Gargi Mishra

Drama Romance Inspirational

4.1  

Gargi Mishra

Drama Romance Inspirational

ପ୍ରତ୍ୟୁତ୍ତର

ପ୍ରତ୍ୟୁତ୍ତର

6 mins
26


 


ସୂର୍ଯ୍ୟାସ୍ତ ହେବାକୁ ଆଉ ଟିକେ ବାକି l କିଛି ଖୁସି କିଛି ଦୁଃଖ ଆଣି ଆସିଥାଏ ଶ୍ୟାମଳ ରଙ୍ଗର ସନ୍ଧ୍ୟା l ଖୁସି ଏଇଥି ପାଇଁ ଯେ ଅପର୍ଣ୍ଣା ଓ ଆଲୋକଙ୍କର ସାନ ପୁଅ ରୋମିତର ଜନ୍ମଦିନ l ବଡ଼ପୁଅ ରିଶଭ ବିଦେଶରେ ରହି ପାଠପଢୁଛି l


ରୋମିତ ତାର ସାଙ୍ଗ ମାନଙ୍କୁ ଡାକି ଆଣିଥାଏ ସରପ୍ରାଇଜ ପାର୍ଟି ପାଇଁ l ପୁଅର କଲେଜରେ ହିଁ ଅଧ୍ୟାପିକା ରୂପେ କାମ କରୁଥାନ୍ତି ଅପର୍ଣ୍ଣା l ତାର ସାଙ୍ଗମାନେ ଷ୍ଟୁଡେଣ୍ଟ ଯେତେବେଳେ ସେମାନଙ୍କୁ ଡାକିବା ନିହାତି ଜରୁରୀ ନହେଲେବି ସାମାଜିକ ଔପଚାରିକତା ଦୃଷ୍ଟିରୁ ଶୋଭନୀୟ l


ଏତିକିବେଳେ ଅଚାନକ ବଡ଼ ପୁଅର ମେଲ l ବଡ଼ ପୁଅ ବ୍ୟସ୍ତତା ଭିତରେ କେତେବେଳେ କେମିତି ମେଲ ପଠାଏ l ନିହାତି କିଛି ବିଶେଷ ବାର୍ତ୍ତା ଥିବ l ତାର କଥା ଶୁଣିବା ସମୟ ସବୁଠାରୁ ମୂଲ୍ୟବାନ, ସବୁଠୁ ମହତ୍ତ୍ୱପୂର୍ଣ୍ଣ l କେବଳ ମା' ପୁଅଙ୍କ ଭିତର କଥା l ଅଭିମାନ, ଆବେଗ, ସ୍ନେହ ଘଣ୍ଟା ଘଣ୍ଟି ଏକ ସୁନ୍ଦର ମୁହୂର୍ତ l ହେଲେ ଆଜି ସମୟ ନାହିଁ l କାନିରେ ନିଜ ଭିତର ଆବେଗକୁ ଗଣ୍ଠି ପକାଇ ଅଣ୍ଟାଭିଡି ପ୍ରଥମେ ଘରକାମ ତୁଟାଇବାକୁ ବାହାରି ପଡିଲେ ଅପର୍ଣ୍ଣା l ଆଲୋକଙ୍କୁ ଏସବୁ ଗହଳି ଚହଳି ପସନ୍ଦ ନୁହେଁ l ସେ ତାଙ୍କ ଅଫିସ କାମ ବାହାନା କରି ଆସିଲେ ନାହିଁ l 

ସାନ୍ଧ୍ୟା ଧୂପ ଦେଇ ପାର୍ଟି ପାଇଁ କେକ୍ ଏବଂ ଖାଇବା ଅର୍ଡର କରିଦେଲେ ଅପର୍ଣ୍ଣା l ପାର୍ଟି ପରେ ଘର ଗୋଟାକ ପୁଣି ଠିକ କରିବାକୁ ଦୁଇ ଘଣ୍ଟା ଲାଗିଗଲା l ସମସ୍ତେ ଶୋଇଲା ପରେ ରାତି ଏଗାର l ବାହାରଟା ଶ୍ୟାମଳ ରୁ ବହଳିଆ କଳା ନିସ୍ତବ୍ଧ, ରାତିର ସମୁଦ୍ର ପାଣି ପରି l ବସି ପଢିଲେ ବଡ଼ପୁଅ କଣ ଲେଖିଛି l


"ମାମା,

ପ୍ରଣାମ l ତୁମେ ଭାବୁଥିବ ଆଜି ମୁଁ ଏତେବଡ ମେଲ କାହିଁକି ପଠାଇଛି l ଆଜି ଭାବୁଛି ମୁଁ ତୁମକୁ କିଛି ଲୁଚାଇବି ନାହିଁ l ମନ ଭିତରେ ଜମି ରହିଥିବା ସବୁକଥା ଖୋଲି କହିବି l କାଲି ରାତି ବାରଟାରୁ ମୁଁ ରୋମିତ ଜନ୍ମଦିନ ପାଇଁ ତାକୁ ଅଲଗା ମେଲ ପଠାଇ ଦେଇଥିଲି l ସେ ଏବେଯାଏ ଚେକ କରିନି l ତାକୁ ମୋ ଶୁଭେଚ୍ଛା ଜଣାଇଦେବ l ବାବା କେମିତି ଅଛନ୍ତି? ମୋ ପଢା ଛଡା କାହାର ଆଉ କିଛି ଜାଣିବା ନା ଦରକାର ଥିଲା ନା କାହାର ସ୍ପୃହା l ଜାଣେ, ତୁମେ ଆଜି ବ୍ୟସ୍ତ ଥିବ l ମୋ କଥା ବୁଝିବାକୁ ତୁମକୁ ବି ସମୟ ନଥିବ l


ରୋମିତ ହେଲା ବେଳକୁ ମୋତେ ଆଠ ବର୍ଷ ହୋଇଯାଇଥିବ ନା? ପୂର୍ଵରୁ ଆମେ କେତେ ଖୁସିରେ ଥିଲେ ମନେ ଅଛି? ରୋମିତ ଆସିବା ପରେ ତୁମେ ତା' କଥା ହିଁ ବୁଝିବାରେ ସବୁ ସମୟ ଦେଇଦେଲ l ମୋତେ ତୁମ ଧ୍ୟାନ ମୋଆଡକୁ ଆଣିବା ପାଇଁ ଦେହ ଖରାପର ବାହାନା କରିବାକୁ ପଡେ ବା ସତରେ ତୁମ ସ୍ନେହ ବିନା ମୋ ଦେହ ଅସୁସ୍ଥ ହେଇଯାଏ କହି ପାରିବିନି l କିନ୍ତୁ ରୋମିତ ଆସିବା ପରଠୁ ମୁଁ ମୋର ସବୁଠୁ ପ୍ରୀୟ ସାଙ୍ଗ ହଜେଇ ଦେଲି ଯିଏ କେବଳ ତୁମେ ଥିଲ l ତୁମ କରିଅର ପାଇଁ ଦୁଇ ପିଲାଙ୍କୁ ସମ୍ଭାଳିବା କଷ୍ଟ ହୋଇଯାଉଥିଲା ନା?


ମୁଁ ତୁମଠୁଁ ଛାଡି ହୋଇ ଅଜା ଆଈଙ୍କ ପାଖରେ ରହିଲି l ଅଜା ଭାବୁଥିଲେ ଆଈ ମୋ କଥା ଠିକ ଠାକ ବୁଝୁଛନ୍ତି ଆଉ ଆଈ ଭାବୁଥିଲେ ଆଜା l ପ୍ରକୃତ କଥା ହେଲା, ମୁଁ ସବୁବେଳେ ଭିତରେ ମନ ମାରି ରହୁଥିଲି ଠିକ ସ୍ନେହ ଆଦର ବିନା ଏକ ଆଦରକାରୀ ବସ୍ତୁଟିଏ ପରି l


ପରପିଲାଙ୍କ ହାତ ଧରି ଭୂଲ କରେକ୍ସନ କରୁ କରୁ ମୋ ହାତ ଛାଡି ଦେଲ ତୁମେ l ମୋତେ ସମୟ ସମୟରେ ତୁମଠୁ ମିଳୁଥିଲା କିଛି ହାତ ଲେଖା ଚିଠି, ଉପହାର, ଲୁଗାପଟା... ବାସ l ସେତେବେଳେ ମୋପାଇଁ ସବୁଠୁ କଣ ଅଧିକ ଲୋଡ଼ା ଥିଲା ଜାଣ? ମୁଁ ଦେହ ଖରାପରେ ତୁମ ଆରାମ ଦାୟକ ଉପସ୍ଥିତି, କ୍ଲାସରେ ଫାଷ୍ଟ ଆସିଲେ ତୁମ ପିଠି ଥାପୁଡ଼େଇ ମୋତେ ପ୍ରୋତ୍ସାହନ ଦେବା... ମୋତେ ନିଦ ନ ଆସିଲେ ମୁଣ୍ଡ ଆଉଁସି ଶୁଆଇ ଦେବା ଇତ୍ୟାଦି ଇତ୍ୟାଦି l ଯେଉଁ ବୟସରେ ମଣିଷକୁ ସାଥୀଠିଏ ଦରକାର ସେ ବୟସରେ "ନିଜେ ନିଜକୁ ଭଲ ପାଇ ଶିଖ" କହି ମୋ ହାତ ଛାଡି ଚାଲିଗଲ ଯେ ପଛକୁ ବୁଲି ଥରଟେ ଚାହିଁଲନି l 

         ବାବା କହୁଥିଲେ ଅମ ଦେଶରେ କନେଷ୍ଟବଳ ପୋଷ୍ଟରୁ ଷାଠିଏଟି ବାହାରିଲେ ପଚାଶ ଲକ୍ଷ୍ୟ କ୍ୟାଣ୍ଡିଡେଟ ବାହାରନ୍ତି ଆପ୍ଲାଏ କରିବାକୁ l ତୁମେମାନେ ମୋ ଭବିଷ୍ୟତକୁ ଚାହିଁ ମୋତେ ଏ ଫରେନ ୟୁନିଭର୍ସିଟି ପଠାଇଦେଲ l ମୋ ବର୍ତମାନ କଥା ବୁଝିବ କିଏ? ମୋତେ ସାଙ୍ଗଛଡା କରାଇଦେଲ l ମୁଁ ଏ ନିକାଞ୍ଚନରେ ପଡି ଏଠି କିପରି ଅବସ୍ଥାରେ ଅଛି ତୁମେ କଣ ଜାଣିବ? ଜାଣ, ମୋ ପରି ଅନ୍ୟ ଦେଶରୁ ଆସିଥିବା ଅନେକ ପିଲା ଏଠି ଡ୍ରଗ୍ସ ଆଉ ମଦ ଆଦି ଅନେକ ନିଶାର ଶିକାର l ନା ନା....ଭୂଲ ବୁଝିବନି ଏପର୍ଯ୍ୟନ୍ତ ମୁଁ ଡ୍ରଗ ଅଡିକ୍ଟ ହୋଇନାହିଁ l

       ମୁଁ ତ ତା ଠାରୁବି ଆହୁରି ଭୟଙ୍କର ନିଶା 'ଭଲପାଇବା'ର ଶିକାର ହୋଇଥିଲି l ଅଧିକ କିଛି କହିବିନି କାରଣ କହି ଲାଭନାହିଁ l ସେ ଝିଅ କିନ୍ତୁ ମୋତେ ଛାଡିଦେଲା l କାରଣ ଜଣାଇବାକୁ ଉଚିତ ଭାବିଲାନି l ଗଲାବେଳେ କହିଲା, ମୁଁ ତୁମକୁ ବହୁତ ଭଲପାଇଛି ବୋଲି ଛାଡି ଯାଉଛି l ଆଜି ତୁମକଥା ବହୁତ ମନେ ପଡୁଥିଲା ମାମା l ମୁଁ ସମୁଦ୍ର କୁଳରେ ଯାଇ ବସିଲି l ବିଦେଶରେ ସମୁଦ୍ର କୁଳରେ ଅଧଘଣ୍ଟାଏ ବସିଲେ ଦେହ ହାତ ଶୀତେଇ ଯାଏ, ହାଡ଼ଯାଏ ଥଣ୍ଡା ପଶିଯାଏ l ଘରକୁ ଆସିବା ବାଟରେହିଁ ଜାଣିଲି ମୁଁ ବସିଥିବା ଜାଗାରେ ଫୋନ ଛାଡି ଆସିଲି ବୋଲି l ଆଉ ଖୋଜିନି l ତାକୁ ଜୁଆର ଭସେଇ ନେଇଥିବ ନିଶ୍ଚେ l ମୋ ଭାଗ୍ୟରେ କେବଳ ହଜାଇବା ଲେଖା ଅଛି ଯେତେବେଳେ, ମୁଁ ଜାଣେ କେବେ ଫେରିପାଇବିନି l ମୁଁ ଠିକ ଭୂଲ କିଛି ବୁଝିପାରୁନି l ଖାଲି ତୁମଠାରୁ ପଦେ ଶୁଣିବାକୁ ଇଚ୍ଛା l ତୁମ କଥା ମୋତେ ବଳଯୋଗାଏ l ଆଜି ମୁଁ ଖୁବ ଦୁର୍ବଳ l ତୁମ ମେସେଜ ଅପେକ୍ଷାରେ ରହିଲି l ମାମା ନୁହେଁ, ସାଙ୍ଗ ଭାବି ମୋତେ କୁହ ଏ ସମୟରେ ମୁଁ କଣ କରିବି l 


ତୁମ ରିଶଭ l


ପୁଅ ଠୁ ମେଲ ପାଇ ତାକୁ ରିପ୍ଲାଏ କଲେ l ରାତି ଏଗାର ମାନେ ସେପଟେ ଦିନ ବାରଟା l ସେ ରୁମରେ ଥିବ l ନିଶ୍ଚିତ ପଢିବ l 


ପୁଅକୁ ଚିଠି 

---------------------

ରିଶଭ,

ମୋ ସ୍ନେହଶୀର୍ବାଦ ନେବୁ l

ତୁ କାନ୍ଦିଛୁ l ଯେତେ ଲୁଚେଇଲେ କଣ ହବ? ମୁଁ ଜାଣିଛି ତୋତେ l ଯେତେହେଲେ ମୁଁ ତୋ ମା' ପରା, ମା ଠୁଁ ଭଲ ଭାବେ ପୁଅକୁ କିଏ ଆଉ ଚିନ୍ହିବ?


ତୁ ଚିଠିରେ ଲେଖିଥିବା ଅକ୍ଷର ଅକ୍ଷର ସବୁ ବସି ବସି ଚାରି ପାଞ୍ଚଥର ପଢ଼ିଲି l ତୁ ଚାଲିଗଲା ପରେତ ତୋ ଚିଠି ହିଁ ସବୁ ମୋ ସାହା ଭରସା l ସେଥିରେ ସୁଖ ଦୁଃଖ ସବୁ ମହମହ ବାସେ l ମୋତେ ଲାଗେ ତୁ ନ ଦିଶିଲେବି ଏଇଠି ମୋ ପାଖେ ପାଖେ ଅଛୁ l ମୁଁ କାମ ସାରି ଏଇ ଉପର ପାହାଚରେ ଖିଲ ଖିଲ ପବନରେ ଲ୍ୟାପଟପ ଧରି ବସିଛି ଆଉ ତଳ ପାହାଚ ଉପରେ ମୋ କୋଳରେ ମୁଣ୍ଡ ରଖି ଗୋଟି ଗୋଟି କରି ତୁ ସବୁକିଛି କହୁଚୁ l


କେଡ଼େ ଅଧର୍ଯ୍ୟ ହେଇ ଅପେକ୍ଷା କରିଛି ମାସ ମାସ l ତୁ ଚିଠି ନ ଲେଖିଲେ ମୁଁ ଜାଣିପାରେ ପଢାପଢିରେ ବ୍ୟସ୍ତ ଥିବୁ l ହେଲେ ମୋତେ କିଛି ଭଲ ଲାଗେନି l ସବୁ କିଛି ଜାଣିବାକୁ ଇଚ୍ଛା l ସେଠି କେମିତି କଣ ଚାଲିଛି? ତୋ ଲେଖାରୁ ମୁଁ ତୋ ମନର ଗତିବିଧି ସବୁ ଜାଣିଦିଏ l ସବୁଥର ତରତର ହୋଇ କିଛିନା କିଛି ଭୂଲ କରିଦେଉ l ହେଲେ ଆଜି ଲେଖାରେ ଗୋଟିଏକି ଭୂଲ ପାଇଲିନି l ତୁ ଖୁବ ଦୁଃଖରେ ଅଛୁ l ସେଥିପାଇଁ ମା ' ପାଇଁ ସମୟ କାଢି ଲେଖିଛୁ l ଜାଣିଚୁ ପୁଅ, ମା ' ମନେ ପଡିବା ମା' ପାଇଁ ଖୁବ ଚିନ୍ତାର ବିଷୟ ହେଇଯାଏ l ବିଦେଶରେ ଏକା ଏକା ବଞ୍ଚିବା ବହୁତ କଷ୍ଟ l 


ତୁ ଭାବୁଥିବୁ ମୁଁ ବି କେମିତିକା ମା....  ପିଲାଦିନୁ ତୋତେ ଅଜା ଘରେ ରହିବାକୁ ପଠାଇ ଦେଲି l ଅଜାଣତରେ ତୋ ମନ ଏତେ ବ୍ୟଥିତ ହେଉଥିଲା, ମାତ୍ର କଣ କରିଥାନ୍ତି କହ....ତୋ ବାପା ଆଉ ମୋ ଭିତରେ ସବୁଦିନ ହେଉଥିବା ମତ ପାର୍ଥକ୍ୟ ତୋତେ ଭିତରେ ଭିତରେ ହନ୍ତସନ୍ତ କରୁଥିଲା l ତୋ କୋମଳ ମନରେ କିଛି ଦୁଷପ୍ରଭାଵ ନ ପଡ଼ୁ ଭାବି ମୁଁ ଏ ନିର୍ଣ୍ଣୟ ନେଇଥିଲି l

ବାବୁରେ, ମୁଁ ମା' ହିସାବରେ ମୋ କର୍ତ୍ତବ୍ୟରେ ଅବହେଳା କରିଦେଇଛି l ନିଜ କାମରେ ବ୍ୟସ୍ତ ରହି ତୋ ପାଖରେ ବସି ତୋତେ ପଢାଇନି, ତୋତେ ଭଲ ମନ୍ଦରେ ତୋତେ ମୁଁ କେବେବି ସବୁ ଠିକହେଇଯିବ କହି ନିର୍ଭୟବାଣୀ ଦେଇନି କି ଅନ୍ୟ ମା ମାନଙ୍କ ପରି ଗେଲ୍ହେଇ କଅଁଳେଇ କଥା ବି ହେଇନି l ଓଲଟା ଏତେ ଖରାପ ମା ହୋଇବି ମୁଁ ତୋ ପରି ପୁଅ ପାଇଛି l ସତରେ ଏମିତି ପିଲାମାନେ ଭାଗ୍ୟରେ ଥିଲେ ମିଳନ୍ତି l 


ମୁଁ ବୁଝି ପାରୁଛି ତୁ ସେଠି ନିରବରେ ଲୁହଢାଳୁଛୁ l ତୁ ଛୋଟପିଲାଟେ ହେଇଥିଲେ ତୋତେ କୋଳେଇ ନେଇ ଗେଲ କରିଦେଇଥାନ୍ତି l କିନ୍ତୁ ତୋ ଉଜ୍ଜଳ ଭବିଷ୍ୟତ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଆମ ଭିତରେ ଏତେବଡ ପୂର୍ଣ୍ଣଛେଦ ଆଙ୍କି ଠିଆ ହୋଇଯିବ କିଏ ଜାଣିଥିଲା?


ମୁଁ ଜାଣେ, ଭାବପ୍ରବଣତା ମଣିଷର ଉନ୍ନତି ପଥରେ ବନ୍ଧକ ସୃଷ୍ଟିକରେ l କିନ୍ତୁ ଅତ୍ୟଧିକ ବାସ୍ତବିକତାବି ମଣିଷକୁ ଏକ ରୋବୋର୍ଟ ପରି ମାନବୀୟ ମୂଲ୍ୟବିହୀନ ଆଉ ପଥର ପରି ନିଷ୍ଠୁର କରିଦିଏ l ଭଲପାଇବା ପାଇଁ ମନା ନାହିଁ l କିନ୍ତୁ ଭଲ ପାଇବା ଆବୋରିବା ନୁହେଁ ନିସ୍ଵାର୍ଥପରତା ଏବଂ ତ୍ୟାଗ l ପରାଧୀନତା ନୁହେଁ ସ୍ୱାଧୀନତା l ଆଉ ପ୍ରକୃତ ଭଲପାଇଲେ କେହି କାହାକୁ ଛାଡି ରହିପାରନ୍ତି ନାହିଁ l ବିଶ୍ୱାସରଖ, ଚାଲି ଯାଇଥିବା ଲୋକ ନିଶ୍ଚିତ ଦିନେ ଫେରିବ l ମୁଁ କାହିଁ ତୋତେ ପିଲାଦିନେ ଅଜା ଘରେ ଛାଡି ଦେଇଥିଲି ତୁ ଜାଣି ନଥିଲୁ l ହୁଏତ ମୋତେ ତୁ ଭୂଲ ବୁଝିଲା ପରି ସେ ଝିଅକୁ ମଧ୍ୟ ଭୂଲ ବୁଝିଥିବୁ l 


 ତୁ ତ ଜାଣୁ ମୁଁ ପ୍ରଥମରୁ ସେମିତି ମା' l କେବେବି ନରମ ହୃଦୟ ନୁହେଁ, ନିଷ୍ଠୁର,ଚଟ୍ଟାଣ ପରି l ତୋତେ ସଫଳ ଦେଖିବାକୁ ମୋତେ ପଥର ହୁଏତ ହେବାକୁ ପଡିବ ମୂଳରୁ ମୋ ମନରେ ମୁଁ ପ୍ରତିବଦ୍ଧ ଥିଲି l ମୋ ହିସାବରେ ଏହାହିଁ ବର୍ତମାନପାଇଁ ଉତ୍କୃଷ୍ଟ ନିର୍ଣ୍ଣୟ l 


ତା' ବୋଲି କଷ୍ଟ କଣ ମୋତେ ହୋଇନାହିଁ? ତୁ ଯିବାପରେ ମୋତେ କାହାରିକୁ ଆଉ ସାଙ୍ଗ କରିବାକୁ ଇଚ୍ଛା ହେଇନି l ତୋ ଚିନ୍ତା ରେ ରାତି ରାତି ନ ଶୋଇ ମୋତେ ଉଚ୍ଚ ରକ୍ତଚାପ, ଡାଇବେଟିସ l ତଥାପି ମୁଁ ବଞ୍ଚିଛି, ତୋତେ ସମାଜ ଆଗରେ ଉଦାହରଣ ହୋଇ ଠିଆ ହେବାର ଦେଖିବାକୁ l 

ଜାଣୁ ମା' ବାପା ସେବେ ଗର୍ବିତ ହୁଅନ୍ତି, ଯେବେ ତାଙ୍କ ପିଲାମାନେ ତାଙ୍କଠୁଁ ଖୁବ ଆଗେଇ ଯା'ନ୍ତି l


ଶେଷରେ କହିବି ତୁ ଆହୁରି ପରିଶ୍ରମ କର l ଆହୁରି କଷ୍ଟକର l ଜୀବନରେ ଦୁଃଖ,କଷ୍ଟ ଅଛିଯଦି ନିଶ୍ଚୟ ଠିକ ରାସ୍ତାରେ ମଣିଷ ଅଛି ବୋଲି ଭାବିନେ l ଭଗବାନ ଗୋଟେ ଦ୍ୱାର ବନ୍ଦକଲେ ଅନ୍ୟ ଦ୍ୱାର ନିଶ୍ଚିତଭାବେ ଖୋଲନ୍ତି l ନିଜ ଭିତର ଦୁଃଖ ସବୁକୁ ଗୋଟାଇ ବାନ୍ଧି ସିଡ଼ି କରିବା ଶିଖ l ରୋମିତ ବାବାଙ୍କ ପରି ମାନସିକ ରୂପେ ଦୁର୍ବଳ, ଅଶାନ୍ତ l ସେମାନେ ଲଟା ପରି ବିନା ସାହାରା ବଢ଼ି ପାରିବେନି l ହେଲେ ତୁ ପ୍ରତିକୂଳ ପରିସ୍ଥିତିରେ ଛିଡା ହୋଇଥିବା ମହାଦ୍ରୁମ l ତୋତେ ଛାଡି ମୁଁ ନିଶ୍ଚିନ୍ତ l ଯେତେ କଷ୍ଟ ପଡିଲେବି ତୁ ଅତିକ୍ରମୀ ପାରିବୁ l ଅନ୍ୟପାଇଁ ସାହାରା ହୋଇପାରିବୁ l ମୁଁ ମାନସିକ ରୂପେ ସବୁବେଳେ ତୋ ପାଖେ ପାଖେ ଅଛି l ଏ ଦୁନିଆରେ ବଞ୍ଚିଥିଲାଯାଏ ଆଉ ଏ ଦୁନିଆ ଛାଡି ଆର ଦୁନିଆକୁ ଚାଲିଗଲେବି ସୁଧା ମୁଁ ତୋର l 

      ଆଶା ଭଲରେ ଥିବୁ l ପଢାପଢିରୁ ଟିକିଏ ସମୟ ବାହାର କରି ମେଲ ନିଶ୍ଚୟ ଦବୁ l ଅପେକ୍ଷାରେ l 

                      ତୋର ମା '

                     ଅପର୍ଣ୍ଣା ଚୌଧୁର


Rate this content
Log in

Similar oriya story from Drama