ପ୍ରଥମ ପ୍ରେମର ଅନୁଭୂତି
ପ୍ରଥମ ପ୍ରେମର ଅନୁଭୂତି
ଭାବର ବିଳାସ, କଲ୍ପନାର ପ୍ରତିଛବି, ହୃଦୟର ସ୍ପନ୍ଦନ ନା ସତ୍ୟ?? କଣ ଯେ ତୁମେ, ବୁଝିପାରେନା। କଣ ଯେ ସଂପର୍କ ଜାଣି ପାରେନା। ସେଇ କ୍ଷଣିକ ଅନୁଭୂତି ଏଵଂ ସବୁ କିଛି ଓଲଟ ପାଲଟ ହୋଇଯାଇଛି ସେଇ ମୁହୂର୍ତ୍ତଟିରେ। ମୋ ସତ୍ତା ହଜି ଯାଇଛି ସେଇ ଏକ ଅନୁଭବରେ।
ସିଏ ତ ନୁହଁ ଆମ ପ୍ରଥମ ଦେଖା କିନ୍ତୁ ପ୍ରଥମ ଆକର୍ଷଣ ପରି ହିଁ ପ୍ରତୀତ ହୋଉଥିଲା। ଜନ୍ମ ଜନ୍ମର ବନ୍ଧନରେ ବନ୍ଧା ଦି ଟି ହୃଦୟ,... ନା ବନ୍ଧନ କହିବା ବୋଧହୁଏ ଭୂଲ ହେବ। ବନ୍ଧନରେ ତ ମୁଁ ବନ୍ଧା। ତୁମକୁ ବାନ୍ଧିବାର ନା ମୋର କ୍ଷମତା ଅଛି ନା ହି ସାମର୍ଥ୍ୟ। ତୁମକୁ ମନ ଭରି ଦେଖିବାର କି ଛୁଇଁବାର ସୌଭାଗ୍ୟ ବି ମୋର ନାହିଁ। କିନ୍ତୁ ହେଲେ ବି ମନ ମୋର ଜଳ ବିନା ମୀନ ପରି ଛଟପଟ। ମୁଁ ଆତୁର ହେଲେ କଣ ହେବ ଡୋରୀ ତ ଥିଲା ତୁମ ହାତରେ..!
କାଲି ଭଳି ମନେହୁଏ..... ଲୋକ ଗହଳିରେ ତୁମେ ଦେଖାଯାଉ ନ ଥିଲ। ବର୍ଷଟିଏ ପରେ ଗାଁ ଦାଣ୍ତକୁ ଓହ୍ଲାଇଛ। ସମସ୍ତେ ଉଛନ୍ନ ତୁମକୁ ମନ ଭରି ଦେଖିବାକୁ। ଆଉ ମୁଁ ବାଚାଳ ପ୍ରାୟ ହେଉଥାଏ। ତୁମ ଗହଣରେ ହେଲେ ମଧ୍ଯ କେତେ ଯେ ଦୂରରେ। ଜାଣେନା ଆଖି ତୁମକୁ ଦେଖିବା ପାଇଁ... ତୁମ ଛବିକୁ ମନରେ ବସେଇବା ପାଇଁ ଅନବରତ ଅଶ୍ରୁ ବୁହାଇ ନିଜକୁ ପରିଷ୍କାର କରି ଚାଲିଥିଲା। ମନରେ ତୁମେ, ପାଟିରେ ତୁମରି ନାମ। ମୁଁ ଚିତ୍କାର କରି ତୁମ ନାମ ଡ଼ାକୁଥାଏ କାଳେ ତୁମ ଚାରିପାଖର ଜନ ସମୁଦ୍ରକୁ ଚିରି ମୋ ସ୍ଵର ତୁମ କର୍ଣ୍ଣ ଗୋଚର ହୋଇଯିବ ଓ ତୁମ ଦୃଷ୍ଟି ଏଇ ଅଭାଗି ଦାସୀ ଉପରେ ପଡ଼ିବ। କିନ୍ତୁ ମୁଁ ତ ଆଉ ଏକୁଟିଆ ନୁହଁ। ତୁମକୁ ଦେଖିବା ପାଇଁ ତୁମକୁ ଦୁଃଖ ଜଣାଇବା ପାଇଁ ଯେ ହଜାର ହଜାର ଲୋକ ରୁଣ୍ଡ ହେଇଛନ୍ତି। ହେଲେ ବି ମୁଁ ମୋ ପ୍ରଚେଷ୍ଟାରେ ଥିଲି । ତୁମ ନାମ ଡ଼ାକି ଡ଼ାକି ମୋ ବାକ୍ ଶକ୍ତି ପଛେ ଚାଲିଯାଉ କିନ୍ତୁ ମୁଁ ତୁମକୁ ନଦେଖି ଯାଇପାରିବି ନାହିଁ। ଥରୁଟିଏ ଦେଖାଦିଅ...ଏତେ ଦୂରରୁ ଆସି କଣ ତୁମର ଦର୍ଶନ ନକରି ଫେରିଯିବି??!!
ଧୀରେ ଧୀରେ ରଥ ଦେଖାଗଲା କିନ୍ତୁ ତୁମକୁ ଆଖି ଖୋଜିପାଉନି। ଜନସ୍ରୋତରେ ଭାସି ଭାସିକା ରଥ ପାଖରେ ପହଞ୍ଚି ସାରିଥାଏ । ହେଲେ ତୁମେ କେଉଁଠି?!! ......ଏ କି ବିଡ଼ମ୍ବନା!!!
ହଠାତ୍ ଜଣେ ଆସି ମୋ ହାତ ଟାଣି ନେଲେ। ମୁଁ କିଛି ବୁଝିବା ପୁର୍ବରୁ ତୁମେ ମୋ ସାମ୍ନାରେ। ଆଖିରେ ଆଖି ମିଶିବା ପୁର୍ବରୁ ମୁଁ ତୁମ ଆଲିଙ୍ଗନରେ ବନ୍ଧା। ସମୟ ସ୍ଥିର ହୋଇଗଲା। ନିଶବ୍ଦ!! ଶୁଭୁ ଥାଏ କେବଳ ମୋ ହୃଦୟର ଦୃତ ସ୍ପନ୍ଦନ। ଲାଗୁଥାଏ ଯେମିତି ଛାତିର ନିରାପଦ ପରିଧୀରୁ ବାହାରି ପଡିବ ତୁମକୁ ଦେଖିବା ପାଇଁ । ମୋତେ ଅନୁଭବ ହେଉଥିଲା ଯେପରି ମୁଁ ସଦା ସର୍ବଦା ତୁମରି ବାହୁ ବନ୍ଧନୀରେ ହିଁ ଥିଲି। ତୁମରି ଉଷ୍ମତା.. ମହକକୁ ମନରେ ଭରି ଏକ ଅଲୌକିକ ରାଜ୍ଯରେ ହଜି ଯାଉ ଯାଉ, ଜଣେ କେହି ମୋତେ ତୁମ ଠୁଁ ଟାଣି ନେଲେ। ହଠାତ୍ ପୁଣି ସେହି ଜନସମୁଦ୍ର, ପୁଣି ସେଇ କର୍ଣ୍ଣ ବଧିର କଲା ଭଳି ଶଦ୍ଦ ଝଙ୍କାର। ହଠାତ୍ ଯେପରି ସ୍ବପ୍ନ ରାଇଜରୁ କିଏ ଧକ୍କା ମାରି ତଳକୁ ନେଇ ଆସିଲେ।
ସତ୍ଯ ନା ସ୍ବପ୍ନ, ଏହି ତର୍କ କରିଲା ବେଳେ ହାତଟି ତୁମେ ସ୍ପର୍ଶ କରିଥିବା ଗାଲରେ ବାଜେ। ଗାଲରେ ତୁମ କଳା ରଙ୍ଗ। ହାତରେ ତୁମ କଳା ରଙ୍ଗ। ଏତେ କରୁଣା ମୋ ପରି ଛାର ମନୁଷ୍ଯ ଉପରେ। ତୁମକୁ ମନ ଭରି ଦେଖିବାକୁ ଚାହୁଁଥିଲି ଆଉ ତୁମେ ନିଜ ରଙ୍ଗ ବୋଳି ଦେଲ। ତୁମ ପ୍ରେମ ସତ୍ଯ, ସତ୍ଯ ଆମ ମିଳନ। ତୁମେ ଓ ତୁମର ନିଆରା ଅନୁଭବରେ ହିଁ ଚିରଦିନ ବନ୍ଧା ମୋ ହୃଦୟ।

