Madhu mita

Abstract Inspirational

3  

Madhu mita

Abstract Inspirational

ପ୍ରତିଦ୍ବନ୍ଦୀ

ପ୍ରତିଦ୍ବନ୍ଦୀ

5 mins
198



          

              ଅନେକ ସମୟରେ ଆମ ଜୀବନରେ ଆମ ଜାଣତରେ କିମ୍ବା ଅଜାଣତରେ ଅନେକ ପ୍ରତିଦ୍ବନ୍ଦୀ ଚାଲି ଆସନ୍ତି।ସେମାନଙ୍କୁ ସାଙ୍ଗରେ ନେଇ ଆମେ ବେଳେବେଳେ ଆଗେଇ ଯାଉ..କିମ୍ବା ପଛରେ ମଧ୍ୟ ପଡି ଯାଉ।ଅନେକ ସମୟରେ ଜିତିଯାଉ ଆଉ ବେଳେବେଳେ ଅନେକ ସମୟରେ ଏମିତି ବି ହୁଏ ଯେ ଆମେ ମଧ୍ୟ ମୁହଁ ମାଡି ତଳେ ପଡି ଯାଉ।କିନ୍ତୁ ଏ ପ୍ରତିଦ୍ବନ୍ଦୀମାନଂକ ବିନା ସତରେ ଜୀବନଟା ସତରେ ଅଲଣା ଖାଦ୍ୟ ପରି ଲାଗନ୍ତା ନା..??ଆଗକୁ ବଢିବାର ସ୍ପୃହା ହିଁ ବୋଧେ ମରି ଯାଆନ୍ତା।ତେଣୁ ମୁଁ ଏ ପ୍ରତିଦ୍ବନ୍ଦୀ ମାନଙ୍କୁ ସତରେ ବହୁତ ଭଲ ପାଏ।ସେମାନେ ହିଁ ପ୍ରେରଣା ଦିଅନ୍ତି ଆହୁରି ଭଲ ଆହୁରି ଉନ୍ନତ କିଛି କରି ଦେଖେଇ ଦେବା ପାଇଁ।

            

               ପାଠପଢା ଆଉ ଖେଳ ସମୟରେ ତ ଏମାନେ ରହିବା ନିହାତି ସ୍ଵାଭାବିକ ହେଲେ ପରେ ମଧ୍ୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏମାନଙ୍କର ଉପସ୍ଥିତି ଅନାୟାସରେ ବାରି ହେଇଯାଏ।ବେଳେବେଳେ କିଛି ଏପରି ନୀରବ ପ୍ରତିଦ୍ବନ୍ଦୀ ମଧ୍ୟ ଥାଆନ୍ତି..ଯେଉଁମାନଙ୍କୁ ଜାଣି ହୁଏନି ହେଲେ ସେମାନଙ୍କ ସହିତ ପ୍ରତିଯୋଗିତା କରିବାକୁ ପଡେ ରୀତିମତ...।କିଛି ହାରି ଯାଆନ୍ତି ଆଉ କିଛି ହରେଇ ଦେଇ ଯାଆନ୍ତି...!!??କିନ୍ତୁ ସେହି ପ୍ରତିଦ୍ବନ୍ଦୀ ମାନଙ୍କଠାରୁ ନିଜକୁ ବଂଚେଇବା କେବେ ସମ୍ଭବ ନୁହେଁ।

             ଏୟାରପୋର୍ଟରେ ମୁଁ ଗ୍ରାଉଣ୍ଡ ହୋଷ୍ଟେସ୍ ଚାକିରୀ କଲା ବେଳେ ସେଇଠି ଆମେ ସବୁ କର୍ମଚାରୀ ପରସ୍ପର ସହ ଏକ ପରିବାର ପରି ସ୍ନେହରେ ବନ୍ଧା ହୋଇଯାଇଥିଲୁ।କେହି କାହାକୁ ଆଗରୁ ଚିହ୍ନି ନ ଥିଲୁ।କିନ୍ତୁ କର୍ମକ୍ଷେତ୍ରରେ ଆମ ବ୍ୟବହାର, ସହଯୋଗ ଓ ଆପଣାପଣ ହିଁ ଆମକୁ ନିକଟତର କରି ଦେଇଥିଲା। ନିଜ ନିଜ ପରିବାର ଠାରୁ ଦୂରରେ ରହି ମଧ୍ୟ ଆମେ ସମସ୍ତେ ସେଇଠି ଖୁସି ସାଉଁଟିବା ପାଇଁ ଚେଷ୍ଟା କରୁଥିଲୁ।ଆଉ ସେ ସଭିଙ୍କ ଗହଣରେ ମୋର ଅତି ପ୍ରିୟ "ଶୀତୁ".. ମଧ୍ୟ ଆମ ସହ ଥିଲା।ପ୍ରଥମ ଦେଖାରୁ ହିଁ ସେ ମୋତେ ହଠାତ୍ ଭାଉଜ କହି ଡାକିବା ଆରମ୍ଭ କଲା।ଆଉ ଆମ ଏଭିଏସନ ଟ୍ରେନିଂ ଆରମ୍ଭରୁ ହିଁ ମୋ ଉଦ୍ଦ୍ୟେଶରେ କହିଲା .."ଏ ହେଲେ ଆମ ପ୍ରିୟ ସାର୍ବଜନୀନ ଭାଉଜ।"ଆଉ ତା ଦେଖାଦେଖି ସେ ଦିନଠାରୁ ମୋତେ ସମସ୍ତେ ଭାଉଜ କହି ସମ୍ବୋଧନ କରି ଆସିଲେ।ଟ୍ରେନିଂ ସମୟରେ ଦିଲ୍ଲୀ ରହଣି ଭିତରେ ଶୀତୁ ମୋ ଛୋଟ ଭାଇର ସ୍ଥାନ ନେଇ ସାରିଥିଲା।ସତରେ ତା ମଜାଳିଆ କଥାବାର୍ତ୍ତା ଆଉ ଖୋଲା ମନର ଫୁର୍ତ୍ତି ଆମ ସମସ୍ତଙ୍କୁ ପ୍ରଫୁଲ୍ଲ ରଖିବା ପାଇଁ ଯଥେଷ୍ଟ ମନେ ହେଉଥିଲା।ବିମାନ ପରିଚାଳନା ପରି ବିମାନବନ୍ଦରର ଗ୍ରାଉଣ୍ଡ ଷ୍ଟାଫ୍ ହେଇ ଯାତ୍ରୀ ମାନଙ୍କୁ ସମ୍ଭାଳିବା ମଧ୍ୟ ବହୁତ କାଠିକର ପାଠ।ହେଲେ ସେ ସବୁ କଳା ଆମକୁ ସୁଚାରୁ ରୂପେ ଶିଖାଇ ଦିଆ ଯାଇଥାଏ।ଧୀରେ ଧୀରେ ଆମେ ସମସ୍ତେ ନିଜ ନିଜ ଦାୟିତ୍ୱ ସମ୍ପାଦନ କରି ଚାଲିଥିଲୁ।ଆଉ ସେଠାରୁ ଫେରି ଆସି ଏୟାରପୋର୍ଟ ରେ ନିଜ ନିଜ ପୋର୍ଟଫୋଲିଓ ଅନୁସାରେ କାମ ସମ୍ଭାଳି ନେଇଥିଲୁ।

          ଦିନେ ଶିତିକଣ୍ଠ ଓରଫ ଶୀତୁ ମୋ ହାତରନ୍ଧା କିଛି ସୁଆଦିଆ ଡିଶ୍ ଖାଇବା ପାଇଁ ମନ ବଳେଇଲା। ଅବଶ୍ୟ ବେଳେବେଳେ ଅନ୍ୟମାନେ ମଧ୍ୟ ଦିବା ଭୋଜନ ପାଇଁ ରନ୍ଧା ଖାଦ୍ୟ କର୍ମକ୍ଷେତ୍ରକୁ ଆଣୁଥିଲେ।ଆଉ ଏମିତି କେହି କେହି କହିଲେ ସ୍ପେଶଲ କିଛି ଆଣି ସାଙ୍ଗ ହୋଇ ଖାଉଥିଲେ। ଶିତୁର କଥା ଶୁଣି ଅନ୍ୟ କାର୍ଯ୍ୟରତ ସାଙ୍ଗମାନେ ମଧ୍ୟ ସେହି ଏକା କଥା କହିଲେ।ଶେଷରେ ନିଷ୍ପତ୍ତି ହେଲା ମୁଁ ସମସ୍ତଙ୍କ ପାଇଁ ମୋ ସ୍ପେଶଲ୍ ଆଇଟମ "ଚିକେନ ବଟର ମସଲା" ତିଆରି କରି ଆଣିବି।ମୁଁ ମଧ୍ୟ ଜାଣିଥିଲି ମୋର ଏହି ଆମିଷ ଆଇଟମ ବହୁତ ସ୍ଵାଦିଷ୍ଟ ହୁଏ।ମୋ ଅନ୍ୟ ସହକର୍ମୀ ଅନିମା କହିଲା ସେ ସମସ୍ତଙ୍କ ପାଇଁ ସେଦିନ ପୁରି ଛାଣି ଆଣିବ। "ଖାଇବାଟା ତା ହେଲେ ଜମିଯିବ"..କହିଲା ଶିତୁ..!!

ସେଦିନ ବୁଧବାର ଥିଲା।ସକାଳୁ ଏୟାରପୋର୍ଟ ଯିବା ଆଗରୁ ସମସ୍ତଙ୍କ ପାଇଁ ଚିକେନ ବଟର ମସଲା ରୋଷେଇ କରି ଧରି ଆସିଥିଲି।ପ୍ରଥମେ ଦୁଇ କିଲୋ ବୋନ ଲେଶ୍ ଚିକେନ ଆଣି ତାକୁ ଭଲ ରୂପେ ଧୋଇ ଲୁଣ,ହଳଦୀ,ଲଙ୍କା ଗୁଣ୍ଡ,ଅଦା ରସୁଣ ପେଷ୍ଟ,ତେଲ ଆଉ ଅଳ୍ପ କସୁରୀ ମେଥି ଦେଇ ଭଲ ରୂପେ ଗୋଳେଇ ପ୍ରାୟ ଚାଳିଶ ମିନିଟ୍ ରଖିଦେଲି।ତା ପରେ ବଡ଼ ବଡ଼ ପିଆଜ ଦଶଟା କାଟି ଗୋଟିଏ ପାତ୍ରରେ ରଖିଲି।କଡାଇରେ ତେଲ ଗରମ କରି ସେଥିରେ ଚିନି ପକେଇ ରଙ୍ଗ ଆସିବା ପରେ ଚାରୋଟି ବଡ଼ ଖଣ୍ଡ ଡାଲଚିନି ପକେଇ ଫୁଟେଇଲି।ବାସ୍ନା ଆସିଲା ପରେ ସେଥିରେ ପିଆଜ ପକେଇ ଭଲ ରୂପେ କଷିଲି।ପିଆଜ ଲାଲ୍ ହୋଇଯିବା ପରେ ଚିକେନ ଖଣ୍ଡ ସବୁ ସେଥିରେ ପକେଇ କଷିବାକୁ ଲାଗିଲି।ପ୍ରାୟ କୋଡିଏ ମିନିଟ ପରେ ଚିକେନରୁ ପାଣି ଛାଡ଼ି ଆସିବା ଆରମ୍ଭ ହେଲା ଆଉ ଚିକେନ ମଧ୍ୟ ଭଲ ରଙ୍ଗ ନେଲା।ସେତେବେଳେ ସେଥିରେ ମ୍ୟାଗି ହଟ୍ ଆଣ୍ଡ ସ୍ଵୀଟ ଚିଲୀ ସସ୍ ପକେଇ ଆଉ ଟିକେ ଲଙ୍କା ଗୁଣ୍ଡ ଓ ଲୁଣ ପକେଇଲି।ଅବଶ୍ୟ ସମୟ ହାତରେ ଥିଲେ ମୁଁ ଟମାଟୋ ଆଉ ଗୁଡ ଭଲ ରୂପେ କିଛି ଶୁଖିଲା ଲଙ୍କା ସହ ବାଟି ଦେଇ ସସ୍ ତିଆରି କରିଦିଏ।କିନ୍ତୁ ସେତେବେଳେ ଆଉ ସମୟ ନ ଥିଲା।ତା ଛଡା ଏଇ ମ୍ୟାଗି ସସ ପକେଇଲେ ଆଇଟମ ର ସ୍ଵାଦ ବହୁତ ଭଲ ଲାଗେ।କେଇ ଖଣ୍ଡ ଗୁଜରାତି ଆଉ ଲବଙ୍ଗକୁ କିଛି ଚିନି ସହ ମିଶାଇ ଗୁଣ୍ଡ କରି ପାଖରେ ରଖିଥିଲି।ଚିକେନ କଷିବା ସହିତ ତାକୁ ମଧ୍ୟ ପକେଇ ଦେଲି।ବାସ୍ନାରେ ଘର ପୁରି ଉଠିଥିଲା।ପ୍ରାୟ ଅଧା ଘଣ୍ଟା ପରେ ଚିକେନ ଉପରେ ବଟର ପକେଇ ଭଲ ରୂପେ ଗୋଳେଇ ଦେଲି।ରଙ୍ଗ ପୁରା ଗାଢ଼ ହୋଇଆସୁଥିଲା।ଅଳ୍ପ ପାଣି ଦେଇ ସଜ ଧନିଆ ପତ୍ର ତା ଉପରେ ପକେଇ ଟିକେ ସମୟ ଫୁଟାଇବାକୁ ଛାଡ଼ି ନିଜେ ଏୟାରପୋର୍ଟ ଯିବା ପାଇଁ ୟୁନିଫର୍ମ ପିନ୍ଧିଲି।

ଅବଶ୍ୟ ଆମ ମହିଳା ମାନଙ୍କ ୟୁନିଫର୍ମ ଶାଢ଼ୀ ଥାଏ।ତଥାପି ତାକୁ ଏକ ସୁନ୍ଦର ଶୈଳୀରେ ପିନ୍ଧିବାକୁ ହୁଏ।ସେତିକି ସମୟ ଭିତରେ ଥରେ ଯାଇ ଚିକେନ ଉପରେ ଗରମ୍ ମସଲା ଆଉ ପୁଣି କିଛି ଧନିଆ ପତ୍ର ପକେଇ ଦେଇ ଆସିଲି।ସେହି ଚାକିରୀ ପାଇଁ ସୁନ୍ଦର୍ ଅଲଗା ଶୈଳୀରେ କେଶବିନ୍ୟାସ କରିବାକୁ ହୁଏ।ତେଣୁ ଗ୍ୟାସ୍ ବନ୍ଦ କରି ଆସି ନିଜକୁ ଅଫିସ୍ ଯିବା ପାଇଁ ପ୍ରସ୍ତୁତ କଲି।କିଛି ଜଳଖିଆ ଖାଇବା ପରେ ଏକ ବଡ଼ ହଟ୍ କେଶ୍ ଭିତରେ ଗରମ୍ ଗରମ୍ ଚିକେନ ବଟର ମସଲା ଭର୍ତ୍ତି କରି ଗୋଟିଏ କ୍ୟାରି ବ୍ୟାଗ୍ ଭିତରେ ରଖି ଅଫିସ୍ ବାହାରିଗଲି।

ସେଦିନର କଥା ମନ ପଡିଲେ ଆଜିବି ସତରେ ଭାରି ହସ ଆସେ..କାହାରି ମନ ଆଉ କାମରେ ଲାଗୁ ନ ଥାଏ। ସତରେ ବାସ୍ନା ମଧ୍ୟ ଆନମନା କରି ଦେଉଥିଲା..ଠିକ୍ ସମୟରେ ସମସ୍ତେ ସାଙ୍ଗ ହୋଇ ଦିବା ଭୋଜନ କରିଲୁ।ଆଉ ଏକଥା କହିବା ଅନାବଶ୍ୟକ ଯେ ମୋ ଟିମ୍ ର ପ୍ରତିକ୍ରିୟା କଣ ଥିଲା...।ବିଶ୍ୱାସ ହେଉନି ଯେ ମୋତେ ପରଶିବାକୁ ସୁଯୋଗ ନ ଦେଇ ସମସ୍ତେ ସେହି ହଟ୍ କେଶ୍ ରୁ ସିଧା ଚିକେନ ଖଣ୍ଡ ସବୁ ଉଠେଇ ନେଇ ପାଟିରେ ଭର୍ତ୍ତି କରି ଦେଇଥିଲେ..!! ସହଜେ ବୋନ୍ ଲେସ୍ ଚିକେନ ମୁଁ ପସନ୍ଦ କରିଥିଲି।ଆହୁରି ସୁବିଧା ହେଲା।ଅନୀମା ଆଣିଥିବା ପୁରି ସହିତ ଫର୍କ ଧରି ସବୁ ସାଙ୍ଗମାନେ ଚଟାପଟ୍ ଖାଇ ଚାଲିଲେ ଆଉ ଅଳ୍ପ ସମୟ ଭିତରେ ଡ଼ିସ୍ ଖାଲି ହୋଇଗଲା।ଆଜି ମଧ୍ୟ ସେ ସମୟର ଖୁସି..ସେ ପ୍ରଶଂସା ..ଆଉ ସମସ୍ତଙ୍କ ମୁହଁରେ ଥିବା ସେ ସନ୍ତୋଷ ମନେ ପକାଇ ମୁଁ ଆନନ୍ଦିତ ହୁଏ।ମୋ ମନ ଖୁସିରେ ପୁରିଯାଏ।

           ସମୟର ଆହ୍ୱାନରେ ଜୀବନ ପୁଣିଥରେ ଗୋଟିଏ କଡ ଲେଉଟେଇଲା।ଆଉ ଦିନେ ଚାକିରି ଜୀବନରୁ ଦୂରେଇ ଯିବାକୁ କଠୋର ନିଷ୍ପତ୍ତି ନେଲି।ମୋ ସନ୍ତାନ ଆଉ ପରିବାର ମୋ ପାଇଁ ପ୍ରଧାନ ହେଲା।ତେଣୁ ମୋ ଇସ୍ତଫା ପତ୍ର ମଧ୍ୟ ପଠେଇଲି।ହେଲେ..ମୋତେ ଏହା ଭାବି ଗର୍ବ ଅନୁଭବ ହୁଏ..ଯେତେବେଳେ ମୋ ସହକର୍ମୀ ମାନେ ସେ ଇସ୍ତଫାପତ୍ରକୁ ଚିରି ଦେଇଥିଲେ।କାରଣ ସେମାନେ ମୋତେ ଏମିତି ଦୂରକୁ ଯିବାକୁ ଦେବାକୁ ଚାହୁଁ ନ ଥିଲେ..।କିନ୍ତୁ ମୁଁ ଯେ ନାଚାର ଥିଲି..।ତେଣୁ ସେମାନଙ୍କୁ ନ ଜଣେଇ ହେଡ୍ ଅଫିସ୍ କୁ ଇସ୍ତଫା ପଠେଇ ଦେବାକୁ ଉଚିତ ମନେ କଲି..।ଆଉ ଯେଉଁ ଦିନ ସେଠାରୁ ମୋ ଇସ୍ତଫାର ଅନୁମୋଦନ ହେଲା.. ଶିତିକଣ୍ଠ ସେହି ଚିଠିକୁ ନେଇ ଘରକୁ ଆସିଥିଲା।

          " ଭାଉଜ"..!!ତା କଣ୍ଠରେ ଥିଲା ଦରଦ ଭରା ଆବେଗ..!!ମୁଁ ବୁଝି ଯାଇଥିଲି ଯେ ଖାଲି ସେ ଏକା ନୁହେଁ ବରଂ ମୋ ସହକର୍ମୀ କେହି ମଧ୍ୟ ଚାହୁଁ ନ ଥିଲେ ମୋ ଯାତ୍ରା ଏମିତି ଅଧାରେ ମୁଁ ଛାଡିଦିଏ..।ତେଣୁ ଶୀତୁ ଆସିଥିଲା ମୋତେ ପୁଣି ଥରେ ନିଷ୍ପତ୍ତି ବଦଳେଇବାକୁ ମନେଇବା ପାଇଁ।କିନ୍ତୁ ମୋ ଅସମର୍ଥତା ଦେଖି ସେ ସେଦିନ ଚୁପ୍ ହୋଇଯାଇଥିଲା।କିଛି ସମୟ କଥାବାର୍ତ୍ତା ହେବା ପରେ ଗରମ୍ କଫି ଆଉ କିଛି ସ୍ନାକ୍ସ ନେଇ ଆସିଲି।ସେ ଖାଇଲା ସତ ହେଲେ ତା ମନରେ ଖୁସି ନ ଥିଲା।ଶେଷରେ ଗଲାବେଳେ କିନ୍ତୁ ପଦେ କଥା କହିଲା.."ଭାଉଜ..ତୁମ ହାତର ବଟର ଚିକେନ ବହୁତ ମନେ ପଡ଼ିବ..ଜୀବନରେ କେବେ ଭୁଲି ହେବନି ସେଦିନର ସେ ମନଲୋଭା ସ୍ଵାଦ.."

               ଶିତୁ ଘରୁ ଚାଲିଯାଇଥିଲା।କିଛି ସମୟ ସ୍ଥାଣୁ ହୋଇ ବସି ରହିବା ପରେ ମୁଁ ମଧ୍ୟ ଘରୋଇ କାମରେ ମନ ଦେଇଥିଲି। ଆଉ ଏ ଭିତରେ କେତେ ଦିନ.. କେତେ ମାସ ..କେତେ ବର୍ଷ ବିତି ଯାଇଛି..।କେତେ ଶ୍ରାବଣ..କେତେ ବୈଶାଖ ଚାଲି ଯାଇଛି...।କେତେ ଲୁହ..କେତେ ହସ ମିଳେଇ ଯାଇଛି..!!ଜୀବନ ଅଧ୍ୟାୟରେ କେଜାଣି କେତେ ପୃଷ୍ଠା ଚିରି ଯାଇଛି..।ଆଉ କେଜାଣି କିଛି ନୂତନ ଆଲେଖ୍ୟ ମଧ୍ୟ ଲକ୍ଷ୍ୟ ଅଲକ୍ଷ୍ୟ ରେ ଯୋଡ଼ି ହେଇଛି..କିନ୍ତୁ ଆଜି ମଧ୍ୟ ମୁଁ ବେଳେବେଳେ ନିରୋଳାରେ ଭାବେ ମୋ ହାତରନ୍ଧା କଣ ସତରେ ମୋ ପ୍ରତିଦ୍ବନ୍ଦୀ ହେଇଗଲା କି??ମୋ ଅପେକ୍ଷା କଣ ଶୀତୁ ପାଇଁ ମୋ ପ୍ରସ୍ତୁତ ଚିକେନ ବଟର ମସଲାକୁ ଭୁଲିବା ସତରେ ଏତେ କଷ୍ଟକର ହେଇଗଲା ଯେ...!!??

                କଣ ସତରେ କେବେ କୌଣସି ସୃଷ୍ଟି.. ନିଜ ସ୍ରଷ୍ଟାର ପ୍ରତିଦ୍ବନ୍ଦୀଟିଏ ହୋଇଯାଇପାରେ...!!??



Rate this content
Log in

Similar oriya story from Abstract