ତ୍ୟାଗ ଓ ବିଶ୍ବାସର ପ୍ରେମ
ତ୍ୟାଗ ଓ ବିଶ୍ବାସର ପ୍ରେମ
ଧନ ମନ ଆଜି ଭାରି ଖୁସି। ଆଖି ରେ ତାର ଏକ ନୂଆ ଚମକ୍ । ଆତ୍ମବିଶ୍ବାସ ରେ ଭରା ଆଜି ଆଖି ତାର । ମୁଁହ ରେ ହସ ବାରି ହୋଇପଡୁଛି କିନ୍ତୁ ହସ କୁ ଚାପିବାର ପ୍ରୟାସ ମଧ୍ୟ ଦେଖାଯାଉଛି।
ବୟସ ଚାରିବର୍ଷ ପାଖାପାଖି ହେବ ବୋଧେ। ଧନର ପ୍ରକୃତ ଡାକ ନାମ କୁନୁ, ହେଲେ ତା ମାଆ ତାକୁ ସ୍ନେହରେ ଧନ ଡାକନ୍ତି, ଆଉ ସେ ସାହିରେ ସେଇ ନାମରେ ହିଁ ସେ ପରିଚିତ। ଧନ ପାଇଁ ତା ମାଆ ହିଁ ସବୁ କିଛି। ବୋଧ ହେଲା ଦିନ ଠୁଁ କେବଳ ମାଆ କୁ ହିଁ ଦେଖି ଆସିଛି। ଯେତେ ଅଳୀ ଅଝଟ ତାରି ପାଖରେ। ଦିନଟା ଯାକ ବାହାରେ ଖେଳିଲେ ମଧ୍ୟ ମାଆ ତାକୁ କିଛି କୁହେନି, ଓଲଟା ଧନର ଧୂଳି ଧୂସରିତ ଦେହ ମୁଣ୍ଡକୁ ' ମୋ ସୁନା, ମୋ ଧନ' କହି ନିଜ ପଣତରେ ପୋଛି ପକାଏ। ଧନ କୁ ସେହି କ୍ଷଣ ଟି ଭାରି ଭଲ ଲାଗେ। ମାଆ ବେକରେ ହାତ ଛନ୍ଦି ତୃପ୍ତି ରେ ଝୁଲି ପଡେ। ସମସ୍ତେ ଯେତେବେଳେ ମାଆର ରୂପକୁ ପ୍ରଶଂସା କରନ୍ତି ତା ଛାତି କୁଣ୍ଢେମୋଟ ହୋଇଯାଏ। ମାଆ ମୁହଁରେ ରଙ୍ଗ ବୋଳି ହେଲେ କୁଆଡ଼େ ଭାରି ସୁନ୍ଦର ଦେଖାଯାଏ। ସେତେବେଳେ ମାକୁ ସମସ୍ତେ ' ପରୀ.. ଅପସରା ' ବୋଲି କୁହନ୍ତି। ହେଲେ ଧନକୁ ମାଆର ନିଦୁଆ ମୁଁହ ଭାରି ଭଲଲାଗେ। କାରଣ ସେହି ସମୟରେ ମାଆ ତାକୁ କୋଳେଇ ଧରିଥାଏ, ଆଉ ରଙ୍ଗ ବୋଳି ହେଲା ପରେ ମାଆ ତାକୁ ନିଜ ଠୁଁ ଦୂରେଇ ଦିଏ।
କିନ୍ତୁ ଆଜିର ଖୁସି ର କାରଣ ଭାରି ନିଆରା। ମାଆ ତାକୁ କାମ ଦେଇଛି। ଧନ କୁ ମନେ ହେଉଛି ଯେମିତି ସେ ଏବେ ବଡ଼ ହେଇଗଲାଣି, ସେଥିପାଇଁ ତ ମାଆ କାମ ଦେଇଛି। ସାଙ୍ଗ ପିଲାମାନେ ଚକଲେଟ୍ ଆଣିବା ପାଇଁ ଲୁଚି ଲୁଚିକା ସାହି ମୁଣ୍ଡରେ ଥିବା ଦୋକାନକୁ ଯାଆନ୍ତି। ହେଲେ ଧନ କେବେ ଯାଏନି। କାରଣ ମାଆ ତା ପାଇଁ ଘରେ ହିଁ ସବୁ ସାଇତି ରଖିଛି। ତେଣୁ ଆଜି ଯେତେବେଳେ ମାଆ ପ୍ରଥମ ଥର ପାଇଁ ୨୦ ଟଙ୍କା ଟିଏ ହାତକୁ ବଢ଼ାଇ, ସାହି ମୁଣ୍ଡରେ ଥିବା ଜଳଖିଆ ଦୋକାନରୁ ଜଳଖିଆ ଆଣିବାକୁ ପଠାଇଲା, ଧନ ପଇସା ଧରି ଖୁସିରେ ନାଚି ଉଠିଲା। ମାଆ ତାକୁ ତାଗିଦ୍ କରିଲା, ' ପଇସା କୁ ଜାଗ୍ରତ ରେ ଧରିବୁ, ଦୋକାନରେ କାହ୍ନୁ ଭାଇନ।ଙ୍କୁ ହିଁ ପଇସା ଦେଇ ବରା ମାଗିବୁ' ।
ଖୁସିରେ ପାଦ ପଡୁ ନଥାଏ। ପଇସା ଟିକୁ ପକେଟ୍ ରେ ନରଖି ହାତରେ ହିଁ ପ୍ରାଇଜ ମିଳିଥିବା କପ୍ ଭଳି ଧରି ଆଗେଇ ଚାଲିଥାଏ। ଦୋକାନରେ ମାଆ କହିଲା ଭଳି କାହ୍ନୁ ଭାଇନା କୁ ପଇସା ଦେଇ ବରା ମାଗିଲା। କାହ୍ନୁ ଭାଇନା ତାକୁ ନିଠେଇ ଚାହିଁ ପଚାରିଲା, ' ଆଜି କଣ ତୋ ମାଆ ତୋତେ ଏତେ ଦୂର ଛାଡ଼ିଦେଲା?' ଏଇ କଥାରେ ଦୋକାନରେ ଥିବା ଲୋକମାନେ ମୁରୁକି ହସ ହସିଲେ। ହେଲେ ଧନର ଏସବୁ କୁ ଖାତିର ନଥିଲା। ସେ ଗର୍ବର ସହ ଛାତି ଫୁଲେଇ କହିଲା,' ମୁଁ ଏବେ ବଡ଼ ହେଇଗଲିଣି। ମୋ ମାଆ ପାଇଁ ଦୋକାନ ବଜାର କରିପାରିବି।' କିଏ ଜଣେ ଚାପା କଣ୍ଠରେ କହିଲେ,' ହଁ.. ତୁ ବାହାରକୁ ଗଲେ ତ, ତୋ ମାଆ ତା ଦୋକାନ ଖୋଲିବ।' ସମସ୍ତେ ତାଛଲ୍ୟ କଲା ଭଳି ହସିଲେ। ହେଲେ ଧନର କୋମଳ ମନରେ ଏସବୁ ର କିଛି ପ୍ରଭାବ ପଡ଼ିଲା ନାହିଁ। ସେ ତା ଜୀବନର ସେହି ଗର୍ବର ମୁହୂର୍ତ୍ତ କୁ ସାଉଁଟି ଧରି ଜଳଖିଆ ଧରି ବୀର ଦର୍ପ ରେ ଘର ଆଡ଼କୁ ମୁହାଁଇଲା।
ଆଜି ପ୍ରଥମ ଥର ତା ମାଆ ପାଇଁ ସେ କିଛି କରିଛି। ମାଆ ତାକୁ ଦେଇଥିବା କାମ ଠିକ୍ ରେ କରିଥିବା ଦେଖି କେତେ ଗର୍ବ କରିବ। ମାଆର ହସ ହସ ମୁହଁକୁ କଳ୍ପନା କରି ତା ମୁହଁର ହସ ଲିଭୁ ନଥିଲା।
ଘର ପାଖେଇ ଆସୁ ଆସୁ ଧନ ଦୃତ ଗତିରେ ପାଦ ପକାଇ ଚାଲିଲା। ମାଆ ମାଆ ଡାକି ଧାଇଁ ଯାଇ ଘରେ ପହଞ୍ଚିଲା ବେଳକୁ ମାଆ ଖଟରେ ଶୋଇଛି। ଏମିତି ଅବେଳରେ ତ ମାଆ କେବେ ଶୋଇନି। ଆଜି ବୋଧେ ତା ଦେହ ଭଲ ନାହିଁ । ଧନ ଆଣିଥିବା ବରା ତରକାରୀ କୁ ପ୍ଲେଟ୍ ରେ ନେଇ ମାଆ ପାଖକୁ ଗଲା। ଖଟ ଆଖପାଖ ନାଲି ପାଣି। ମାଆ ହାତରୁ ରକ୍ତ ବୋହୁଥାଏ। ଧନ ବୁଝିପାରିଲାନି କଣ କରିବ। ଥରେ ଧନର ଗୋଡ଼ ଆଙ୍ଗୁଠି କଟି ରକ୍ତ ବାହାରିବାରୁ ମାଆ କାନ୍ଦି କାନ୍ଦି ତା ଆଙ୍ଗୁଠିକୁ ଜୋରରେ ଚାପି ଧରିବାରୁ ରକ୍ତ ବୋହିବା ବନ୍ଦ ହେଇଯାଇଥିଲା ତାପରେ ମାଆ ତାକୁ ଡାକ୍ତରଖାନା ନେଇ ପଟି କରିଦେଇଥିଲା। ସେ କଥା ମନେ ପକାଇ ଧନ ମାଆ ର ହାତକୁ ତା କୁନି ହାତରେ ଚାପି ଧରି ଆଶ୍ଵସନା ଦେଇ ଚାଲିଥାଏ, ' ମାଆ ତୋର କିଛି ହେବନି ଆମେ ଡାକ୍ତରଖାନା ଯାଇ ପଟି କରି ଦେଲେ ସବୁ ଠିକ୍ ହେଇଯିବ।' ତା କୁନି ହାତ ଚାପରେ ମାଆ ର ରକ୍ତ ବୋହିବା କମିଲାନି। ଧନ କହି କହି କାନ୍ଦି ଚାଲିଥାଏ। ତା ପାଟି ଶୁଣି ପଡ଼ିଶାର ରୀନା ମାଉସୀ ଧାଇଁ ଆସିଲେ। ଧନକୁ ଜବରଦସ୍ତି ତା ମାଆ ଠୁଁ ଅଲଗା କରି ଫୋନ୍ ରେ କଥା ହେଲେ। ଧନ ରୀନା ମାଉସୀକୁ ମାଆ ହାତରେ ପଟି ବାନ୍ଧିବା ପାଇଁ କହିଲା ହେଲେ ମାଉସୀ କିଛି ନକହି ଧନକୁ କୁଣ୍ଢେଇ ଧରି କାନ୍ଦିଲେ। ଧନ କିଛି ବୁଝିନପାରି ଛଟପଟ ହେଉଥାଏ। ଏତିକିରେ ଲାଇଟ୍ ବାଲା ଗାଡ଼ି ଟେ ଆସି ଦାଣ୍ଡରେ ଲାଗିଲା। ଦି ଜଣ ଧଳା ପ୍ୟାଣ୍ଟ ସାର୍ଟ ପିନ୍ଧା ଲୋକ ଆସି ତା ମାଆ କୁ ଗୋଟେ ପଟି ରେ ଉଠାଇ ଗାଡ଼ି କୁ ନେଇଗଲେ। ଧନ ଆହୁରି ଜୋରରେ ମାଆ ମାଆ କହି ଛାଟିପିଟି ହେଲା। ସେମାନଙ୍କ ଭିତରୁ ଜଣେ କହିଲା, ' ତୋ ବାପାକୁ ଡାକ୍ତରଖାନା ପଠେଇଦେ। ଡାକ୍ତର ଦେଖିଲା ପରେ ସେ ବଡି (body) ନେଇଯିବ ।' ଧନ କିଛି ବୁଝିନପାରି କାନ୍ଦୁରା ମୁଁହ ରେ ଚାହିଁ ଥାଏ। ରୀନା ମାଉସୀ କହୁଥାଏ, ' ଆମ ପିଲାଙ୍କ ବାପ ନଥାଏ। ପୁଣି ତାକୁ ଯେଉଁ ରୋଗ ହେଇଛି ଏଠାକୁ ଆଣିଲେ ବି କେହି ଛୁଇଁବେନି । ଏଇ ପିଲା ବକଟା କଣ ବା ଜାଣିବ। ଆମେ ବୁଝାଇଦେବୁ। ତମେମାନେ ହିଁ ତାର କ୍ରିୟା କର୍ମ କରିପକାଅ।'
ମାଆ ଟି ତାର ଜୀବନ ହାରିଦେଲା କେବଳ ତା ପୁଅ ପ୍ରେମ ପାଇଁ।ସେ ଚାହୁଁ ନଥିଲା ତା ଧନ ତାକୁ ତିଳ ତିଳ ହୋଇ ମରିବା ଦେଖୁ। ଭୟ ବି ଥିଲା କାଳେ ତା ଛୁଆ କୁ ଏହି ରୋଗ ଡେଇଁବ । ସେଥିପାଇଁ ବୋଧେ ସେ ଟିକି ପୁଅକୁ ସାହସ ଦେଲା, ଦାୟିତ୍ଵ ବହନ ର ସୁଯୋଗ ଦେଲା।ହେଲେ ପୁଅଟା ଦାୟିତ୍ଵ ଭାର ଉଠାଇବାରେ ସମର୍ଥ ନା ନୁହଁ, ତାହା ଦେଖିବା ପାଇଁ ସେ ରହିଲାନି। ବୋଧହୁଏ ତା ପ୍ରେମରେ ବିଶ୍ବାସ ଥିଲା।
ଆଉ ଧନ, ମାଆ ପ୍ରେମ ଓ ଖୁସୀ ପାଇଁ ବୟସ ହେବା ପୂର୍ବରୁ ହିଁ ବଡ଼ ହେଇଗଲା, ଆତ୍ମନିର୍ଭଶୀଳ ହୋଇପଡ଼ିଥିଲା ସତ, କିନ୍ତୁ ଏକ ଭାରି ମୂଲ୍ୟରେ।
ପ୍ରେମ ର ଗୋଟିଏ ରଙ୍ଗ ତ୍ୟାଗ ହେଲେ ଅନ୍ୟଟି ବିଶ୍ବାସ।
