନ ରେ ରଖିଥିଲା।ଆଉ ରାମ ଙ୍କୁ ଦୁନିଆ ପୁରୁଷୋତ୍ତମ କହି ଆଜି ପର୍ଯ୍ୟନ୍ତ ପୂଜା କରି ଆସିଥିଲା ବେଳେ,ରାକ୍ଷସ କୁଳ ରେ ଜନ୍ମ ହୋଇଥିବା ରାବଣ,ଏତେବଡ ଜ୍ଞାନୀ ଓ ଧାର୍ମିକ ହୋଇଥିଲେ ମଧ୍ୟ ,ତାକୁ ଜାଳି ଆସୁଛନ୍ତି!ଥରେ 'ରାମାୟଣ 'କଥା ଭାବିଲ,ଆମେ ସମସ୍ତେ ଅଳ୍ପେ ବହୁତେ ଜାଣିଛୁ,ରାମ ଙ୍କ ଚରିତ୍ର ଚିତ୍ରଣ ଯାହା ହୋଇଛି, ସାମାନ୍ୟ ଧୋବା ଟିର କଥାରେ ଅଗ୍ନି ପରୀକ୍ଷା ଦେବାକୁ ମା ସୀତା' ଙ୍କୁ କହିବା ଓ ଗର୍ଭବତୀ ଅବସ୍ଥାରେ ବିତାଡିତ କରିବା କେତେଦୂର ସ୍ୱାଗତ ଯୋଗ୍ୟ??ରାଜ୍ୟବାସୀଙ୍କୁ ସନ୍ତୁଷ୍ଟ କରିବା ଯଦିଓ ଜଣେ ରାଜା ର ଧର୍ମ, କିନ୍ତୁ ନ୍ୟାୟ ଅନ୍ୟାୟ, ସତ୍ୟ ଅସତ୍ୟ ବିଚାର ନ କରି ସ୍ତ୍ରୀ କୁ ତ୍ୟାଗ କରିବା କେତେଦୂର ଯଥାର୍ଥ?ତା'ଛଡା ,ଥରେ ଭାବିଲ ଦେଖି,ଜଣେ ନାରୀ ର ଦୃଷ୍ଟି କୋଣ ନେଇ ,ଯଦି ସ୍ୱାମୀ,ରାମ ଭଳି ମର୍ଯ୍ୟାଦା ପୁରୁଷ ହୋଇଥିବେ,କେବଳ ସ୍ତ୍ରୀ ଛଡା ଆଉ କାହା କଥା ଚିନ୍ତା କରୁନଥିବେ,କିନ୍ତୁ ପର କଥାରେ ସ୍ତ୍ରୀ କୁ ତ୍ୟାଗ କରିବେ,ତା'ହେଲେ ସ୍ତ୍ରୀ ଜାତି ସହ୍ୟ କରିପାରିବ ସେ ଦଣ୍ଡ ଓ ଲାନ୍ଛନ?ତା'ଛଡା ଏଇ ଯୋଉ ଚିରାଚରିତ ପ୍ରଥା 'ରାବଣପୋଡି' ଏ ସମାଜ କରିଆସୁଛି ଏତେ ଆଡମ୍ବର ସହକାରେ ବିଭିନ୍ନ ଜାଗାରେ,ସେଇଠି ଦେଖିବାକୁ ଆସିଥିବା ନାରୀ ଟିଏ

 କ'ଣ ସୁରକ୍ଷିତ??କେତେ ରାବଣ ଠାରୁ ଭୟଙ୍କର ରାକ୍ଷସ ଯେ ରୁଣ୍ଡ ହୋଇ ଜ୍ଞାନୀ ରାବଣ ର ଶରୀର ଓ ଆତ୍ମା କୁ ଜାଳୁଛନ୍ତି ଓ ଲୋଲୁପ ଦୃଷ୍ଟି ତାଙ୍କର ଘୁରି ବୁଲୁଛି ଉପସ୍ଥିତ ସୀତା ମାନଙ୍କର ଶରୀର ଉପରେ।ସତରେ କେତେ ପ୍ରହସନ!!

          ଏତେ ଗୁଡ଼ାଏ କଥା ଏକା ସାଙ୍ଗରେ କହିପକାଇ ଯେମିତି ନିଜକୁ କେମିତି ଟିକେ କ୍ଲାନ୍ତ ଅନୁଭବ କରୁଥିଲା ଶିଖା।କିନ୍ତୁ ବହୁଦିନରୁ ଲୁଚିରହିଥିବା ଜମାଟ ବନ୍ଧା ଅଭିଯୋଗ ଗୁଡିକ ଯେମିତି ତା'କଥା ସାଙ୍ଗରେ ବହାରିଆସି ତାକୁ ହାଲୁକା କରିଦେଇଥିଲା!ଗମ୍ଭୀର ହୋଇଉଠିଥିବା ପରିବେଶ କୁ ଟିକେ ହାଲୁକା କରିବା ପାଇଁ ବନ୍ଦନା କହିପକାଇଥିଲା–ଆରେ ଚାଲ ଚାଲ,ଶିଖା ର ଭାଷଣ ସରି ଗଲା।କେତେବେଳେ ବାହାରିବା କୁହ,ମୁଁ ସେଇ ଅନୁସାରେ ପ୍ରସ୍ତୁତ ହେବି।ଏଥର କିନ୍ତୁ ଆଉ ହସର ଲହଡି ଖେଳି ନଥିଲା,ସମସ୍ତେ ଚୁପଚାପ ଉଠିପଡିଥିଲେ।ଜଣେ କହିପକାଇଲେ–ଆମେ ଯିବାକୁ ଠିକ କଲେ ,ତତେ ଫୋନ ରେ ଜଣାଇଦେବୁ।ବନ୍ଦନା ର ସ୍ମିତହାସ୍ୟ ସାଙ୍ଗରେ ଶିଖା ର ସ୍ମିତହାସ୍ୟ ଯେମିତି ଅନ୍ୟକିଛି କହୁଥିଲା–"ରାବଣ ପୋଡି" ଦେଖି ଯିବାଟା ବୋଧହୁଏ ଅନିଶ୍ଚିତ ହେଇ ରହିଯାଇଥିଲା!!


Rate this content
Log in

Similar oriya story from Abstract