Gargi Mishra

Drama Romance Inspirational

4  

Gargi Mishra

Drama Romance Inspirational

ପ୍ରତିଶ୍ରୁତିର ଚାରି ଅକ୍ଷର

ପ୍ରତିଶ୍ରୁତିର ଚାରି ଅକ୍ଷର

6 mins
10



(ବନ୍ଧୁମାନେ, ଆଜି ପ୍ରତିଶୃତି ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା l ଏ କଥାବସ୍ତୁଟି ମୋର ଏକ ଅନ୍ତରଙ୍ଗ ସାଙ୍ଗ ଜୀବନରୁ ଅନୁପ୍ରାଣିତ କାହାଣୀ l ଆଶାକରେ ତାଙ୍କ ସୁଖି ବିବାହିତ ଜୀବନ ପାଇଁ ଆଶୀର୍ବାଦ କରିବେ l )


କାଞ୍ଚନର ବିଶ୍ୱାସଥିଲା, ତାକୁ ଦେଇଥିବା ପ୍ରତିଶୃତିକୁ ବିଜୁ ନିଶ୍ଚିତ ଭାବେ ରକ୍ଷାକରିବ l ଶକ୍ତି,ବୟସ, ବୌଦ୍ଧିକତା -ସମୟ ଆଗରେ ସବୁ କାହିଁ ଦୁର୍ବଳ ପଡି ଯାଆନ୍ତି କେଜାଣି କେଉଁ ନିୟମ ପାଇଁ !! ଏକ ସରକାରୀ ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇବା ପରେ କାଞ୍ଚନର ବନ୍ଧୁତା ହୁଏ ହୁଏ କ୍ୟାସ କାଉଣ୍ଟରରେ ଆସିଷ୍ଟାଣ୍ଟ ରୂପେ କାମ କରୁଥିବା ବିଜୟ ସହ l ସଜଫୁଟା ହାଲକା ଗୋଲାପୀ ଗୋଲାପୀ ବନ୍ଧୁତା କେବେ ଗଭୀର ହୋଇ ଭଲ ପାଇବାର ବହଳିଆ ଲାଲରଙ୍ଗରେ ପରିଣତ ହୁଏ ସେସବୁ ସମୟରଖେଳ, ଅନୁଭୂତିର କଥା l


ନା ସାଙ୍ଗ ସାଥି ନା ଘରଲୋକ...ଉଭୟେ କାହାରିକୁ ଏ କଥା କେବେ ମଧ୍ୟ କହିନଥାନ୍ତି l ଏପରିକି ପରସ୍ପରକୁ ମଧ୍ୟ ନୁହେଁ l l ହୃଦୟ ଭିତରେ ଅନେକ ଶେଫାଳି ନିତି କଅଁଳେ ନିତି ଝଡ଼େ l ଆଭାସ ମଧ୍ୟ ମିଳେନି l 


ପ୍ରଥମ ମହଲାରେ କାଞ୍ଚନର ଷ୍ଟାଫରୁମ l ବିଜୁର ଅଫିସ ତଳ ମହଲାରେ l ଉଭୟ ସମସ୍ତଙ୍କ ସାମ୍ନାରେ ସ୍କୁଲରେ କେବେ କଥା ନହେଲେବି ଲଞ୍ଚ ବ୍ରେକରେ ନିଜ ନିଜ ଜାଗାରେ ରହି ଫୋନ କରନ୍ତି l ଭଲ ପାଇବାର ନିଶାରେ ଜୀବନର ସବୁ ଦୁଃଖକଷ୍ଟ ଭୁଲି ଯାଆନ୍ତି l ପୃଥିବୀ ଛାତିରେ ଉଚ୍ଚ,ଖାଲ,ଗର୍ତ୍ତ,ପାହାଡ଼ପରି ଭଲପାଇବା ପରିସ୍ଥିତି ସହ ତାଳ ମିଳାଉ ଥାଏ l ଆବେଗର ସମୁଦ୍ରରେ କେବେ ଜୁଆର ତ କେବେ ଭଟ୍ଟା l ବନ୍ଧୁତାକୁ ସମାଜ ଆଢୁଆଳୁ ଯତ୍ନର ସହ ଆଗକୁ ନେଇଥାନ୍ତି ଦୁହେଁ l ବିଜୁର ସହକର୍ମୀ ପ୍ରକାଶ କିନ୍ତୁ କିଛି ସୁରାକ ପାଏ l ଉଭୟେ ଏକା ସଂସ୍ଥାରେ କାମ କରୁକରୁ ସାମ୍ନା ସାମନି କଥା ନ ହୋଇ ଫୋନ କଲରେ ଏତେ ସମୟ କାଟିବା ଦେଖି ବିସ୍ମିତ ହୁଏ l 


ଦିନେ କାଞ୍ଚନ ମୁହଁଖୋଲି ବିଜୁକୁ ଏ ସମ୍ପର୍କକୁ ଆଗକୁ ନେବା ବିଷୟରେ ରାୟ ପଚାରେ l ବିଜୁ ଚମକି ପଡେ l ସେ ଜୀବନଠୁଁ ଅଧିକ ଭଲପାଏ କାଞ୍ଚନକୁ l ହେଲେ ସେ ନିଜ ସାମାଜିକସ୍ଥିତି ବିଷୟରେ ଖୁବ ସତର୍କ l କେହି କଣ କେବେ ନିଜଠୁ ଉଚ୍ଚ ପଦରେ ଥିବା ଝିଅକୁ ନିଜ ସହଧର୍ମିଣୀ କରିପାରିବ?


 ପୁରୁଷ କାହାକୁବି ପ୍ରେମ କରିପାରେ, ସେଥିରେ ଲୀନ ରହି ଜୀବନ ତମାମ କାଟି ମଧ୍ୟ ଦେଇପାରେ l କିନ୍ତୁ ପତ୍ନୀ ନିର୍ବାଚନ ବେଳେ ସମାଜ ଓ ଲୋକଙ୍କ ବିଚାରକୁ ଖୁବ ଅନୁଶୀଳନ କରି ଶେଷରେ ଭବିଷ୍ୟତ ପାଇଁ ସାଥିଖୋଜେ l ତା ଛଡା ପ୍ରେମ ନିରୀହ ବା ଶାଶ୍ୱତ ଥିଲେ ସମର୍ପଣର ଭାବନା ଆସେ l କାଞ୍ଚନ ବିଜୁକୁ ଭୁଲି ଉଜ୍ଜଳ ଭବିଷ୍ୟତ ଗଢୁ l ଏ ପରିସ୍ଥିତିରେ ମୌନ ରହିବା ଶ୍ରେୟସ୍କର l ହଁ....ହଁ, ଏହାହିଁ ଦୁହିଁଙ୍କ ପାଇଁ ଠିକ l ପାଦେ ପାଦେ ହୋଇ ଦୁହିଙ୍କ ଭିତରେ ଧୀରେ ଧୀରେ ଅନେକ ଦୂରତା ବଢିଯାଏ l ଜହ୍ନକୁ ଦୁଃଖର ବାଦଲ ଢାଙ୍କିଥିଲେ ତାରାମାନେ ଆପେ ନିଷ୍ପ୍ରଭ ହୋଇ ପଡନ୍ତି l ଭଲ ସାଙ୍ଗ ହିସାବରେ ପ୍ରକାଶକୁ ଆଉ କଣ ଅଛପା l ସେ ବିଚଳିତ ହୁଏ !! 


 ପ୍ରକାଶ ବିଜୁର ଏକାକୀ ପଣ ସହି ନ ପାରି ପାଖକୁ ଆସି ଖୁବ ସଂଯତ ଭାବେ ଶବ୍ଦ ବାଛି ପଚାରେ, 

- କିରେ, ଆଜିକାଲି ଲଞ୍ଚବ୍ରେକରେ ତୁମେ ଫୋନ ଫାନ କରିବା ଦିଶୁନି l ଆଉ ତା ଛଡା ତୁ କଣ କିଛି କହିଛୁ ଯେଉଁଥିପାଇଁ କାଞ୍ଚନ ଚୁପଚାପ ରହୁଛି ଆଉ ତୁ ମନମାରି ଫୋନକୁ ଖାଲି ଚାହିଁ ରହିଛୁ ? ଟେଡି, ଚକଲେଟ, ଫୁଲ କିଛି ଦେଇ ପ୍ରପୋଜ କରିପାରୁନୁ ସାଙ୍ଗ? କଣ ଏସବୁ ହିସାବ କଷୁଛୁ ?

ବିଜୁ ହିସାବ ଖାତା ସାଙ୍ଗକୁ ଦେଖାଇ ବିରକ୍ତହେବା ସ୍ୱରରେ କହେ,

- ବଜାର ଦର କିଛି ମାଲୁମ ଅଛି? ପାରିବା ପତ୍ର ରେଟ ଆଉ ହାତ ପା'ନ୍ତାରେ ନାହିଁ l ତେଲ ଦାମ ତ ଆକାଶ ଛୁଆଁ l ବାଇକରେ ପକାଇବାକୁ ପେଟ୍ରୋଲ, ସର୍ଭିସିଂ ଖର୍ଚ୍ଚ ,ଗ୍ୟାସ ସିଲିଣ୍ଡର , ମୋବାଇଲ ରିଚାର୍ଜ, ଘରେ ବାପା ମା' ଙ୍କ ମୁଁ ଏକା ଶ୍ରବଣ କୁମାର ବୋଲି ତାଙ୍କ ଦେହପା', ନିତ୍ୟ ବ୍ୟବହାର ଜିନିଷ, କୁଣିଆ ମଇତ୍ର, ଦିଆ-ନିଆ,ଘର ଭଡା ସବୁ ହିସାବ କଲେ ଖର୍ଚ୍ଚ ହେଲାଣି ଏତକ l ନିଜକଥା ଅଲଗା l ଯଦି ଗିଫ୍ଟ ଦେଲି ଏପଟେ ମୋ ବୋଉ ପାଇଁ ଏମାସ ମେଡିକାଲ ବାବଦକୁ ଖର୍ଚ୍ଚ କାଟିବାକୁ ହେବ l ଆମପରି ଲୋକ କଣ ଟେଡି ଦେବ, କଣ ଗିଫ୍ଟ ଆଉ କଣ ପ୍ରତିଶୃତି ? ନା ପ୍ରେମିକ ହିସାବରେ ସରପ୍ରାଇଜ କରି ପାରିବି ନା ଭବିଷ୍ୟତରେ ସ୍ତ୍ରୀ ରୂପେ ଖୁସିରେ ରଖିବାକୁ କଥା ଦେଇପାରିବି l ଭଲ ଏ ଜଞ୍ଜାଳରେ ନ ପଶି ଦୁରେଇ ରହିବା l ତାର ଗୋଟେ ସୁନେଲି ଭବିଷ୍ୟତ ଅଛି l ବଡ଼ଘରେ ବାହାହୋଇ ସେ ଖୁସିରେ ରହିଲେ ମୁଁ ତା ପାଇଁ ଖୁସିରେ ରହିବି l ବାସ l ଆଉ ରହିଲା ଏ ପ୍ରେମ, ଭ୍ୟାଲେଣ୍ଟାଇନସ କଥା...ବିଦେଶୀ ସଭ୍ୟତାରେ ମୁଁ ବିଶ୍ୱାସ କରେନି l 


ସିଡ଼ିରୁ ଓଲ୍ହାଇବା ବେଳେ ସବୁକିଛି ଶୁଣିଥାଏ କାଞ୍ଚନ l ତାକୁ ଯେଉଁ କଥା ବାସୁଥିଲା, ଠିକ ସେଇକଥା ବିଜୁ ମୁହଁରୁ ଶୁଣିବାକୁ ମିଳିଲା l କାଲି ଓ ଆଜି ଭିତରେ କେତେ ପାର୍ଥକ୍ୟ? 


ଉଲ୍ଲାସର ସୁକ୍ଷ୍ମ ତରଙ୍ଗ ଖେଳାଇ ଝର ପରି ସୃଷ୍ଟି ହୋଇଥିବା ସମ୍ପର୍କର ମାଟିରେ ଆଜି ମରୁଭୂମିର ଭୟଙ୍କର ଶୁଷ୍କତା l ମାଟିବି ଶିଳା ହୋଇଯାଏ ବର୍ଷା ଅଭାବରୁ ଆଉ ସମ୍ପର୍କ ଖଟା ଶ୍ରଦ୍ଧା ଅଭାବରୁ l ବାୟୁମଣ୍ଡଳୀୟ ତାପ ଓ ଚାପ ଆଦିର ପାର୍ଥକ୍ୟ ଯୋଗୁଁ ଆଖି ସାମ୍ନାରେ ଦୃଶ୍ୟ ସବୁ ଲେଉଟି ମରୀଚିକାର ଭ୍ରମସୃଷ୍ଟି କରୁଥାଏ l ନା ଆଗକୁ ଯିବାର ପଥ ବିଷୟରେ ଧାରଣା...ନା ଫେରିବାର ବାଟ ଜଣା!! କେବଳ ତୃଷ୍ଣା, ଅତୃପ୍ତି, ନିରାଶା, ନୀରବତା l ଆଗରୁ ଏମିତି ଘଟିବ ଜଣା ଥିଲେତ? ଅଭିଜ୍ଞତା ଆସିବ କେଉଁଠୁଁ? ଏପରି କିଛି ଘଟଣା ହିଁ ବୋଧହୁଏ ଜୀବନରେ ପରିପକ୍ୱତା ଆଣେ l 

ସେଦିନ ସ୍କୁଟିଧରି ଘରକୁ ଫେରିଲା ବେଳେ କଲେଜ ଛକ ପାଖେ ଅନ୍ୟମନସ୍କତା ଯୋଗୁଁ ଏକ ଟ୍ରକ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତୀଗଲା କାଞ୍ଚନ l ହର୍ଣ ଯୋଗୁଁ ତାବ୍ଦା ହୋଇଯାଇଥିଲା ତା କାନ l ଦେହ ହାତ ଝାଳେଇ ଯାଇସାରିଥିଲା ପ୍ରାୟ l ବୟସ୍କ ଜଣେ କିଏ ପାଣି ବୋତଲ ଦେଖାଇ କହୁଥିଲା ପିଇବା ପାଇଁ ବୋଧହୁଏ l କିଛି ଶୁଭୁ ନଥିଲା, ଶୁଭିଲେ ବି ବୁଝି ହେଉ ନଥିଲା l ଦୁର୍ଘଟଣା ମୁହଁରୁ ବର୍ତ୍ତୀଗଲା ପରେ ମନ କିଛି ସମୟ ପାଇଁ ବଧିର ପାଲଟିଯାଏ ବୋଧହୁଏ!!

ସ୍କୁଟି ସାଇଡଷ୍ଟାଣ୍ଡ ମାରି ହେଲମେଟ କାଢିଲା କାଞ୍ଚନ l ଝାଳପୋଛି ଦେଖିଲା ବସଷ୍ଟାଣ୍ଡ ଶେଡରେ ଦଳେ କଲେଜ ପିଲା ଅପେକ୍ଷାରେ ଛିଡା ହୋଇଥାନ୍ତି l ପଇଡ଼ ପାଣି ପିଉ ପିଉ ଶୁଣିଲା ପାଗଳ ଲୋକଟିଏ ଗାଉଛି "ପ୍ୟାର କରନେ ୱାଲେ କଭି ଡରତେ ନାହିଁ ଯୋ ଡରତେ ହୈ ୱହ ପ୍ୟାର କରତେ ନହିଁ l"

ପଇଡ଼ ବିକାଳୀ କହୁଥାଏ

- ବିଚରା ପିଲାଟିର ନାଁ ଅରବିନ୍ଦ l ଦିନେ ଏ କଲେଜର ଅତି ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ଥିଲା l ସବୁ ପ୍ରଫେସରଙ୍କ ପ୍ରୀୟ ଛାତ୍ର l ହେଲେ ଦୁଃଖର ବିଷୟ ଯେ ତାକୁ ପ୍ରତିଶୃତି ଦେଇ ଅନ୍ୟତ୍ର ବିବାହ କରି ଲଣ୍ଡନ ଚାଲିଯାଇଥିବା ଦିପା ପାଇଁ ସେ ଡିପ୍ରେସନକୁ ଯାଇ ଶେଷରେ ବୃଦ୍ଧ ପାଗଳ l ଘରଲୋକବି ତାକୁ ପରିତ୍ୟାଗ କରି ଦେଇଛନ୍ତି l

ଏତେ ସବୁ ପରେବି ସବୁ ପିଲାମାନଙ୍କୁ ଭଲପାଇବା ବିଷୟରେ ମଞ୍ଚ ଉପରେ ଚଢି ପ୍ରବଚନ ଦେଇ ଆସୁଛି l ଦେଖ 


- ପଢାପଢି ଛାଡି ଆଗେ ଭଲ ପାଇ ଶିଖ l ଏ ଭାରତ ମାଟିରେ ଜନ୍ମନେଇ ସ୍ନେହର ପରିଭାଷାକୁ ନଶିଖିଲେ କଣ ଶିଖିଲ? ବାଇମୁଣ୍ଡି ନିଜ ପ୍ରାଣ ବଳି ଦେଇଥିଲା ଏଇ ଭଲ ପାଇବା ପାଇଁ l ଶ୍ରୀମା, ମଦର ଟେରେସା ଆଦି ନିଜ ଦେଶ ଛାଡି ଏ ଭୂଇଁକୁ ନିଜର କରି ନେଇଥିଲେ କେବଳ ସ୍ନେହ ପାଇଁ l ସେବାରେ ଖୋଜି ପାଇଥିଲେ ତାଙ୍କ ପ୍ରେମ l ଏ ଧରମା ଦିନେ ସମୁଦ୍ରକୁ ଲମ୍ଫ ଦେଇଥିଲା ଯାହା ତାହାହିଁ ଥିଲା ତାର ଭଲ ପାଇବା l ଶ୍ରୀକୃଷ୍ଣ, ରାଧାକୁ କେବଳ ଭଲ ପାଇବାରେ ନୁହେଁ, ତାଙ୍କୁ ତ୍ୟାଗ କରିବାରେ ବି ଥିଲା ପ୍ରଚୁର ଆନ୍ତରିକତା l ଶବରୀ ଭଲ ପାଇଥିଲା ବୋଲି ପ୍ରଭୁଙ୍କୁ ଅଇଁଠା କୋଳିର ମହୁଲି ମାଦକତାରେ ଆପ୍ୟାୟିତ କରି ପାରିଥିଲା l ପ୍ରେମ ଅବିନାଶି, ପ୍ରେମ ନିରନ୍ତର,ପ୍ରେମ ସ୍ୱତନ୍ତ୍ର ପ୍ରେମ ସ୍ୱତଃସ୍ପୁର୍ତ୍ତ l ଜଣେ ନିଜ ଜୀବନ ସାଥିକୁ ହଜାଇ ବୈଧବ୍ୟ ବରଣ କରେ ତୁଚ୍ଛା ପ୍ରେମ ପାଇଁ ଆମ ସଂସ୍କୃତିରେ l କହି ପାରିବ ଜଣେ ନଶ୍ୱର ଦେହରେ ନ ରହିବି ତାକୁ ପ୍ରେମ କରିହୁଏ କାହିଁକି? ମୃତ୍ୟୁ ପ୍ରେମ ପଥରେ କିବେ ବାଧା ଦେଇ ପାରେନାହିଁ l ଆଉ କେତେ ଦୃଷ୍ଟାନ୍ତ ଦେଖିବ ପ୍ରେମର?


ଯେତେବେଳେ ଦେଶ ଦେଶ ଭିତରେ ସାମ୍ପ୍ରଦାୟିକତା, ପ୍ରଭୁତ୍ତ୍ୱ ବିସ୍ତାର,ସ୍ୱାର୍ଥପରତା, ଧର୍ମାନ୍ଧତାର ସଂକୀର୍ଣ୍ଣ ଓ ସଂକୁଚିତ ମନୋଭାବର ବଶବର୍ତ୍ତୀ ହୋଇ ନିଜ ନିଜ ସ୍ୱାର୍ଥପାଇଁ ଲୋକେ ଲହୁ ଲୁହାଣ ସେଠି ଆମ ଦେଶ ସର୍ବଦା ପ୍ରେମର, ଅତ୍ମୀୟତାର, ସାମ୍ପ୍ରଦାୟିକ ସଦଭାବର ବାର୍ତ୍ତା ଦେଇ ଆସୁଥିବା ସର୍ବବୃହତ, ସାର୍ଵଭୌମ୍ୟ ରାଷ୍ଟ୍ର ରୂପେ ପରିଗଣିତ l କାହିଁକି? ଏ ଦେଶ ଭଲ ପାଇବାର, ଶ୍ରଦ୍ଧାର, ଅତ୍ମୀୟତାର, ନିସ୍ଵାର୍ଥପର ପ୍ରେମର ଦେଶ l ଏଠି ଜନ୍ମିତ ପ୍ରତ୍ୟେକ ଜନତାର ଶିରା ପ୍ରଶିରାରେ ଭଲ ପାଇବା....ଯିଏ ଯେତେ ଭଲ ପାଇବା ଦେଇଜାଣିଛି ସେ ସେତେ ଧନୀ l


ମୋର ମୋର କହି ଆବୋରି ବସିବାରେ କଣ କିଛି ଥାଏ? କେବଳ ଭଲ ପାଇଯା' ପିଲାମାନେ l ଅନନ୍ତ ଶକ୍ତି ଆଉ ଆନନ୍ଦ ଏଥିରେ l ଆମ ପୀଢ଼ି ଭଲ ପାଇବାରେ ରାମ, ଟେରେସା, କୃଷ୍ଣ, ଶ୍ରୀମା, ବାଇମୁଣ୍ଡି,ଧରମା ବା ଭ୍ୟାଲେଣ୍ଟାଇନ ହୋଇ ବିଶ୍ୱକୁ ଦେଖାଇ ଦିଅ l ଡରି ମରି ଜିଇଁବା ମୃତ୍ୟୁ ସହ ସମାନ l 


ପ୍ୟାର କରନେ ୱାଲେ କଭି ଡରତେ ନାହିଁ ଯୋ ଡରତେ ହୈ ୱହ ପ୍ୟାର କରତେ ନହିଁ l "


ତା କଥା ଶୁଣି ସବୁ କଲେଜ ପିଲାମାନେ ହସୁଥିଲେ ଆଉ ଆଖିରୁ ଅନବରତ ଲୁହର ବନ୍ୟା ବନ୍ଧ ବାଡ଼ ନ ମାନି କୁଳ ଲଙ୍ଘିଯାଉଥିଲା କାଞ୍ଚନର l ପଇଡ଼ ଵାଲାକୁ ତାର ପଇସା ବଢ଼ାଇବା ବେଳେ ଦୁଇଟା ପାଞ୍ଚଶ ଟଙ୍କିଆ ନୋଟ ଦେଖି ପାଗଳ ଲୋକଟିକୁ ଦେବା ପାଇଁ ବଢ଼ାଇଲା କାଞ୍ଚନ l କିନ୍ତୁ ସେ ଶୁଣି ନ ଶୁଣିବା ପରି ଚାଲିଗଲା l ନେଲାନାହିଁ l ମୁଖ ମଣ୍ଡଳରେ ତାର ରାଜକୀୟ ତେଜ l ସବୁ ପାଇ ଯାଇଥିବାର ପୂର୍ଣ୍ଣତା l


ତେବେ ଅବଶୋଷ କାହିଁକି? ପ୍ରତିଶୃତି ରକ୍ଷା କଣ ଜଣଙ୍କ ଦାୟିତ୍ୱ? ନିଭାଇବାକୁ ହେଲେ ଉଭୟଙ୍କ ପ୍ରୟାସ ଓ ଇଚ୍ଛାଶକ୍ତି ଲୋଡ଼ା l ଜଣେ ଦୁର୍ବଳ ହୋଇ ପଛଘୁଞ୍ଚା ଦେଲେ ଅନ୍ୟ ଜଣେ ହାତଧରି ନିକଟକୁ ଟାଣି ଆଣି ପରିବାର ନାଁ ପ୍ରତିଶୃତି l ପୁରୁଷ ହେଉ ବା ସ୍ତ୍ରୀ l କାଞ୍ଚନର ସ୍କୁଟି ୟୁ -ଟର୍ଣ ନେବାର ସଭିଏଁ ଦେଖୁଥିଲେ l କିଛି ଦିନ ପରେ ଭ୍ୟାଲେଣ୍ଟାଇନ୍ସ -ଡେ l ଉଭୟ କାଞ୍ଚନ ଓ ବିଜୁ ବିବାହ କରିଥିଲେ ସେଦିନ l ହେଲେ ଏକ ବୁଡି ଯାଉଥିବା ସମ୍ପର୍କର ପୁନଃରୁଦ୍ଧାର କରିଥିବା ଲୋକଟିକୁ ପାଗଳ ଖାନାରେ ହାତ ଓ ଗୋଡ଼ରେ କଡା ଲଗାଇ ଦିଆ ଯାଇଥିଲା l ସେ କିନ୍ତୁ ହସୁଥିଲା ତାର ଚିରା ଚରିତ ରାଜକୀୟ ହସ, ମୁକ୍ତିର ହସ l


Rate this content
Log in

Similar oriya story from Drama