STORYMIRROR

Nibedita Senappati

Abstract Children Stories Others

4  

Nibedita Senappati

Abstract Children Stories Others

ମୋ ନୂଆ ରଙ୍ଗୀନ ବହି

ମୋ ନୂଆ ରଙ୍ଗୀନ ବହି

3 mins
218

ସବୁଦିନ ପରି ବାହାରେ ଠିଆ ହୋଇ ମୁଁ କଣେଇ କଣେଇ ଚାହିଁ ରହିଥାଏ। ଭୟରେ ଛାତି ଧଡ଼ ପଡ଼ ହେଉଥାଏ,.... କାଳେ ବାବୁ ଦେଖିଦେବେ?

ଜାଣେ, ଖାଇବା ସମୟ। ବାବୁ ମଧ୍ଯ ଅନ୍ୟ ମାନଙ୍କ ପରି ଦୋକାନ ଭିତରେ ବସି ଖାଉଥିବେ....କିନ୍ତୁ, ଭୟ ମନରୁ ଯାଉନଥାଏ। ସେମିତି ଠିଆ ହୋଇ ମନର ବ୍ୟଗ୍ରତା ସହ ଯୁଦ୍ଧ କରି ଚାଲିଥାଏ। ନା ଆଗକୁ ବଢ଼ି ପାରୁଛି ନା ପଛକୁ ଫେରି ପାରୁଛି। ସବୁ ହାତ ପହନ୍ତାରେ ଥିବା ପରି ମନେ ହେଉଛି କିନ୍ତୁ, ହାତ ବଢାଇଲେ କୋଶେ ଦୂରକୁ ଘୁଞ୍ଚି ଯାଉଛି।


ମନ ଭିତରେ ପ୍ରବଳ ଆନ୍ଦୋଳନ। ସମୟ ବହୁତ କମ୍ ଅଛି। ବାବୁ ଖାଇ ସାରି ଉଠି ମୋତେ ଦେଖିଲେ, ପୁଣି ଗାଈ ଗୋରୁ ଘଉଡ଼ାଇଲା ପରି ଘଉଡ଼ାଇ ଦେବେ। ମୁଁ ବାସ୍... ଥରୁଟିଏ ପାଇଁ... କେବଳ ଥରୁଟିଏ ପାଇଁ ପାଖରୁ ଦେଖିବା ପାଇଁ ଚାହୁଁଛି... ସ୍ପର୍ଶ କରିବା ପାଇଁ ଚାହୁଁଛି...ଖୋଲି ଦେଖିବା ପାଇଁ ଚାହୁଁଛି ସେ ସୁନ୍ଦର ରଙ୍ଗ ବିରଙ୍ଗ ମଲାଟ ଭିତର ର ଦୁନିଆକୁ.....।


ହଠାତ୍ କାନ୍ଧରେ କାହାର ହାତ ସ୍ପର୍ଶରେ ଚମକି ଉଠିଲି। ଭୟରେ ପଛକୁ ଫେରି ଚାହିଁଲି । ପଛରେ ଏତେ ଆଲୁଅ ଥିଲା ଯେ ତାଙ୍କ ମୁହଁ ଦେଖା ଯାଉନଥାଏ। ଧୀର ଓ ମଧୁର କଣ୍ଠ ରେ ସେ ପଚାରିଲେ, ' ପାଠ ପଢ଼ୁଛୁ?'

ମୁଁ ଏତେ ଅବାକ୍ ହେଇ ଯାଇଥିଲି ତାଙ୍କ ସ୍ପର୍ଶରେ, ମୋ ପାଟିରୁ କିଛି କଥା ବାହାରିଲାନି। ସେ ମୋ ଆଡ଼କୁ ଝୁଙ୍କି ପଡି, ଦୋକାନ ଭିତରକୁ ଆଙ୍ଗୁଠି ଦେଖାଇ ପଚାରିଲେ, ' ତୋତେ ବହି ଭଲ ଲାଗେନା?'


ମୋ ମନରେ ଖୁସିର ଲହରି ଉଛୁଳି ପଡ଼ିଲା ଯେପରି। ୟେ ତୋ ମୋ 'ମାଆ'। ଯାହା ଭୟ ଥିଲା ସବୁ ତୁଟି ଗଲା। ମୋ ମୁହଁରେ ହସ ଚହଟି ଗଲା ଓ ମୁଁ ତା ପ୍ରଶ୍ନର ଉତ୍ତର ରେ ମୁଣ୍ଡ ଟୁଙ୍ଗାରି ' ହଁ ' ମାରିଲି। ଆମେ ଦୁହେଁ ହାତ ଧରା ଧରି ହୋଇ ଦୋକାନ ଭିତରକୁ ଗଲୁ। ଦୋକାନ ଭିତରେ ବାବୁଙ୍କୁ ଦେଖି ମୁଁ ଭୟରେ ମାଆ ପଛରେ ଲୁଚି ପଡ଼ିଲି। ବାବୁ, ମାଆଙ୍କୁ ପଚାରୁ ଥିଲେ, ' ମ୍ୟାଡ଼ମ, କଣ ନେବେ?' ବାବୁଙ୍କ କଣ୍ଠ ସ୍ବର କର୍କଶ ନଥିଲା, ଭାରି ଭଦ୍ର ଓ ମାର୍ଜିତ ଭଙ୍ଗୀରେ ସେ ମାଆ ସହ କଥା ହେଉଥିଲେ ।


ମାଆ ମୋତେ ଆଗକୁ ଟାଣି କହିଲା, ' ଦେଖ, ତୋର କେଉଁ ବହି ଦରକାର?' ବାବୁ ମୋତେ ଏମିତି ଅନେଇଲେ, ଯେମିତି ମୋତେ ଦେଖି ତାଙ୍କ ଜୀବନ ସାର୍ଥକ ହୋଇଗଲା । ତାଙ୍କ ପାନ ଖିଆ ନାଲି ଦାନ୍ତକୁ ଦେଖାଇ ନାଟକୀୟ ଭଙ୍ଗୀରେ କହିଲେ, ' ଆଛା! ... ଆମ କୁନି ବାବୁଙ୍କୁ ବହି ଦରକାର? ଦୋକାନ ଟି ତୁମର ବାବା,.... ଯାହା ଚାହିଁବ ଦିଆଯିବ।' ମୁଁ ଅବିଶ୍ବାସ ରେ କିଛି ସମୟ ବାବୁଙ୍କୁ ଚାହିଁଲି, କିନ୍ତୁ ବାବୁ ସେମିତି ମୋତେ ଆଗ୍ରହ ଭରା ଦୃଷ୍ଟି ରେ ଚାହିଁ ମୋତେ ଆଗକୁ ବଢିବା ପାଇଁ ଉତ୍ସାହିତ କରୁଥାନ୍ତି।


ପ୍ରଥମ ଥର ପାଇଁ ଦୋକାନ ଭିତରକୁ ପସି ଥାଏ, ଆନନ୍ଦରେ ଆଉ ପାଦ ପଡୁ ନଥାଏ। ମାଆ ମୋ ହାତ ଧରି ଆଗେଇଲା ଓ ମୁଁ ଧିରେ ଧିରେ ରଙ୍ଗୀନ ବହିର ଦୁନିଆ କୁ ଏତେ ପାଖରେ ଦେଖୁଥାଏ। ଭଳି କି ଭଳି ରଙ୍ଗୀନ ମଲାଟ ର ବହି, ... ଥାକ ଥାକ ହୋଇ ବହି ଆକାଶ କୁ ଛୁଁ ଥାଏ। ଚାରିପଟେ କେବଳ ରଙ୍ଗୀନ ବହିର ଦୁନିଆ। ଯେମିତି ନିଜ ଭିତରେ ଧସ୍ତା ଧସ୍ତି ହେଉଛନ୍ତି ମୋ ଦୃଷ୍ଟି ଆକର୍ଷଣ କରିବା ପାଇଁ... ଚାପା କଣ୍ଠରେ ଅନୁରୋଧ କରିଛନ୍ତି, ' ମୋତେ ନିଅ...ମୁଁ ତୁମକୁ ନିଆରା ଦୁନିଆ କୁ ନେଇଯିବି,... ଜ୍ଞାନର ଚାବିକାଠି ମୋ ପାଖରେ ଅଛି,.... ଦେଶ ବିଦେଶ ର ନିଆରା ଅନୁଭୂତି ପ୍ରଦାନ କରିବି...।'


ବର୍ତ୍ତମାନ ଆଉ ବହି ମୋ ଠୁଁ ଦୂରେଇ ନଯାଇ, ବରଂ ଚୁମ୍ବକ ପରି ଆକର୍ଷିତ ହୋଇ ପାଖକୁ ଆସୁଥାଏ। ଧିରେ ଧିରେ ବହି ଓ ମୋ ଭିତରର ଦୂରତା କ୍ଷୀଣ ହେବାରେ ଲାଗିଥାଏ। ବାସ୍,...ଆଉ କିଛି ସମୟରେ ମୋ ପ୍ରଥମ ବହି ମୋ ହାତରେ ଥିବ। ମୁଁ ଗୋଟିଏ ରଙ୍ଗୀନ ମଲାଟ ଥିବା ବହି ଆଡ଼କୁ ହାତ ବଢ଼ାଇଥାଏ ଓ ମନରେ ଆନନ୍ଦର ଜ୍ୱାଳାମୁଖୀ ବର୍ଷିବାକୁ ଥାଏ। ବହି କୁ ଖୋଲିବା ପୂର୍ବରୁ ମୁଁ ତାର ସତ୍ତା କୁ ଆଘ୍ରାଣ କରିବି... ମୋ ମାନସ ପଟରେ ସଞ୍ଚିତ କରିନେବି ତା ବାସ୍ନା କୁ.... ତାପରେ ତାକୁ ସନ୍ତର୍ପଣରେ ଖୋଲି, ତାର ଶବ୍ଦର ଦୁନିଆରେ ହଜିଯିବି। ବାସ୍...ଆଉ ଟିକେ ହାତ ବଢାଇଲେ ବହି ଟି ମୋ ହାତକୁ ଆସିଯିବ...।


ହଠାତ୍ ଏତେ ଆଲୁଅ ଝଲକି ଉଠିଲା ଯେ, ଦୋକାନୀ ବାବୁ, ମାଆ ଓ ...ହାତ କୁ ଆସୁଥିବା ରଙ୍ଗୀନ ବହି ସବୁ ଏକା ଥରେ ଉଭାନ ।


ଆଖି ଖୋଲିଲା ବେଳକୁ ମୁହଁ ରେ ଖରା। ମୋ ଗୋଟିଏ ପାଖରେ ପୁରୁଣାଭଙ୍ଗା ଜିନିଷର ପାହାଡ଼ ତ ଅନ୍ୟ ପାଖରେ ରାସ୍ତା। ସେସବୁ ତାହେଲେ ସ୍ଵପ୍ନ ଥିଲା। ନିଜକୁ ଧିକ୍କାର କଲି। ଆଜି ବାବା ମୋତେ ତାଙ୍କ ସାଙ୍ଗରେ ନେବେ ବୋଲି କହିଥିଲେ, କିନ୍ତୁ ସ୍ଵପ୍ନ ରେ ହଜି ଅଧିକା ଶୋଇପଡ଼ିଛି । ଠିକ୍ ସମୟରେ ଉଠିଥିଲେ କାଳେ ସ୍ଵପ୍ନ ସତ ହୋଇଯାଇ ଥାଆନ୍ତା। ନିଜ ଉପରେ ଚିଡି ମାରୁଥାଏ, ହେଲେ...!

ବାବା ଙ୍କ ଗାଡ଼ି ବି ଦେଖା ଗଲାଣି। କୋହ ଉଠୁଥାଏ କିନ୍ତୁ ମନକୁ ବୁଝାଉ ଥାଏ ' କାଲି ବାବା ଉଠିବା ପୂର୍ବରୁ ଉଠି ପଡ଼ିବି।' ଶେଯରୁ ଉଠି ପାଖର ନଳ କୂଅ କୁ ଯାଇ ମୁହଁ ଧୋଇ ନେଲି.. ତା ସହ ଆଖିରେ ଜମା ହେଉଥିବା ଟିକି ଲୁହ ଓ ରୋଷକୁ ଧୋଇହେଇଗଲି। ପିନ୍ଧିଥିବା ଶାର୍ଟ୍ ରେ ମୁହଁ ପୋଛି ଘରକୁ ଫେରିଲି। ବାବା ପଚାରିଲେ, ' ତୋ ଦେହ ଭଲ ନାହିଁ କି ରେ ? ଆଜି ଏତେ ଡେରି ପର୍ଯ୍ୟନ୍ତ ଶୋଇରହିଲୁ ଯେ!! ଦେଖ ତୋ ପାଇଁ କଣ ଆଣିଛି ।' ଏତକ କହି ସେ ମୋ ହାତରେ ବହିଟିଏ ରଖିଦେଲେ!!! ଯାହାର ଦିନେ ଦୋକାନ ବାବୁଙ୍କ ବହି ପରି ରଙ୍ଗୀନ ମଲାଟ ଥିଲା ବୋଧହୁଏ,... ସମୟର ମାଡ଼ରେ ତା ରଙ୍ଗ ଉଡ଼ି ଯାଇଛି, ...ମଲାଟ ଚିରି ଯାଇଛି,...ପୃଷ୍ଠାରେ କେଉଁଠି ଚା' ର ଦାଗ ତ କେଉଁଠି ତେଲ ର... କିନ୍ତୁ ଶେଷକୁ ମୋ ସ୍ଵପ୍ନ ସତ ହୋଇଛି...ମୋ ନୂଆ ବହି ମୋ ହାତରେ ଅଛି।



Rate this content
Log in

Similar oriya story from Abstract